Unknown

 

 

 

 

 

 

 

 

 

 

 

ଭଙ୍ଗା ଦର୍ପଣ

ଗଦାଧର ପାଢ଼ୀ

 

ନ କହିଲେ ଚଲୁନାହିଁ

 

ମଫସଲର କାଦୁଅ ପିଚିପିଚି ରାସ୍ତା ଛାଡ଼ି ସହରର କଳା ରାସ୍ତାରେ ଯିବାବେଳେ ଅନେକ କଥା ଆଖିରେ ପଡ଼େ । ଅନେକ ଲୋକଙ୍କୁ ଚଲାପଥରେ ଦେଖିବାକୁ ମିଳେ; ମାତ୍ର କାହାରି ବିଷୟରେ କିଛି ଲେଖିହୁଏ ନାହିଁ । ବିଭିନ୍ନ ଚରିତ୍ର ଚିତ୍ରଣ କରିବାବେଳେ ଅନେକ କଥା ଲେଖକ ଲେଖିଯାଏ ଏବଂ ତାହା ମଧ୍ୟ ଅନେକ ଲୋକଙ୍କର ଦୈନନ୍ଦିନ ଘଟଣା ସଙ୍ଗେ ମିଳିଯାଏ । ସେଥିପାଇଁ ଲେଖକ ଗାଳିମନ୍ଦ ଶୁଣେ । ଗାଳି ଶୁଣିବା ବି କେବଳ ଲେଖକର ପାଉଣା । କାଳକ୍ରମେ ଗାଳିମନ୍ଦ ଲେଖକର ଦେହସୁହା ହୋଇଗଲେ ମଧ୍ୟ ସେ ନିଜର ଆନନ୍ଦ ଚାହେଁ ନାହିଁ କି ?

 

ଏ ଦେଶର ଅଗଣିତ ପାଠକପାଠିକାଙ୍କ ମଧ୍ୟରୁ କେହି ଜଣେ ଯଦି ଲେଖକଙ୍କର ଲେଖା ପଢ଼ି ଆନନ୍ଦିତ ହୁଏ ତାହା ହେଉଛି ଲେଖକର ପାଉଣା । ସେହି ଦମ୍ଭରେ ସେ ସଞ୍ଚିତ ବ୍ୟଥା ଅଜାଡ଼ିଦିଏ ଲେଖନୀ ମୁନରେ ।

 

ଇତି

ବିନୀତ

ଗଦାଧର ପାଢ଼ୀ

Image

 

ସୂଚୀପତ୍ର

 

୧.

କୃଷ୍ଣସାର

୨.

ଜରତାର ପ୍ରେମ

୩.

ଅଶରୀରୀ

୪.

ଦୁଇ ଦିଗ

୫.

ସୃଷ୍ଟି ଛଡ଼ା

୬.

ସୁନା ପ୍ରତିମାର ଛାଇ

୭.

ଶଯ୍ୟା ନାୟିକା

୮.

କାଳ ନାଗୁଣୀ

୯.

ପିତା ମହାକାଳ

୧୦.

ଭଙ୍ଗା ଦର୍ପଣ

Image

 

କୃଷ୍ଣସାର

 

‘‘ଦୁଇଗୋଟି ଆତ୍ମା ଗୋଟିଏ ଡୋରିରେ ଗୁନ୍ଥା ହୋଇଗଲା ପରେ କାଳକ୍ରମେ ଦୁଇଟି ଆତ୍ମା ମିଶିଯାଇ ଏକ ହୋଇଯାଆନ୍ତି ନାହିଁକି ?’’

 

‘‘ଡୋରିଟି ଯଦି ଛିଡ଼ିଯାଏ !’’ କୌଣସି ସଂକୋଚ ନ କରି ସୁଚେତାର ପ୍ରଶ୍ନର ହଠାତ୍ ଉତ୍ତରଦେଲେ ସମରେନ୍ଦ୍ର ।

 

ସମରେନ୍ଦ୍ରର ଏତିକି ଉତ୍ତର ଶୁଣିଲା ମାତ୍ରେ ସୁଚେତା ସେଦିନ ଚମକି ପଡ଼ିଲା । ସେତେବେଳେ ସେ କେବଳ ଭାବୁଥିଲା ବିଧାତାଙ୍କର ଇଚ୍ଛା ବିରୁଦ୍ଧରେ କ’ଣ ଏହି ମଣିଷ ଯାଇପାରେ ? ବିଧାତାଙ୍କ ଆଖିରେ ଯାହା ସୁନ୍ଦର ଦେଖାଯାଏ ମଣିଷର ଆଖିରେ କ’ଣ ତାହା ଅସୁନ୍ଦର ଦେଖାଯାଏ ? ଦୈବବଳଠାରୁ ମଣିଷର ବଳ କ’ଣ ବଳିପଡ଼େ ? ଦୈବ ଯେତେ ବାଦ ନ ସାଧେ ମଣିଷ ସେତେ ବାଦ ସାଧିଥାଏ ଅନ୍ୟକୁ କେବଳ କରାୟତ୍ତ କରିବା ପାଇଁକି ? ସତରେ ଏହି ମଣିଷଗୁଡ଼ାକ କେତେ ସ୍ୱାର୍ଥପର । ଲୋକଗୁଡ଼ାକୁ ଚିହ୍ନିସାରିଲା ପରେ ଦୟା ଦେଖେଇବାକୁ ମୋଟେ ଇଚ୍ଛା ହୁଏ ନାହିଁ । କେବଳ ଘୃଣା କରିବାକୁ ଇଚ୍ଛା ହୁଏ ମାତ୍ର ଘୃଣା କରିହୁଏ ନାହିଁ ।

 

ସମରେନ୍ଦ୍ରଙ୍କୁ ଦେଖିଲା ପରେ ସୁଚେତା ସମରେନ୍ଦ୍ର ସମ୍ୱନ୍ଧରେ କୌଣସି ଉଚ୍ଚ ଚିନ୍ତା କରି ନ ଥିଲା କିମ୍ୱା ସେ ତାଙ୍କୁ ମୋଟେ ଭଲପାଇ ନ ଥିଲା । ଭଲ ପାଇବାର ଆବଶ୍ୟକ ମଧ୍ୟ ତା’ର ନ ଥିଲା । କୌଣସି ସ୍ତ୍ରୀ କୌଣସି ପୁରୁଷକୁ ଦେଖିଲେ ହଠାତ୍‍ ତାହା ପ୍ରତି ଆକୃଷ୍ଟ ହୁଏ ନାହିଁ । ସ୍ତ୍ରୀମାନଙ୍କର ବୁଦ୍ଧିବୃତ୍ତି ପୁରୁଷଠାରୁ ଅନେକ ଗୁଣରେ ସରସ । ସ୍ତ୍ରୀ ପୁରୁଷ ପରି ଅନ୍ଧ ଭାବରେ କାହାକୁ ଭଲପାଇ ଜାଣେନାହିଁ । ଅନେକ ଭାବିଚିନ୍ତି ସେ ଅନ୍ୟକୁ ଭଲପାଏ ବୋଲି ଯେ କୌଣସି ପ୍ରତିକୂଳ ପରିସ୍ଥିତି ଉପୁଜିଲେ ମଧ୍ୟ ସେ ଆଉ ହୃଦୟ ଫେରାଇ ଆଣି ପାରେନାହିଁ ଏହା ହେଉଛି ସ୍ତ୍ରୀ ଜାତିର ସୁଗୁଣ ।

 

ସେହି ଅବସ୍ଥାରେ ପଡ଼ିଥିଲା ସୁଚେତା । ସମରେନ୍ଦ୍ର ଜାଣନ୍ତି ସୁଚେତା ତାଙ୍କୁ ମନପ୍ରାଣ ଢାଳି ଭଲପାଏ । ଅନ୍ୟ ଜଣକୁ ଜୀବନ ଭରି ଭଲ ପାଇବା ହେଉଛି ନାରୀର ଏକମାତ୍ର ଦୁର୍ବଳତା । ଏହି ଦୁର୍ବଳତାଟି ଯେତେବେଳେ ପୁରୁଷ ଆଖିରେ ଧରାପଡ଼େ, ସେତେବେଳେ ସ୍ତ୍ରୀ ଉପରେ ସବୁପ୍ରକାର ଦୌରାତ୍ମ୍ୟ ସେ ଆରମ୍ଭ କରେ ।

 

ସମରେନ୍ଦ୍ର ମଧ୍ୟ ପୁରୁଷ । ସ୍ତ୍ରୀକୁ ଧମକ ଚମକ ଦେଇ ପଦାନତ କରିବାକୁ ସବୁ ପୁରୁଷ ଯେତେବେଳେ ଭଲ ପାଆନ୍ତି ସମରେନ୍ଦ୍ର ତାହା କରିବାକୁ ପଛେଇ ଯାଆନ୍ତେ କିପରି ? ତେଣୁ ସେ ତାଙ୍କର ପୌରୁଷ ଦେଖାଇବାକୁ ଯାଇ ଅଯଥାରେ ଜୁଲୁମ ଆରମ୍ଭ କଲେ ବେଚାରୀ ସୁଚେତା ଉପରେ । ସୁଚେତା ଭାଙ୍ଗିପଡ଼ିଲା । ସେ ଭୟରେ ଜଡ଼ସଡ଼ ହୋଇଗଲା । ସେ ଅନୁତାପ କରିବାକୁ ମୋଟେ ବେଳ ପାଇଲା ନାହିଁ । ସେ କେବଳ ଭାବିବାକୁ ଲାଗିଲା ଭଲ ପାଇବାରେ ତାହାର କେଉଁଠାରେ ତ୍ରୁଟି ରହିଗଲା ଯେ ସମରେନ୍ଦ୍ର ତାକୁ ଆକ୍ଷେପ କରି ସେଦିନ କହିଲେ ‘‘ନାରୀକୁ ଜୀବନ ଦେଇ ଭଲ ପାଇବା ହେଉଛି ପାପ ।’’

 

ପାପ, ପୁଣ୍ୟର କୌଣସି ବିଚାର ନ କରି ସମରେନ୍ଦ୍ରକୁ ଭଲ ପାଇଥିଲା ସୁଚେତା । ତା’ର ଭଲ ପାଇବାରେ କୌଣସି ଆବିଳତା ନ ଥିଲା କିମ୍ୱା କୌଣସି ଦ୍ୱିଧା ମଧ୍ୟ ନ ଥିଲା । ନିଜର ବଂଶମର୍ଯ୍ୟାଦା କିମ୍ୱା ନିଜର ଆତ୍ମସମ୍ମାନକୁ ସେ ବଡ଼ ବୋଲି ବିଚାର ନ କରି ସମରେନ୍ଦ୍ରର ବନ୍ଧୁତା ଏବଂ ସମରେନ୍ଦ୍ରର ସ୍ନେହକୁ ସେ ବଡ଼ ବୋଲି ବିଚାର କରି ସେଦିନ ସମରେନ୍ଦ୍ର ପାଖରେ ହସିହସି ଛିଡ଼ା ହୋଇଥିଲା । ଯଦ୍ୟପି ସେ ଜାଣିଥିଲା ପ୍ରେମିକର ହୃଦୟ ଭସାମେଘଠାରୁ ଆହୁରି ହାଲୁକା ଏବଂ ପ୍ରେମିକର ସ୍ନେହ ଶରତ ସକାଳର ଶିଶିର ବିନ୍ଦୁ ପରି କ୍ଷଣସ୍ଥାୟୀ ତଥାପି ସେ ସମରେନ୍ଦ୍ରକୁ ଅତି ନିକଟରେ ପାଇବା ପାଇଁ ବ୍ୟାକୁଳ ହୋଇଉଠିଥିଲା ।

 

ଜୀବନ ବିନିମୟରେ ଭଲ ପାଇବାର ଅର୍ଥ କ’ଣ ପାପ ? ପାପ, ପୁଣ୍ୟର ଯଦି ସେ ବିଚାର କରିଥାନ୍ତା, ନିର୍ବିଚାରରେ ସେ ସମରେନ୍ଦ୍ର ପାଖରେ ହୃଦୟ ଅର୍ପଣ କରିଦେଇଥାନ୍ତା କିପରି-?

 

ପୁରୁଷ ପ୍ରେମର ଅର୍ଥ ବୁଝେନାହିଁ । ପୁରୁଷ ନାରୀର ଅନ୍ତର ଚିହ୍ନିପାରେ ନାହିଁ । ନାରୀର ହୃଦୟର ଭାଷା ବୁଝିବାକୁ ସେ ଅକ୍ଷମ । ସେଥିପାଇଁ ତାକୁ ଭୁଲବୁଝି ତା’ର ନାରୀତ୍ୱକୁ ଅବମାନନା କଲେ ସମରେନ୍ଦ୍ର । ଦୁଃଖରେ ସୁଚେତା ମ୍ରିୟମାଣ ହୋଇପଡ଼ିଲା । ଅନ୍ତର ତା’ର ହାହାକାର କରିଉଠିଲା । ତା’ର ଆଖି ଦୁଇଟିରେ ଲୁହ ଛଳଛଳ ହୋଇଉଠିଲା ।

 

ମନ ପୂରାଇ ସେଦିନ ତା’ର କାନ୍ଦିବାକୁ ଇଛା ହେଉଥିଲା । କିନ୍ତୁ ସେ କାନ୍ଦିବ କ’ଣ ପାଇଁ ? କିଏ ତାହାର ଲୁହର ଦାମ ଦେବ ? ସେ ଯେ କ’ଣ ପାଇଁ ଅଶ୍ରୁ ବର୍ଷଣ କରୁଛି ଏକଥା ବା କିଏ ବୁଝିବ ? ସେଦିନର ସମରେନ୍ଦ୍ର ଓ ଆଜିର ସମରେନ୍ଦ୍ର ମଧ୍ୟରେ ଆକାଶ ପାତାଳର ବ୍ୟବଧାନ-। ଯେଉଁ ସମରେନ୍ଦ୍ର ଦିନେ ବିରାଡ଼ି ପିଲାପରି ତା’ ପାଖରେ ଘୂରି ବୁଲୁଥିଲେ ସେ ଯେ ପୁଣି ହଠାତ୍‍ ହେଟାବାଘ ଭଳି ହିଂସ୍ର ହୋଇଉଠିବେ ଏକଥା ଥିଲା ତା’ର କଳ୍ପନାର ବାହାରେ ।

 

ତଥାପି ସେ ସମରେନ୍ଦ୍ରକୁ ଆଜି ଭଲପାଏ । କ୍ଷଣେ ନ ଦେଖିଲେ ସେ ପାଗଳୀ ହୋଇଯାଏ । ସମରେନ୍ଦ୍ରର ଅନୁପସ୍ଥିତି ସେ ମୋଟେ ସହ୍ୟ କରିପାରେ ନାହିଁ । ସମରେନ୍ଦ୍ରର ଶୁଷ୍କ ଓ ବିଷଣ୍ଣ ମୁଖ ଦେଖିଲେ ଅନ୍ତର ତାହାର ଶତଖଣ୍ଡ ହୋଇ ଫାଟି ପଡ଼େ । ସମରେନ୍ଦ୍ର କାହିଁକି ତାକୁ ଭୁଲ ବୁଝିଲେ, କାହିଁକି ତା’ର ପ୍ରେମକୁ ପାପ ବୋଲି କହିଲେ, କାହିଁକି ତାକୁ ଘୃଣା କଲେ ଏହି କଥା କେବଳ ଚିନ୍ତା କରୁଥିଲା ସୁଚେତା ।

 

ନାରୀ ଥରେ ଯାହାକୁ ଭଲ ପାଇଲା ପରେ ତାକୁ ଆଉ ଘୃଣା କରିପାରେ ନାହିଁ । ତା’ର ଅମଙ୍ଗଳ କାମନା କରିପାରେ ନାହିଁ । ସେ ସର୍ବଦା ତା’ର ମଙ୍ଗଳ କାମନା କରେ । ଅନ୍ତରର ନିଭୃତତମ ପ୍ରଦେଶରେ ଯେଉଁ ସ୍ନେହ ସେ ସାଇତି ରଖିଥାଏ, ସେହି ସ୍ନେହ ସେ ଦେବାକୁ ଶତଚେଷ୍ଟା କରେ । ଯେଉଁ କଥା କହିଲେ ଶ୍ଳୀଳତା ନଷ୍ଟ ହୋଇଯାଏ ସେହିକଥା ସେ ବିନା ଦ୍ୱିଧାରେ ପ୍ରକାଶ କରିଦିଏ । ଏ ସବୁ କରିଥିଲା ସୁଚେତା । ତଥାପି ସମରେନ୍ଦ୍ରକୁ ସେ ଟଳାଇ ପାରିଲା ନାହିଁ । ଓଲଟି ସମରେନ୍ଦ୍ର ଆକ୍ଷେପ କରି କହିଲେ ‘‘ନାରୀ ସବୁ କରିପାରେ । ସବୁ କହିପାରେ ମଧ୍ୟ । ତା’ର ଅଧରର ଭାଷା ତା’ର ଅନ୍ତରର ଭାଷା ନୁହେଁ । ସେ ଯାହା ନୁହେଁ ତାହା ସେ ଦେଖାଇ ହୁଏ କେବଳ ପୁରୁଷକୁ ବୋକା ବନାଇ ବିଦ୍ରୂପ କରିବା ପାଇଁ ।

 

ସୁଚେତା ସବୁ ଶୁଣିଯାଏ କିନ୍ତୁ କୌଣସି ଉତ୍ତର ଦେଇ ପାରେନାହିଁ । କାହିଁକି ସେ ଉତ୍ତର ଦେବ ? ଉତ୍ତର ଦେଲା ମାତ୍ରେ ସମସ୍ୟାର ସମାଧାନ ନ ହୋଇ ଅନ୍ୟ ଏକ ଜଟିଳ ପରିସ୍ଥିତି ଯେ ନ ଉପୁଜିବ ଏହାର ମାନେ ବା କ’ଣ ଅଛି ? ଯେତେ ପ୍ରକାର ବୁଝାଇ କହିଲେ ଯେ ବୁଝିବାକୁ ନାରାଜ ତାକୁ ବୁଝାଇବାରେ ବା ଲାଭ କ’ଣ ? କେବଳ ତିକ୍ତତା ବଢ଼ିବା କଥା ।

 

କେବେ କିମିତ ସମରେନ୍ଦ୍ର ଆସନ୍ତି ପୁଣି ଚାଲିଯାଆନ୍ତି । ଯିବାବେଳେ ଅତି କଟୁ ମନ୍ତବ୍ୟ ପ୍ରକାଶ କରିବାକୁ ସେ କେବେହେଲେ ପଶ୍ଚାତ୍‍ପଦ ହୁଅନ୍ତି ନାହିଁ ।

 

ପୁରୁଷର ସବୁ ଅବହେଳା ସହ୍ୟ କରିବା ପାଇଁ କେଉଁ ନାରୀ ତା’ର ସତୀତ୍ୱକୁ ବଳି ଦେଇ ନିଜକୁ ଅନ୍ୟ ପାଖରେ ଅର୍ପଣ କରିଦିଏ ? ଏତିକି କେବଳ ଭାବେ ସୁଚେତା । ତଥାପି ସେ ସମରେନ୍ଦ୍ରକୁ ଦେଖିଲେ ସେ ସବୁ ଭୁଲିଯାଏ । ଅଧର କୋଣରେ ତା’ର ହସ ଫୁଟିଉଠେ । ସମରେନ୍ଦ୍ର ଯେଉଁଠାରେ ଛିଡ଼ା ହୋଇଥାନ୍ତି ତା’ର ପାଦ ଦୁଇଟା ଆପେ ଆପେ ସେହିଠାକୁ ଧାଇଁଯାଏ ।

 

ସୁଚେତା ତାଙ୍କୁ ବସିବାକୁ ଅନୁରୋଧ କରେ । ସମରେନ୍ଦ୍ର ଅତି ଗମ୍ଭୀର ହୋଇ ବସିରହନ୍ତି । ସୁଚେତା ଲକ୍ଷ୍ୟ କରେ ସେ ଯେପରି ଅସ୍ୱସ୍ତି ଅନୁଭବ କରୁଛନ୍ତି । ସେ ପ୍ରଥମେ କଥା ଆରମ୍ଭ କରେ ‘‘ଆପଣଙ୍କର ଆସିବାକୁ ଯଦି ଏଠାକୁ ଇଚ୍ଛା ନାହିଁ ତେବେ ଆସୁଛନ୍ତି କାହିଁକି ?’’

 

ସେମିତି ଗମ୍ଭୀର ଭାବେ ସମରେନ୍ଦ୍ର କହନ୍ତି ‘‘ଆସିବାଟା ଗୋଟାଏ ଅଭ୍ୟାସରେ ଯେତେବେଳେ ପଡ଼ିଗଲାଣି ସେତେବେଳେ ନ ଆସି ରହି ହୁଏ ନାହିଁ ।’’

 

ସୁଚେତା ଉଦାସ ଦୃଷ୍ଟିରେ ସମରେନ୍ଦ୍ରକୁ ଅନାଏ; ଏବଂ ଗୋଟିଏ ଦୀର୍ଘ ନିଶ୍ୱାସ ଛାଡ଼େ । ସେ ଭାବେ କିଏ ଜାଣିଥିଲା ଏହି ମଣିଷଟି ଦିନେ ଏମିତି ବଦଳିଯିବ ବୋଲି । ମଣିଷ ପୁଣି ଏମିତି ବଦଳି ଯାଆନ୍ତି ?

 

ପ୍ରଥମେ ଯେତେବେଳେ ସମରେନ୍ଦ୍ର ସଙ୍ଗରେ ସୁଚେତାର ପରିଚୟ ହୁଏ ସେତେବେଳେ ସମରେନ୍ଦ୍ର ଥିଲେ ଗୋଟିଏ କିଶୋର ବାଳକ ପରି ପ୍ରଗଳ୍‍ଭ କିନ୍ତୁ ବର୍ତ୍ତମାନ ସେ ପୋଖତ୍ ଦାର୍ଶନିକ ଭଳି ଗମ୍ଭୀର ଓ ଭାବପ୍ରବଣ । ତାଙ୍କର ଭାରାକ୍ରାନ୍ତ ମୁଖମଣ୍ଡଳଟି ଦେଖିଲା ମାତ୍ରେ ସୁଚେତାର ପ୍ରାଣ କାନ୍ଦିଉଠେ । ସୁଚେତା ନିଜକୁ ନିଜେ ପ୍ରଶ୍ନ କରେ କ’ଣ ପାଇଁ ସମରେନ୍ଦ୍ର ଭଲ ପାଇବା ବିଷୟରେ ଆଜି ଏତେ ନିଷ୍କ୍ରିୟତା ପ୍ରକାଶ କରୁଛନ୍ତି ? ତେବେ ସେ କ’ଣ ସୁଚେତାକୁ ଅବିଶ୍ୱାସ କରୁଛନ୍ତି ? ସୁଚେତା ଯେ ତାଙ୍କୁ ମୋଟେ ଭଲପାଏ ନାହିଁ, ଏହା କ’ଣ ତାଙ୍କର ଦୃଢ଼ ବିଶ୍ୱାସ ହୋଇଯାଇଛି ।

 

ପୁରାଣ ଯୁଗର କଥା ସୁଚେତାର ମନେପଡ଼େ । ରାମଚନ୍ଦ୍ରଙ୍କର ଦିବ୍ୟ ଦୃଷ୍ଟି ଥିଲାବୋଲି ସେ ନିଜର ପ୍ରତିମୂର୍ତ୍ତିକୁ ହନୁମାନର ଅନ୍ତର ମଧ୍ୟରେ ଦେଖୁବାକୁ ସମର୍ଥ ହୋଇଥିଲେ । ସେହି ଚକ୍ଷୁ ଯଦି ଆଜି ସମରେନ୍ଦ୍ରର ଥାଆନ୍ତା ତେବେ ସୁଚେତା ତାହାର ଅନ୍ତର ଚିରି ଦେଖାଇ ଦିଅନ୍ତା ସେ ଆଜି ସୁଚେତାର କେଉଁଠାରେ ଅଛନ୍ତି ।

 

ସେ ମନେମନେ ସମରେନ୍ଦ୍ରକୁ ନିବେଦନ କରି କହେ ସମରେନ୍ଦ୍ର ! ମୋତେ ଭୁଲ ବୁଝନାହିଁ । ନାରୀ ଯାହାକୁ ଥରେ ହୃଦୟ ଦିଏ ସେ ଆଉ ହୃଦୟ ଫେରାଇ ଆଣିପାରେ ନାହିଁ । ମାତ୍ର ପାଟି ଫିଟାଇ ସେ କିଛି କହିପାରେ ନାହିଁ, ଯେହେତୁ ସେ ବୁଝିସାରିଲାଣି ଯେ ସମରେନ୍ଦ୍ର ତାକୁ ଏଡ଼ିଦେଇ ଦୂରକୁ ଚାଲିଯିବା ପାଇଁ ବ୍ୟସ୍ତ ।

 

ଅନ୍ତରର ବ୍ୟଥା ମଣିଷ ପ୍ରକାଶ କରି ନ ପାରିଲେ ସେ ଭିତରେ ଭିତରେ ଦଗ୍ଧ ହୋଇଯାଏ । ସୁଚେତା ମଧ୍ୟ ଭିତରେ ଭିତରେ ଜଳି ଯାଉଥିଲେ । ଅନେକ ଥର ସେ ମନସ୍ଥ କଲାଣି ସମରେନ୍ଦ୍ରକୁ କହିବା ପାଇଁ ମାତ୍ର କହିପାରେ ନାହିଁ । ନ କହିପାରିବାର କାରଣ ସୁଚେତା ଜାଣି ପାରୁଥିଲା ଯେ ସମରେନ୍ଦ୍ର ତାକୁ ଆଉ ଭଲ ପାଆନ୍ତି ନାହିଁ ।

 

ଥରେ ମଣିଷ ମଣିଷକୁ ଜାଣିଗଲେ, ତା’ର ଅନ୍ତରର ରହସ୍ୟ ଭେଦ କରିପାରିଲେ ସେ ବାଟକାଟି ଚାଲିଯିବାକୁ ଚାହେଁ । ସେ ଆଉ ବନ୍ଧା କୁକୁର ଭଳି ପଡ଼ିରହିବାକୁ କ’ଣ ସୁଖପାଏ ? ସେଥିପାଇଁ ସମରେନ୍ଦ୍ର ବୋଧହୁଏ ତାକୁ ଘୃଣା କରନ୍ତି ଏବଂ ତାହାଠାରୁ ଅବ୍ୟାହତି ପାଇବା ପାଇଁ ବ୍ୟାକୁଳ ହୋଇପଡ଼ନ୍ତି । ଏମିତି କେତେ କ’ଣ ଭାବୁଥିଲା ସୁଚେତା ।

 

ଅନେକ ଦିନପରେ ସମରେନ୍ଦ୍ର ଆସିଲେ । ମୁହଁଟା ତାଙ୍କର ରାଗୁଆ ରାଗୁଆ ଜଣାପଡ଼ୁଥିଲା । ସତେଯେପରି ତାଙ୍କର କିଏ କେଉଁଠାରେ ଜମିଦାରୀ ଖରିଦ୍‍ କରିନେଇଛି, ସେମିତି ତାଙ୍କର ଚେହେରାଟା ଦେଖି ଅନୁମାନ ହେଉଥିଲା ।

 

ସେ ହଠାତ୍‍ ଆରମ୍ଭ କଲେ ‘‘ତୁମ ମନରେ ଯଦି ଏତେକଥା ଥିଲା ତୁମେ ମୋତେ ଭଲ ପାଇଲ କାହିଁକି ? ପୁଣି ହତାଦର କଲ କାହିଁକି ? ମୋତେ ରାସ୍ତା ଉପରେ ଛିଡ଼ା କରାଇ ତାଳିମାରି ହସିବାର ଉଦ୍ଦେଶ୍ୟ କ’ଣ ?’’

 

ଏ ପ୍ରକାର ଅବାନ୍ତର ପ୍ରଶ୍ନ କେତୋଟି ସମରେନ୍ଦ୍ର ପାଖରୁ ଶୁଣି ସୁଚେତା ହତବମ୍ୱ ହୋଇଗଲା । ତଥାପି ସେ ଅତି ଧୈର୍ଯ୍ୟର ସହିତ ନରମ କଣ୍ଠରେ କହିଲା ‘‘ମୁଁ ଦେଖୁଛି ମୁଁ ବଞ୍ଚିଥିଲା ଯାଏ ଆପଣ ଶାନ୍ତିରେ ରହିପାରିବେ ନାହିଁ । କେବଳ ଆପଣଙ୍କୁ ଶାନ୍ତି ଦେବାକୁ ମୁଁ ନିଶ୍ଚୟ ଆତ୍ମହତ୍ୟା କରିବି ।’’

 

ମ୍ଳାନ ମୁଖରେ ହସିଦେଲେ ସମରେନ୍ଦ୍ର । ପ୍ରେତ ପୁରୁଷର ଅଧରରେ ସେପରି ଅବଜ୍ଞାର ହସ ଫୁଟିଉଠିବା ମଧ୍ୟ ସନ୍ଦେହ ।

 

ସୁଚେତା ଭାଙ୍ଗିପଡ଼ିଲା । ତା’ର ଧୈର୍ଯ୍ୟର ନବତଳ ପ୍ରାସାଦ ଭୂତଳରେ ଲୋଟିଯାଇ ଚୂରମାର ହୋଇଗଲା । ସେ ବାଷ୍ପାକୁଳ କଣ୍ଠରେ କହିଲା ‘‘ଆପଣଙ୍କର ମୁଁ କ’ଣ ଦୋଷ କରିଛି ଯେ ଆପଣ ମୋତେ ଏ ପ୍ରକାର ଶାସ୍ତି ବିଧାନ କରୁଛନ୍ତି, ଦୟାକରି କହି ପାରିବେ କି ? ମୁଁ ଯେ ଆପଣଙ୍କୁ କେତେ ଭଲପାଏ ତାହା କେବଳ ମୋତେ ଜଣା । ବ୍ୟବସାୟ ସୂତ୍ରରେ ଲାଭରେ ଆଶାରଖି ମୁଁ ଆପଣଙ୍କୁ ସ୍ନେହ କରେନାହିଁ, ମୁଁ ଆପଣଙ୍କୁ ଅତି ଆପଣାର ଭାବି ଆଦର କରେ ।’’

 

ସଙ୍ଗେ ସଙ୍ଗେ ସମରେନ୍ଦ୍ର ଉତ୍ତରଦେଲେ ‘‘ମିଛ କହି ମୋତେ ଭୁଲାଇ ଦେବାକୁ ଚେଷ୍ଟା କରନାହିଁ ସୁଚେତା । ବିରାଡ଼ି ପିଲାର ଆଖି ଖୋଲିଗଲେ ସେ ଯେପରି ତା’ର ମାଆର ହୋଇ ରହେନାହିଁ ସେମିତି ପୁରୁଷ ଥରେ ନାରୀର ରହସ୍ୟ ଭେଦ କରିପାରିଲେ ସେ ଆଉ ନାରୀର କ୍ରୀତଦାସ ହୋଇ ପଡ଼ିରହିବାକୁ ସୁଖ ପାଏ ନାହିଁ । ତୁମେ ମୋତେ ଘୃଣା କରନାହିଁ ସୁଚେତା ?’’

 

ସୁଚେତା କଇଁ କଇଁ ହୋଇ କାନ୍ଦିଉଠିଲା । ଅଳ୍ପ ଦୂରରେ ଛିଡ଼ାହୋଇ ହସୁଥିଲେ ସମରେନ୍ଦ୍ର । ସେହି ହସ ଦେଖି ମନେହେଉଥିଲା ସତେ ଯେପରି ସେ ଭାବୁଛନ୍ତି ସୁଚେତା କେବଳ ଛଳନା କରି ଲୁହ ଢାଳୁଛି ତାଙ୍କଠାରୁ ସହାନୁଭୂତି ପାଇବା ପାଇଁ ।

 

ସୁଚେତା ଭାରାକ୍ରାନ୍ତ କଣ୍ଠରେ କହିଲା ‘‘ମୁଁ ଆପଣଙ୍କୁ ଘୃଣା ଯଦି କରିପାରୁଥାନ୍ତି ଏତେ ଦୁଃଖ ଆଜି ସହ୍ୟ କରିବାକୁ ମୋତେ ପଡ଼ନ୍ତା ନାହିଁ । ସେତିକି କରିପାରୁଥିଲେ ମୁଁ ମହାଆନନ୍ଦରେ ରହନ୍ତି । ସେତିକି କରିପାରୁନାହିଁ ବୋଲି କାନ୍ଦି କାନ୍ଦି ଦିନ ବିତାଇ ଦେଉଛି ।

 

‘‘ସ୍ତ୍ରୀ ସବୁ କରିପାରେ ।’’ ଏତିକି କହି ସମରେନ୍ଦ୍ର ବାହାରିଗଲେ ବୈଶାଖୀ ଝଡ଼ ପରି । ସୁଚେତା କେବଳ ତାଙ୍କୁ ଅନାଇ ରହିଲା ।

 

ଭଲ ପାଇଲେ ଏତେ ସବୁ ନିର୍ଯ୍ୟାତନା ସହ୍ୟ କରିବାକୁ ହୁଏ ଏକଥା କିଏ ଜାଣିଥିଲା କି-? ଏହିପରି ଲୋକକୁ ସେ କାହିଁକି ଭଲପାଇଲା ? ଯେ ନିର୍ମମ ଯେ ଅତୃପ୍ତ ଆତ୍ମା ନେଇ ସବୁବେଳେ ଘୂରିବୁଲେ ସେ ଲୋକକୁ କେହି ସନ୍ତୁଷ୍ଟ କରିପାରେ ନାହିଁ । ଏହି ଲୋକଟି କାହିଁକି ଆସି ତା’ର ଜୀବନର ବେଳାଭୂମି ଉପରେ ଛିଡ଼ାହେଲା ? ଯେତେ ଯାହାକଲେ ମଧ୍ୟ ସେ ଯେ ସନ୍ତୁଷ୍ଟ ହୋଇ ପାରୁନାହାନ୍ତି ଏହାର କାରଣ କ’ଣ ? ସେ ଲୋକ ତା’ ପାଖରୁ ଆଉ ଅଧିକ କ’ଣ ଚାହାଁନ୍ତି କି ?

 

ତା’ର ଯେ ଆଉ କିଛିନାହିଁ । ଯାହାଥିଲା ସେ ସବୁ ଦେଇଛି । ବାକି କେତୋଟି ଦିନ କାଟିଦେବା ପାଇଁ ସେ ଯେଉଁ ମାଟି ପିଣ୍ଡଟା ସାଇତି ରଖିଛି ସେ ପିଣ୍ଡଟାର ବା ମୂଲ୍ୟ କ’ଣ ? ଯେଉଁ ସମରେନ୍ଦ୍ର ହୃଦୟର ଅର୍ଥ ବୁଝି ପାରିଲେ ନାହିଁ, ପ୍ରାଣର ଆମନ୍ତ୍ରଣକୁ ଗୋଡ଼ରେ ଆଡ଼େଇ ଦେଇ ପାରିଲେ ସେହି ସମରେନ୍ଦ୍ର ପାଖରେ ଏହି ଜଡ଼ ପିଣ୍ଡଟା କ’ଣ ଅତି ପ୍ରିୟବସ୍ତୁ ? ଏହି କଥା କେବଳ ଚିନ୍ତା କରୁଥିଲା ସୁଚେତା ।

 

ସେ ଅତୀତକୁ ବର୍ତ୍ତମାନ ସାଙ୍ଗରେ ମିଳାଉଥିଲା । ତାହାର ଅତୀତ ଯଦିଓ ମଧୁମୟ ନ ଥିଲା ତଥାପି ସେ କୌଣସି ପ୍ରକାରେ କାଳକାଟି ନେଉଥିଲା । ସେ ସମରେନ୍ଦ୍ରକୁ ପାଇ ହାତରେ ସ୍ୱର୍ଗ ପାଇଥିଲା କହିଲେ ଚଳେ । ସମରେନ୍ଦ୍ର ସଙ୍ଗେ ପରିଚୟ ହେବା ପାଖରୁ ସେ ଗୋଟିଏ କଳନାଦିନୀ ନିର୍ଝରିଣୀ ଭଳି ନାଚି ନାଚି ଦିନଗୁଡ଼ିକ କାଟି ଦେଉଥିଲା । ମୋଟାମୋଟି କହିବାକୁ ଗଲେ ସମରେନ୍ଦ୍ରକୁ ପାଇଲା ଦିନ ପାଖରୁ ତା’ର ଜୀବନ ହୋଇଯାଇଥିଲା ପଦ୍ୟମୟ । ଶତ ଶତ କାବ୍ୟ କବିତାର ବ୍ୟୁହ ମଧ୍ୟରେ ସମରେନ୍ଦ୍ର ତାକୁ ବନ୍ଦୀକରି ରଖିଥିଲେ । ସେହି ବନ୍ଦୀର ଜୀବନ ତାକୁ ଭଲ ଲାଗୁଥିଲା । ସେ ଦିନ ଓ ରାତିର ତାରତମ୍ୟ ଭୁଲି ଯାଇଥିଲା ।

 

ସେ ଅତୀତ କ’ଣ ଆଉ ଫେରିବ ନାହିଁ ? ଏହା ଭାବି ଭାବି ସୁଚେତା ଦୁଇ ଆଖିରୁ ଦୁଇ ଟୋପା ଲୁହ ଗଡ଼ାଇ ଦେଲା ।

 

ଏଣିକି ଗଦ୍ୟମୟ ଜୀବନ ନେଇ ସେ ମୋଟେ ବଞ୍ଚିରହିବାକୁ ସୁଖ ପାଉନଥିଲା । ସେ ସମରେନ୍ଦ୍ରକୁ ଭୁଲି ଯିବାକୁ ଚେଷ୍ଟା କରୁଥିଲା; କିନ୍ତୁ ସମରେନ୍ଦ୍ରର ମଧୁର ସ୍ମୃତିକୁ ସେ ତା’ର ଅନ୍ତର ମଧ୍ୟରୁ ବିଦାୟ ଦେଇ ପାରୁନଥିଲା ।

 

ଜଣେ ଜଣକୁ ଭୁଲି ଯିବା ପାଇଁ କ’ଣ ଭଲ ପାଇଥାଏ ? ତାକୁ ହତାଦର କରିବା ପାଇଁ କ’ଣ ଆଦର କରିଥାଏ ? ତାକୁ ଏଡ଼ିଦେବା ପାଇଁ କ’ଣ ତା’ର ସାନିଧ୍ୟ ଲୋଡ଼ିଥାଏ ? ସମରେନ୍ଦ୍ର ଯାହା ହେଉନ୍ତୁନା ପଛେ ସେ ତାଙ୍କୁ କୌଣସି ପ୍ରକାରେ ଘୃଣା କରିପାରିବ ନାହିଁ । ହତାଦର କରିପାରିବ ନାହିଁ । ସେ ଯେ ତାଙ୍କୁ ଭଲପାଏ । ସେ ଯେ ତାଙ୍କୁ ତା’ର ହୃଦୟ ସିଂହାସନରେ ବସାଇ ପ୍ରେମିକର ସ୍ନେହ ଦିଏ ।

 

ଆକାଶ, ପାତାଳ ଏମିତି କେତେ କ’ଣ ଭାବିଯାଉଥିଲା ସୁଚେତା । ଏଥର ସମରେନ୍ଦ୍ର ଆସିଲେ ସେ ତାଙ୍କୁ ପାରୁପର୍ଯ୍ୟନ୍ତ ଚେଷ୍ଟାକରି ବୁଝାଇବ ଯେ ସେ ତାଙ୍କୁ ଭଲପାଏ । କିନ୍ତୁ ସେ କ’ଣ ତା’ କଥାକୁ ବିଶ୍ୱାସ କରିବେ ? ଏହି ଆଶଙ୍କାରେ ସୁଚେତା ଅସ୍ଥିର ହୋଇପଡ଼ୁଥିଲା ।

 

ଦିନ ପରେ ଦିନ, ମାସ ପରେ ମାସ ବିତିଯାଇଛି । ତଥାପି ସମରେନ୍ଦ୍ରର ଆଉ ଦର୍ଶନ ମିଳିଲା ନାହିଁ । ସୁଚେତା ଅସ୍ଥିର ହୋଇପଡ଼ିଲା । ସେ ତାକୁ ଘୃଣା କରୁଥିଲେ, ତାକୁ ହତାଦର କରୁଥିଲେ, ତଥାପି ତ ଆସୁଥିଲେ । ତାଙ୍କର ସୁନ୍ଦର ଓ ସୌମ୍ୟ ମୂର୍ତ୍ତିକୁ ଦେଖିଲାମାତ୍ରେ ସେ ତ ତୃପ୍ତିଲାଭ କରୁଥିଲା । ସେତିକିରୁ ସେ ତାକୁ ବଞ୍ଚିତ କଲେ କାହିଁକି ? କେବେ କ’ଣ ସେ ତାକୁ ଘୃଣା କରୁଥିଲେ ?

 

ସେ ଘୃଣା କରିପାରନ୍ତି, ସେଥିପାଇଁ ତା’ର ଅନୁଶୋଚନା ନ ଥିଲା । ସେ କେବଳ ତାଙ୍କୁ ଭଲପାଏ, ଏତିକି ବ୍ୟତୀତ ସେ ଆଉ କିଛି ଜାଣେ ନାହିଁ ।

 

ଅନେକ ଦିନପରେ ସୁଚେତା ଗୋଟିଏ ଚିଠି ପାଇଲା । ସମରେନ୍ଦ୍ର ଲେଖିଥିଲେ ଲାହୋର ଫ୍ରଣ୍ଟରୁ । ସେ ଲେଖିଥିଲେ–

 

ସୁଚେତା !

 

କ’ଣ ବୋଲି ତୁମକୁ ସମ୍ୱୋଧନ କରିବି ମୁଁ ଜାଣେନାହିଁ । ମୁଁ ତୁମର ଯଦି ପ୍ରେମିକ ହୋଇଥାନ୍ତି ତେବେ ଲେଖିଥାନ୍ତି ‘ପ୍ରିୟତମାଷୁ’ ! ମୁଁ ଯଦି ତୁମର ସ୍ୱାମୀ ହୋଇଥାନ୍ତି, ତେବେ ତୁମର ମନ ରକ୍ଷାକରିବାକୁ ଲେଖିଥାନ୍ତି ‘ପ୍ରେୟସୀ’ । କେବଳ ‘ସୁଚେତା’ ବୋଲି କାହିଁକି ଲେଖିଲି କହିପାରିବ ? ସେହି ଶବ୍ଦଟି ମୋତେ ଭାରି ଭଲଲାଗେ ଆବୃତ୍ତି କରିବାକୁ । ମୁଁ ତୁମକୁ ପ୍ରେମିକର ହାଲୁକା ହୃଦୟ ନେଇ ଭଲ ପାଇନଥିଲି କିମ୍ୱା ସ୍ୱାମୀର କଠୋର ହୃଦୟ ନେଇ ତୁମ ପାଖରୁ ଜୋରକରି ସ୍ନେହ ଓଟାରି ଆଣିବାକୁ ଚେଷ୍ଟା କରିନଥିଲି । ମୁଁ ନିଜକୁ ଯେତିକି ଭଲପାଏ, ତାହାଠାରୁ ତୁମକୁ ଅଧିକ ଭଲପାଏ କହିବାର ଅର୍ଥ ଏକାବେଳେ ଅସତ୍ୟ । ମୁଁ ତୁମ ଉପରେ ଦୌରାତ୍ମ୍ୟ ଆରମ୍ଭ କରିଛି । ମୁଁ ତୁମକୁ ଯଥେଷ୍ଟ ଆଘାତ ଦେଇଛି ଏବଂ ଅଶାନ୍ତି ମଧ୍ୟ ଦେଇଛି ।

 

ସେଥିପାଇଁ ମୁଁ ମୋଟେ ଦୁଃଖିତ ନୁହେଁ କିମ୍ୱା ମୁଁ ନିଜେ ମଧ୍ୟ ଲଜ୍ଜିତ ନୁହେଁ । ମୁଁ ନିଜକୁ ନିଜେ ଯେତେ ଆଘାତ ଦିଏ ସେତିକି ଆଘାତ କେବଳ ମୁଁ ତୁମକୁ ଦେଇଥିଲି । ତା’ର କାରଣ କ’ଣ ଜାଣ ? ତୁମ ଓ ମୋ ମଧ୍ୟରେ କୌଣସି ତଫାତ୍‍ ଦେଖି ନ ଥିଲି । ମୋର ଭାବନା ଓ ମୋର ଚିନ୍ତାଧାରା ଠିକ୍ କି ଭୁଲ ତାହା ତୁମେ ମନେମନେ ବିଚାର କରିବ ।

 

ମୁଁ ତୁମକୁ ଯେତେ ଆଘାତ ଦେଇଥିଲି, ଯେତେ ଅବହେଳା ଦେଖାଇଥିଲି, ତୁମେ ମୋତେ ସେଥିପାଇଁ ଦିନେହେଲେ ଘୃଣା କରିନାହଁ । ଏକଥା ମୁଁ ମୁକ୍ତକଣ୍ଠରେ ମରଣର ଏହି ବିଭୀଷିକା ମଧ୍ୟରେ ଛିଡ଼ାହୋଇ ମଧ୍ୟ ସ୍ୱୀକାର କରେ । ତୁମେ ମୋତେ ଯେ ଘୃଣା କରିପାରିଲ ନାହିଁ, ତାହା ତୁମର ଦୁର୍ବଳତା ନୁହେଁ କିମ୍ୱା ତାହା ତୁମର ସହୃଦୟତା ମଧ୍ୟ ନୁହେଁ । ତାହା ହେଉଛି ତୁମ ଓ ମୋ ମଧ୍ୟରେ କୌଣସି ପାର୍ଥକ୍ୟ ନ ଥିଲା । ତୁମେ ଯିଏ ମୁଁ ମଧ୍ୟ ସିଏ । ଏହି ନିରାଟ ସତ୍ୟକୁ ତୁମେ କ’ଣ ଅସ୍ୱୀକାର କରିବ ?

 

ମୁଁ ମୃତ୍ୟୁକୁ ଭୁଲିଯାଇଛି । ମୃତ୍ୟୁକୁ ମୁଁ ମୋର ଯେଉଁ ହାତମୁଠାରେ ପୂରାଇ ବନ୍ଧୁକ ଧରିଛି, ତୁମେ ମୋର ସେହି ହାତମୁଠାକୁ ଟାଣ କରିଦେଇଛ । ଅସରନ୍ତି ସ୍ନେହ ଦେଖାଇ ତୁମେ ମୋର ହୃଦୟଟାକୁ ବଜ୍ର ପରି ଶକ୍ତ କରିଦେଇଛ ।

 

କାହିଁକି ତୁମେ ଏତେ ତ୍ୟାଗ ସ୍ୱୀକାର କଲ ?

 

ପର ପାଇଁ ପର ଏତେ କରିପାରେ ନାହିଁ । ନିଜ ପାଇଁ ସେ ସବୁ କରେ । ତେଣୁ ତୁମେ ମୋର ପର ନୁହଁ କିମ୍ୱା ମୁଁ ତୁମର ମଧ୍ୟ ପର ନୁହେଁ । ସ୍ୱାର୍ଥର ସୀମାରେଖା ଉପରେ ଛିଡ଼ାହୋଇ ତୁମେ ମୋତେ କ’ଣ ପର ବୋଲି ଭାବି ପାରିବ ?

 

ଯଦି ଏଠାରୁ ବିଜୟୀର ସମ୍ମାନ ଘେନି ଫେରିଯାଏ ତଥାପି ତୁମେ ଯେ ମୋତେ ସମ୍ୱର୍ଦ୍ଧନା ଜଣାଇବ ଏହା ମୁଁ କେବେ ଆଶା କରିପାରେ ନାହିଁ । ଯଦି ଏଠାରେ ମୁଁ ମୋର ଶେଷନିଶ୍ୱାସ ତ୍ୟାଗକରେ ତୁମେ ଯେ ସେଥିପାଇଁ ବ୍ୟଥିତ ହୋଇ ଦୁଇଟୋପା ଲୁହ ଗଡ଼ାଇବ ତାହା ମଧ୍ୟ ମୁଁ କଳ୍ପନା କରିପାରେ ନାହିଁ ।

 

ନିଜର ମୃତ୍ୟୁରେ କେହି କେବେ ଅଶ୍ରୁମୋଚନ କରେ ନାହିଁ ।

 

ତୁମେ ସମଦର୍ଶୀ ଲୋକ । ନିଜର ବିଜୟତା ପାଇଁ ତୁମେ ଆନନ୍ଦରେ କେବେ ଉନ୍ମତ୍ତ ହେବନାହିଁ କିମ୍ବା ନିଜର ପରାଜୟ ପାଇଁ ତୁମେ ବ୍ୟଥିତ ମଧ୍ୟ ହେବ ନାହିଁ । ଏହା ମୁଁ ଜାଣେ । ତୁମକୁ ଆଉ କିଛି କହିବାର ନାହିଁ କିମ୍ୱା ଶୁଣାଇବାର ମଧ୍ୟ ନାହିଁ । ସବୁ ଆଖିର ଲୁହରେ କହିସାରିଛି ଓ ଶୁଣାଇ ସାରିଛି । ତଥାପି ଏହି ମରଣର ଦ୍ୱାରଦେଶରେ ଛିଡ଼ାହୋଇ ମୁଁ କାହିଁକି ଯେ ତୁମକୁ ଖୋଜେ ତାହା ତୁମେ ଜାଣ । ଇତି ।

 

ଦୁର୍ଭାଗା

ସମରେନ୍ଦ୍ର ।

 

ଚିଠିଟା ପଢ଼ି ସାରିଲା ପରେ ସୁଚେତା କୌଣସି ଚିନ୍ତା କରିପାରିଲା ନାହିଁ । ତାହାର ଦେହ ମୁଣ୍ଡ ଝିମ୍‍ଝିମ୍‍ ହୋଇଗଲା । ଜଣେ ଆଜି ମରଣର ଦ୍ୱାରଦେଶରେ ମଧ୍ୟ ତାକୁ ଖୋଜୁଛି କାହିଁକି ?

 

ସେହି ରାତିରେ ସେ ସ୍ୱପ୍ନ ଦେଖିଲା, ‘‘ସମରେନ୍ଦ୍ର ବିଜୟ ଉଲ୍ଲାସରେ ଯୁଦ୍ଧକ୍ଷେତ୍ରରୁ ଫେରିଆସିଛନ୍ତି । ‘ପରମବୀର ଚକ୍ର’ ସେ ଲାଭ କରିଛନ୍ତି । ସୁଚେତାର ମଥାକୁ ଆନନ୍ଦରେ ତାଙ୍କର ଛାତି ଉପରେ ଥୋଇଦେଇ କହୁଛନ୍ତି ‘ସୁଚେତା’ ! ଯେଉଁ ଦୁଇଟି ଜୀବନ ଅନେକ ଦିନ ତଳରେ ଗୋଟିଏ ଡୋରିରେ ବନ୍ଧା ହୋଇଥିଲା, ସେହି ଦୁଇଟି ଜୀବନ ଏତେଦିନ ପରେ ମିଶିଯାଇ ଏକ ହୋଇଗଲା ।’’

 

ହଠାତ୍ ସୁଚେତାର ସ୍ୱପ୍ନ ଭାଙ୍ଗିଗଲା । ସେ ଭାବୁଥିଲା କୌଣସି ଜନ୍ମରେ ଏ ସ୍ୱପ୍ନ କ’ଣ ସତ୍ୟ ହେବ ନାହିଁ ?

Image

 

ଜରତାର ପ୍ରେମ

 

ଶତ୍ରୁପକ୍ଷର ବିମାନ ଆକ୍ରମଣରୁ ବିମାନଘାଟୀକୁ ରକ୍ଷା କରିବାପାଇଁ ହଠାତ୍‍ ସାଇରେନ୍‍ ବାଜିଉଠିଲା । ଗଭୀର ରାତ୍ରିର ନିସ୍ତବ୍‍ଧତା ଭଙ୍ଗକରି ମିତ୍ର ପକ୍ଷର କମାଣଗୁଡ଼ିକ ଗର୍ଜିଉଠିଲେ । ଗୁଳିମାଡ଼ରେ କାନ ଫାଟିପଡ଼ୁଥାଏ । ହଠାତ୍‍ ଗୋଟିଏ ବୋମାବର୍ଷଣକାରୀ ଶତ୍ରୁପକ୍ଷର ବିମାନ ମଥା ଉପରେ ଚକ୍‍କର ମାରି ଉପରକୁ ଉଡ଼ିଗଲା । ତାକୁ ଲକ୍ଷ୍ୟକରି କମାଣରୁ ଗୁଳି ଫୁଟାଇଲେ ବୀରେନ୍ଦ୍ର । ଗୁଳି ଲକ୍ଷ୍ୟଭେଦ କରିପାରିଲା ନାହିଁ । ବୈମାନିକ ପ୍ରାଣଭୟରେ ବିମାନର ଗତି ଦୁଇଗୁଣ ବଢ଼ାଇ ନିଜ ଘାଟିକୁ ଉଡ଼ିଗଲେ ।

 

‘‘ଯାଃ, ବିଚରା ଏହି ଥରକ ରକ୍ଷା ପାଇଗଲା’’ ଏତିକି କହି ଗଭୀର ଅନ୍ଧକାର ମଧ୍ୟରେ ବୀରେନ୍ଦ୍ର ମ୍ଳାନ ମୁଖରେ ହସିଦେଲେ ।

 

ସୀତାକାନ୍ତ ଅନୁଚ୍ଚ ସ୍ୱରରେ କହିଲେ ‘‘ବନ୍ଧୁ ! ମୃତ୍ୟୁର ବିଭୀଷିକା ମଧ୍ୟରେ ତୁମେ ଏତେ ଅନ୍ୟମନସ୍କ ହୋଇପାରିଛ କିପରି ?’’

 

ହଠାତ୍‍ ବୀରେନ୍ଦ୍ର କୌଣସି ଜବାବ୍‍ ଦେଲେନାହିଁ । ସେ କେବଳ କହିଲେ, ‘‘ପ୍ରେମଠାରୁ କ’ଣ ମୃତ୍ୟୁ ଅଧିକ ମାରାତ୍ମକ ?’’

 

ପୁଣି ସାଇରନ୍‍ ବାଜିଉଠିଲା । କାନଫଟା ଶବ୍ଦ ସୃଷ୍ଟିକରି ଏଣ୍ଟ୍ରିଏୟାର କ୍ରେପ୍‍ଟରୁ ଗୁଳି ଛାଡ଼ିଲେ ବୀରେନ୍ଦ୍ର ।

 

ସୀତାକାନ୍ତ ବୀରେନ୍ଦ୍ରର କାନ ପାଖରେ ମୁହଁରଖି କହିଲେ, ‘‘ଏକଶ କୋଡ଼ିଏ ଡିଗ୍ରୀ ଏଙ୍ଗେଲରେ ଗୁଳି ଫୁଟାଅ । ମୋ କଥା ମାନ, ଦେଖିବ ଲକ୍ଷ୍ୟ ଭେଦ କରିବାକୁ ଆମେ ନିଶ୍ଚୟ ସମର୍ଥ ହେବା ।’’

 

ଆଉ ଗୁଳି ଫୁଟାଇବାର ଆବଶ୍ୟକ ପଡ଼ିଲା ନାହିଁ । ଶତ୍ରୁପକ୍ଷର ବିମାନଟି ପୁଣି ଅଦୃଶ୍ୟ ହୋଇଗଲା । ରାତି ସେତେବେଳକୁ ସାଢ଼େ ଦୁଇ ।

 

ଜନ୍ମଭୂମିଠାରୁ ହଜାର ହଜାର ମାଇଲ ଦୂରରେ ଅଛନ୍ତି ଏହି ଦୁଇଜଣ ଭାରତୀୟ । କାହିଁ ଏଡେନ୍‍ ଆଉ କାହିଁ ଓଡ଼ିଶାର ଅଖ୍ୟାତ ପଲ୍ଲୀ ସୁନ୍ଦର ଗାଁ । ଆଖି ଖୋଲି ଅନାଇଲା ବେଳକୁ ଆଖି ପାଏନାହିଁ । ଭାରତର ଧୂଳି ମାଟି ସେଠାରେ ସ୍ୱପ୍ନ । ଭାରତର ସରଳ ପ୍ରାଣ ମଣିଷର ହସ ସେଠାରେ ଦୁର୍ଲ୍ଲଭ ।

 

ପୁଣି ସୀତାକାନ୍ତ ପ୍ରଶ୍ନକଲେ ‘‘ବନ୍ଧୁ ! ପ୍ରେମ କଥା କ’ଣ କହୁଥିଲ ? ପ୍ରେମିକର ହୃଦୟ ନେଇ ତୁମେ ଯୁଦ୍ଧଭୂମିକୁ ଆସିଲ କିପରି ?’’

 

ବୀରେନ୍ଦ୍ରର ଆଖି ଦୁଇଟି ଅନ୍ଧକାର ମଧ୍ୟରେ ଜଳି ଉଠିଲା ଭଳି ସୀତାକାନ୍ତକୁ ଜଣାଗଲା-। ବୀରେନ୍ଦ୍ର ଉତ୍ସାହୀ ସହକାରେ ଆରମ୍ଭକଲେ ‘‘ତୁମେ କ’ଣ କହିବାକୁ ଚାହଁ ଯେ କେବଳ କ୍ଷୁଧାପାଇଁ ପୃଥିବୀରେ ସବୁବେଳେ ବିଗ୍ରହ ଲାଗେ ? ମଣିଷ କେବଳ ପେଟପାଇଁ କ’ଣ ଅସ୍ତ୍ର ଧରେ ? ଏହି ପେଟପାଇଁ କ’ଣ ମଣିଷ ପଶୁ ହୁଏ ? କ୍ଷୁଧାରୂପୀ ଭଗବାନଙ୍କୁ ତୁଷ୍ଟ କରିବାକୁ ମଣିଷ କ’ଣ ଅନ୍ୟ ଉପରେ ଜୁଲୁମ ଆରମ୍ଭ କରେ ?’’

 

ବୀରେନ୍ଦ୍ରର ପ୍ରଶ୍ନର ଉଦ୍ଦେଶ୍ୟ ସୀତାକାନ୍ତ ବୁଝିପାରିଲେ ନାହିଁ । ସେ କେବଳ ଅନାଇଲେ ବୀରେନ୍ଦ୍ରକୁ ।

 

ଇତିମଧ୍ୟରେ ବୀରେନ୍ଦ୍ର ଟିକିଏ ଆଖିବୁଜି ଭାବିବାକୁ ଲାଗିଲେ ଆତ୍ମୀୟ ସ୍ୱଜନଙ୍କ କଥା । କେହି ଆଜି ପାଖରେ ନାହାନ୍ତି । ପାଖରେ ମହାମୃତ୍ୟୁ ମୁଖ ବ୍ୟାଦାନକରି ଛିଡ଼ାହୋଇଛି ଏବଂ ତାଙ୍କର ଚାରିପଟେ ସବୁବେଳେ ଘୂରିବୁଲୁଛି ସୁଜାତାର ଅଟ୍ଟହାସ ।

 

ଏହି ସୁଜାତା ହେଉଛି ଚୌଧୁରୀ ପରିବାରର ଏକମାତ୍ର ଅଲିଅଳି ଝିଅ । ଯେଉଁଠାରେ ରୂପ ଓ ଯୌବନ ଏକତ୍ର ସମାବେଶ ସେଠାରେ ଆତ୍ମବଡ଼ିମା ସହଜରେ ଦେଖାଦିଏ । ତେଣୁ ସୁଜାତାର ଦାମ୍ଭିକତା ଯଥେଷ୍ଟ ଥିଲା । ସେ ସବୁବେଳେ ଭାବୁଥିଲା ନାରୀର ସୌନ୍ଦର୍ଯ୍ୟ ପାଖରେ ପୁରୁଷର ବିଭବ, ପରାକ୍ରମ ବିଦ୍ୟା, ବୁଦ୍ଧି ସବୁ ନଗଣ୍ୟ । ପୁରୁଷର ପୌରଷ ସବୁବେଳେ ଏହି ନାରୀ ପାଖରେ ପରାଜୟ ସ୍ୱୀକାର କରେ ।

 

ଏହି ପ୍ରକାର ଧାରଣା ନେଇ ସୁଜାତା ଯେତେବେଳେ ଆଗେଇ ଚାଲିଥିଲା, ସେହି ମୁହୂର୍ତ୍ତରେ ଦିନେ ତା’ର ସାକ୍ଷାତ ହେଲା ବୀରେନ୍ଦ୍ର ସାଥୀରେ ।

 

ବୀରେନ୍ଦ୍ର ଥିଲେ ସୁଜାତାର ଧୂଳିଖେଳର ସାଥୀ । ଏହି ଦାବି ଘେନି ବୀରେନ୍ଦ୍ର ଆଗେଇ ଆସିଥିଲେ ସୁଜାତା ପାଖକୁ କେବଳ କାଣିଚାଏ ସ୍ନେହ ଆଶାରେ ।

 

ଯେଉଁ ନାରୀ ସବୁବେଳେ ନିଜ ସମ୍ୱନ୍ଧରେ, ନିଜର ରୂପ ଓ ଯୌବନ ସମ୍ୱନ୍ଧରେ ଏବଂ ନିଜର ବିଭବ ସମ୍ୱନ୍ଧରେ ଚିନ୍ତା କରିବାରେ ବ୍ୟସ୍ତ ସେ ଅନ୍ୟର ହୃଦୟ ବୁଝିବାକୁ କେତେବେଳେ କ’ଣ ସମର୍ଥ ହୁଏ ? ସେ ବୁଝେ ସ୍ନେହ, ଦୟା, ପ୍ରେମ ଏ ସମସ୍ତ କ୍ରୟ ବିକ୍ରୟ ପଦାର୍ଥ । ଆଖିବୁଜି ଖର୍ଚ୍ଚ କରିପାରିଲେ ସବୁ ଦୁନିଆରେ କିଣିବାକୁ ମିଳେ ।

 

ଏ ଦୁନିଆରେ ଅର୍ଥ ବିନିମୟରେ ସବୁ ଯୋଗାଡ଼ କରାଯାଇପାରେ !!

 

ଦିନେ ସୁଜାତା ପୋଖରୀ ପାଖ ଜାମୁକୋଳି ଗଛ ପାଖରେ ଛିଡ଼ା ହୋଇଥାଏ । ପାଖରେ କେହି ନ ଥିଲେ । ଅଳ୍ପ ଦୂରରେ ମାଉସୀ ଝିଅ ସାନ ଭଉଣୀ ସୁମତୀ ଜାନୁକୋଳି ଗୋଟାଇବାରେ ବ୍ୟସ୍ତ ଥାଏ । ବୀରେନ୍ଦ୍ର ସୁଜାତା ନିକଟକୁ ଆସି ସୁମତୀକୁ ଲକ୍ଷ୍ୟକରି କହିଲେ, ‘‘ବଡ଼ଲୋକର ଝିଅ ହୋଇ ତୁମେ ଜାମୁକୋଳି ଗୋଟାଉଛ ? ଲୋକେ ଦେଖିଲେ କ’ଣ କହିବେ ।’’

 

ବୀରେନ୍ଦ୍ରର କଥା ଶୁଣି ସୁଜାତା ଅସହିଷ୍ଣୁ ଭାବ ପ୍ରକାଶ କରି କହିଲା, ‘‘ତୁମ ଭଳି ପରଶ୍ରୀକାତର ଲୋକେ କେବଳ ପରର ଛିଦ୍ର ଅନ୍ୱେଷଣକରି ବଡ଼ଲୋକମାନଙ୍କୁ ପରିହାସ କରନ୍ତି । କିନ୍ତୁ ପରିହାସ କରିବା ପୂର୍ବରୁ ସେମାନଙ୍କର ମନେରଖିବା ଉଚିତ ଯେ ଶଙ୍ଖମଲମଲ ପଥରରେ ଘୁଷୁରି ଗୁହ ଫିଙ୍ଗିଦେଲେ ସୁଦ୍ଧା ଶଙ୍ଖମଲମଲ ପଥର ଶ୍ରୀହୀନ ହୋଇଯାଏ ନାହିଁ, ବରଂ ଘୁଷୁରି ଗୁହ ଫିଙ୍ଗିବା ବ୍ୟକ୍ତି ହିଁ ଜନତା ଆଖିରେ ହୀନ ଓ ହେୟ ବୋଲି ବିବେଚିତ ହୋଇଥାଏ ।’’

 

ସୁଜାତାର କଥାରେ ବୀରେନ୍ଦ୍ର ସେଦିନ କୌଣସି ଜବାବ୍‍ ଦେଇପାରିଲେ ନାହିଁ । ସେ କେବଳ ଛିଡ଼ାହୋଇ ଭାବୁଥିଲେ ସେଦିନର ସୁଜାତା ଓ ଆଜିର ସୁଜାତା ମଧ୍ୟରେ କ’ଣ ଏତେ ତଫାତ୍‍ ?

 

ଏହି ସୁଜାତା ଦିନେ କହିଥିଲା ‘‘ବୀରେନ୍ଦ୍ର ! ନାରୀ ଯାହାକୁ ଭଲପାଏ ସେ ତା’ ପାଇଁ ତାହାର ସର୍ବସ୍ୱ ତ୍ୟାଗ କରି ତାକୁ ଆପଣାର କରେ । ନାରୀ ଚାହେଁ ତା’ର ମନର ମଣିଷ । ଯେ ମନର ମଣିଷ ନ ପାଏ ସେ ସାରା ଜୀବନ ଅଶାନ୍ତିରେ ଲୁହ ଢାଳି ଢାଳି ଦୁନିଆରୁ ବିଦାୟ ନିଏ ।’’

 

ସୁଜାତାର କଥା ଶୁଣି ବୀରେନ୍ଦ୍ର ପଚାରିଲେ ‘‘ଯେ ମନର ମଣିଷ ପାଏ ?’’

 

ସୁଜାତାର ଅଧର କୋଣରେ ହସର ଲହରୀ ଖେଳିଯାଇଥିଲା । ସେ ବୀରେନ୍ଦ୍ରର ଗଳଦେଶରେ ଦୁଇବାହୁ ବେଷ୍ଟନ କରି କହିଥିଲା ‘‘ମନର ମଣିଷ ମିଳିଲେ ସ୍ତ୍ରୀ କହେ ଦୁନିଆ ହେଉଛି ସ୍ୱର୍ଗ । ଏହି ଦୁନିଆ ହେଉଛି ଚିରଶାନ୍ତ ଓ ନିତ୍ୟ ସୁଖର ଆଧାର ।’’

 

ସୁଜାତାର ଏହି କଥା ପଦକରେ ସେଦିନ ବୀରେନ୍ଦ୍ରର ସମସ୍ତ ପୌରୁଷ ନଷ୍ଟ ହୋଇଯାଇଥିଲା । ସେ ଭାବୁଥିଲେ ସୁକୃତ ନ ଥିଲେ ସୁଜାତା ଭଳି ସୁଗୁଣ ସମ୍ପନ୍ନା ସ୍ତ୍ରୀ କୌଣସି ପୁରୁଷର ଭାଗ୍ୟରେ ଘଟେ ନାହିଁ ।

 

କାହିଁ ସେ, ଆଉ କାହିଁ ସୁଜାତା ??

 

ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇ ଧରିବାକୁ କେବଳ ଆଶା କରିବା ବୃଥା । ବୀରେନ୍ଦ୍ରର ମନ ସେଦିନ ଆପେ ଆପେ ଦୁର୍ବଳ ହୋଇଯାଇଥିଲା । ନିରାଶାର କଳା ଛାଇ ଘୋଟିଯାଇଥିଲା କ୍ଷଣକ ମଧ୍ୟରେ ବୀରେନ୍ଦ୍ରର ମୁଖମଣ୍ଡଳରେ । ସେ କେବଳ ଗୋଟିଏ କଥା ଭାବୁଥିଲେ । ସୁଜାତାର ଏ ମନ, ଏ ହୃଦୟ କ’ଣ ସବୁଦିନେ ରହିବ ? ତାହା କ’ଣ ବଦଳି ଯିବ ନାହିଁ ?

 

କିଶୋରୀ ବାଳିକାର ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅଙ୍ଗ ପ୍ରତ୍ୟଙ୍ଗର ସୌନ୍ଦର୍ଯ୍ୟ ଯେପରି ବଦଳିଯାଏ ତାହାର ମନ ମଧ୍ୟ କ୍ରମେ କ୍ରମେ ସେହିପରି ବଦଳିଯାଏ ନାହିଁ କି ? ନାରୀର ମନ ଶରତ ଆକାଶର ଭସାମେଘ ପରି ଗତିଶୀଳ । କହିବାବେଳେ ସେ ସବୁ କହିଯାଏ; କିନ୍ତୁ ପରେ ସେ ନିଜକୁ ସଂଶୋଧନ କରିବାକୁ ଯତ୍‍ପରୋନାସ୍ତି ଚେଷ୍ଟା ମଧ୍ୟ କରେ । ତେଣୁ ସ୍ତ୍ରୀ କଥାର ବା ଦାମ କ’ଣ ?

 

ବୀରେନ୍ଦ୍ର ଏହିପ୍ରକାର ଦୁର୍ଭାବନାରେ ରତ ଥିଲାବେଳେ ହଠାତ୍ ସୁଜାତା ପଚାରିଲା, ‘‘କ’ଣ ଭାବୁଛ ବୀରେନ୍ଦ୍ର ?’’

 

‘‘ବର୍ତ୍ତମାନ ସଙ୍ଗରେ ଭବିଷ୍ୟତକୁ ମିଳାଉଥିଲି ।’’

 

ସୁଜାତା ହସି ହସି କହିଲା, ‘‘ବର୍ତ୍ତମାନ ସଙ୍ଗେ ଭବିଷ୍ୟତକୁ କ’ଣ କେହି କେବେ ମିଳାଇପାରେ ଯେ ତୁମେ ମିଳାଇବାକୁ ଯାଉଛ ?’’

 

‘‘ତଥାପି ଚେଷ୍ଟା କରୁଥିଲି ।’’ ଏତିକି ଉତ୍ତର ଦେଇ ବୀରେନ୍ଦ୍ର ଦୀର୍ଘଶ୍ୱାସ ପକାଇଲେ ।

 

ସୁଜାତା ବୀରେନ୍ଦ୍ରର ହାତଟିକୁ ନିଜ ହାତମୁଠାରେ ଚିପିଧରି କହିଥିଲା, ‘‘ଯେତେ ଚେଷ୍ଟା କଲେ ମଧ୍ୟ ଏ ହାତଟି ଆଉ କେହି ମୋ ପାଖରୁ ଛଡ଼ାଇ ନେଇ ପାରିବ ନାହିଁ ।’’

 

ମୁଖରେ ଅବିଶ୍ୱାସର ହସ ଫୁଟାଇ ବୀରେନ୍ଦ୍ର ପଚାରିଲେ ‘‘ତୁମକୁ ବିଶ୍ୱାସ କରିପାରିବି ତ ସୁଜାତା ?’’

‘‘ତେବେ ତୁମେ କ’ଣ କହିବାକୁ ଚାହଁ, ସ୍ତ୍ରୀ ମାତ୍ରେହିଁ ବିଶ୍ୱାସରେ ବିଷ ବୋଳନ୍ତି ?’’ ସୁଜାତାର କଣ୍ଠ ରୁଦ୍ଧ ହୋଇଆସିଲା । ତା’ ପରେ ପରେ ସେ ଅସହିଷ୍ଣୁ ଭାବ ପ୍ରକାଶ କରି ପଚାରିଲା, ‘‘କୁହ ବୀରେନ୍ଦ୍ର ! ତୁମେ କ’ଣ ପାଇଁ ମୋତେ ଅବିଶ୍ୱାସ କରୁଛ ?’’

ମୁଁ ତୁମକୁ ଯେତେ ବିଶ୍ୱାସ କରିବାକୁ ଚେଷ୍ଟା କରୁଛି ସୁଜାତା ! ମୋର ପାରିପାର୍ଶ୍ୱିକ ଅବସ୍ଥା ମୋ ମନରେ ସେତେ ଅବିଶ୍ୱାସ ଆଣି ପୂରାଇ ଦେଉଛି । ବୀରେନ୍ଦ୍ର ଏତିକି ଉତ୍ତରଦେଇ ମଥା ତଳକୁ ପୋତିଦେଇଥିଲେ ।

ସୁଜାତା ଅପେକ୍ଷାକୃତ ଉଚ୍ଚ ଗଳାରେ କହିଥିଲା, ‘‘ତୁମେ ହେଉଛ ଗୋଟିଏ ଗରିବ ପରିବାରର ପୁଅ ଏବଂ ମୁଁ ହେଉଛି ଗୋଟିଏ ଜମିଦାର ପରିବାରର ଆଦରଣୀୟା କନ୍ୟା । ସେଥିପାଇଁ ବୋଧହୁଏ ତୁମେ ଭାବୁଛ ତୁମ ସଙ୍ଗେ ମୋର ବିବାହ ଏକାବେଳକେ ଅସମ୍ଭବ ।’’

‘‘କେବଳ ଅସମ୍ଭବ ନୁହେଁ ସୁଜାତା ! ଏକାବେଳକେ କଳ୍ପନାତୀତ । ଶୁଷ୍କ ମୁଖରେ ଉତ୍ତରଦେଲେ ବୀରେନ୍ଦ୍ର ।’’

କ୍ଷଣକାଳ ପାଇଁ କାହାରି ମୁହଁରେ ଭାଷା ନ ଥିଲା । ସୁଜାତା ପ୍ରଥମେ କଥା ଆରମ୍ଭ କରି କହିଲା, ‘‘ଶ୍ମଶାନବାସୀ ଶିବଙ୍କୁ ଯେ ସତୀ ବରଣ କରିଥିଲେ ତାହା ତୁମେ କ’ଣ ଅବିଶ୍ୱାସ କର ? ସତୀ ମଧ୍ୟ ତ ମୋ ଭଳି ଜଣେ ସ୍ତ୍ରୀ ।’’

ବୀରେଦ୍ର ବ୍ୟଙ୍ଗ ସ୍ୱରରେ କହିଲେ, ‘‘ସ୍ତ୍ରୀ ସତ୍ୟ, ମାତ୍ର ତୁମ ଭିତରେ ଓ ତାଙ୍କ ଭିତରେ ବହୁତ ପାର୍ଥକ୍ୟ ରହିଛି । ତୁମର ଏହି ଦେହଟା ହେଉଛି ରକ୍ତମାଂସରେ ଗଢ଼ା ଓ ତାଙ୍କର ଦେହଟା ଗଢ଼ା ହୋଇଥିଲା ବଜ୍ରରେ ।’’

ଏପରି କହିବାର ଅର୍ଥ ? ପଚାରିଲା ସୁଜାତା ।

‘‘ଏ ଦୁନିଆରେ ରକ୍ତମାଂସର ଦେହ ସବୁ ବିଚାର କରେ । ଏହି ରକ୍ତମାଂସର ଦେହ, ସ୍ନେହ ଓ ପ୍ରେମର ଅର୍ଥ ବୁଝିପାରେ ନାହିଁ । ସେ କେବଳ ବୁଝେ ଧନ, ମାନ ଓ ଖ୍ୟାତି । ଧନ ପାଇଁ, ଖ୍ୟାତି ପାଇଁ, ଏହି ରକ୍ତମାଂସର ଦେହକୁ ମଣିଷ ବିକ୍ରୟ କରେ ଅମଣିଷ ପାଖରେ । ପଶୁ ପାଖରେ ମଧ୍ୟ ବିନା ଦ୍ୱିଧାରେ ସେ ସମର୍ପଣ କରିଦେବାକୁ ପଛାଏ ନାହିଁ ।’’ ଦୃଢ଼କଣ୍ଠରେ ସେତେବେଳେ ଉତ୍ତର ଦେଇଥିଲେ ବୀରେନ୍ଦ୍ର ।

ପୁଣି ସୁଜାତା ପ୍ରଶ୍ନ କରିଥିଲା, ‘‘ଆଉ ଯାହାର ଦେହଟା ବ୍ରଜରେ ଗଢ଼ା ?’’

‘‘ତାହାର ଦେହଟା କେବଳ ବଜ୍ର ନୁହେଁ, ତାହାର ମନ ଓ ଓଠର ଭାଷା ମଧ୍ୟ ବଜ୍ର ପରି ଟାଣ । ବଜ୍ରର ମଣିଷ ଯାହା କହେ, ସେ ତାହା ଅକ୍ଷରେ ଅକ୍ଷରେ ପାଳନ କରେ । ସତୀ ବଜ୍ରର ମଣିଷ ହୋଇଥିବାରୁ ସେ ନିଜର ପ୍ରତିଜ୍ଞାରେ ଅଟଳ ରହିଥିଲେ ।’’

କଥାରେ ଗୁରୁତ୍ୱ ଦେଇ ସୁଜାତା କହିଲା, ‘‘ମୁଁ ଯଦି ବଜ୍ରପରି ଟାଣ ହୋଇଯାଏ, ମୋ କଥାରେ ତୁମେ ଭରସା ରଖିବ ତ ?’’

ମ୍ଳାନ ମୁଖରେ ବୀରେନ୍ଦ୍ର କହିଲେ, ‘‘ଏ ଯୁଗରେ କେବଳ ନିର୍ବୋଧ ମାତ୍ରେ ହିଁ ନାରୀକୁ ବିଶ୍ୱାସ କରନ୍ତି ବୋଲି ଗୋଟିଏ ଧାରଣା ମୋର ମନ ମଧ୍ୟରେ ଜାଗ୍ରତ ହେଉଛି ସୁଜାତା ।’’

ସୁଜାତା ସେ ଦିନ ପ୍ରତିବାଦ କରି କହିଥିଲା, ‘‘ମୋତେ ବିଶ୍ୱାସ କର ବୀରେନ୍ଦ୍ର ! ତୁମେ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇ ମୋତେ ଭୁଲ ବୁଝନାହିଁ । ନାରୀର ଓଠର ଭାଷା ହେଉଛି ତା’ର ହୃଦୟର ଭାଷା । ସେ ଯାହା କହେ ତାହା ସେ ପାଳନ କରେ । ସେ ତା’ର ସତୀତ୍ୱ ଅପେକ୍ଷା ପ୍ରେମକୁ ଉଚ୍ଚ ଆସନ ଦିଏ । ପ୍ରେମକୁ ସେ କେବେ ପାପ କହିପାରେ ନାହିଁ ।’’

 

ସୁଜାତା କଥାରେ ବିଶ୍ୱାସ କରି ବୀରେନ୍ଦ୍ର ଏତେ ଦିନଯାଏ ଶୂନ୍ୟରେ ସୌଧ ଗଢ଼ିବାର କଳ୍ପନା କରିଆସୁଥିଲେ । ମାତ୍ର ବୀରେନ୍ଦ୍ର ସେହିଦିନର ପୋଖରୀ କୂଳର ଘଟଣାରୁ ବୁଝିଲେ ଏ ସୁଜାତା ତାଙ୍କର ସେ ସୁଜାତା ନୁହେଁ ।

 

ତଥାପି ସେ ପଚାରିଲେ ‘‘ସୁଜାତା ! ତୁମେ ଦିନେ କ’ଣ କହିଥିଲ ତାହା ତୁମର ମନେଅଛି ?’’

 

ତାଚ୍ଛଲ୍ୟର ହସି ହସି ସୁଜାତା ଉତ୍ତରଦେଲା, ‘ଭିକ୍ଟୋରିଆ ମୁଦ୍ରା ଏ ଯୁଗରେ ଅଚଳ ହୋଇଗଲାଣି ବୋଲି କ’ଣ ତୁମର ମୋଟେ ଖେୟାଲ ନାହିଁ ।’

 

ଭାରାକ୍ରାନ୍ତ ହୃଦୟରେ ତଳକୁ ମଥାପୋତି ବୀରେନ୍ଦ୍ର ଫେରିଆସୁଥିଲେ । ସୁଜାତା ସଙ୍ଗେ ସଙ୍ଗେ ଉତ୍ତରଦେଲା, ‘‘ଯେଉଁ ପୁରୁଷ କମାଣ ମୁହଁରେ ଛାତି ପତାଇ ତା’ର ଭାଗ୍ୟ ପରୀକ୍ଷା କରେ ସେହି ପୁରୁଷ ପାଖରେ ନାରୀ ସ୍ନେହ ପାଇଁ ଅଞ୍ଜଳି ପାତି ଛିଡ଼ାହୁଏ । ଏତିକି ସବୁ ପୁରୁଷର ମନେରଖିବା ଉଚିତ । ପ୍ରତିଭାବାନ୍‍ ବ୍ୟକ୍ତିହିଁ ନାରୀର ଉପାସ୍ୟ ।’’

 

ଏହା ପରେ ପରେ ବୀରେନ୍ଦ୍ର ବାହାରିଲେ ଯୁଦ୍ଧକୁ । ଗାଁରେ ଚହଳ ପଡ଼ିଗଲା । ସମସ୍ତେ କହିଲେ ଯେ ଗଲା ସେ ଗଲା । ଏ ତ ଆଉ ମଣିଷ ମଣିଷର ଲଢ଼େଇ ନୁହେଁ । ଏ ଲଢ଼େଇ ହେଉଛି ଯନ୍ତ୍ର ସଙ୍ଗେ ମଣିଷର । ଏ ଯୁଦ୍ଧରେ କିଏ ବଞ୍ଚିବ ଯେ ବୀରେନ୍ଦ୍ର ପୁଣି ଫେରିଆସିବ ?

 

ବୀରେନ୍ଦ୍ରର ମୁହଁରେ ଆଶଙ୍କାର ଚିହ୍ନ ନାହିଁ । ସେ କଦମ ପରେ କଦମ ବଢ଼ାଇ ଆଗେଇ ଚାଲିଲେ । ଗାଁ ମୁଣ୍ଡରେ ଦେଖାହେଲା ନିରୋଳାରେ ସୁଜାତା ସଙ୍ଗରେ । ସୁଜାତାର ପାଖଦେଇ ବୀରେନ୍ଦ୍ର ଚାଲିଯାଉଥିଲେ ଆଗକୁ ।

 

ସୁଜାତା ଅତିକ୍ଷୀଣ ସ୍ୱରରେ ଡାକିଲା ‘‘ବୀରେନ୍ଦ୍ର !’’

 

ବୀରେନ୍ଦ୍ର ମୁହଁ ବୁଲାଇ ଚାହିଁଲେ ସୁଜାତାକୁ । ସୁଜାତାର ଆଖିରେ ଅଶ୍ରୁ ।

 

ବୀରେନ୍ଦ୍ର ପଚାରିଲେ, ‘‘କିଛି କ’ଣ କହିବାର ଅଛି ?’’

 

‘ହଁ’ କହି ସୁଜାତା ପଚାରିଲା, ‘‘ତୁମେ କ’ଣ ତେବେ ଯୁଦ୍ଧକୁ ଯାଉଛ ?’’

 

‘‘ତଥାପି କ’ଣ ତୁମର ବିଶ୍ୱାସ ହେଉନାହିଁ ?’’ ଉତ୍ତରଦେଲେ ବୀରେନ୍ଦ୍ର ।

 

‘‘ନିଜ ଉପରେ ଏ ପ୍ରକାର ପ୍ରତିଶୋଧ ନେଇ ଲାଭ ?’’ ପଚାରିଲା ସୁଜାତା ।

 

‘‘କେବଳ ତମର ବଜ୍ରର ଦେହଟାକୁ ଲହୁଣୀ ପରି ନରମ କରିବା ପାଇଁ ଏ ପନ୍ଥାର ଆଶ୍ରୟ ମୋତେ ନେବାକୁ ପଡ଼ିଲା ।’’ ଏତିକି ଜବାବ୍ ଦେଇ ବୀରେନ୍ଦ୍ର ପାଦ ବଢ଼ାଇଲେ ।

 

‘‘ଟିକିଏ ରୁହ ବୀରେନ୍ଦ୍ର !’’ ସୁଜାତା ସଶ୍ରୁଳ ନୟନରେ ଏତିକି କହି ବୀରେନ୍ଦ୍ରର ପାଦତଳେ ମଥା ଲଗାଇଲା ।

 

ବୀରେନ୍ଦ୍ର ପଚାରିଲେ, ‘‘ଏ ଅଭିନୟର ଅର୍ଥ ?

 

ଅଭିନୟ କରିବାକୁ ଭାରତୀୟ ରମଣୀ ଜାଣେନାହିଁ । ସେ ଅଭିନେତ୍ରୀ ନୁହେଁ । ସେ ଯାହାକୁ ହୃଦୟ ଦିଏ, ଯାହାକୁ ଜବାବ୍ ଦିଏ, ତାକୁ ସେ ସବୁ ଦେଇଥାଏ । ତୁମ ପାଇଁ ମୁଁ ଅପେକ୍ଷା କରିଛି ବୀରେନ୍ଦ୍ର । ତୁମେ ବିଜୟୀର ସମ୍ମାନ ଘେନି ଫେରିଆସ ।’’

 

‘‘ଯଦି ସେହିଠାରେ ମୋର ଶେଷ ନିଶ୍ୱାସ ଚାଲିଯାଏ ?’’

 

‘‘ସେଦିନ ଏହି ଚୁଡ଼ି ଚାରିପଟ ମଧ୍ୟ ମୋ ହାତରୁ ଚାଲିଯିବ ।’’ ଏତିକି କହି ସୁଜାତା ବିଦାୟ ଦେଇଥିଲା ବୀରେନ୍ଦ୍ରକୁ ।

 

ଦୀର୍ଘ ଦୁଇବର୍ଷ ହେଲା ବୀରେନ୍ଦ୍ର ଗାଁ ଛାଡ଼ି ଆସିଛନ୍ତି ଯେ ସେ ଆଉ ଗାଁକୁ ଫେରିନାହାନ୍ତି । ସୁଜାତା ନିଜକୁ ଦୋଷ ଦେଇ ବୀରେନ୍ଦ୍ର ପାଖକୁ ଚିଠିଲେଖେ ମାତ୍ର ବୀରେନ୍ଦ୍ର କୌଣସି ଉତ୍ତର ଦିଅନ୍ତି ନାହିଁ ।

 

ଏହି ଏଡେନ୍‍କୁ ଆସିବାର ତାଙ୍କୁ ଦୁଇମାସ ହେଲା । ସୁଯୋଗକୁ ଗାଁ ପାଖର ଲୋକ ସୀତାକାନ୍ତ ମିଳିଯାଇଥାନ୍ତି ।

 

ବୀରେନ୍ଦ୍ର ଅନ୍ୟମନସ୍କ ଇତିମଧ୍ୟରେ ଯଥେଷ୍ଟ ହୋଇଯାଇଥିଲେ । ତାଙ୍କୁ ସୁଜାତାର ଅଶ୍ରୁସିକ୍ତ ମୁଖଟି କେବଳ ଦେଖାଯାଉଥିଲା । ସେ ଭାବୁଥିଲେ ସତେ କ’ଣ ସୁଜାତା ତାଙ୍କ ପାଇଁ ଅପେକ୍ଷା କରିଥିବ ? ସୁଜାତା କ’ଣ ତା’ର କଥାରେ ଅଟଳ ରହିବ ? ସେ ଗୋଟାଏ ଫନ୍ଦି କରି ତାକୁ ଆଉ ମରଣ ମୁହଁକୁ ଠେଲିଦେଇ ନାହିଁ ତ ? ପୁଣି ସେ ଭାବିଲେ ସୁଜାତା ପାଇଁ ଯଦି ବି ଆଜି ସେ ମରିଯାଆନ୍ତି ତାହା ହେବ ତାଙ୍କ ପକ୍ଷରେ ସ୍ୱର୍ଗଲାଭ । ସେ ମରିବା ଆଗରୁ ଅନ୍ତତଃ ସୁଜାତାର ନାମଟି ସ୍ମରଣ କରି ତ ମରିପାରିବେ ।

 

ଏହା ଭାବୁଥାନ୍ତି, ହଠାତ୍‍ ଶତ୍ରୁ ପକ୍ଷର ଚାରୋଟି ବୋମାବର୍ଷଣକାରୀ ବିମାନ ପ୍ରଚଣ୍ଡ ବେଗରେ ମଥା ଉପରେ ଉଡ଼ିଗଲେ । ସୀତାକାନ୍ତ ବୀରେନ୍ଦ୍ରକୁ ହଲାଇଦେଇ କହିଲେ, ‘‘ଭାବୁଛ କ’ଣ ବନ୍ଧୁ ! ଗୁଳି ଫୁଟାଅ ରାଇଟ୍ ଏଙ୍ଗେଲରେ ।’’

 

ଏଣୁ ଏୟାର କ୍ରେପ୍‍ଟ ଗର୍ଜିଉଠିଲା । ହସିହସି ବୀରେନ୍ଦ୍ର କହିଲେ, ବନ୍ଧୁ ! ଉପରକୁ ଅନାଇଲ । ପ୍ଲେନ୍‍ଟା କିପରି ତଳକୁ ଖସିଆସୁଛି । ଲକ୍ଷ୍ୟ ଠିକ୍‍ ହୋଇଛି ତ ?’’

 

ପୁଣି ଆଉ ଗୋଟିଏ ବିମାନ ମଥା ଉପରେ ଉଡ଼ିଗଲା । ଏଥର ମଧ୍ୟ ବୀରେନ୍ଦ୍ର ଗୁଳିଫୁଟାଇଲେ । ଆକାଶରେ ବିମାନ ଦେହରେ ନିଆଁ ଜଳିଉଠିଲା । ହସି ହସି ସୀତାକାନ୍ତ କହିଲେ, ‘‘ତୁମଭଳି ଯଦି ଗୋଟାଏ ଡିଭିଜନ୍‍ ଦକ୍ଷସୈନ୍ୟ ମିତ୍ର ପକ୍ଷର ଥାଆନ୍ତେ, ତେବେ ଏ ଯୁଦ୍ଧଟା ଆରମ୍ଭ ମାତ୍ରେ ହିଁ ଶେଷ ହୋଇଯାଇଥାଆନ୍ତା । କ’ଣ କହୁଛ ?’’

 

ବୀରେନ୍ଦ୍ର ହସିଦେଲେ ଏବଂ ଭାବିଲେ କେବଳ ସୁଜାତା ପାଇଁ ଆଜି ତାଙ୍କର ଏ ଗର୍ବ ।

 

ପୁଣି ଆଉ ଗୋଟିଏ ବିମାନ ମଥା ଉପରେ ଉଡ଼ିଗଲା । ଏଥର ମଧ୍ୟ ବୀରେନ୍ଦ୍ର ଗୁଳି ଫୁଟାଇଲେ । ଗୁଳି ଲକ୍ଷ୍ୟଭେଦ କରିପାରିଲା ନାହିଁ ।

 

ସନ୍ଧ୍ୟା ପାଖରୁ ମଥାରେ ଯେ ଲୁହାଟୋପିଟା ରହିଛି ମଥା ମଧ୍ୟ ଦରଜ କଲାଣି । ଟୋପିଟା ମଥାରୁ କାଢ଼ିଦେଇ ବୀରେନ୍ଦ୍ର ମଥାରେ ହାତ ବୁଲାଇ ପୁଣି ଟୋପିଟା ମଥାରେ ପିନ୍ଧିବାକୁ ଯାଉଛନ୍ତି ହଠାତ୍ ବିମାନଟିଏ ଅଳ୍ପ ଉଚ୍ଚରେ ଉଡ଼ିଯାଇ ଗୋଟିଏ ବୋମା ନିକ୍ଷେପକଲା । ବିମାନକୁ ଲକ୍ଷ୍ୟକରି ଗୁଳି ଫୁଟାଇଲେ ବୀରେନ୍ଦ୍ର ।

 

ବିମାନଟି ଭଉଁରୀ ଖେଳି ଖେଳି ତଳକୁ ଖସି ଆସିଲା ସତ; ମାତ୍ର ଯେଉଁ ବୋମାଟି ବିମାନରୁ ତଳେ ପଡ଼ିଥିଲା ତାହା ତଳେ ଫୁଟିବାରୁ ଗୋଟିଏ ଛିଟିକା ଆସି ବସିଲା ବୀରେନ୍ଦ୍ରର ବାଁ ଛାତିରେ । ବୀରେନ୍ଦ୍ର ମନେମନେ ‘ସୁଜାତା’ କହି ଟଳିପଡ଼ିଲେ । ସେତେବେଳକୁ ସୀତାକାନ୍ତ ଆତ୍ମରକ୍ଷା ପାଇଁ ମାଟିରେ ଗୁରୁଣ୍ଡି ଗୁରୁଣ୍ଡି ଟ୍ରେଞ୍ଚରେ ଆସି ଆଶ୍ରୟ ନେଲେ । ବନ୍ଧୁ ଯେ ଆଉ ଜୀବନରେ ନାହାନ୍ତି ଏହା ସୀତାକାନ୍ତଙ୍କୁ ବୁଝିବାକୁ ବାକି ରହିଲା ନାହିଁ ।

 

ସେ କେବଳ ଦୀର୍ଘଶ୍ୱାସ ପକାଇ ରୁମାଲରେ ଲୁହ ପୋଛିଲେ ।

 

‘‘ମୁଁ କ’ଣ ବଞ୍ଚିଛି ମିସ୍‍ଟର !’’

 

ହସି ହସି ସିସ୍‍ଟର ଜବାବ୍ ଦେଲା, ‘‘ମରିବାକୁ କ’ଣ ଭୟ କରୁଛନ୍ତି ?’’ ସେ ଭୟ ମନରେ ଥିଲେ ମୁଁ ମରିବାକୁ କ’ଣ ଆସିଥାନ୍ତି ?

 

‘‘ଦକ୍ଷତା ସହିତ ଲଢ଼ାଇ କରି ଶତ୍ରୁପକ୍ଷର ତିନୋଟି ବିମାନ ଖସାଇ ଦେଇଥିବା ହେତୁ ଆପଣ ଭିକ୍ଟୋରିଆ କ୍ରଶ ପାଉଛନ୍ତି ବୋଲି ବ୍ରିଗେଡ଼ିଆର ସାହେବ କହୁଥିଲେ ।’’

 

‘‘ସବୁ ସୁଜାତାର ଇଚ୍ଛା’’ ମନ ମଧ୍ୟରେ ଏତିକି କହିଲେ ବୀରେନ୍ଦ୍ର । ଆଖିରେ ତାଙ୍କର ଲୁହ ଭରିଗଲା ।

 

ମନ ମଧ୍ୟରେ ଆନନ୍ଦର ଅସଂଖ୍ୟ ତରଙ୍ଗ ସେଦିନ ସୃଷ୍ଟି ହୋଇଥିଲା ବୀରେନ୍ଦ୍ରର । ସେ ଯୁଦ୍ଧ ଫେରନ୍ତା ବିଜୟୀ ବୀର । ହସି ହସି ସୁଜାତା ତାଙ୍କୁ ଅଭିବାଦନ ଜଣାଇବ, ଆନନ୍ଦରେ ଦୁଇଟୋପା ଅଶ୍ରୁ ଗଡ଼ାଇଦେଇ ବୀରେନ୍ଦ୍ର ସୁଜାତାକୁ ଆପ୍ୟାୟିତ କରିବା ପାଇଁ କହିବେ ‘‘ସୁଜାତା ! ଏହି ନାରୀ ହେଉଛି ଦୁନିଆରେ ଏକମାତ୍ର ଶକ୍ତି । ଏହି ନାରୀ ପାଖରୁ ପ୍ରେରଣା ପାଇ ପୁରୁଷ ଦେଶ ପାଇଁ ଓ ଜାତି ପାଇଁ ହସିହସି ଆତ୍ମବଳି ଦିଏ ସମ୍ମୁଖ ରଣକ୍ଷେତ୍ରରେ । ତୁମର ଦାନର ପ୍ରତିଦାନ ଏ ଜୀବନରେ ଦେଇପାରିବି ନାହିଁ ।’’

 

ଏମିତି କେତେ କ’ଣ ମନେମନେ ଭାବି ଗାଡ଼ିରୁ ଓହ୍ଲାଇଲେ ବୀରେନ୍ଦ୍ର । ଷ୍ଟେସନ୍‍ ଲୋକାରଣ୍ୟ ନ ହେଲେ ମଧ୍ୟ ଲୋକଗହଳି ମନ୍ଦ ହୋଇନଥିଲା । ସେ ପ୍ଲାଟ୍‍ଫର୍ମ ପାର ହୋଇ ବାହାରକୁ ଆସିଲେ ।

 

ବାଣ ଫୁଟାଇ, ବ୍ୟାଣ୍ଡ ବଜାଇ ଗୋଟିଏ ପ୍ରସେସନ୍ ଷ୍ଟେସନ୍‍ ଆଡ଼କୁ ଆସୁଥିଲା । ବୀରେନ୍ଦ୍ର ନିକଟସ୍ଥ ପୋଲିସକୁ ପଚାରିଲେ, ‘‘ଏ ବିବାହ କାହାର ହେଉଛି ?’’

 

ପୋଲିସ ଉତ୍ତର ଦେଲା ‘‘ଆମ ମେଜର ସାହେବଙ୍କର ।’’

 

‘‘କନ୍ୟା କେଉଁଠି ?’’

 

‘‘ସୁନ୍ଦର ଗାଁ ଚୌଧୁରୀ ଘରେ ।’’

 

‘‘ସୁଜାତା ??’’

 

ହଁ, ସୁଜାତା ତାଙ୍କୁ ମରଣ ମୁହଁକୁ ଠେଲିଦେବାକୁ ଗୋଟାଏ ନୂତନ ପନ୍ଥା ଉଦ୍ଭାବନ କରିବାକୁ ନିଜର ଦେହକୁ ମନେମନେ ବଜ୍ରରେ ସଜାଇ ନିଜକୁ କହୁଥିଲା ବଜ୍ରରମଣୀ ! ପ୍ରକୃତରେ ଏ ଯୁଗରେ ରମଣୀ ଦୟା, ପ୍ରୀତିର ଅର୍ଥ ବୁଝେ ନାହିଁ । ସେ ଅନ୍ୟ ଆଖିରେ ବିକ୍ରୟ ହେବାପାଇଁ ନାନାବିଧ ଉପାୟରେ ବହୁ ପରିପାଟୀ କରି ନିଜର ରକ୍ତମାଂସର ଦେହଟିକୁ ସଜାଇବାକୁ ଆପ୍ରାଣ ଚେଷ୍ଟା କରେ । ନିଜକୁ ସମାଜରେ ପ୍ରତିଷ୍ଠିତ କରିବା ପାଇଁ ନିର୍ମାଲ୍ୟ ଛୁଇଁ ନିୟମ କରି ନିଜର ପାପକୁ ଘୋଡ଼ାଇଥାଏ । ଏ ଯୁଗର ରମଣୀର ମନ ବହୁମୁଖୀ । ଏମିତି କେତେ କ’ଣ ଭାବି ପର ଗାଡ଼ିରେ ପୁଣି ଫେରିଆସିଲେ ବୀରେନ୍ଦ୍ର ଜବଲପୁର କେଣ୍ଟନମେଣ୍ଟକୁ । ଦୀର୍ଘ କୋଡ଼ିଏ ବର୍ଷ ଭାରତୀୟ ସୈନ୍ୟ ବିଭାଗରେ ଚାକିରି କରିବା ପରେ ବୀରେନ୍ଦ୍ରର ଆଉ ଚାକିରି କରିବାକୁ ମନ ବଳିଲା ନାହିଁ । କାହାପାଇଁ ସେ ଖଟିବେ ? କିଏ ଅଛି ଯେ ଖାଇବ ? ସେ ଚାକିରିରୁ ଅବସର ଗ୍ରହଣ କଲେ ।

 

କ୍ୟାପଟେନ୍ ବୀରେନ୍ଦ୍ରକୁ ସାଗର ସମ୍ବର୍ଦ୍ଧନା ଜଣାଇ ବିଦାୟ ଦିଆଗଲା । ଜନ୍ମଭୂମିର ମୋହ, ପ୍ରିୟଜନର ମମତାକୁ ମଣିଷ ମରିବା ପରେ ମଧ୍ୟ ମନେରଖିବାକୁ ଇଚ୍ଛାକରେ । ଏଣୁ ଜନ୍ମଭୂମିକୁ ଯେପରି ଭୁଲି ହୁଏ ନାହିଁ, ପ୍ରିୟଜନର ସ୍ନେହକୁ ମଧ୍ୟ ସେହିପରି ମୋଟେ ଏଡ଼ିଦେଇ ହୁଏ ନାହିଁ । ଲୁହାକୁ ଯେପରି ଚୁମ୍ବକ ଟାଣିଆଣେ, ସେହିପରି ଜନ୍ମଭୂମିର ଆକର୍ଷଣୀ ଶକ୍ତି ବୀରେନ୍ଦ୍ରକୁ ଦୀର୍ଘ କୋଡ଼ିଏ ବର୍ଷ ପରେ ଟାଣିଆଣିଲା ନିଜର ପବିତ୍ର ଜନ୍ମମାଟି ଓଡ଼ିଶାକୁ ।

 

ଶେଷନିଶ୍ୱାସ ତ୍ୟାଗ କରିବା ଯାଏ ଏହି ନୀଳାଚଳ ଧାମରେ ସେ ରହିବାକୁ ସିଦ୍ଧାନ୍ତ କରି ସ୍ୱର୍ଗଦ୍ୱାର ନିକଟରେ ଗୋଟିଏ ଘର ଭଡ଼ାକରି ରହିଲେ ।

 

ସେ ଆଜିଯାଏ ସୁଜାତାକୁ ପାଶୋରି ନାହାନ୍ତି । ସୁଜାତାର ସ୍ନେହ ମନେପଡ଼ିଲେ ସେ ହସିଉଠନ୍ତି । କି ବିଦ୍ରୂପ ସେ ହସ ? ସୁଜାତା ପୁଣି ସ୍ନେହ କରି ଜାଣେ ? ସୁଜାତା ପୁଣି ପ୍ରେମର ମୂଲ୍ୟ ବୁଝେ ? ଏମିତି କେତେ କ’ଣ ଭାବି ସେ ଆଖିରୁ ଲୁହ ପୋଛନ୍ତି । ଯେଉଁ ବୋମାମାଡ଼ ହୋଇଥିଲା, ସେଥିରେ ସେ ଯଦି ମରିଯାଇଥାନ୍ତେ ତେବେ ଏତେ ଦୁଃଖ ଏ ଜୀବନ ମଧ୍ୟରେ ଆଉ ଭୋଗ କରିବାକୁ ହୋଇନଥାନ୍ତା କିମ୍ବା ଏତେ ଲୁହ ଆଉ ଢାଳିବାକୁ ପଡ଼ିନଥାନ୍ତା । ଯାହା ଏ ପୋଡ଼ା କପାଳରେ ଲେଖାଅଛି ତାକୁ ପୁଣି ତ ଭୋଗ କରିବାକୁ ପଡ଼ିବ । ଏତିକି ମାତ୍ର ସାନ୍ତ୍ୱନା ସେ ନିଜକୁ ନିଜେ ଦିଅନ୍ତି । ସେଦିନ ହୋଇଥାଏ ପୂର୍ଣ୍ଣିମା । ମହୋଦଧି ଆନନ୍ଦରେ ଫୁଲିଉଠିଥାଏ । ଏ ଆନନ୍ଦ କ’ଣ ପାଇଁ ବେଳାଭୂମିରେ ଛିଡ଼ାହୋଇ ପ୍ରଶ୍ନକଲେ ବୀରେନ୍ଦ୍ର । ପୂର୍ବ ଆକାଶରେ ଥାଳିପଟ ପରି ଚନ୍ଦ୍ର ଦେଖାଯାଉଥିଲା । ବୀରେନ୍ଦ୍ରର ମନେପଡ଼ିଲା ସୁଜାତାର ମୁହଁ । ସୁଜାତାର ମୁହଁଠାରୁ ଏ ଚନ୍ଦ୍ରଟା ମୋଟେ ସୁନ୍ଦର ନୁହେଁ, ଏତିକି କେବଳ ବୀରେନ୍ଦ୍ରର ମନେଅଛି ।

 

ଗୋଟିଏ ଦୀର୍ଘଶ୍ୱାସ ପକାଇ ବୀରେନ୍ଦ୍ର ଗୃହାଭିମୁଖେ ପାଦ ବଢ଼ାଇଲେ । ବିପରୀତ ଦିଗରୁ ଆସୁଥିଲା ସୁଜାତା । ସାଥୀରେ ଥିଲେ ତା’ର ପିଲାମାନେ । ସୁଜାତା ବର୍ତ୍ତମାନ ଛଅଗୋଟି ସନ୍ତାନର ଜନନୀ ।

ବୀରେନ୍ଦ୍ର ଅପ୍ରତ୍ୟାଶିତ ଭାବେ ସୁଜାତାକୁ ଦେଖି ଚମକିପଡ଼ିଲେ । ସୁଜାତାର କପାଳରେ ଦାଉ ଦାଉ ହୋଇ ସିନ୍ଦୂର ଜଳିଉଠୁଥିଲା ।

ବୀରେନ୍ଦ୍ରର ଇଚ୍ଛା ହେଉଥିଲା ସୁଜାତାକୁ ଡାକିବା ପାଇଁ; କିନ୍ତୁ କ’ଣ ପାଇଁ ଡାକିବେ ? ନିଜ କଟାଘାଆରେ ନିଜେ କାହିଁକି ଚୂନ ବୋଳିବେ ? ଶତ ଶତ ପ୍ରଶ୍ନ ତାଙ୍କର ମନ ମଧ୍ୟରେ ଉଦ୍ରେକ ହେଲା ।

ମଣିଷ ଅଜ୍ଞାତସାରରେ ଅନେକ କଥା କରିଯାଏ । ହଠାତ୍ ବୀରେନ୍ଦ୍ରର ପାଟିରୁ ବାହାରିଲା ‘‘ସୁଜାତା’’ ।

ସୁଜାତା ମୁହଁ ବୁଲାଇ ଚାହିଁଲା । କେହି କୁଆଡ଼େ ନାହାନ୍ତି । କେବଳ ଜଣେ ଅପରଚିତ ବ୍ୟକ୍ତି ଅଳ୍ପ ଦୂରରେ ଛିଡ଼ାହୋଇ ତାକୁ ଅନାଇଛି । ମତିଭ୍ରମ ହୋଇପାରେ ଭାବି ସୁଜାତା ଆଗକୁ ପାଦ ବଢ଼ାଇଲା ।

ପୁଣି ‘‘ସୁଜାତା’’ ବୋଲି କହି ବୀରେନ୍ଦ୍ର ଆଗେଇ ଆସିଲେ । ଅତି ନିକଟକୁ ଆସି କହିଲେ, ‘‘ମୋତେ ଚିହ୍ନି ପାରୁଛ ସୁଜାତା’’ ?

ସୁଜାତା ଆଶ୍ଚର୍ଯ୍ୟ ଭାବରେ ଅନାଇଲା ଭଦ୍ରବ୍ୟକ୍ତିଙ୍କୁ ।

‘‘ଏଥର ଚିହ୍ନି ପାରିବ’’ କହି ମୁହଁରେ ଲଗାଇଥିବା କୃତ୍ରିମଦାଢ଼ିକୁ ବୀରେନ୍ଦ୍ର ଖୋଲିଦେଲେ ।

‘‘ଆରେ ବୀରେନ୍ଦ୍ର ତୁମେ ?’’ କହି ସୁଜାତା ନିଶ୍ଚଳ ଭାବରେ ଅନାଇଲା ବୀରେନ୍ଦ୍ରକୁ ।

‘‘ହଁ ସୁଜାତା ! କେବଳ ତୁମର ଅବହେଳା ସହ୍ୟ କରିବାକୁ ଭଗବାନ ମୋତେ ଆଜିଯାଏ ବଞ୍ଚାଇ ରଖିଛନ୍ତି । ମୋର ନିର୍ଲ୍ଲଜ ଜୀବନଟାକୁ ଅନେକଥର ଗୁଳିପାଖରେ ମଧ୍ୟ ପରୀକ୍ଷା କରିସାରିଛି । ମରିପାରିଲି ନାହିଁ କେବଳ ତୁମରି ପାଇଁ ।’’ ଅତି ନିର୍ମମ ଭାବେ କହିଗଲେ ବୀରେନ୍ଦ୍ର-

ସୁଜାତା ଆକାଶ ପାତାଳ କେତେ କ’ଣ ଭାବିଯାଉଥିଲା । ପୁଣି ବୀରେନ୍ଦ୍ର କହିଲେ, ‘‘ତୁମକୁ ବିଶ୍ୱାସକରି ନିଃସଙ୍ଗ ଜୀବନ ମଧ୍ୟ ହସି ହସି କାଟି ଦେଇ ପାରିଲି ସୁଜାତା ।’’

ସୁଜାତା କୌଣସି ଉତ୍ତର ଦେଲାନାହିଁ । ସେ ଗତି ପରିବର୍ତ୍ତନ କରି ଅନ୍ୟଆଡ଼େ ଚାଲିଗଲା ।

ତହିଁ ପରଦିନ ବୀରେନ୍ଦ୍ର ସାମନା ବାରଣ୍ଡାରେ ପଦଚାରଣ କରୁଥାନ୍ତି । ବିଷଣ୍ଣ ମୁଖରେ ଘର ଭିତରକୁ ପଶିଆସିଲା ସୁଜାତା । ବୀରେନ୍ଦ୍ର ସୁଜାତାକୁ ଅନୁସରଣ କଲେ ।

ସୁଜାତା କଣ୍ଠରେ ଦୃଢ଼ତା ଫୁଟାଇ କହିଲା ‘‘ବୀରେନ୍ଦ୍ର ! ତୁମର ସୁଜାତାକୁ ଚିହ୍ନି ପାରିଲ ତ ?’’

ବୀରେନ୍ଦ୍ର କୌଣସି କିଛି ବୁଝି ନପାରି କେବଳ ଅନାଇଲେ ସୁଜାତାକୁ ।

 

ସୁଜାତା ପୁଣି ଅବିଚଳିତ କଣ୍ଠରେ କହିଲା, ‘‘ନାରୀକୁ ଚିହ୍ନିବାକୁ ପୁରୁଷ ଯେତେ ଚେଷ୍ଟା ନ କରେ ଜୀବନ ସଙ୍ଗରେ ଜୁଆ ଖେଳିବାକୁ ସେତେ ସେ ଚେଷ୍ଟାକରେ ।’’ ଏତିକି କହି ସୁଜାତା ତା’ର ନିରାଭରଣ ହାତ ଦୁଇଟିକୁ କାଢ଼ି ବୀରେନ୍ଦ୍ରକୁ ଦେଖାଇଲା । ସେତେବେଳେ ସୁଜାତାର କପାଳରେ ସିନ୍ଦୂର ନ ଥିଲା । ତା’ର ପରିଧେୟ ଥିଲା ଗୋଟିଏ ସାଧା ଧୋତି ।

 

ବୀରେନ୍ଦ୍ର ଚିତ୍କାର କରି କହିଲେ, ‘‘ସୁଜାତା ! ଏ ଅଭିନୟ ପୁଣି କାହିଁକି ?’’

 

‘‘ସ୍ତ୍ରୀ ମାତ୍ରେ ହିଁ ଅଭିନୟକୁ ଘୃଣା କରନ୍ତି । ସ୍ତ୍ରୀ ଯାହା କହେ ତାହା ମଧ୍ୟ ପାଳନ କରିଥାଏ ।’’ ଏତିକି କହିସାରି ପୁଣି ପରିଷ୍କାର ଗଳାରେ ସୁଜାତା ଆରମ୍ଭ କଲା ‘‘ଶୁଣ ବୀରେନ୍ଦ୍ର ! ତୁମର ମୃତ୍ୟୁ ଖବର ଯେଉଁ ଦିନ ପାଇଲି, ତୁମର ପ୍ରତ୍ୟକ୍ଷଦର୍ଶୀ ବନ୍ଧୁଙ୍କ ପାଖରୁ ସେହିଦିନ ସେହି ଚାରିପଟ ଚୁଡ଼ି ହାତରୁ ବାହାର କରି ଥୋଇଦେଇଛି କେବଳ ତୁମ ପାଇଁ । ତୁମେ ତ ଜାଣ ଆମର ସମାଜ ନାରୀର ମନକୁ ଚିହ୍ନିପାରେ ନାହିଁ । ସେ କେବଳ ଚିହ୍ନେ ଏହି ଦେହଟାକୁ ଯେଉଁ ଦେହଟାକୁ ମରିଗଲା ପରେ ବିଲୁଆ ଶାଗୁଣା ଖାଇ ଆନନ୍ଦ ପାଆନ୍ତି । ସେହି ଦେହଟାକୁ ଯଦି ଜିଅନ୍ତା ଅବସ୍ଥାରେ ଗୋଟିଏ ନରମାଂସ ଲୋଭୀ ହୃଦୟହୀନ କୁତ୍ସିତ ପୁରୁଷକୁ ଦିଆଯାଏ, କ୍ଷତି କ’ଣ ? ବର୍ତ୍ତମାନ ବୁଝିଲ ମୋ ସଙ୍ଗେ ତୁମର ହିତାକାଙ୍‍କ୍ଷୀ ବନ୍ଧୁଙ୍କ ସମ୍ପର୍କ କ’ଣ ।’’

 

ବୀରେନ୍ଦ୍ର କୌଣସି ଜବାବ୍‍ ଦେଇ ପାରିଲେ ନାହିଁ । ସେ ତରବରରେ ଭିତର ଘରକୁ ଯାଇ ଗୋଟିଏ ଚମଡ଼ା ସୁଟକେଶ୍ ଧରି ଦୁଇମିନିଟ୍‍ ମଧ୍ୟରେ ଫେରିଆସିଲେ ।

 

‘‘ସୁଜାତା ! ମୋର ଅନୁରୋଧ ତୁମକୁ ରକ୍ଷା କରିବାକୁ ହେବ ।’’ ଏତିକି କହି ବୀରେନ୍ଦ୍ର ସୁଟକେଶ୍‍ ଖୋଲି ଦେଇ ସୁଜାତା ହାତକୁ ବଢ଼ାଇ ଦେଲେ ଶାଢ଼ି ଓ ଗହଣା ‘‘ଏ ସବୁ ତୁମ ପାଇଁ କୋଡ଼ିଏ ବର୍ଷତଳେ କିଣିଥିଲି, ସୁଜାତା !’’

 

ସୁଜାତା ହସି ହସି ବୀରେନ୍ଦ୍ର ଆଗରେ ତାହାର ନିରାଭରଣ ହାତ ଦୁଇଟି ଦେଖାଇ କହିଲା, ‘‘ଚୁଡ଼ି ତୁମେ ନିଜେ ପିନ୍ଧାଇଦିଅ ବୀରେନ୍ଦ୍ର ! ସିନ୍ଦୂର ମଧ୍ୟ…’’

 

ସୁଜାତାର ସୁନ୍ଥାରେ ପୁଣି ଦାଉ ଦାଉ ହୋଇ ସିନ୍ଦୂର ଜଳିଉଠିଲା । ବୀରେନ୍ଦ୍ର ଲୋଭନୀୟ ଆଖିରେ ଅନାଇଲେ ସୁଜାତାକୁ । ଏତେ ରୂପ ସୁଜାତାର କେଉଁଠି ଥିଲା ?

 

ପ୍ରାୟ ପନ୍ଦର ମିନିଟ୍‍ ଧରି ଉଭୟେ ଉଭୟଙ୍କୁ ଅନାଇ ରହିଲେ । ବୀରେନ୍ଦ୍ର ଭିତରକୁ ଉଠିଯାଇ ପୁଣି ଫେରିଆସିଲେ ସୁଜାତା ପାଖକୁ । ସେ ସୁଜାତା ହାତକୁ ଲକ୍ଷେ ଟଙ୍କାର ଚେକ୍‍ଟିଏ ବଢ଼ାଇଦେଇ କହିଲେ, ‘‘ସୁଜାତା ! ଏତିକି ମୋର ସାରାଜୀବନର ସଞ୍ଚୟ । ତୁମେ ସାଦରେ ଗ୍ରହଣ କରିବ ବୋଲି ମୋର ଏକାନ୍ତ ଅନୁରୋଧ ।’’

 

ସେତେବେଳକୁ ରାତି ପ୍ରାୟ ସାଢ଼େ ନଅ ।

 

ବୀରେନ୍ଦ୍ର କହିଲେ, ‘‘ସୁଜାତା ! ରାତି ଅନେକ ହେଲାଣି । ତୁମର ସ୍ୱାମୀ ତୁମକୁ ଅପେକ୍ଷା କରିଥିବେ । ତୁମେ ଏଥର ଯାଅ ।’’

 

ବୀରେନ୍ଦ୍ରର କଥା ଶୁଣି ସୁଜାତା ଚମକି ଉଠିଲା । ସେ ମନେମନେ ନିଜକୁ ନିଜେ ପ୍ରଶ୍ନକଲା ଫେରିଯିବା ପାଇଁ ସେ କ’ଣ ଆଜି ଆଉ ଆସିଥିଲା ?

 

ଧୀରେ ଧୀରେ ପାଦକାଢ଼ି ସୁଜାତା ପଦାକୁ ଆସିଲା । ଆଜି ତା’ପାଇଁ ସବୁ ଦ୍ୱାର ବନ୍ଦ । ସେ ପୁଣି ଯିବ କେଉଁଠାକୁ ?

 

ତହିଁ ଆରଦିନ ବୀରେନ୍ଦ୍ର ଡାକରେ ଚିଠି ପାଇଲେ, ଲେଖିଥିଲା ସୁଜାତା...

 

ପ୍ରାଣର ବୀରେନ୍ଦ୍ର

 

ଏ ଜୀବନ ତୁମକୁ ଦେଇଥିଲି । ଏ ହୃଦୟ ମଧ୍ୟରେ ଥିଲ କେବଳ ତୁମେ । ଯେତେବେଳେ ତୁମେ ମୋତେ ପ୍ରତ୍ୟାଖ୍ୟାନ କଲ ସେତେବେଳେ ମୋତେ କିଏ ବା ଗ୍ରହଣ କରିଥାନ୍ତା ? ସ୍ୱାମୀ କ’ଣ ଗୋଟାଏ ଲୋଭନୀୟ ବସ୍ତୁ ? ଏହି ପ୍ରଶ୍ନଟି ସବୁବେଳେ ମୋର ମନ ମଧ୍ୟରେ ଥିଲା । ସେହି ପ୍ରଶ୍ନର ସମାଧାନ କରିବାକୁ ମୁଁ ତୁମ ପାଖକୁ ଯାଇଥିଲି । ମାତ୍ର ଏ ଜୀବନରେ ସେହି ପ୍ରଶ୍ନର ସମାଧାନ ହୋଇପାରିଲା ନାହିଁ । ହଉ ବିଦାୟ ନେଲି, ମୋତେ ଭୁଲିଯିବ-। ଇତି ।

 

ତୁମର

ସୁଜାତା

 

ଅଶ୍ରୁଳ ନୟନରେ ବୀରେନ୍ଦ୍ର ଅନାଇ ରହିଲେ ଉପରକୁ । ଖବରକାଗଜ ବିକାଳି ଡାକି ଡାକି ଯାଉଥିଲା ମେଜର ସାହେବଙ୍କ ସ୍ତ୍ରୀ ସୁଜାତାଦେବୀଙ୍କ ମାନହାନି ମକଦ୍ଦମା ।

 

ବୀରେନ୍ଦ୍ର କାଗଜ ଗୋଟିଏ କିଣି ପଢ଼ିଲେ । ସେଥିରେ ଲେଖାଥିଲା ଗତ ରାତ୍ରି ମେଜର ସାହେବଙ୍କ ସ୍ତ୍ରୀ ଶ୍ରୀମନ୍ଦିରରୁ ଫେରିବା ବେଳେ ଅବସର ପ୍ରାପ୍ତ କ୍ୟାପଟେନ୍‍ ବୀରେନ୍ଦ୍ର ରାୟ ତାଙ୍କୁ ବେଆଇନ୍ ଭାବେ ଅଟକାଇରଖି ତାଙ୍କଠାରୁ ଜୋରକରି ଗୋଟିଏ ଚିଠି ଲେଖାଇ ନେଇଛନ୍ତି । ଏଣୁ ଏହାର ପ୍ରତିକାର ପାଇଁ ଶ୍ରୀମତୀ ସୁଜାତାଦେବୀ ବୀରେନ୍ଦ୍ରଙ୍କ ନାମରେ କୋର୍ଟରେ ମକଦ୍ଦମା ଦାଏର କରିଛନ୍ତି ।

 

ଏହି ଖବର ପଢ଼ିଲା ମାତ୍ରେ ବୀରେନ୍ଦ୍ର ମ୍ଳାନ ମୁଖରେ ହସିଦେଇ କହିଲେ, ‘‘ବେଦ କହେ ଏଇ ନାରୀ ହେଉଛି ଦଶଭୁଜା ଦୁର୍ଗା । ବେଳପଡ଼ିଲେ ସହସ୍ର ଭୁଜା ମଧ୍ୟ ସେ ହୁଏ । ନଚେତ୍ ସେ ସବୁବେଳେ ମୋହିନୀ କନ୍ୟା ।’’

Image

 

ଅଶରୀରୀ

 

ବାଦ୍ୟର ତାଳ ସାଙ୍ଗକୁ ପାଦ ମିଳାଇ ନାଚୁଥିଲା ଆଶାଲତା । ନୂପୁରର ହାଲୁକା ଧ୍ୱନି ରାଜରାସ୍ତାକୁ ପରିଷ୍କାର ଭାବେ ଶୁଭାଯାଉଥିଲା । ବେହେଲାର କରୁଣ ମୂର୍ଚ୍ଛନା ପଥଚାରୀର ମନ ଓ ପ୍ରାଣକୁ ଆଶାଲତାର ନୃତ୍ୟଶାଳା ଭିତରକୁ ଓଟାରି ଆଣୁଥିଲା ।

 

ରାସ୍ତାରେ ଯାଉଁ ଯାଉଁ ଥକାହୋଇ ଛିଡ଼ା ହୋଇଗଲେ ରମାକାନ୍ତ । ସେ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କର ପାଦ ଦୁଇଟା ଆଉ ଆଗେଇ ଯିବାକୁ ବୋଧହୁଏ ରାଜି ହେଲେ ନାହିଁ । ହଠାତ୍‍ ବେହେଲାର ସ୍ୱର ସଙ୍ଗେ ସ୍ୱର ମିଳାଇ ଲଳିତ କଣ୍ଠରେ ଅପୂର୍ବ ସ୍ୱରର ତରଙ୍ଗ ସୃଷ୍ଟି କରି ଗାଇଲା ଆଶାଲତା–

 

‘ରୂପେ ଯାର ମନ ମଜିଛି

ଜାତି, କୁଳେ ପୁଣି କି ଭୟ ଅଛି ?’

 

ମରଣର ଆହ୍ୱାନଠାରୁ ସଙ୍ଗୀତର ଆହ୍ୱାନ କ’ଣ ଆହୁରି ମର୍ମସ୍ପର୍ଶୀ ? କାଳକୂଟ ବିଷର ଜ୍ୱଳାଠାରୁ ପ୍ରଣୟିନୀର ଅବହେଳା କ’ଣ ଅଧିକ ଯନ୍ତ୍ରଣାଦାୟକ ? ରାସ୍ତାରେ ଛିଡ଼ାହୋଇ ଏହିକଥା କେବଳ ଭାବୁଥିଲେ ରମାକାନ୍ତ । ସେତେବେଳକୁ ରାତି ବୋଧହୁଏ ସାଢ଼େ ସାତ । ଅନିଚ୍ଛା ସତ୍ତ୍ୱେ ଓ ତାଙ୍କର ପାଦ ଦୁଇଟି ଆପେ ଆପେ ଆଶାଲତାର ନୃତ୍ୟଶାଳା ଆଡ଼କୁ ଆଗେଇ ଯାଇଥିଲା ।

 

ନୀଳ ପରଦା ଆଡ଼େଇଦେଇ ରମାକାନ୍ତ ଯେପରି ଭିତରକୁ ପଶିଯାଇଛନ୍ତି, ହଠାତ୍ ଆଶାଲତାର ଦୃଷ୍ଟି ରମାକାନ୍ତ ଉପରେ ନିବଦ୍ଧ ହେବାରୁ ସେ ଟିକିଏ ବିଚଳିତ ହୋଇପଡ଼ିଲା ।

 

ଅତିଥିଜଣକ ଏକାବେଳକେ ନୂଆ । ଜୀବନରେ କୌଣସି ପାପ ନ କରି ମଧ୍ୟ ପ୍ରାୟଶ୍ଚିତ୍ତ କରିବାକୁ ଏ ଯେ କାହିଁକି ଆସିଛନ୍ତି ଏହିକଥା କେବଳ ଭାବୁଥିଲା ଆଶାଲତା ।

 

ଆଶାଲତା ଜାଣେ ଯେଉଁମାନେ ଏହି ସମାଜ ମଧ୍ୟରେ ରହି ନାନା ଭାବେ ମଣିଷ ଜାତିକୁ ଶୋଷଣ କରି ଯେତେବେଳେ ପାପର ବୋଝ ସେମାନେ ସହ୍ୟ କରିପାରନ୍ତି ନାହିଁ ସେତେବେଳେ ସେମାନେ ପାପର ପ୍ରାୟଶ୍ଚିତ କରିବାକୁ ଯେପରି ଧର୍ମଚର୍ଚ୍ଚା କରନ୍ତି, ଠିକ୍‍ ସେହିପରି ଆମର ସମାଜରେ ଆଉ ଏକ ପ୍ରକାର ଗୋଷ୍ଠୀ ଅଛନ୍ତି ସେମାନେ ଅତୃପ୍ତ ମନ ନେଇ ଯେତେବେଳେ ବଞ୍ଚିରହିବାର କୌଣସି ଖୋରାକ ପାଆନ୍ତି ନାହିଁ ସେତେବେଳେ ବାଧ୍ୟ ହୋଇ ଜୀବନକୁ ଉପଭୋଗ କରିବାକୁ ଖୋଜନ୍ତି ନାରୀର ଗୋଟିଏ ଶସ୍ତା ଦେହ, ଯେଉଁ ଦେହଟାକୁ କେତୋଟି ମୁଦ୍ରା ବିନିମୟରେ ଅକ୍ଳେଶରେ ଖରିଦ କରାଯାଇ ପାରିବ ।

 

ପ୍ରକୃତରେ କହିବାକୁ ଗଲେ ସେ ତା’ର ଦେହଟାକୁ ପଣ୍ୟ ଦ୍ରବ୍ୟ ଭଳି ପୁରୁଷ ପାଖରେ ବିକ୍ରୟ କରେ । ଆଉ ଏହି ନିର୍ବୋଧ ପୁରୁଷଗୁଡ଼ିକ ତନ୍ମୟ ହୋଇଯାଆନ୍ତି ଯେତେବେଳେ ସେ ବଣା ମୃଗୁଣୀର ଚାହାଣି ଢାଳି ସେମାନଙ୍କୁ ଅନାଏ । ଯେଉଁମାନେ ପ୍ରତିଦିନ ତା’ ପାଖକୁ ଆସୁଥିଲେ ଏବଂ ପଦେ ମିଠା କଥା ଶୁଣି ତା’ର ହାତରେ ବିଡ଼ା ବିଡ଼ା ନୋଟ ଧରାଇଦେଇ ଶୁଭରାତ୍ରୀ ଜ୍ଞାପନ କରି ଫେରିଯାଉଥିଲେ ସେମାନେ ସମସ୍ତେ ଥିଲେ ତାହାର ଘୃଣାର ପାତ୍ର ।

 

ଆଶାଲତା ପେଟ ପାଇଁ ବେଶ୍ୟାବୃତ୍ତି କରେ, ପ୍ରେମ ପାଇଁ ନୁହେଁ । ସେ କେତୋଟି ମୁଦ୍ରା ପାଇଁ ପୁରୁଷ ପାଖରେ ନିଜେ ଧରାପଡ଼େ । ସ୍ନେହ ପାଇବା ପାଇଁ ସେ କେବେହେଲେ ନିଜକୁ ଅନ୍ୟ କାହା ପାଖରେ ଅର୍ପଣ କରି ଦିଏ ନାହିଁ । ଯେତେ ସବୁ ପୁରୁଷ ଆସନ୍ତି ସେମାନଙ୍କୁ ପାଗଳର ଆସ୍ଥାନରେ ବସାଇ ଆଶାଲତା ମନେମନେ ବିଦ୍ରୂପ କରେ । ଦିନକ ପାଇଁ ସେ କାହାକୁ ସ୍ନେହ ଦେଖାଇ ପାରିଲା ନାହିଁ । ନାରୀର ହୃଦୟ ଦେଇ ସେ କାହାକୁ କ୍ଷଣକ ପାଇଁ ଭଲ ପାଇପାରିଲା ନାହିଁ ।

 

ଯେଉଁ ପୁରୁଷକୁ ଦେଖିଲା ମାତ୍ରେ ନାରୀର ରକ୍ତରେ ନିଆଁ ଲାଗେ, ଅନ୍ତରରେ ପ୍ରଳୟର ଝଞ୍ଜା ବହେ, ସେହି ପୁରୁଷକୁ ପାଇବା ପାଇଁ ନାରୀ ବ୍ୟାକୁଳ ହୋଇପଡ଼େ । ସେପରି ପୁରୁଷ ସେ ବ୍ୟବସାୟ କଲା ଦିନ ପାଖରୁ କେବେହେଲେ ଦିନକ ପାଇଁ ଦେଖିନଥିଲା । ସେ ଭାବିଥିଲା ଯେଉଁ ପୁରୁଷକୁ ଦେଖିଲା ମାତ୍ରେ ନାରୀ ତା’ର ସ୍ଥାୟିତ୍ୱକୁ ଭୁଲିଯାଇ ତା’ର ମନ ଓ ହୃଦୟକୁ ଛାଏଁ ଛାଏଁ ଅର୍ପଣ କରିଦିଏ ସେପରି ପୁରୁଷ କାହିଁକି ବା ବେଶ୍ୟା ଘରକୁ ଆସିବ ? ରୂପ ଯାହାର ଜୀବିକା, ଛଳନା ଯାହାର ଧର୍ମ ସେପରି ସ୍ତ୍ରୀକୁ କ’ଣ ପୁରୁଷ ଭଲପାଏ ? ବୁଦ୍ଧି ବିବେକ ଶୂନ୍ୟ ମଣିଷ ନାରୀର ରୂପ ଦେଖି ତନ୍ମୟ ହୁଏ କିନ୍ତୁ ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତି ହିଁ ନାରୀର ରୂପକୁ ଧିକ୍‍କାର କରି ଗୁଣକୁ ଆଦର କରନ୍ତି ।

 

ସେଦିନ ରମାକାନ୍ତକୁ ଦେଖିଲାମାତ୍ରେ ଆଶାଲତାର ସର୍ବାଙ୍ଗ ଶିଥିଳ ହୋଇପଡ଼ିଥିଲା । ନୂପୁର ପାଦରୁ ଫିଟାଇ ଦେଇ ସେ ଘର ଭିତରକୁ ପଳାଇ ଯାଇଥିଲା । ନୃତ୍ୟଶାଳାର ପେଶାଦାର ଗ୍ରାହକମାନେ ଅସ୍ଥିର ହୋଇଉଠିଥିଲେ । ହଠାତ୍‍ ବେହେଲାର ସ୍ୱର ବନ୍ଦ ହୋଇଯାଇଥିଲା ।

 

ଭିତରୁ ଖବର ଆସିଲା ଶାରୀରିକ ଅସୁସ୍ଥତା ହେତୁ ଆଜି କୌଣସି ପ୍ରକାରେ ଆଶାଲତା ଅଭ୍ୟାଗତମାନଙ୍କର ମନୋରଞ୍ଜନ କରିପାରିବେ ନାହିଁ । ମନ ବିରକ୍ତିରେ ଯେ ଯାହାର ବାଟରେ ଫେରିଗଲେ କିନ୍ତୁ ଯିବାବେଳେ ପୁଳା ପୁଳା ନୋଟ ଘରର ଚଟାଣ ଉପରେ ଅଜାଡ଼ି ଦେବାକୁ ସେମାନେ ମୋଟେ ପଶ୍ଚାତ୍‍ପଦ ହୋଇନଥିଲେ ।

 

ରମାକାନ୍ତ ଗୋଟାଏ ଦୀର୍ଘଶ୍ୱାସ ପକାଇ ପଦାକୁ ଗୋଡ଼ କାଢ଼ିବା ପୂର୍ବରୁ ପକେଟରୁ ଦଶଟଙ୍କିଆ ନୋଟଟିଏ ବାହାର କରି ଘରର ଚଟାଣ ଉପରେ ଥୋଇଦେଇଛନ୍ତି କି ନାହିଁ ଆଶାଲତା ଦ୍ରୁତ ପଦକ୍ଷେପରେ ସେଠାରେ ଉପସ୍ଥିତ ହୋଇ ରମାକାନ୍ତର ହାତ ଧରିପକାଇ କହିଲା, ‘‘ଆପଣ ଏ ପାପପୁରୀରେ ଏକାବେଳକେ ନୂଆ । କୌଣସି ପାପ ନ କରି ମଧ୍ୟ ପ୍ରାୟଶ୍ଚିତ କରିବାକୁ ଯାଉଛନ୍ତି କାହିଁକି ?’’

 

ରମାକାନ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଶୁଣିଥିଲେ ଯେଉଁମାନେ ବେଶ୍ୟାବୃତ୍ତି କରନ୍ତି ତାଙ୍କ ଆଖିରେ ଅର୍ଥ ହେଉଛି ସବୁଠାରୁ ବଡ଼ ଜିନିଷ ।

 

ସେମାନଙ୍କ ଆଖି ଦୁଇଟା ଅର୍ଥ ଚିହ୍ନିବାକୁ ଯେତେ ଅଭ୍ୟସ୍ତ ପୁରୁଷର ଅନ୍ତର ଚିହ୍ନିବାକୁ ସେତେ ଅଭ୍ୟସ୍ତ ନୁହେଁ ।

 

ଯେଉଁ ସ୍ତ୍ରୀ ପୁରୁଷର ହୃଦୟ ଚିହ୍ନେ, ଯେଉଁ ସ୍ତ୍ରୀ ତା’ର ସର୍ବସ୍ୱ ବିନିମୟରେ ପୁରୁଷକୁ ନିଜର କରିନିଏ, ସେହି ସ୍ତ୍ରୀ ପୁରୁଷ ଆଖିରେ ବେଶ୍ୟା ନୁହେଁ । ସେ ହେଉଛି ପୁଣ୍ୟତୋୟା, ଗଙ୍ଗାଠାରୁ ମଧ୍ୟ ଅଧିକ ପବିତ୍ର ।

 

ଆଶାଲତାର କଥା ପଦକରେ ରମାକାନ୍ତର ମନର ଭାବ କ୍ରମେ କ୍ରମେ ବଦଳିଗଲା । ସେ ଭାବିଲେ ଆଶାଲତାର ଏହି ରକ୍ତମାଂସର ଘୃଣ୍ୟ ଶରୀର ମଧ୍ୟରେ ସତୀସାବିତ୍ରୀର ପୁଣ୍ୟାତ୍ମା ନିଶ୍ଚୟ ବିଦ୍ୟବାନ । ତାହା ହୋଇନଥିଲେ ସେ ତାହାର ଏହି ନୃତ୍ୟଶାଳାକୁ ପାପପୁରୀ କହନ୍ତା କିପରି ?

 

ରମାକାନ୍ତଙ୍କ ଅଜ୍ଞାତସାରରେ ତାଙ୍କ ପାଟିରୁ ବାହାରିଗଲା, ‘‘ପାପପୁରୀ ବୋଲି କ’ଣ କହୁଛ ?’’

 

ଅବିଚଳିତ କଣ୍ଠରେ ଆଶାଲତା ଉତ୍ତରଦେଲା ‘‘ଯେଉଁ ଘରେ ଜଘନ୍ୟ ମନୋବୃତ୍ତି ନେଇ ନାରୀ ସାମାନ୍ୟ କେତୋଟି ମୁଦ୍ରା ପାଇଁ ତାହାର ନାରୀତ୍ୱକୁ ବଳିଦିଏ, ସେହି ଘରଟା କ’ଣ ଆପଣଙ୍କ ଭାଷାରେ ସ୍ୱର୍ଗଦ୍ୱାର ?’’

 

ସଙ୍ଗେ ସଙ୍ଗେ ରମାକାନ୍ତ ଉତ୍ତରଦେଲେ ‘‘ସ୍ୱର୍ଗଦ୍ୱାର ଅର୍ଥ ସସୀମ । ତେଣୁ ମୁଁ କହେ ଯେଉଁଠାରେ ମଣିଷ ନିଷ୍ପାପ ହୃଦୟରେ ଜୀବିକା ନିର୍ବାହ କରେ ତାହା ହେଉଛି ବୈକୁଣ୍ଠ ।’’

 

ଆଶାଲତା ନ ହସି ରହିପାରିଲା ନାହିଁ । ସେ କହିଲା ‘‘ଆପଣ ଏଠାକୁ ଆସିବା ଆଗରୁ ସାମାନ୍ୟ କେତୋଟି ଅର୍ଥ ବଞ୍ଚାଇବା ପାଇଁ ଯଥେଷ୍ଟ ପରିଶ୍ରମ କରି ଅଭିଧାନ ଖୋଲି ଏମିତି କେତେଗୋଟି ଯେ ସାଧୁଶବ୍ଦ ଯୋଗାଡ଼ କରି ଆସିଛନ୍ତି ସେଥିପାଇଁ ଆପଣଙ୍କୁ ଧନ୍ୟବାଦ । ଆପଣଙ୍କୁ କୌଣସି ପ୍ରକାରେ ଖର୍ଚ୍ଚାନ୍ତ କରିବା ମୋର ଅଭିପ୍ରାୟ ନୁହେଁ ।’’

 

‘‘ଏହାର ଅର୍ଥ ?’’ ଏତିକି କହି ରମାକାନ୍ତ ଆଶାଲତାକୁ ଅନାଇଲେ ।

 

ଆଶାଲତା ହସି ହସି କହିଲା, ‘‘ମୁଁ ମଣିଷକୁ ଯେତେ ନ ଚିହ୍ନେ ସେମାନଙ୍କର ହୃଦୟକୁ ସେତେ ଚିହ୍ନେ । ଦେହ ପାଇଁ ଯେତେବେଳେ ବ୍ୟବସାୟ କରିଛି ଲୋକର ମନ ନ ଚିହ୍ନିଲେ ବ୍ୟବସାୟ ଚଳିବ କିପରି ?’’

 

ରମାକାନ୍ତ କୌଣସି ଜବାବ୍‍ ଦେଲେ ନାହିଁ । ସେ କେବଳ ମୁହଁପୋତି ପଦାକୁ ବାହାରି ଆସିଲେ ।

 

ଆଶାଲତା ଦୀର୍ଘଶ୍ୱାସ ପକାଇ ଦ୍ୱାର ବନ୍ଦ କଲା ।

 

ନୀରବ ପ୍ରହରୀ ଭଳି ରାସ୍ତାର ଉଭୟ ପାର୍ଶ୍ୱରେ ଧାଡ଼ି ଧାଡ଼ି ହୋଇ ବତୀଖୁଣ୍ଟଗୁଡ଼ିକ ଛିଡ଼ା ହୋଇଥିଲେ । ରମାକାନ୍ତ ଗୋଟିକ ପରେ ଗୋଟିଏ ବତୀଖୁଣ୍ଟ ଅତିକ୍ରମ କରି ଘରକୁ ଫେରିଲେ । ସେତେବେଳକୁ ଅନେକ ରାତି ହୋଇଥାଏ ।

 

ଶୋଇ ଶୋଇ ରମାକାନ୍ତ କେବଳ ଭାବିବାକୁ ଲାଗିଲେ ଆଶାଲତାର ବିଦାୟକାଳୀନ ସେହି କଥାପଦକ । ବିଦାୟ ଦେବା ସମୟରେ ଆଶାଲତା ବ୍ୟଥିତ ହୃଦୟରେ କହିଥିଲା ‘‘ଆପଣ ନିଷ୍ପାପ ଓ ସରଳ ମଣିଷ । ଆପଣଙ୍କର ପ୍ରାୟଶ୍ଚିତ ନିଷ୍ପ୍ରୟୋଜନ ।’’

 

ଦୁନିଆ କହେ ଆଶାଲତା ବେଶ୍ୟା । ସେ ଦେହ ବିକ୍ରୟ କରେ । ସେ ଦୟା ଓ ଧର୍ମର ଅର୍ଥ ବୁଝେନାହିଁ । ସେ କେବଳ ଅର୍ଥର ଆକ୍ଷରିକ ଅର୍ଥ ବୁଝେ ଏବଂ ଅର୍ଥ ଉପାର୍ଜନ କରିବାକୁ ଯେତିକି ଦୁଷ୍ଟ ବୁଦ୍ଧିର ପ୍ରୟୋଜନ ସେତିକି ବୁଦ୍ଧି ଖଟାଇ ସେ ଅର୍ଥାଗମର ପନ୍ଥା ସବୁବେଳେ ପରିଷ୍କାର କରି ରଖିଥାଏ ।

 

ଆଶାଲତାର ସେଦିନର ବ୍ୟବହାରରେ ରମାକାନ୍ତର ମନ ଏକାବେଳକେ ବଦଳି ଯାଇଥିଲା । ସେ ଭାବୁଥିଲେ ଯେଉଁ ସ୍ତ୍ରୀ ବେଶ୍ୟାବୃତ୍ତି କରେ ସେ ମଧ୍ୟ ସ୍ତ୍ରୀ ଏବଂ ଯେଉଁ ସ୍ତ୍ରୀ କୁଳବଧୂ ସାଜି ଘରସଂସାର କରେ ସେ ମଧ୍ୟ ସ୍ତ୍ରୀ । ତେବେ ତଫାତ୍‍ ଏତିକି ଯେ ଜଣକୁ ଆମେ ଜାଣିପାରୁ ବୋଲି ବେଶ୍ୟା କହି ଘୃଣାକରୁ ଏବଂ ଅନ୍ୟଜଣକୁ ଜାଣିନପାରୁ ବୋଲି ସାବିତ୍ରୀ କହି ସତୀର ସମ୍ମାନ ଦେଉ । ତେଣୁ ନାରୀର ଏହି ଉତ୍‍ଥାନ ଓ ପତନ ପାଇଁ ଆମର ସମାଜ କେତେ ଦାୟୀ ନୁହେଁ ଆମର ଏହି ପୁରୁଷ ଜାତିର ଅନ୍ଧ ଆଖି ଦୁଇଟା ସେତେ ଦାୟୀ ।

 

ଅବସ୍ଥାଚକ୍ରରେ ପଡ଼ି କୁଳବତୀ ନାରୀ ବେଶ୍ୟାବୃତ୍ତି କରେ ଏବଂ ବେଶ୍ୟା ମଧ୍ୟ ସୁଯୋଗ ପାଇଲେ ପତିବ୍ରତା ନାରୀର ସମ୍ମାନ ଗ୍ରହଣ କରେ । କେଉଁ ସ୍ତ୍ରୀ ସତୀର ସମ୍ମାନ ପାଇବାକୁ ଇଚ୍ଛାନକରେ ? ଅସତୀର ଯେପରି ଆତ୍ମା ଅଛି ସତୀର ମଧ୍ୟ ସେହିପରି ଆତ୍ମା ଅଛି । ଆତ୍ମା ପୁରୁଷର ଆର୍ତ୍ତନାଦ ଅସତୀ କାନରେ ଯେପରି ବାଜେ ସତୀ କାନରେ ମଧ୍ୟ ଠିକ୍‍ ସେହିପରି ବାଜେ-। ସୁନ୍ଦରୀ ଯେପରି ସର୍ବାଙ୍ଗ ସୁନ୍ଦର ପୁରୁଷର ପ୍ରେମ ପାଇବାକୁ ପାଗଳୀ ହୁଏ ଅସୁନ୍ଦରୀର କାମନା ମଧ୍ୟ ତାହାଠାରୁ କୌଣସି ଗୁଣରେ ନ୍ୟୁନ ନୁହେଁ ।

 

ସତୀ ଓ ଅସତୀ ଉଭୟଙ୍କର ଦେହର କ୍ଷୁଦା ଅଛି । ଯେକୌଣସି ପୁରୁଷ ସ୍ତ୍ରୀ ଅଙ୍ଗର କ୍ଷୁଧା ନିବାରଣ ପାଇଁ କ୍ଷମ । ତେବେ ସ୍ତ୍ରୀ କ’ଣ ମନର କ୍ଷୁଧା ନିବାରଣ ପାଇଁ ତା’ ମନ ମୁତାବକ ମଣିଷ ଚାହେଁ ? ସେଥିପାଇଁ କ’ଣ କୁଳବତୀ ନାରୀ ଜାଣିଶୁଣି ସୁଦ୍ଧା ଅପଥକୁ ପାଦ ବଢ଼ାଏ ?

 

ଏମିତି କେତେ କ’ଣ ଭାବି ଯାଉଥିଲେ ରମାକାନ୍ତ । ସାରା ରାତି ଅନିଦ୍ରା ରହି ସେ କେବଳ ଭାବୁଥିଲେ ପାପ ନକଲେ ମଣିଷ ପ୍ରାୟଶ୍ଚିତ କରେନାହିଁ । କାହିଁକି ଏ ପ୍ରକାର ଅପ୍ରୟୋଜନୀୟ କଥା ତାଙ୍କୁ କହିଲା ଆଶାଲତା ? ତାଙ୍କ ସଙ୍ଗେ ଆଶାଲତାର ସମ୍ବନ୍ଧ କ’ଣ ? ସେ ତା’ର ବ୍ୟବସାୟ କରେ କେବଳ ପଇସା ପାଇଁ । କାହାରି ମନ ନେବା ତାହାର ଧର୍ମ ନୁହେଁ । କାହାରି ଆଖିରେ ଲୁହ ଦେଖି ସମବେଦନା ପ୍ରକାଶ କରିବାର ମହତ୍ତ୍ୱ ତା’ ପାଖରେ ନାହିଁ । ନିଜର ବାକ୍‍ଚାତୁରୀଦ୍ୱାରା ଅନ୍ୟ ଲୋକକୁ ଜାଲରେ ପକାଇ ଶୋଷଣ କରିବା ହେଉଛି ତାହାର ଅଭ୍ୟାସ ।

 

ସେ ନିଶ୍ଚୟ କାଲି ଯାଇ ତା’ର ପାଉଣା ତୁଟାଇଦେଇ ଆସିବେ । ଶୟତାନର ଆଶୀର୍ବାଦ ଅପେକ୍ଷା ଦେବତାର ଅଭିଶାପ ଯେତିକି ଭଲ ଗୋଟିଏ ଘୃଣ୍ୟା ସ୍ତ୍ରୀର ସ୍ନେହ ଅପେକ୍ଷା ଗୋଟିଏ ପୁଣ୍ୟବତୀ ରମଣୀର ଅବହେଳା ଠିକ୍‍ ସେତିକି ଭଲ ।

 

ତହିଁ ପରଦିନ ଠିକ୍‍ ସମୟ ଜାଣି ପୁଣି ରମାକାନ୍ତ ଆଶାଲତାର ଦ୍ୱାରସ୍ଥ ହେଲେ ପ୍ରେମ ପାଇଁ ନୁହେଁ । କେବଳ ତାହାର ସେଦିନର ପାଉଣା ଦେବାକୁ ସେ ଆସିଥିଲେ । ଦେଣା, ପାଉଣା ତୁଟାଇଦେଇ ନିଜର ଗନ୍ତବ୍ୟ ପଥରେ ଫେରିଯିବେ ଏହାଥିଲା ତାଙ୍କର ଅଭିପ୍ରାୟ ।

 

ସେଦିନ କୌଣସି ଅତିଥି ଅଭ୍ୟାଗତଙ୍କର ସମାଗମ ନ ଥିଲା । କିମ୍ବା ବେହେଲାର କରୁଣ ମୂର୍ଚ୍ଛନା ରାସ୍ତା ଉପରୁ ଗ୍ରାହକକୁ ଡାକି ଆଣିବାକୁ ବ୍ୟସ୍ତ ହେଉନଥିଲା । ସବୁ ଶୂନ୍‍ଶାନ । ଶ୍ମଶାନର ମହାଶୂନ୍ୟତା ଯେପରି ସେହି ଘରଟିକୁ ଗ୍ରାସ କରିଥିଲା ଏହା ସେହିଦିନ ହୃଦୟଙ୍ଗମ କରିଥିଲେ ରମାକାନ୍ତ ।

 

ଶୁଷ୍କ ମୁଖରେ ସାଦର ସମ୍ଭାଷଣ ଜଣାଇ ରମାକାନ୍ତଙ୍କୁ ବସିବାକୁ ଅନୁରୋଧ କଲା ଆଶାଲତା । ରମାକାନ୍ତ ବସିବାକୁ ଯାଉଛନ୍ତି, ହଠାତ୍‍ ଆଶାଲତା ପଚାରିଲା, ‘‘ପାପ ନ କରି ପ୍ରାୟଶ୍ଚିତ୍ତ କରିବାକୁ କାହିଁକି ଆସିଛନ୍ତି ଦୟାକରି କହିପାରିବେ କି ?’’

 

ରମାକାନ୍ତ କୌଣସି ଜବାବ୍ ଦେଲେନାହିଁ ।

 

ପୁଣି ଆଶାଲତା କହିଲା, ‘‘ଦେଖନ୍ତୁ, ଆପଣ ନିଷ୍ପାପ ମଣିଷ । ପାପର ପିଚ୍ଛିଳ ପଥରେ ଛିଡ଼ାହୋଇ ମୋ ପରି କୌଣସି ଅସତୀ ସ୍ତ୍ରୀ ଧର୍ମ ବଖାଣିବାକୁ ଜାଣେନାହିଁ । ମୁଁ କୁଳବତୀ ନାରୀ ନୁହେଁ । ମଥାରେ ସିନ୍ଦୂର ପିନ୍ଧି ନିଜକୁ ସାବିତ୍ରୀ ସଜାଇବାକୁ ମୁଁ ଜାଣେନାହିଁ । ମୁଁ ପୁରୁଷର ମନ ଚିହ୍ନେ । ଯେଉଁ ପୁରୁଷ ଯାହା ଚାହେଁ ତାକୁ ମୁଁ ତାହା ଦେଇ ସନ୍ତୁଷ୍ଟ କରେ ବୋଲି ମୁଁ ହୋଇଛି ଦୁନିଆ ଆଖିରେ ବେଶ୍ୟା । ସମସ୍ତେ ମୋର ଦେହଟାକୁ ଖୋଜନ୍ତି । ମୁଁ ହସି ହସି ସମସ୍ତଙ୍କୁ ମୋର ଏହି ଦେହଟା ସମର୍ପଣ କରିଦିଏ । ମୁଁ ଜାଣେ ଅସତୀ ସ୍ତ୍ରୀର ମନର ମୂଲ୍ୟ ଅପେକ୍ଷା ତା’ର ଦେହର ମୂଲ୍ୟ ଅନେକ ଶସ୍ତା । ତେଣୁ ସମସ୍ତେ ଏହି ଦେହର ମୂଲ୍ୟ ଦିଅନ୍ତି । ମୋର ମନର ମୂଲ୍ୟ କେହି ଦେଇ ପାରନ୍ତି ନାହିଁ ।

 

ଗୋଟିଏ ବେଶ୍ୟାର ଦେହର ମୂଲ୍ୟ ତୁଳନାରେ ତାହାର ମନର ମୂଲ୍ୟ ଯଥେଷ୍ଟ ଅଧିକ-। କିନ୍ତୁ କୁଳବତୀ ସ୍ତ୍ରୀ ପକ୍ଷରେ ଏ ଉକ୍ତି ମୋଟେ ପ୍ରଯୋଜ୍ୟ ନୁହେଁ । କୁଳବତୀ ନାରୀର ଦେହର ମୂଲ୍ୟ ଯଥେଷ୍ଟ ଅଧିକ । କୌଣସି ଚରିତ୍ରହୀନା ସ୍ତ୍ରୀର ମନ ସହଜରେ ନେବାକୁ ଯେପରି ପୁରୁଷ ଭାଗ୍ୟରେ ଘଟେ ନାହିଁ, ସେହିପରି କୌଣସି ପୁଣ୍ୟବତୀ କୁଳବଧୂର ଦେହକୁ ଉପଭୋଗ କରିବାକୁ ତାହାର ସ୍ୱାମୀ ବ୍ୟତୀତ ଅନ୍ୟ ପୁରୁଷ ଭାଗ୍ୟରେ ମଧ୍ୟ ଘଟେ ନାହିଁ । ଆପଣ ଗତକାଲି ମୋର ଦେହ ପାଇଁ ଦାମ ଯେ ଅଯଥାରେ ଦେଉଥିଲେ ସେଥିପାଇଁ ଆପଣଙ୍କୁ ବାରଣ କରିଥିଲି ।’’

 

ରମାକାନ୍ତ ନିର୍ବାକ୍‍ ଓ ନିଶ୍ଚଳଭାବେ ବସିରହିଲେ । ସେ ପକେଟରୁ ଟଙ୍କା ବାହାର କରିବାକୁ ଆଉ ସାହାସ କଲେ ନାହିଁ ।

 

ଆଶାଲତା ତାଙ୍କୁ ପଚାରିଲା, ‘‘ଆପଣ ନିଶ୍ଚୟ ମୋତେ ଘୃଣା କରୁଥିବେ ? ହୀନଚରିତ୍ରା ସ୍ତ୍ରୀକୁ ସାଧାରଣତଃ ପୁରୁଷମାନେ ଘୃଣା କରନ୍ତି । ଆପଣ ତ ଆଉ ପୁରୁଷ ମଧ୍ୟରୁ ବାହାର ନୁହନ୍ତି ।’’

 

ଆଶାଲତାକୁ କ’ଣ ଜବାବ୍ ଦେବେ ଏହି କଥା ହିଁ କେବଳ ଚିନ୍ତା କରୁଥିଲେ ରମାକାନ୍ତ । ତାଙ୍କର କହିବାକୁ ଇଚ୍ଛା ହେଉଥିଲା, ଯେଉଁମାନେ ଚରିତ୍ରର ଧାର ଧାରନ୍ତି ନାହିଁ, ସେମାନେ କେବଳ ତୁମକୁ ଘୃଣା କରିପାରନ୍ତି । ତୁମକୁ ହତାଦର ମଧ୍ୟ କରିପାରନ୍ତି । ମାତ୍ର ତୁମକୁ ଚିହ୍ନିଲା ପରେ ତୁମକୁ ପ୍ରଶଂସା ନ କରି ରହିହୁଏ ନାହିଁ । କନିଅର ଫୁଲରେ ମଧୁ ଥାଏ ଫୁଲରେ ମଧୁ ଅଛି ଭାବି ତାହାର ଫଳ ଖାଇଲେ ମୃତ୍ୟୁ ନିଶ୍ଚିତ । ସେହିପରି ଦୁନିଆରେ ଯେଉଁ ସ୍ତ୍ରୀମାନେ ନିଜକୁ ସତୀ ସଜାଇ ହୁଅନ୍ତି ଏବଂ ସତୀ ବୋଲି ନିଜର ଡିଣ୍ଡିମ ନିଜେ ବଜାନ୍ତି ସେମାନେ ପ୍ରକୃତରେ ଯେ କ’ଣ ତାହା ସେହିମାନେ ହିଁ ଜାଣନ୍ତି ।

 

ଯେଉଁକଥା କହିବାକୁ ରମାକାନ୍ତ ଇଚ୍ଛା କରୁଥିଲେ, ତାହା ସେ ପ୍ରକାଶ କରିପାରିଲେ ନାହିଁ । ତଥାପି ତାଙ୍କର କହିବାକୁ ଇଚ୍ଛା ହେଉଥିଲା ଅନେକ କଥା ।

 

ପୂର୍ବଦିନ ଭଳି ସେ ଫେରିଆସିଲେ ଓ ଶୋଇ ଶୋଇ କେବଳ ସେ ଆଶାଲତା କଥା ଭାବିବାକୁ ଲାଗିଲେ ।

 

ସେ ଆଶାଲତାକୁ ଯେତେ ଭୁଲିଯିବାକୁ ଚେଷ୍ଟା କରୁଥାନ୍ତି, ଆଶାଲତାର ଶୁଷ୍କ ଓ ମଳିନ ମୁଖଟି ସେତେ ତାଙ୍କ ଆଖି ଆଗରେ ନାଚିଯାଉଥାଏ ।

 

ତାଙ୍କର ମନେହେଉଥିଲା ଏହି ଆଶାଲତା ଆଉ ପୂର୍ବଜନ୍ମରେ ତାଙ୍କର କ’ଣ କିଛି ଥିଲା କି ?

 

ପୂର୍ବ ଓ ପରଜନ୍ମକୁ ଆମର ହିନ୍ଦୁ ଦର୍ଶନବାଦ ବିଶ୍ୱାସ କରେ । ଏ ଜନ୍ମ ପରେ ଯେ ଆଉ ଗୋଟିଏ ଜନ୍ମ ରହିଛି ଓ ଜନ୍ମ ପୂର୍ବରୁ ଯେ ଆଉ ଗୋଟାଏ ଜନ୍ମଥିଲା, ତାହା ପ୍ରତ୍ୟେକ ହିନ୍ଦୁମାତ୍ରେ ହିଁ ସ୍ଵୀକାର କରନ୍ତି । ଏଣୁ ସେଦିନ ରମାକାନ୍ତ ମନେମନେ ସ୍ଥିରକଲେ ଯେ ଏହି ଆଶାଲତା ନିଶ୍ଚୟ ପୂର୍ବ ଜନ୍ମରେ ଥିଲା ତାଙ୍କର ଅତି ଆପଣାର । ତାହା ହୋଇନଥିଲେ ସେ ତାଙ୍କୁ ଦେଖିଲା ମାତ୍ରେ ଏତେ ଆଦର କରନ୍ତା କାହିଁକି ? ଆପଣାର ମଣିଷକୁ ମଣିଷ ଯେତିକି ଅଭିମାନ କରେ ସେତିକି ଅଭିମାନ ମଧ୍ୟ ତାଙ୍କ ପାଖରେ କରେ ଆଶାଲତା ।

 

ତାହାର ମାନଭଞ୍ଜନ କରିବାକୁ ରମାକାନ୍ତକୁ ଭଲଲାଗେ । ଆଶାଲତାର ପଦତଳରେ ନିଜକୁ ଅର୍ପଣ କରିଦେବାକୁ ରମାକାନ୍ତର ମଧ୍ୟ ଇଚ୍ଛାହୁଏ । ସେ କହିବାକୁ ଚାହାଁନ୍ତି, ଆଶାଲତା ! ତୁମେ ମୋର ଇହ ଓ ପର ଜନ୍ମର ‘ଜୀବନ ସଙ୍ଗିନୀ ।’

 

ପୁଣି ରମାକାନ୍ତ ଭାବନ୍ତି ଆଶାଲତା ମୋଟେ ଅସାଧାରଣ ସ୍ତ୍ରୀ ନୁହେଁ । ସେ ନିହାତି ଇତର ସ୍ତ୍ରୀଟିଏ । ସେ ପୁରୁଷକୁ ଦେଖିଲା ମାତ୍ରେ ଚିହ୍ନିପାରେ । ପୁରୁଷର ଦାମ୍ଭିକତାକୁ ସେ ଅନାୟାସରେ ନଷ୍ଟ କରିଦେଇପାରେ । ଅନେକ ଦିନ ଧରି ପୁରୁଷମାନଙ୍କ ଜୀବନ ସଙ୍ଗରେ ଜୁଆ ଖେଳିଲା ପରେ କେଉଁ ପୁରୁଷ କିପରି ସେତିକି ସେ ଅକ୍ଳେଶରେ ଜାଣିପାରେ । ତେବେ ଆଶାଲତା ତାଙ୍କ ସଙ୍ଗରେ ଆଉ ଜୁଆ ଖେଳୁନାହିଁ ତ ?

 

କୁଳବତୀ ସ୍ତ୍ରୀର କୁଳଭୟ ଅଛି । ସେଥିପାଇଁ ସେ ତା’ର ଇଚ୍ଛା ବିରୁଦ୍ଧରେ ମନପକ୍ଷୀକୁ ପିଞ୍ଜରାରେ ପୂରାଇ ଜଗତ ଆଖିରେ ସତୀର ସମ୍ମାନ ଗ୍ରହଣ କରେ । ସ୍ୱାମୀର ମନୋରଞ୍ଜନ କରିବାକୁ ସ୍ୱାମୀର ପଦଧୂଳି ମଥାରେ ମାରେ । ମାତ୍ର ଆଶାଲତାର କୁଳଭୟ ନାହିଁ । କୁଳ, ଅକୁଳର ବାଛବିଚାର ତା’ର ନାହିଁ । କାହାରି ମନରକ୍ଷା କରିବାକୁ ସେ ଭୟକରି ତା’ର ପଦଧୂଳି ମଥାରେ ମାରେନାହିଁ । ତା’ର ମନବିହଙ୍ଗ ମୁକ୍ତ ଆକାଶ ତଳେ ପକ୍ଷ ହଲାଇ ସ୍ୱାଧୀନ ଭାବେ ଉଡ଼ିଯାଏ । ତେବେ ସେ ରମାକାନ୍ତକୁ ଦେଖିଲା ଦିନଠାରୁ ଏତେ ସଂଯତ ହୋଇଗଲା କିପରି ? ଏହି ପ୍ରଶ୍ନର ସମାଧାନ ରମାକାନ୍ତ ମୋଟେ କରିପାରନ୍ତି ନାହିଁ ।

 

ନା, ସେ ଆଉ ଆଶାଲତା ଘରକୁ ଯିବେନାହିଁ । ତାଙ୍କର ସମାଜ ଅଛି, କୁଳ, ମାନ ଅଛି-। ଲୋକେ ତାଙ୍କୁ କହିବେ କ’ଣ ? ତାଙ୍କୁ ନିନ୍ଦା କରିବେ ନାହିଁକି ?

 

ଆଶାଲତା ସୁନ୍ଦରୀ ହୋଇପାରେ । ସତୀ ସୀତାର ପବିତ୍ର ଆତ୍ମା ତାହାର ହୃଦୟ ମଧ୍ୟରେ ଥାଇପାରେ । ତଥାପି ଲୋକ ଚକ୍ଷୁରେ ସେ ଘୃଣ୍ୟା, ସେ ପତିତା । ପୁରୁଷ ପାଖରେ ଦେହ ବିକ୍ରୟ କରିବା ହେଉଛି ତାହାର ବ୍ୟବସାୟ ।

 

ସେ ଆଶାଲତାକୁ ମନ ମଧ୍ୟରେ ଯେତେ ଘୃଣା କରିବାକୁ ବସନ୍ତି ଆଶାଲତା ତାଙ୍କ ଆଖିରେ ସେତେ ଉଜ୍ଜ୍ୱଳ ଚରିତ୍ରବତୀ ହୋଇ ଜଳିଉଠେ ।

 

ସେ ଭାବନ୍ତି ଏହି ଦେହ ହେଉଛି ଧୂଳିର ଦେହ । ଏହି ଦେହ ଦିନେ ଧୂଳିରେ ମିଶିଯାଏ-। ତେଣୁ ଦେହ ହେଉଛି ଗୌଣ । ଦେହ କାହାକୁ ଦେଇଦେଲେ ନାରୀ ଅପବିତ୍ର ହୁଏ ନାହିଁ, ମନ ହେଉଛି ମୁଖ୍ୟ । ଜଣକ ବ୍ୟତୀତ ଅନ୍ୟ କାହାକୁ ମନ ଯଦି ବିକ୍ରୟ କରାଯାଏ ନାରୀ ଜନ୍ମର ସମସ୍ତ ସାର୍ଥକତା ସେହିଠାରେ ସମାଧିସ୍ଥ ହୁଏ । ସେ ଖୁବ୍‍ ଭଲଭାବେ ହୃଦୟଙ୍ଗମ କରନ୍ତି ଯେ ଆଶାଲତା ତାଙ୍କ ବ୍ୟତୀତ ଅନ୍ୟ କାହାରି ପାଖରେ ହୃଦୟ ବିକ୍ରୟ କରିନାହିଁ । ତେଣୁ ଆଶାଲତା ତାଙ୍କର ସବୁ-। ସେ ତାଙ୍କ ଆଖିରେ ବେଶ୍ୟା ନୁହେଁ । ସେ ହେଉଛି ତାଙ୍କ ହୃଦୟ ଆକାଶରେ ଏକ ଉଜ୍ଜ୍ୱଳ ନକ୍ଷତ୍ର-

 

ଅନେକ ଦିନପରେ ପୁଣି ଆଶାଲତା ଘରକୁ ଗଲେ ରମାକାନ୍ତ । ତାଙ୍କୁ ଦେଖିଲାକ୍ଷଣି ଅଭିମାନଭରା ଗଳାରେ ଆଶାଲତା କହିଲା, ‘‘ଭାବିଥିଲି ତୁମେ ଆଉ ଆସିବ ନାହିଁ ।’’

 

ରମାକାନ୍ତର ଆଖି ଦୁଇଟା ଛଳଛଳ ହୋଇଗଲା । ସେ ବହୁ କଷ୍ଟରେ ଅଶ୍ରୁ ସମ୍ବରଣ କରି କହିଲେ, ‘‘ଲତା ! ତୁମେ କ’ଣ ସତରେ ମୋତେ ଭଲପାଅ ?’’

 

ଆଶାଲତା କମ୍ପିତ କଣ୍ଠରେ କହିଲା, ‘‘ମୁଁ ଯାହା ଉତ୍ତର ଦେବି ତୁମେ ମୋତେ ଉପହାସ କରିବ ନାହିଁକି ? ତୁମେ କ’ଣ ଭାବିବ ନାହିଁକି ଚରିତ୍ରହୀନାର ପୁଣି ଆତ୍ମା ଥାଏ ? ମନେରଖ, ଏ ଦୁନିଆରେ କୁଳବତୀ ନାରୀର ଭଲ ପାଇବାର ଏକଚାଟିଆ ଅଧିକାର କେବଳ ନାହିଁ । ସେ ଅଧିକାର ପତିତାର ମଧ୍ୟ ଅଛି । ଯେ ବେଶ୍ୟା ସେ ମଧ୍ୟ ଭଲପାଇ ଜାଣେ ।’’

 

‘‘ଲତା ! ତୁମେ କ’ଣ କହୁଛ ?’’ ଏକ ନିଶ୍ୱାସରେ ଏତିକି ରମାକାନ୍ତ ପଚାରିଲେ ।

 

‘‘ତୁମେ ମୋ ସମ୍ବନ୍ଧରେ ଯାହା ଭାବୁଥିବ ସେତିକି ମୁଁ କହୁଛି । ତାହା ବ୍ୟତୀତ ଅଧିକା କିଛି ମୁଁ କହୁନାହିଁ । ତୁମକୁ ମୁଁ ଭଲପାଏ କି ନା ତାହା ମୁଁ ଜାଣେ । ତୁମକୁ ଯେତେ ବୁଝାଇଲେ ମଧ୍ୟ ତୁମେ ତାହା ବୁଝିପାରିବ ନାହିଁ । ଏତିକି କହି ଆଶାଲତା ତୁନି ହେଲା ।

 

ରମାକାନ୍ତ ଆଶାଲତାର ମୁହଁଟିକୁ ଦୁଇହାତରେ ତୋଳି ଧରିଲେ । ଆଶାଲତା ପଲକହୀନ ଚକ୍ଷୁରେ ରମାକାନ୍ତକୁ ଅନାଇ ରହିଲା । କାହାରି ମୁହଁରେ ଭାଷା ନାହିଁ । ଉଭୟଙ୍କ ଆଖିରୁ ଲୁହ ଧାର ଧାର ହୋଇ ଗଡ଼ିଆସିଲା ।

 

ରମାକାନ୍ତ ବାଷ୍ପାକୁଳ କଣ୍ଠରେ ତାକୁ ପଚାରିଲେ, ‘‘ଲତା ! ତୁମେ ଅନ୍ତର ଖୋଲି କୁହ ମୁଁ ତୁମକୁ କିପରି ପାଇନି ?’’

 

ଆଶାଲତା ଥରିଉଠିଲା । ସେ କହିଲା, ‘‘ତୁମେ କ’ଣ ଭୁଲିଯାଉଛ, ମୁଁ ଯେ ଜଣେ ପତିତା । ମୋର ଯେ ଚରିତ୍ର ବୋଲି ଗୋଟାଏ କିଛି ଜିନିଷ ନାହିଁ । ନାରୀର ସମ୍ମାନ ମୋତେ ଯେ କେହି ଦିଅନ୍ତି ନାହିଁ । ତୁମେ ମୋତେ କାହିଁକି ବିଦ୍ରୂପ କରୁଛ ରମାକାନ୍ତ ? ତୁମେ ଏଠାରୁ ଚାଲିଯାଅ-। ମୋତେ ଆଘାତ ଦିଅନାହିଁ । ମୁଁ ପୁରୁଷର ଆଘାତ ସହି ସହି ଭାଙ୍ଗିପଡ଼ିଛି । ତୁମେ ମୋତେ ଅପମାନ ଦିଅନାହିଁ । ମୁଁ ଚରିତ୍ରହୀନା ହେଲେ ମଧ୍ୟ ମୁଁ ନାରୀ । ପଦେ ସ୍ନେହବୋଳା କଥା ଶୁଣିବା ପାଇଁ ମୁଁ ବ୍ୟଗ୍ର । ରମାକାନ୍ତ ! ତୁମେ କାହିଁକି ମୋତେ ଅପମାନ ଦେଲ ? ମୁଁ ଯେ ତୁମକୁ କେବେ ଅସମ୍ମାନ କରେ ନାହିଁ । ତୁମକୁ ଯେଉଁ ଦିନଠାରୁ ହୃଦୟର ଦେବତା ଭାବେ ଗ୍ରହଣ କରିନେଇଛି ସେହିଦିନଠାରୁ ମୁଁ ମୋର ଜଘନ୍ୟ ବ୍ୟବସାୟ ଯେ ଏକାବେଳକେ ବନ୍ଦ କରିଦେଇଛି । ତଥାପି ତୁମେ ମୋତେ କାହିଁକି ଘୃଣା କରୁଛ ?

 

ପିଙ୍ଗଳାକୁ ଯଦି ଅବଧୂତ ଗୁରୁ କରିପାରିଲେ, ତୁମେ ମୋତେ କାହିଁକି ଦୟା ଦେଖାଇପାରିବ ନାହିଁ ? ମୁଁ ତୁମର ସ୍ନେହ କାମନା କରେ ନାହିଁ । ମୁଁ ତୁମର ଦୟା ଭିକ୍ଷା କରେ । ଥରେ ମାତ୍ର ଅନ୍ତରଖୋଲି କୁହ, ତୁମେ କେବେହେଲେ ତୁମର ଦୟାରୁ ମୋତେ ବଞ୍ଚିତ କରିବ ନାହିଁ ବୋଲି ।

 

ଆଶାଲତାକୁ ବାହୁପାଶରେ ଆବଦ୍ଧକରି ରମାକାନ୍ତ କହିଲେ, ‘‘ଲତା ! ମୁଁ ସବୁବେଳେ ତୁମକୁ ଅତି ଉଚ୍ଚ ସ୍ଥାନରେ ରଖି ଏକ ଆଦର୍ଶ ରମଣୀ ଭାବି ସମ୍ମାନ ଦିଏ । ତୁମେ ନିଜେ ଯାହା ହୁଅନା କାହିଁକି; କିନ୍ତୁ ତୁମେ ମୋ ଆଖିରେ ଆଶାର ଗୋଟିଏ କ୍ଷୁଦ୍ର ଲତିକା । ତୁମକୁ ନ ପାଇଲେ ମୋର ଏ ଜୀବନରେ ଆଉ ପୂର୍ଣ୍ଣତା ଆସିବ ନାହିଁ । କୁହ ଲତା ! ମୁଁ ତୁମକୁ କିପରି ପାଇବି ?’’

 

ଆଶାଲତା ଅଶ୍ରୁଳ ନୟନରେ ଅନାଇଲା ରମାକାନ୍ତକୁ । ରମାକାନ୍ତର ଅଧର ଯୁଗଳ ଥରିଉଠିଲା ଏବଂ ତାଙ୍କର ମୁହଁଟି ଧୀରେ ଧୀରେ ନଇଁଆସିଲା ଆଶାଲତାର ମୁହଁ ଉପରକୁ ।

 

ରମାକାନ୍ତର ଅଧର ସ୍ପର୍ଶରେ ଆଶାଲତାର ସର୍ବାଙ୍ଗରେ ଖେଲିଗଲା ଏକ ନୂତନ ସିହରଣ । ସେ ଅନେକ ପୁରୁଷକୁ ଦେହ ଅର୍ପଣ କରିଛି କିନ୍ତୁ ଏ ପ୍ରକାର ଅନୁଭୂତି ସେ କେବେହେଲେ ପାଇ ନ ଥିଲା । ପୁରୁଷର ସ୍ପର୍ଶରେ ନାରୀର ସର୍ବାଙ୍ଗରେ ଯେ ଏକ ତଡ଼ିତ ପ୍ରବାହ ଖେଳିଯାଏ ଏହା ନୂଆକରି ଅନୁଭବ କଲା ଆଶାଲତା । ସେ ହଠାତ୍‍ ଚମକି ପଡ଼ିଲା । ଆରେ ସେ ଯେ ବେଶ୍ୟା । ସେ ଆଜି କରୁଛି କ’ଣ ? ଯେଉଁ ଦେହଟାକୁ ସେ ଅସଂଖ୍ୟ ପୁରୁଷକୁ ଅର୍ପଣ କରିସାରିଛି ସେହି ଦେହର ମୂଲ୍ୟ କ’ଣ ଅଛି ? ସେହି ଘୃଣ୍ୟ ଦେହଟାକୁ ରମାକାନ୍ତ ଉପଭୋଗ କରିସାରିଲା ପରେ ସେ ବଳେ ବଳେ ଯେଉଁ ବାଟରେ ଆସିଥିଲେ ସେହି ବାଟରେ ପୁଣି ଫେରିଯିବେ ନାହିଁକି ?

 

ସେ ନିଜକୁ ରମାକାନ୍ତର ବାହୁପାଶରୁ ମୁକ୍ତ କରିବାକୁ ଚେଷ୍ଟା କଲାମାତ୍ରେ ରମାକାନ୍ତ ଅତି କରୁଣଭାବରେ ନିବେଦନ କରି କହିଲେ, ‘‘ଲତା ! ମୋତେ ତୁମର ସ୍ନେହରୁ ବଞ୍ଚିତ କରନାହିଁ । ମୁଁ ତୁମର ସ୍ନେହର ଦାସ । ମୁଁ ତୁମର ସ୍ନେହ କେବଳ ଭିକ୍ଷାକରେ ।’’

 

ଆଶାଲତା ସହଜ ଓ ସରଳ ଭାବେ ହସି ହସି କହିଲା, ‘‘ରମାକାନ୍ତ ! ରକ୍ତରେ ଯେତେବେଳେ ନିଆଁ ଲାଗେ ସେତେବେଳେ ମଣିଷ ସ୍ଥାନ, କାଳ, ପାତ୍ର କୌଣସି କଥାକୁ ବିଚାର କରିପାରେ ନାହିଁ । ଯେତେବେଳେ ସେହି ନିଆଁ ଲିଭିଯାଏ, ସେତେବେଳେ ସେ କେବଳ ଅନୁଶୋଚନା କରେ । ଭଲ ପାଇବାଟା ସେତେବେଳେ ଘୃଣାରେ ପର୍ଯ୍ୟବେସିତ ହୁଏ । ସତ କୁହ, ତୁମର ଯଦି ମୋ ପାଖରୁ ଫେରିଯିବାକୁ ଇଚ୍ଛାଥାଏ, ତେବେ ମୁଁ ଅକାତରରେ ମୋର ଏହି ଘୃଣ୍ୟଦେହଟାକୁ ଦେଇ ତୁମର ଅଭୀଷ୍ଟ ପୂରଣ କରିବି । ତୁମେ କ’ଣ ମୋ ପାଖରୁ ଫେରିଯିବାକୁ ଚାହଁ ତୁମେ କ’ଣ ? ମୋର ଏହି ଦେହଟା ପାଇଁ କେବଳ ଆସିଥିଲ ? ବହୁ ଲୋକଙ୍କୁ ମୁଁ ଜୀବନରେ ଦେଖିଛି । କାହାକୁ ନିଜର କରିପାରିଲି ନାହିଁ । କାହାକୁ ଆପଣାର ଭାବି ଏ ହୃଦୟ ଦେଇପାରିଲି ନାହିଁ । ତୁମକୁ ଏ ହୃଦୟ ଯେତେବେଳେ ଦେଇଛି ସେତେବେଳେ ଆଉ ତୁମକୁ ଫେରିଯିବାକୁ ଦେବିନାହିଁ । ତୁମେ ଯେ ମୋର କିଏ ତାହା ମୁଁ ଜାଣେ ନାହିଁ । ବୁଝିବାକୁ ମଧ୍ୟ ଚେଷ୍ଟା କେବେ କରିନାହିଁ ।’’

 

‘‘ଲତା ! ତୁମର ଗୋଡ଼ ଧରୁଚି । ମୋତେ ନିରାଶ କର ନାହିଁ । ତୁମେ ନାରୀ । ଦୟା ତୁମର ଧର୍ମ ।’’ ଏତିକି କହି ରମାକାନ୍ତ ଆଶାଲତାର ଗୋଡ଼ ଧରିବାକୁ ଉଦ୍ୟତ ହେଲେ ।

 

ଆଶାଲତା ଅଳ୍ପ ଟିକିଏ ଘୁଞ୍ଚିଯାଇ କହିଲା, ‘‘ରମାକାନ୍ତ ! ଏହି ରକ୍ତମାଂସର ଦେହଟାପ୍ରତି ତୁମର ଏତେ ଲୋଭ ? ଏ ଦେହରେ କ’ଣ ଅଛି ? ଯେଉଁସବୁ ହୃଦୟହୀନ ପୁରୁଷଗୁଡ଼ିକ ମୋ ପାଖକୁ ଆସିଥିଲେ ଏବଂ ମୋର ଏହି ଦେହଟାକୁ ଉପଭୋଗ କରି ଚାଲିଯାଇଛନ୍ତି, ତୁମେ କ’ଣ ସେମାନଙ୍କ ଅପେକ୍ଷା ନିମ୍ନସ୍ତରର ମଣିଷ ? ତୁମେ ଏକ ଆଦର୍ଶ ପୁରୁଷ-। ତୁମକୁ ଦେଖିଲା ମାତ୍ରେ ମୁଁ ତୁମକୁ ଚିହ୍ନିପାରିଛି । ତୁମେ ସ୍ନେହର ମୂଲ୍ୟ ବୁଝ । ତୁମେ ପ୍ରେମର ମୂଲ୍ୟ ଦେଇଜାଣ । ଯେଉଁ ଦେହଟାକୁ ଅନେକ ଘୃଣ୍ୟଲୋକଙ୍କୁ ଅର୍ପଣ କରିଦେଇଛି, ସେହି ଦେହଟାକୁ ଦେଇ ମୁଁ ତୁମର ଅମର୍ଯ୍ୟଦା ଘଟାଇବି ନାହିଁ । ତୁମେ ମୋ ଆଖିରେ ଦେବତା । ମୋର ଅନ୍ତର ମଧ୍ୟରେ ଯେଉଁ ଆତ୍ମପୁରୁଷ ବିଦ୍ୟମାନ ତାହା ହେଉଛ ତୁମେ । ତୁମକୁ ଏହି ଘୃଣ୍ୟଦେହଟା ଦେଇ ତୁମର ଅବମାନନା କରିବି ନାହିଁ । ତୁମେ ମୋର ପ୍ରିୟ ଓ ଅତି ଆପଣାର । ନିଜର ମଣିଷକୁ ମଣିଷ ଆଦର କରେ । ଘୃଣା କରେ ନାହିଁ ।

 

ଏତିକି କହି ଆଶାଲତା ରମାକାନ୍ତର ମୁହଁକୁ ଅନାଇଲା । ରମାକାନ୍ତ ସେତେବେଳକୁ ସ୍ଥାଣୁ ପାଲଟି ଯାଇଥିଲେ ।

 

ପାଗଳ ଭଳି ଘରକୁ ଫେରୁଥିଲେ ରମାକାନ୍ତ । ରାସ୍ତାରେ ଚାଲୁ ଚାଲୁ ସେ ଭାବୁଥିଲେ ରାମଚନ୍ଦ୍ରଙ୍କ ମନରେ ସୀତାଙ୍କ ଚରିତ୍ରରେ ସନ୍ଦେହ ଜନ୍ମିବାରୁ ସୀତା ତାଙ୍କର ସତୀତ୍ୱର ପରୀକ୍ଷା ଦେଇଥିଲେ ଅଗ୍ନିକୁଣ୍ଡ ମଧ୍ୟରେ । ମାତ୍ର ଆଶାଲତାକୁ କେବେହେଲେ ରମାକାନ୍ତ ପରୀକ୍ଷା କରିବାକୁ ଚାହାଁନ୍ତି ନାହିଁ । ସେ ବେଶ୍ୟା ନୁହେଁ । ସେ ପତିତା ନୁହେଁ । ସେ କୁଳବତୀ ନାରୀ ନୁହେଁ କିମ୍ବା ସେ ଅନୂଢ଼ କନ୍ୟା ନୁହେଁ । ସେ ଏକ ଅଶରୀରୀ । ତାହାର ରୂପରେଖ ନାହିଁ । ତାହାର ଅଛି ଏକ ପବିତ୍ର ହୃଦୟ, ଯେଉଁ ହୃଦୟ ସ୍ନେହର ମୂଲ୍ୟ ବୁଝେ, ପ୍ରେମର ମହତ୍ତ୍ଵ ବୁଝେ ଓ ପ୍ରେମକୁ ଦେବତାର ଆଶୀର୍ବାଦ ବୋଲି ଅସ୍ୱୀକାର କରେନାହିଁ । ତାହା ସଙ୍ଗେ ସଙ୍ଗେ ଅନ୍ୟଏକ ହୃଦୟର ଭାଷା ମଧ୍ୟ ବୁଝିପାରେ ।

 

ତଥାପି ଆଶାଲତା ରମାକାନ୍ତ ପାଖରେ ଆଶାର ଏକ ପୁଷ୍ପିତା ଲତିକାରୂପେ ରହିଗଲା ଚିରକାଳ ପାଇଁ ।

Image

 

ଦୁଇ ଦିଗ

 

ହୀରାକୁଦ କଲୋନିର ଅନତିଦୂରରେ ସିଦ୍ଧତପା ମହାପୁରୁଷ ପରି ପୂର୍ବଦିଗକୁ ମୁହଁକରି ଯେଉଁ ଛୋଟ ପାହାଡ଼ଟି କେତେକେତେ ଯୁଗରୁ ଛିଡ଼ାହୋଇ ଆକାଶକୁ ଏକ ଧ୍ୟାନରେ ଅନାଇ ରହିଛି ତା’ର ନାମ ହେଉଛି ‘କଳାପାହାଡ଼’ । ଏହି ନାମକରଣରେ ବୋଧହୁଏ କୌଣସି ଐତିହାସିକ ତଥ୍ୟ ଥାଇପାରେ । କେହି କେହି କହନ୍ତି ବୋଧହୁଏ ହିନ୍ଦୁ କୁଳାଙ୍ଗାର କଳାପାହାଡ଼ର ଅପବିତ୍ର ନାମାନୁସାରେ ଏହି ପାହାଡ଼ର ନାମ କଳାପାହାଡ଼ ରଖାଯାଇଛି । ଏହି ଯୁକ୍ତି ଯେ କେତେଦୂର ସତ୍ୟ ଏହାର ତର୍ଜମା କୌଣସି ଐତିହାସିକ ମଧ୍ୟ କରିବାକୁ ଇଚ୍ଛା ପ୍ରକାଶ କରି ନ ପାରନ୍ତି । ଏହି ପାହାଡ଼ର ପାଦଦେଶରେ ସୁନାନଈ ଓ ତା’ର କୂଳରେ ଗୋଟିଏ ଛୋଟ ବସ୍ତି । ବାସିନ୍ଦା ସମସ୍ତେ ଚାଷୀ । ସେମାନଙ୍କର ଜୀବନଧାରଣର ଏକମାତ୍ର ପନ୍ଥା ଚାଷ ।

କିଏ ଜାଣିଥିଲା ଦିନେ ଏହି କଳାପାହାଡ଼ର ଦେଶରେ ଚାଷୀ ହେବ ଶ୍ରମିକ ? ସତକୁ ସତ ଏହି ସୁନାନଈ କୂଳରେ ଛିଡ଼ାହେଲା ଗୋଟାଏ ବିରାଟ କାରଖାନା । ଉପରୁ ହୁକୁମ ଆସିଲା ସମସ୍ତଙ୍କୁ ଘରଦ୍ୱାର, ବିଲବାଡ଼ି, ବଗିଚା ଛାଡ଼ି ଦେବାକୁ ହେବ ଦେଶ ଓ ଦେଶର ସ୍ୱାର୍ଥ ଦୃଷ୍ଟିରୁ ।

ଚମ୍ପା ପ୍ରମାଦ ଗଣିଲା । ସତରେ କ’ଣ ସାମାନ୍ୟ କେତୋଟି ମୁଦ୍ରା ବିନିମୟରେ ସେ ତା’ର ପୂର୍ବପୁରୁଷର ଅର୍ଜିତ ଘରଡିହ, ବାଡ଼ିବଗିଚା ଛାଡ଼ିଦେଇ ପାରିବ ? ସେ କୁଳର ବୋହୂ । ପଣତ ଅଣ୍ଟାରେ ଭିଡ଼ି ସେ କ’ଣ ରାସ୍ତାରେ ସାଧାରଣ ସ୍ତ୍ରୀ ଭଳି ଛିଡ଼ାହୋଇପାରିବ ନିଜର ପେଟ ଚାଖଣ୍ଡକ ପାଇଁ ?

‘‘ଅନ୍ୟର ସ୍ୱାର୍ଥ ପାଇଁ, ଦେଶ ଓ ଜାତିର ସଂହତି ପାଇଁ ଆମକୁ ସବୁ ତ୍ୟାଗ କରିବାକୁ ପଡ଼ିବ । ଆମ୍ଭେମାନେ ମଣିଷ । ସେବା ଆମର ଧର୍ମ ।’’ ନେତା ଗପିଯାଉଥାନ୍ତି । ଚମ୍ପାର ଆଖିରୁ ଧାର ଧାର ହୋଇ ଲୁହ ଗଡ଼ିଆସିଲା । ସେ କ’ଣ ସତେ ସମସ୍ତ ମମତା ତ୍ୟାଗକରି ରାସ୍ତାରେ ଠିଆ ହୋଇପାରିବ ?

ତାହାହିଁ ହେଲା । ଗାଁ ଛାଡ଼ିବାପରେ ଚମ୍ପା ଆସି ଆଶ୍ରୟ ନେଲା କୁଲିବସ୍ତିର ଗୋଟିଏ ଛୋଟ କୁଡ଼ିଆରେ । ସନିଆ କାମକୁ ଯାଏ । ଯାହା ମିଳେ ଦୁଇଟି ପେଟ ସୁରୁଖୁରୁରେ ଚଳିଯାଏ ।

ସନିଆର ଛାତି ପାଖରେ ଯାକିଯୁକି ହୋଇ ଶୋଇବାକୁ ଚମ୍ପାର ଇଚ୍ଛା । କାଳେ ସନିଆ କ’ଣ ଭାବିବ ସେଥିପାଇଁ ସେ ଉପରଠାଉରିଆ କହେ, ‘‘ଅନ୍ୟ ଗୋଟିଏ ହେଁସରେ ସେ ଶୁଅନ୍ତା ଯେ ହେଲେ ଘୋଡ଼େଇ ହେବାକୁ ଗୋଟିଏ ବୋଲି ଲୁଗା ।...’’

ଚମ୍ପାର କଥା ଶୁଣି ସନିଆ ଭାବେ ଚମ୍ପା ଅଲଗା ବିଛଣାରେ ଶୋଇଲେ ଚଳିବ କିପରି-? ସେଥିରେ ପୁଣି ଏ ଯେଉଁ ଶୀତ ।

ଚମ୍ପାର ଛାତି ଆନନ୍ଦରେ ପୂରିଉଠେ । କୁଲିବସ୍ତିର ଛୋଟ କୁଡ଼ିଆଖଣ୍ଡିକ କ୍ଷଣକପରେ ତାକୁ ଜଣାପଡ଼େ ସତେଯେପରି ତାହା ଗୋଟାଏ ରାଜପ୍ରାସାଦ ଓ ତାରି ଭିତରେ ସେ ଶୋଇଛି ତା’ର ଇହ ଓ ପରକାଳର ସ୍ୱପ୍ନକଳ୍ପିତ ରାଜକୁମାର ସନିଆର ଛାତି ପାଖରେ ।

ପତଳା ଲୁଗାରେ ଶୀତ ସମ୍ଭାଳି ହୁଏ ନାହିଁ । ଚମ୍ପା ସନିଆ ଆଡ଼କୁ ଅଧିକ ଲାଗିଆସେ । ତା’ର ମନ ବଗିଚାରେ ଅସଂଖ୍ୟ ପ୍ରଜାପତି ରଙ୍ଗିନ୍‍ ସ୍ୱପ୍ନଦେଖି ଉଡ଼ିବୁଲନ୍ତି । ମାତ୍ର ସବୁ ବ୍ୟର୍ଥ ପ୍ରୟାସ । ସେତେବେଳକୁ ସନିଆ ଗାଢ଼ନିଦରେ ଶୋଇଯାଇଥାଏ ।

ସାରାଦିନର କଠୋର ପରିଶ୍ରମ ସନିଆର ବଳିଷ୍ଠ ଦେହଟାକୁ ଅବଶ କରିଦିଏ । ଚମ୍ପା ମୋଟେ କିଛି ବୁଝେ ନାହିଁ । ତା’ର ମନ ଅବେଳରେ ମଉଳିଯାଏ । ସେ ବିଧାତାକୁ ଗାଳିଦେଇ କହେ ତାକୁ ଝିଅ ଜନ୍ମ ନ ଦେଇଥିଲେ ସତେଯେପରି ସୃଷ୍ଟି ଉଜୁଡ଼ି ଯାଇଥାନ୍ତା । ସେ ନିଜର କର୍ମକୁ ଦୋଷ ନ ଦେଇ କହେ ତା’ର ବାପଘରେ କ’ଣ ଭାତଲୁଗା ନ ଥିଲା ?

 

ସନିଆ ନିତି ସଞ୍ଜକୁ କାମରୁ ଫେରେ । ସେ ନିସ୍ତେଜ ହୋଇଯାଏ । ଚମ୍ପା ପିତାଶୁଖୁଆଟେ ପୋଡ଼ିଦେଇ ପଖାଳ କଂସା ଥୋଇଦେଲା ମାତ୍ରେ ସନିଆ ଏକ ନିଶ୍ୱାସରେ ସେତକ ଉଦରସ୍ଥ କରିଦେଇ ଗୋଟିଏ ସ୍ୱସ୍ତିର ହେକୁଟି ମାରି ଚମ୍ପା ଆଡ଼କୁ ଟିକିଏ ଲୋଭନୀୟ ଆଖିରେ ଅନାଇ ରହେ । ଚମ୍ପା ଲାଜରେ ଜଡ଼ ସଡ଼ ହୋଇ ଦୃଷ୍ଟି ଟିକିଏ ତଳକୁ କରି କହେ ‘‘କିମିତି ଯେ ଗୋଟାଏ ଅଲାଜୁକ ମଣିଷ ।’’

 

ସନିଆ ହୋହୋ ହୋଇ ହସିଉଠେ । ସେ ଚମ୍ପାକୁ ଛାତି ଉପରକୁ ଭିଡ଼ିଆଣି ଗାଲପାଖରେ ମୁହଁ ଲଗାଇ କହେ ‘‘ଚମ୍ପା ଆଜି ଟିକିଏ ସଅଳ ଖାଇଦେ ।’’

 

ଚମ୍ପାର ମୁହଁ ଲାଜରେ ରଙ୍ଗ ପଡ଼ି ଯାଏ । ସେ କୃତ୍ରିମ କ୍ରୋଧ ପ୍ରକାଶ କରି କହେ ‘‘ତମ ପୁରୁଷଗୁଡ଼ାକ କ’ଣ... ?’’ ବାକି କେଇପଦ ତଣ୍ଟିପାଖରେ ତା’ର ଅଟକି ଯାଏ । ସେ ଛାଟିପିଟି ହୁଏ ନିଜକୁ ସନିଆର ବାହୁରୁ ମୁକ୍ତ କରିବା ପାଇଁ । ସନିଆ ନିଜର ଅବସନ୍ନ ଦେହଟାକୁ ହେଁସ ଉପରେ ଲୋଟେଇ ଦେଇ ତାଗିତ କଲାଭଲି ସ୍ୱରରେ କହେ ‘‘ଚମ୍ପା ! ଟିକିଏ ସଅଳ କାମ ସାରିଦେ । ନୋହିଲେ ମୁଁ ଶୋଇଲି । ପଛକୁ ଆଉ ଦୋଷ ଦେବୁ ନାହିଁ ।’’

 

ଚମ୍ପା ନ ଶୁଣିଲା ଭଳି ମୁହଁ ବୁଲାଇ ଚାଲିଯାଏ । ତା’ର ମନ ମଧ୍ୟରେ ସୁନାନଈର ଜୁଆର ଭଳି ଆନନ୍ଦର ଅସଂଖ୍ୟ ଜୁଆର ମାଡ଼ିଆସେ । ସେ ଏଆଡ଼ୁ ସେଆଡ଼ୁ ପାଟିରେ ଦୁଇପୁଞ୍ଜା ଗୁଞ୍ଜିଦେଇ ବିଛଣା ପାଖକୁ ଆସିଲାବେଳକୁ ସନିଆର ନାକର ଶବ୍ଦ ଗାଢ଼ରୁ ଗାଢ଼ତର ହୋଇଆସୁଥାଏ ।

 

ସକାଳୁ ସନିଆ ଚମ୍ପା ମୁହଁକୁ ଲାଜରେ ଅନାଇପାରେ ନାହିଁ । ଚମ୍ପା ପାଖରେ ନିଜକୁ ନିଜେ ସେ ଅପରାଧୀ ବୋଲି ମନେକରେ । ପୁଣି କାମକୁ ଯାଏ । ତା’ର ବଳୁଆ ହାତରେ ସେ ଏକାଧିକ୍ରମେ ଘଣ୍ଟା ଘଣ୍ଟା ଧରି ଓଜନିଆ ମାରତୁଲରେ ପଥର ଭାଙ୍ଗେ । ମୁଣ୍ଡ ଉପରକୁ ସୂର୍ଯ୍ୟ ଆସେ । ଗୋଡ଼ତଳର ପଥର ନିଆଁଭଳି ତାତିଯାଏ । କାରଖାନାରୁ ବିଗୁଲ ବାଜେ । ଶ୍ରମିକମାନେ ଛୁଟି ପାଆନ୍ତି ।

 

ସନିଆ ଲେଢ଼ିରେ କପାଳରୁ ଝାଳ ପୋଛେ । ଚମ୍ପାର ଦଳ ଦଳ ଆଖି । ପୂରିଲା ପୂରିଲା ମୁହଁ ଓ ଖିଲି ଖିଲି ହସ ସନିଆର ଆଖି ଆଗରେ ନାଚିଯାଏ । ସେ ମୁହଁ ବୁଲାଇ ପଛକୁ ଚାହେଁ । କାରଖାନାର ଚିମିନିର କଳାଧୂଆଁର ବଉଦ ତଳେ କୁଲିବସ୍ତିର ଛୋଟ ଛୋଟ କୁଡ଼ିଆଗୁଡ଼ିକ ଲୁଚିଯାଏ ।

 

ସେଦିନ ସନିଆର ଛୁଟି । ଆନନ୍ଦରେ ଚମ୍ପାର ଛାତି କୁରୁଳି ଉଠୁଥାଏ । ଆଜି ଏତେ ଦିନପରେ ଭଗବାନ ତା’ର ଆଶା ପୂରଣ କରିବେ । ସେ ଘର କାମ ତରବରରେ ସାରି ଦେଇ ତା’ର ଗୋରା ତକ ତକ ପତଳା ଦେହକୁ ସୁନାନଈର କାଲୁଆ ପାଣିରେ ଘଷି ମାଜି ପରିଷ୍କାର କରିଦେଇ ଘରକୁ ଫେରିଲା । ସନିଆ ଯେତେ ଚେଷ୍ଟା କଲେ ମଧ୍ୟ ଆଜି ତା’ ଦେହରେ ଗୋଟିଏହେଲେ ଅସନାଦାଗ ଦେଖିପାରିବ ନାହିଁ । ଏହା ଭାବି ଚମ୍ପା ଆନନ୍ଦରେ ଆତ୍ମହରା ହୋଇଗଲା । ମନରେ ଶତ ଆଶା ଓ ଆକାଙ୍‍କ୍ଷା ନେଇ ସେ ଅପେକ୍ଷା କଲା ସନ୍ଧ୍ୟାର ଆଗମନକୁ-

 

କ୍ରମେ କ୍ରମେ ସୂର୍ଯ୍ୟ ବନେଇକଳା ପାହାଡ଼ରୁ ଆରପଟକୁ ଖସିଗଲେ । ଗଛଲତା ଦେହରୁ ଧୀରେ ଧୀରେ ସନ୍ଧ୍ୟା କୁଲିବସ୍ତିକୁ ଓହ୍ଲାଇ ଆସିଲା । ଚମ୍ପା ରନ୍ଧାବଢ଼ା ସାରି ସନିଆ ଅପେକ୍ଷାରେ ଦ୍ୱାର ପାଖରେ ଏପଟ ସେପଟ ହେଉଥାଏ । ତଥାପି ସନିଆର ଦେଖା ନାହିଁ । ‘‘କାହିଁକି ସେ ପରଝିଅଟାକୁ ଆଣି ଏତେ ଦହଗଞ୍ଜ କରୁଛି’’ ଏତିକି କହି ଚମ୍ପା ଘର ଭିତରକୁ ପଶିଗଲା ।

 

ଚମ୍ପା ଏକଧିଆନରେ ଅନାଇଲା ବିଛଣାରେ ପଡ଼ିଥିବା ଗୋଟିଏ ଗୋଲାପ ଫୁଲକୁ । ସନିଆ ଆଜି ସେ ଫୁଲଟି ଚମ୍ପାର ଖୋସାରେ ଖୋସିଦେଇ ଯେତେବେଳେ ତାକୁ କୋଳକୁ ଟାଣିନେବ ସେତେବେଳେ ସେ ସନିଆ ମୁହଁକୁ ଅନାଇ ପାରିବ ତ ? ଛିଃ ଦୁନିଆରେ ଯେତେସବୁ ଲାଜକଥା । ଆଉ ବେଶିକିଛି ସେ ଭାବିପାରିଲା ନାହିଁ ।

 

ତା’ର ଭାବନାରେ ବାଧାଦେଇ ରାଧୀଆଈ ଆସି କହିଲା, ‘‘ଆଲୋ ଚମ୍ପା ! ବିଛଣା ଟିକିଏ ପାରିଦେଲୁ ।’’

 

ସନିଆକୁ ବିଛଣାରେ ଶୁଆଇଦେଇ ରାଧୀଆଈର ଚାଲି ଯାଉଁ ଯାଉଁ କହିଲା, ‘‘ଯେତେ ମନାକଲେ କ’ଣ ସନିଆ ମାନିବା ଜନ୍ତୁ । ସେ କାଳୀପେତିନୀ ଗୌରୀ କି ଜଡ଼ିବୁଟି ଜାଣିଛି କେଜାଣି-। ସନିଆ ତାକୁ ସଞ୍ଜେସକାଳେ ନ ଦେଖିଲେ କ’ଣ ଆଉ ଥୟ ଧରୁଛି । ଘରେ ରଜାଝିଅ ଭଳି ବୋହୂ । ସେଥିରେ ପୁଣି କ’ଣ ନା ସେ କାଳୀକୁତୁରୀ ସଙ୍ଗେ ହସ କଉତୁକ । ମା ବସୁଧା ! ତୁ ଫାଟିଯା । ମୁଁ.......ଏତିକି କହି ରାଧୀଆଈ ଗରଗର ହୋଇ ଚାଲିଗଲା ।’’

 

ଚମ୍ପାର ମନ ଫଟାଇ ଦେବାକୁ ଗୌରୀର ନାମଟା ରାଧୀଆଈ ସନିଆ ସଙ୍ଗରେ ଯୋଡ଼ି ଦେଇଥିଲା ସେଦିନ ।

 

ରାଧୀଆଈର କଥାପଦକ ଚମ୍ପାର କଲିଜାରେ ଯେପରି ଛୁରିଚଳାଇ ଦେଲା ତାକୁ ସେହିପରି ଲାଗିଲା । ସେ ନିଜର ଅସ୍ତିତ୍ୱ ଅନୁଭବ କରିପାରିଲା ନାହିଁ । ତାକୁ ଜଣାଗଲା ସତେ ଯେପରି ତା’ର ଗୋଡ଼ ତଳରୁ ପୃଥିବୀଟା ଧୀରେ ଧୀରେ ଘୁଞ୍ଚି ଯାଉଛି । ଆଉ ସେ ଚାଲିଯାଉଛି ପାତାଳ ପୁରୀର କେଉଁ ଏକ ଅନ୍ଧକାରର ଗହ୍ୱର ଭିତରକୁ ।

 

ସନିଆ ବେହୋସ । ମୁହଁରେ ମହୁଲୀ ମଦର ଅସନା ଗନ୍ଧ । ଚମ୍ପାର ଆଖିପତା ଫାଟି ଧାର ଧାର ଲୁହ ତାହାର ଚିକ୍କଣ ଗାଲ ଉପରେ ଗଡ଼ିଆସିଲା । ସେ ସନିଆକୁ ଦୀର୍ଘ ସମୟ ଧରି ଅପଲକ ଦୃଷ୍ଟିରେ ଅନାଇ ରହିଲା । ସନିଆର ବଳିଷ୍ଠ ବାହୁ ଦୁଇଟି ବିଛଣା ଉପରେ ନିସ୍ତେଜ ହୋଇ ପଡ଼ିଥାଏ ।

 

ଚମ୍ପାର ପଞ୍ଜରା ଥରାଇ ବାହାରିଆସିଲା ଦୀର୍ଘଶ୍ୱାସ । ସେ ସନିଆର ସବଳ ସୁସ୍ଥ ଅବୟବକୁ ଦେଖି ମନେମନେ ଭାବିଲା ଯେଉଁ ବାହୁରେ ପାହାଡ଼ ଭାଙ୍ଗିବାର କ୍ଷମତା ଭଗବାନ ଦେଇଛନ୍ତି ସେ ବାହୁରେ କ’ଣ ଚମ୍ପାର ଏଇ ସାମାନ୍ୟ ହାଡ଼ ମାଂସର ଦେହଟାକୁ ମୋଡ଼ି ଭିଡ଼ି ମକଚି ଦେବାର କ୍ଷମତା ଭଗବାନ ଦେଇନାହାନ୍ତି ? ଯେ ଆଜି ପୁଞ୍ଜିପତିର ବେଦନା ବୁଝି ସାରାଦିନ ଅକ୍ଳାନ୍ତ ପରିଶ୍ରମ କରିବାକୁ ଶତନ୍ମୁଖ, ସେ ଚମ୍ପାର ହୃଦୟ ବେଦନା ବୁଝିବାକୁ ଏତେ ବିମୁଖ କାହିଁକି ? ଯେ ଆଜି ଟାଟା କମ୍ପାନୀର କାରଖାନାକୁ ବଞ୍ଚାଇବାକୁ ସଚେଷ୍ଟ ସେ ଚମ୍ପାକୁ ବଞ୍ଚାଇବାକୁ ନିଶ୍ଚେଷ୍ଟ କାହିଁକି ?

 

ତା’ର ପ୍ରଶ୍ନ, ପ୍ରଶ୍ନ ହୋଇ ରହିଗଲା । ଭଗବାନ ମଧ୍ୟ ସେ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ । ସେତେବେଳେ ଦ୍ୱାଦଶୀର ଚନ୍ଦ୍ର କଳାପାହାଡ଼ ଆରପଟୁ ଉଙ୍କିମାରି ହସିଦେଉଥିଲେ ।

 

ଏହି ରାଧୀଆଈ ଥିଲା କାରଖାନା ମାନେଜରଙ୍କ ହାତବାରିଶି । ସେ ନିଜର ବାକ୍‍ଚାତୁରୀଦ୍ୱାରା ଅନେକ ସଂସାରରେ ନିଆଁ ଲଗାଇ ଦେଇଥିଲା । ତା’ର ସୁନଜରରେ ଯେ ଥରେ ପଡ଼ିଯାଏ ତାହାର ଆଉ ନିସ୍ତାର ନାହିଁ ।

 

ରାଧୀଆଈର ସୁନଜରରେ ପଡ଼ିଥିଲା ଚମ୍ପା । ରାଧୀଆଈର ଆଖିକୁ ଚମ୍ପାର ଏତେ ରୂପ ମୋଟେ ସହ୍ୟ ହେଉନଥିଲା । ରାଧୀଆଈ ଜାଣିଥିଲା, ସୁନ୍ଦରୀ ସ୍ତ୍ରୀର ସୌନ୍ଦର୍ଯ୍ୟକୁ ଶତମୁଖରେ ପ୍ରଶଂସା କରି ତାରି ଆଗେ ଗାଇଗଲେ ସେ ନ କରିବା କଥା ମଧ୍ୟ କରିଥାଏ ।

 

ସେ ମନେମନେ ଠିକ୍‍ କରିଥିଲା ଯେ ଏହି ରୂପ ଲାବଣ୍ୟ ସମ୍ପର୍ଣ୍ଣା ସ୍ତ୍ରୀକୁ ଯଦି ମେନେଜର ସାହେବଙ୍କୁ ଭେଟି ଦେଇପାରିବ ସେ ମୋଟା ବକ୍‍ସିସ୍ ପାଇବ । ମେନେଜରଙ୍କର ବା କ’ଣ ଅଭାବ ରହିଛି ଯେ ସେ ରାଧୀଆଈର ହାତମୁଠାରେ ଦଶଟଙ୍କିଆ ନୋଟଟିଏ ଗୁଞ୍ଜିଦେଇ ପାରିବେ ନାହିଁ ?

 

ରାଧୀଆଈ ତାହାର ଦୁଷ୍ଟବୁଦ୍ଧି ଖଟାଇ ଚମ୍ପାର ମନବଗିଚାରେ ଅଶାନ୍ତିର ଯେଉଁ ବୀଜଟି ବପନ କରିଦେଇଥିଲା ତାହା କ୍ରମେ କ୍ରମେ ଅଙ୍କୁରିତ ହେବାକୁ ଲାଗିଲା । ସନିଆ ପ୍ରତି ଚମ୍ପାର ମନଭାବ କ୍ରମେ କ୍ରମେ ତିକ୍ତ ହୋଇଉଠିଲା । ଯେଉଁ ସନିଆକୁ ଦିନେ ହୃଦୟର ଦେବତା ଭାବି ସେ ମନେମନେ ପୂଜା କରୁଥିଲା, ସେହି ସନିଆ ସେହିଦିନ ପାଖରୁ ଚମ୍ପା ଆଖିରେ ହେଲା ଗୋଟିଏ ନରମାଂସ ଭୋଜି ରାକ୍ଷସ । ଚମ୍ପା ମନକୁ ମନ ଭାବିଲା ସେ ରାକ୍ଷାସ କବଳରୁ କିପରି ନିସ୍ତାର ପାଇବ ?

 

ବେଳକାଳ ଜାଣି ରାଧୀଆଈ କହିଲା, ‘‘ଚମ୍ପା ! ତୋର ଏଇ ତପ୍ତକାଞ୍ଚନ ରୂପ କେବଳ ବାବୁ, ଭାୟାକୁ ସାଜେ । ମୋତି ମାଳର ମୂଲ୍ୟ ମର୍କଟ କୁଆଡ଼ୁ ବୁଝିବ ? ଗୋଟାଏ କଥା କହିବି ମାନିବୁ ?’’

 

ଚମ୍ପା କୌଣସି ଜବାବ୍ ଦେଲା ନାହିଁ । କେବଳ ଆଁ କରି ସବୁ ଶୁଣିଗଲା ।

 

ପୁଣି ରାଧୀଆଈ କହିଲା, ‘‘କେବଳ ତୋର ମଙ୍ଗଳ ପାଇଁ କହୁଛି । ମୋର ସେଥିରେ ବା କଉଁ ପାଞ୍ଚ ପଚିଶ ଫଳିବ । ତୋ କଥା ସେଦିନ ମେନେଜରଙ୍କୁ କହିଥିଲି । କ’ଣ କହୁଛୁ ?’’

 

ଚମ୍ପା ଭୟରେ ଥରିଉଠିଲା । ସେ ମନେମନେ କହିଲା, ‘‘ତେବେ କ’ଣ ସେ ରୂପ ବିକ୍ରୟକରି ଦୁନିଆରେ ବଞ୍ଚିରହିବ ? ସାମାନ୍ୟ କେତୋଟି ମୁଦ୍ରା ବିନିମୟରେ ସେ ନିଜକୁ ବିକ୍ରୟ କରିଦେଇ ପାରିବ ନାହିଁ । ସ୍ୱାମୀ ତା’ର ମଦ୍ୟପ ହେଉ, ତାକୁ ଅବହେଳା କରୁ, ସେଥିରେ କ୍ଷତି ନାହିଁ । ସେ ସ୍ଵାମୀର ନିର୍ଯ୍ୟାତନା ସବୁ ହସି ହସି ସହ୍ୟ କରିଯିବ ମାତ୍ର ନିଜକୁ ସେ କୌଣସି ପ୍ରକାରେ ବିକ୍ରୟ କରିପାରିବ ନାହିଁ । ସେ ଯେ କୁଳର ବୋହୂ ।’’

 

ମନରେ ଯେତେବେଳେ ତିକ୍ତତା ଭରିଯାଏ ନାରୀ ସେତେବେଳେ କୁଳ, ଅକୁଳର ବାଛବିଚାର କରିପାରେ ନାହିଁ । ଯେ ତା’ର ମନଜାଣି ସେତେବେଳେ ଦୁଇପଦ କହିପାରିଲା ସେ ତା’ର ମନ ତାକୁ ବିକ୍ରୟ କରିଦିଏ । ଚମ୍ପାର ମଧ୍ୟ ହେଲା ସେହି ଅବସ୍ଥା ।

 

ତହିଁ ଆରଦିନ ସେ ସ୍ୱାମୀକୁ କହିଲା, ‘‘ବସି ବସି ଖାଇଲେ ନଈବାଲି ମଧ୍ୟ ନିଅଣ୍ଟ । ମୁଁ ମଧ୍ୟ ଆଜିଠାରୁ କାମକୁ ଯିବି ।’’

 

ଚମ୍ପାର କଥା ଶୁଣି ସନିଆ ଆକାଶରୁ ତଳେ ଖସିପଡ଼ିଲା । ସେ କହିଲା, ‘‘ଚମ୍ପା ! ଯେଉଁ କଥା ଆମ ସାତ ପୁରୁଷରେ ନ ଥିଲା ତୁ ସେହି କଥା କଲେ କୁଳରେ ଆମର କଳା ଲାଗିବ ନାହିଁକି-?’’

 

ଚମ୍ପାର ଆଖିରେ ସେତେବେଳକୁ ଲାଗିଥାଏ ଶାଢ଼ି ଗହଣାର ରଙ୍ଗୀନ ନିଶା । ମୋଟା ରୋଜଗାର କରିବା ଲୋକ ହେଉଛନ୍ତି ମେନେଜର । ଚମ୍ପାର ଆଉ ଅଭାବ ରହିବ କ’ଣ ? ଗୋଟାଏ ଖଟିଖିଆ ମୂଲିଆ ବାପୁଡ଼ା ମୁହଁକୁ ଅନାଇ ସେ କିଆଁ ପଡ଼ିରହିବ ?

 

ଚମ୍ପା ରାଧୀଆଈ ସାଙ୍ଗରେ ଚାଲିଗଲା କାମକୁ । ସନିଆ କେବଳ ଭାବୁଥାଏ ଚମ୍ପା କଥା-। ଯେଉଁ ଚମ୍ପା ପାଇଁ ସେ ନଖାଇ, ନପିଇ ଅକ୍ଳାନ୍ତ ପରିଶ୍ରମ କରି ପଥର ଭାଙ୍ଗି ନିତି ସଞ୍ଜକୁ ହସି ହସି ଘରକୁ ଫେରିଆସେ, ସେହି ଚମ୍ପା କ’ଣ ତା’ର ନୁହେଁ ? ଚମ୍ପା ଯେ ତାକୁ ଏତେ ଭଲପାଏ ବୋଲି କହେ, ତେବେ ସେ ଭଲ ପାଇବାର କ’ଣ ମୂଲ୍ୟ ନାହିଁ ? ଭଲ ପାଇବା କ’ଣ ନାରୀର ଧର୍ମ ନୁହେଁ ? ନାରୀର ଆଖିରେ ପୁରୁଷର ସ୍ନେହଠାରୁ ତା’ର ବିଷୟ ସମ୍ପତ୍ତି କ’ଣ ବଡ଼ ?

 

ପୁଣି ସମସ୍ତ ଶକ୍ତି ସଂଗ୍ରହ କରି ସନିଆ ଭାବିଲା, ‘‘ତା’ର ଚମ୍ପା କେବେ ତାକୁ ହତାଦର କରିନପାରେ । ଚମ୍ପାକୁ ଯେ ସେ ଜୀବନଦେଇ ଭଲପାଏ ।’’

 

ସନିଆ ଗଲା କାମକୁ । କାମରେ ମନ ତା’ର ଲାଗୁ ନ ଥାଏ । କେବଳ ତାକୁ ଜଣା ଯାଉଥାଏ ସତେଯେପରି ଗୋଟାଏ କଳାମେଘ ଚାରିଆଡ଼େ ଘୋଟିଯାଇଛି ଓ ସେ ନିଜେ କଳାମେଘ ତଳେ ଚିପି ହୋଇଯାଇ ଅଣନିଶ୍ୱାସୀ ହୋଇ ଛଟପଟ ହେଉଛି ।

 

ମଝିରେ ମଝିରେ ସେ ମାରତୁଲ ଉଠାଇ ପଥର ଉପରେ ଥୋଇ ଦେଉଥାଏ । ଗୋଟିଏହେଲେ ପଥର ସେଦିନ ସେ ଭାଙ୍ଗିବାକୁ ସମର୍ଥ ହେଲା ନାହିଁ । ତାକୁ ଜଣାଗଲା ତା’ର ଗୋଡ଼ତଳରେ ଯେତେସବୁ ପଥର ପଡ଼ିଥିଲା ସେହି ପଥରଗୁଡ଼ିକ ଏକ ସ୍ୱରରେ ଯେପରି ଚିତ୍କାରକରି ତାକୁ କହୁଛନ୍ତି, ‘‘ସନିଆ ! ତୁ ଦୁନିଆରେ ହାରିଯାଇଛୁ । ଯାହାକୁ ତୁ ଜୀବନ ବିନିମୟରେ ନିଜର ମଣିଥିଲୁ, ସେ ତୋତେ ଆଜି ଚିତାକାଟି ଚାଲିଗଲା ।’’

 

ସନିଆ ରାଧୀଆଈକୁ ଚିହ୍ନେ । ରାଧୀଆଈର ଜରତାପଣ ତାକୁ ବେଶ୍‍ ଭଲଭାବରେ ଜଣା । ଚମ୍ପା ଆଉ ରାଧୀଆଈ କବଳରେ ପଡ଼ିନାହିଁ ତ ?

 

ଗୋଡ଼ ତଳର ପଥର ତାତିଯାଇ ନିଆଁଭଳି ଗରମ ହୋଇଗଲା । କାରକାଖାରୁ ବିଗୁଲ ବାଜିଲା । ଅଧ ଘଣ୍ଟାଏ ଛୁଟି । ସନିଆ ଏକ ନିଶ୍ୱାସରେ ଧାଇଁ ଧାଇଁ ଘରେ ହାଜର ହେଲା । ଦେଖିଲା ଚମ୍ପା କାମରୁ ଆସିନାହିଁ । ତେବେ ସେ ଯାହା ଭାବୁଥିଲା ତାହା କ’ଣ ଠିକ୍ ?

 

ଚମ୍ପା କ’ଣ ଆଜି ଆଉ ମେନେଜର ହାତରେ ଧରାପଡ଼ିଛି ? ଏହି କଥା ଭାବୁଥିଲା ସନିଆ ।

 

ସନିଆ ଧାଇଁ ଧାଇଁ ଗଲା ମେନେଜର ବଙ୍ଗଳାକୁ । ଦେଖିଲା ରାଧୀଆଈ ବସି ଦୁଆର ପାଖରେ ଫୁଲ ଗୁନ୍ଥୁଛି । ରାଧୀଆଈକୁ ଦେଖି ସନିଆର ରକ୍ତ ତାଳୁକୁ ଉଠିଗଲା । ତା’ର ଇଚ୍ଛା ହେଉଥିଲା ରାଧୀଆଈର ବେକ ମୋଡ଼ି ରକ୍ତ ଶୋଷି ନେବାକୁ । ହେଲେ ପାରିଲା ନାହିଁ ।

 

ବଙ୍ଗଳାର ସଦର ଦୁଆର ଦରଆଉଜା ହୋଇଥାଏ । ସନିଆ ନିଶବ୍ଦରେ ଘର ଭିତରକୁ ପଶିଗଲା । ଘର ଭିତରୁ ଚମ୍ପାର ଉଛୁଳା ହସ ସନିଆର କାନକୁ ଅସ୍ପଷ୍ଟ ଭାବେ ଶୁଭାଯାଉଥାଏ । ସେ ବିଶ୍ୱାସ ମୋଟେ କରିପାରିଲା ନାହିଁ ଯେ ଚମ୍ପାର ଏତେ ଅଧଃପତନ ହୋଇଛି ବୋଲି । ସେ ଦୁଇ ପହଣ୍ଡ ଆଗେଇଗଲା । ଦେଖିଲା ଚମ୍ପା ଅର୍ଦ୍ଧନଗ୍ନ ଅବସ୍ଥାରେ ମେନେଜରଙ୍କ କୋଳରେ ଶୋଇରହି ମେନେଜରଙ୍କ ଗଣ୍ଡଦେଶରେ ଓଠ ଲଗାଉଛି ।

 

ଚମ୍ପା ସ୍ୱାମୀର ସରଳ ବିଶ୍ୱାସରେ ବିଷ ଯେ ବୋଳି ଦେଇପାରେ ଏହି କଥା ସନିଆ ସେଦିନ ଆଖିରେ ଦେଖି ସୁଦ୍ଧା ବିଶ୍ୱାସ କରିପାରିଲା ନାହିଁ । ସେ ଆଉ ଭୁଲ ଦେଖୁନାହିଁ ତ ? ପୁଣି ଅପେକ୍ଷାକୃତ ଆଖି ଦୁଇଟା ବଡ଼ ବଡ଼ କରି ସନିଆ ଅନେଇଲା ଚମ୍ପାକୁ । ସେ ଚିହ୍ନିଲା ଚମ୍ପାକୁ । ବାଘପରି ମେନେଜର ଉପରେ ଝାମ୍ପିପଡ଼ିଲା ।

 

ଏହି ଦୁନିଆ ହେଉଛି ବିଚିତ୍ର ଦୁନିଆ । ନାରୀର ମନ ମାନିଲେ ସେ ସବୁ କରିପାରେ । ମନ ନ ମାନିଲେ ମଧ୍ୟ ସେ ସବୁ କରିପାରେ । ଯେଉଁ ଚମ୍ପା ଦିନେ ସତୀତ୍ୱକୁ ପଣତକାନିରେ ବାନ୍ଧିରଖିଥିଲା, ସେହି ଚମ୍ପା ଆଜି ସନିଆର ନିଶ୍ଚେଷ୍ଟତା ପାଇଁ ନିଜର ସତୀତ୍ଵକୁ ହସି ହସି ଗୋଡ଼ରେ ଦଳି ଦେଇ ପାରିଲା ।

 

ଏଣୁ ସତୀତ୍ଵ ଯେ ଗୋଟାଏ ବଡ଼ ଜିନିଷ ବେଳ ପଡ଼ିଲେ ସ୍ତ୍ରୀ ଏହା ଅସ୍ୱୀକାର କରେ ।

 

ହାତରେ ଲୁହାକଡ଼ି ପିନ୍ଧାଇ, ଅଣ୍ଟାରେ ଦଉଡ଼ି ବାନ୍ଧି ସନିଆକୁ ଥାନାରେ ଆଣି ହାଜର କରାଗଲା । ସେ ମେନେଜର ବଙ୍ଗଳାକୁ ଚୋରୀ କରିବାକୁ ପଶିଥିଲା, ଏହା ହେଉଛି ତା’ର ଅପରାଧ ।

 

ସନିଆ ଭଗବାନଙ୍କ ନାମରେ ଦ୍ୱାହିଦେଇ ଥାନା ଦାରୋଗାଙ୍କୁ ବୁଝାଇବାକୁ ଚେଷ୍ଟା କଲା-। ଥାନାବାବୁ ବୁଝି ସୁଦ୍ଧା ଅବୁଝା ହୋଇ କହିଲେ, ‘‘ମଣିଷ ଯେଉଁ ଆଖିରେ ଲୁହା ପଥର ଚିହ୍ନେ ସେ ଆଖିରେ ଚମ୍ପା ଭଳି ସୁନ୍ଦରୀ ସ୍ତ୍ରୀର ହୃଦୟ ଚିହ୍ନି ପାରେନାହିଁ । ସୁନ୍ଦରୀ ସ୍ତ୍ରୀର ଅନ୍ତର ବାହାର ସମାନ ନୁହେଁ । ସେ ଅନ୍ତରରେ ଯାହାକୁ ଘୃଣାକରେ ବାହାରେ ତାକୁ ଭଲ ପାଇବାର ଛଳନାକରେ ମାତ୍ର ।’’

 

ଏତେ ଦିନ ପରେ ସନିଆ ବୁଝିପାରିଲା ମଣିଷର ଭୁଲ କେଉଁଠି ଥାଏ । ଚମ୍ପା ଭଳି ରୂପବତୀ ସ୍ତ୍ରୀକୁ ଜୀବନଦେଇ ଭଲ ପାଇବା ହେଉଛି ତା’ର ଜୀବନରେ ଗୋଟିଏ ଅକ୍ଷମଣୀୟ ଭୁଲ-

 

ସେ ଖୁବ୍‍ ଜୋରରେ ପାଗଳ ଭଳି ହସି ହସି କହିଲା, ‘‘ମୁଁ ଚୋର । ମୁଁ ଚୋରୀ କରିବାକୁ ବଙ୍ଗଳାକୁ ପଶିଥିଲି । ମୁଁ ଦୋଷୀ । ମୋତେ ଦଣ୍ଡ ଦିଅ ।’’

 

ବିଚାରରେ ସନିଆ ହେଲା ଦୋଷୀ । ସେ ଜେଲଖାନାକୁ ଗଲା । ସେ ଦାଗୀ, ସେ ଚୋର ।

 

ଚମ୍ପା ସବୁ ଶୁଣିଲା । ମେନେଜରଙ୍କ ଓଠରେ ଓଠ ଲଗାଇ ହସି ହସି କହିଲା, ‘‘ରାସ୍ତାରୁ ଏତେ ଦିନକେ କଣ୍ଟାଟାଏ ଗଲା ।’’

Image

 

Unknown

ସୃଷ୍ଟି ଛଡ଼ା

 

ଘୁଣଖିଆ ମନ ଉପରେ କୃତ୍ରିମ ହସର ପ୍ରଲେପ ଟିକିଏ ବୋଳିଦେଇ ବଞ୍ଚିରହିବାକୁ ଯେତେ ପ୍ରକାର ପ୍ରୟାସ କରୁଥିଲେ ବିଦ୍ୟୁପ୍ରଭା ସେ ସବୁ ବ୍ୟର୍ଥ ହୋଇଯାଇଛି । ଜୀବନ ମଧ୍ୟରେ କେଉଁଠି ଯେ ତାଙ୍କର ଅଭାବଟା ରହିଯାଇଛି ସେଟା କେବଳ ତାଙ୍କୁ ଜଣା ।

 

ତାଙ୍କ ଘରକୁ ଅନେକ ଲୋକ ଆସନ୍ତି ଏବଂ ଚାଲିଯାଆନ୍ତି, ମାତ୍ର କାହାରି ଆଖିରେ ବିଦ୍ୟୁପ୍ରଭାଙ୍କର ମାନସିକ ଅଶାନ୍ତିର କାରଣଟା ମୋଟେ ଧରାପଡ଼େ ନାହିଁ । ସମସ୍ତଙ୍କର ଆଖି ସମାନ ନୁହେଁ । ସବୁ ମଣିଷ ମଧ୍ୟ ସମାନ ନୁହଁନ୍ତି । ତାଙ୍କ ମଧ୍ୟରେ ଜଣେ ଜଣେ ଏମିତି ଅସାଧାରଣ ମଣିଷ ଥାଆନ୍ତି ତାଙ୍କ ଆଖି ଦୁଇଟାକୁ ମୋଟେ ଫାଙ୍କିଦେଇ ହୁଏ ନାହିଁ । ମୋଟାମୋଟି କହିବାକୁ ଗଲେ ସେ ଅସାଧାରଣ ମଣିଷର ଆଖି ଦୁଇଟା ଆଖି ହୋଇ ରହିନଥାଏ-। ସେ ଆଖି ଦୁଇଟାକୁ ଅଣୁବୀକ୍ଷଣଯନ୍ତ୍ର କହିଲେ ଚଳେ ।

 

ତାଙ୍କ ଘରକୁ ଲୋକଙ୍କର ଯିବାଆସିବା କେବେ ବନ୍ଦ ନ ଥିଲା । ବିଦ୍ୟୁପ୍ରଭାଙ୍କର ସ୍ୱାମୀ ମୋହନବାବୁ ଯଦିଓ ଉଦାର ପ୍ରକୃତିର ମଣିଷ ନ ଥିଲେ ତଥାପି ବୋକାମାନଙ୍କ ଆଖିରେ ସେ ଯେ ଥିଲେ ଉଦାର ପ୍ରକୃତିର ମଣିଷ ଏହି କଥା ବିଦ୍ୟୁପ୍ରଭାଙ୍କୁ ଖୁବ୍‍ ଭଲ ଭାବରେ ଜଣା । ଯେଉଁସବୁ ନିର୍ବୋଧ ମଣିଷଗୁଡ଼ିକ ଭଦ୍ରଲୋକର ବେଶ ପକାଇ ତାଙ୍କ ଘରକୁ ଯିବାଆସିବା କରୁଥିଲେ ମୋହନବାବୁ ସେମାନଙ୍କୁ ଜଳଖିଆ ପେଟେ ନ ଖୁଆଇ ଛାଡ଼ନ୍ତି ନାହିଁ । କେହି ଯଦି ଖାଇବାକୁ ରାଜି ହୁଏ ନାହିଁ ମୋହନବାବୁଙ୍କ ଅଭିମାନ ମିଶ୍ରିତ ଦୁଇପଦ କଥା ଶୁଣିଲେ ଅତି କମରେ ଗୋଟିଏ ମିଠା ସହିତ ଗ୍ଲାସେ ପାଣି ତାକୁ ଉଦରସ୍ଥ କରିବାକୁ ପଡ଼ିଥାଏ ।

 

ବିଦ୍ୟୁପ୍ରଭା ସ୍ୱାମୀଙ୍କୁ ମଧ୍ୟ ବଳିପଡ଼ନ୍ତି । ଅତିଥି, ଅଭ୍ୟାଗତ ଚର୍ଚ୍ଚା କରିବାକୁ ସେ ବେଶ୍ ପ୍ରବୀଣା । ସୁନାମ ନେବାକୁ କିଏ ନ ଚାହେଁ ? ଯେଉଁମାନେ ସବୁ ମୋହନବାବୁଙ୍କ ଘରକୁ ଯିବା ଆସିବା କରୁଥିଲେ ସେମାନେ ମୋହନବାବୁଙ୍କ ଉଦାରତା ଦେଖି ତାଙ୍କର ନିଶ୍ଚୟ ଯେ ପ୍ରଶଂସା ରାସ୍ତାଘାଟରେ ଗାଉଥିବେ ଏଥିରେ ସନ୍ଦେହ କରିବାରେ କୌଣସି କାରଣ ନାହିଁ, ଯେହେତୁ ଏହି ପେଟ ପାଇଁ ମଣିଷ ଅବିରତ ସଂଗ୍ରାମ କରିବାକୁ ଆନନ୍ଦ ପାଏ ।

 

ସମସ୍ତେ କହନ୍ତି ମୋହନବାବୁଙ୍କ ଭଳି ଲୋକ ମିଳିବେ ନାହିଁ । ସ୍ଵାମୀଙ୍କ ପ୍ରଶଂସା ଶୁଣି ଶୁଣି ବିଦ୍ୟୁପ୍ରଭାଙ୍କୁ ହସ ଲାଗେ । ଯେଉଁ ନିର୍ବୋଧ ଲୋକଗୁଡ଼ିକ କପେ ଚା’ ଓ ଗଣ୍ଡିଏ ଜଳଖିଆ ଖାଇଦେଇ ଯାଉଥିଲେ ରାସ୍ତାଘାଟରେ ସେମାନଙ୍କ ସଙ୍ଗେ ଦେଖାହେଲେ କୃତ୍ୟକୃତ୍ୟ ହୋଇ ଯେତେବେଳେ ସେମାନେ ଲମ୍ବା ଚୌଡ଼ା ନମସ୍କାର ପକାନ୍ତି ସେତେବେଳେ ବିଦ୍ୟୁପ୍ରଭା ଆହୁରି ଅଧିକ ମନେମନେ ହସନ୍ତି ମଣିଷଗୁଡ଼ିକର ଅସହାୟଭାବ ଦେଖି ।

 

ବିଦ୍ୟୁପ୍ରଭା ମୋହନବାବୁଙ୍କୁ ଯେତେ ଚିହ୍ନନ୍ତି ସାଧାରଣ ଲୋକେ ତାଙ୍କୁ ସେତେ ଚିହ୍ନିପାରିବେ ନାହିଁ । ସେମାନେ ବାହାର ଲୋକ । ବାହାରେ ବାହାରେ ଆସନ୍ତି, ପୁଣି ବାହାରେ ବାହାରେ ଚାଲିଯାଆନ୍ତି । ଯେତେବେଳେ ସମସ୍ତେ ଧନ୍ୟବାଦ ଜଣାଇ ଓ ଶୁଖିଲା ହସଟିଏ ହସିଦେଇ ଚାଲିଯାଉଥିଲେ । ଲୋକମାନଙ୍କର ଏ ପ୍ରକାର ଶସ୍ତା ଭଦ୍ରାମି ଦେଖି ବିଦ୍ୟୁପ୍ରଭା ହସି ହସି ଗଡ଼ିଯାଉଥିଲେ ଏବଂ ତାଙ୍କର ମନରେ ଏକ ଧ୍ରୁବ ଧାରଣା ଜନ୍ମିଥିଲା ଯେ ଦୁଇଅଣା ଖର୍ଚ୍ଚ କରିପାରିଲେ ଯାହାକୁ ଚାହିଁବ ତାକୁ ବାନ୍ଧି ରଖିହେବ ।

 

ସାଧାରଣ ମଣିଷ ଅପେକ୍ଷା ଯେଉଁମାନେ ଟିକିଏ ଶସ୍ତା ଦାମର ବୋକା ସେମାନେ ନିଜକୁ ସବୁବେଳେ ଅତି ଚାଲାକ ବୋଲି ଭାବନ୍ତି ଏବଂ ଦେଖାଇ ହୁଅନ୍ତି ମଧ୍ୟ । ଅନେକ ଲୋକଙ୍କୁ ଚର୍ଚ୍ଚା କରିସାରିଲା ପରେ ଏବଂ ଅନେକ ଲୋକଙ୍କୁ ଦେଖିସାରିଲା ପରେ ଏହି ଧାରଣାଟି ବିଦ୍ୟୁପ୍ରଭାଙ୍କ ମନ ମଧ୍ୟରେ ସ୍ଥାନ ପାଇଥିଲା । ତେଣୁ ସେ ତାଙ୍କର ମନର ଗ୍ରାଫ୍ ପେପାର ଉପରେ ଅନେକଗୁଡ଼ିଏ ଗାର ଟାଣି ସାରିଲା ପରେ କହିଥିଲେ, ‘‘ସବୁ ପୁରୁଷ ସମାନ ।’’

 

ସେ ପୁରୁଷର ଅର୍ଥ ବୁଝନ୍ତି । ପୁରୁଷ ହେଉଛି ଗୋଟାଏ ବୋକାର ପ୍ରତିମୂର୍ତ୍ତି । ତାଙ୍କର ଏପରି କହିବାର ଉଦ୍ଦେଶ୍ୟ ହେଉଛି ସେ ଯେଉଁମାନଙ୍କୁ ଜାଣିଥିଲେ ଏବଂ ଯେଉଁମାନଙ୍କୁ ଚିହ୍ନିଥିଲେ ସେହିମାନଙ୍କୁ ଦେଖି ଦେଖି ତାଙ୍କ ମନରେ ଧାରଣା ଜନ୍ମିଥିଲା ଯେ ସବୁ ପୁରୁଷ ନାରୀର ସ୍ନେହବୋଳା କଥାପଦେ ଶୁଣିବା ପାଇଁ ବ୍ୟଗ୍ର । ନାରୀର ସୁନ୍ଦର ସୁସ୍ଥ ଅବୟବକୁ ଉପଭୋଗ କରିବାପାଇଁ ସମସ୍ତେ ବ୍ୟସ୍ତ । ମାତ୍ର ନାରୀର ଅନ୍ତର ଚିହ୍ନିବା ଭଳି ପୁରୁଷ ଜଗତରେ ବିରଳ ।

 

ସମୁଦାୟ ପୁରୁଷ ଜାତି ସମ୍ବନ୍ଧରେ ଏହି ପ୍ରକାର ଗୋଟିଏ ନୀଚ ଧାରଣା ତାଙ୍କର ମନ ମଧ୍ୟରେ ଯେତେବେଳେ ସ୍ଥାନପାଇଥିଲା ସେତେବେଳେ ସେ ଖୁବ୍‍ ଭଲଭାବେ ହୃଦୟଙ୍ଗମ କରିପାରିଥିଲେ ଯେ ନାରୀର ରହସ୍ୟ ଭେଦ କରିବାକୁ ନାରୀ ଯେଉଁଠି ଅକ୍ଷମ ପୁରୁଷ ସେଠାରେ ବା କିପରି କ୍ଷମ ହେବ ? ତେଣୁ ସେ ପ୍ରତ୍ୟେକ ପୁରୁଷକୁ ଦେଖିଲାମାତ୍ରେ ତାଚ୍ଛଲ୍ୟଭାବ ପ୍ରଦର୍ଶନ କରୁଥିଲେ ।

 

ବିଦ୍ୟୁପ୍ରଭାଙ୍କ ଦୁର୍ଯ୍ୟୋଗକୁ ସେଦିନ ଗୋଟିଏ ଅଦ୍ଭୁତ ପ୍ରକାରର ମଣିଷ ତାଙ୍କ ଘରକୁ ଆସିଲା । ଯେଉଁ ମଣିଷଟି ଲୋକଦେଖାଣିଆ ସ୍ନେହ, ମାୟା, ମମତାର ମୂଲ୍ୟ ଜୀବନରେ କେବେ କାହାକୁ ଦେଇ ପାରିନାହିଁ, ଯେ କପେ ଚା’ ଖାଇସାରି ଫମ୍ପା ଧନ୍ୟବାଦ ଜଣାଇ ଗଦ୍‍ଗଦ୍‍ ହେବାକୁ ଜାଣିନାହିଁ ସେହିପରି ଗୋଟିଏ ସୃଷ୍ଟିଛଡ଼ା ଲୋକକୁ ଦେଖି ବିଦ୍ୟୁପ୍ରଭା ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଭଗବାନଙ୍କ ସୃଷ୍ଟିରେ ଯେ ଏପ୍ରକାର ଗୋଟିଏ ଅଦ୍ଭୁତଜୀବ କିପରି ଆଜିଯାଏ ତିଷ୍ଠିପାରିଲା ସେହି କଥା ହିଁ ସେହି ଲୋକଟିକୁ ଦେଖିଲାମାତ୍ରେ କେବଳ ଭାବୁଥିଲେ ବିଦ୍ୟୁପ୍ରଭା ।

 

ଏହି ଅଦ୍ଭୁତ ଜନ୍ତୁଟିକୁ ଦେଖିଲା ମାତ୍ରେ ବୁଦ୍ୟୁପ୍ରଭା ଯେ କେବଳ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ତାହା ନୁହେଁ । ସେହି ଲୋକଟିକୁ ଦେଖିଲାମାତ୍ରେ ତାଙ୍କ ମନରେ ଗୋଟିଏ କୌତୂହଳ ମଧ୍ୟ ଜନ୍ମିଥିଲା । ତାକୁ ଜାଣିବା ପାଇଁ ସେ ବିଶେଷ ଆଗ୍ରହ ପ୍ରକାଶ ମଧ୍ୟ କରିଥିଲେ । ସେ ଅନେକ ଲୋକଙ୍କୁ ଜୀବନରେ ଦେଖିଛନ୍ତି, ଅନେକ ଲୋକ ତାଙ୍କର ଆତିଥ୍ୟତା ଗ୍ରହଣ କରି ଯଥେଷ୍ଟ ପରିମାଣରେ କୃତଜ୍ଞତା ମଧ୍ୟ ଜ୍ଞାପନ କରିଛନ୍ତି, କିନ୍ତୁ ସେ ମଣିଷଟି ଥିଲା ଅସମ୍ଭବ ଧରଣର ଖେୟାଲୀ ଏବଂ ତା’ ସାଙ୍ଗକୁ ଥିଲା ମଧ୍ୟ ଯଥେଷ୍ଟ ଉଦ୍ଧତ ।

 

ଉଦ୍ଧତ ପୁରୁଷକୁ ନାରୀ ମୋଟେ ଭଲପାଏ ନାହିଁ । ଉଦ୍ଧତ ପୁରୁଷର ସାନ୍ନିଧ୍ୟ ସ୍ତ୍ରୀମାନେ ମୋଟେ ପସନ୍ଦ କରନ୍ତି ନାହିଁ । ଯେଉଁ ପୁରୁଷ ସେମାନଙ୍କର ସମସ୍ତ ପ୍ରକାର ଦୌରାତ୍ମ୍ୟ ସହ୍ୟକରି ସୁଦ୍ଧା ସେମାନଙ୍କୁ ହସି ହସି ଦୁଇପଦ ମିଠାକଥା କହି ସେମାନଙ୍କର ପ୍ରଭୃତ୍ୱକୁ ଅମ୍ଳାନ ବଦନରେ ସହ୍ୟ କରିପାରେ ପୁରୁଷକୁ ସ୍ତ୍ରୀମାନେ ଅଧିକ ପସନ୍ଦ କରନ୍ତି ବୋଲି ଏହି ପ୍ରକାରର ଗୋଟିଏ ଧ୍ରୁବ ଧାରଣା ଥିଲା ବିଦ୍ୟୁପ୍ରଭାଙ୍କର ।

 

ବିଦ୍ୟୁପ୍ରଭା କାହାକୁ ଭଲ ପାଆନ୍ତି, କାହାକୁ ସ୍ନେହ ଦେଖାନ୍ତି ତାହା ସେ ନିଜେ ମଧ୍ୟ ଜାଣନ୍ତି ନାହିଁ । ଯେ ସ୍ନେହକୁ ନେଇ ଗୋଟିଏ ରିତିମତ୍‍ ବ୍ୟବସାୟ ଆରମ୍ଭ କରିଥାଏ ସେ ସ୍ନେହର ମୂଲ୍ୟ ବୋଧହୁଏ ସମସ୍ତଙ୍କ ଅପେକ୍ଷା ଅଧିକ ପରିମାଣରେ ବୁଝିପାରେ । ସେ ବୁଝେ କପେ ଚା’ ଖର୍ଚ୍ଚ କରିପାରିଲେ ସ୍ନେହ ମିଳେ । ମାତ୍ର ଏହି ଅଦ୍ଭୁତ ମଣିଷ ପାଖରେ ବିଦ୍ୟୁପ୍ରଭାଙ୍କର ସମସ୍ତ ଚେଷ୍ଟା ପଣ୍ଡ ହୋଇଯାଇଥିଲା । ସେ ଲୋକଟି ଅନେକ ସମୟରେ ଆସୁଥିଲା । ଏକ ନିଶ୍ୱାସରେ ଚା’ କପଟି ଶେଷ କରିଦେଇ ବସିଲା ସ୍ଥାନରୁ ଉଠିପଡ଼ି ଗୋଟିଏ ଛୋଟ ନମସ୍କାର ପକାଇ କହୁଥିଲା, ‘‘ମୁଁ ଆସୁଛି । ପୁଣି କେବେ ଆସିଲେ ଆଉ କପେ ଚା’ ଖାଇବି ।’’

 

ଲୋକଟି ପାଦ ବଢ଼ାଇ ବାହାରକୁ ଚାଲିଗଲା ପରେ ବିଦ୍ୟୁପ୍ରଭା ତାକୁ ଏକ ଧ୍ୟାନରେ ଅନାଇରହନ୍ତି । ତା’ ସମ୍ବନ୍ଧରେ ସେ କିଛି ଭାବିପାରନ୍ତି ନାହିଁ, ଯେହେତୁ ତା’ ବିଷୟରେ କୌଣସି ଉଚ୍ଚ ଅଥବା ନୀଚ ଧାରଣା ମନ ମଧ୍ୟରେ ପୋଷଣ କରିବାକୁ ସେହି ଲୋକଟି କୌଣସି ଗୋଟିଏହେଲେ କଥାର ଖିଅ ଛାଡ଼ି ଯାଏନାହିଁ । ସେ ଆସୁଥିଲା ଏବଂ କେବଳ ଚା’ ପିଇ ଦେଇ ଚାଲି ଯାଉଥିଲା । ଏତିକି ବ୍ୟତୀତ ସେ ଆଉ କୌଣସି ଉଦ୍ଦେଶ୍ୟ ରଖି ଯେପରି ଆସୁନଥିଲା ସେହିକଥା ତାହାର ହାବଭାବରୁ ବିଶେଷ ପରିମାଣରେ ସୂଚିତ ହେଉଥିଲା ।

 

ଲୋକଟିର ଢଙ୍ଗ ରଙ୍ଗ ଦେଖି ବିଦ୍ୟୁପ୍ରଭା କ୍ରମେ କ୍ରମେ ଅସ୍ଥିର ହୋଇ ପଡ଼ିଲେ ଏବଂ ମନେମନେ ଅନୁଶୋଚନା ମଧ୍ୟ ଯଥେଷ୍ଟ କରୁଥିଲେ ଯେ ଅଯଥାରେ ସେ ଲୋକଟିକୁ ଜାଣିବା ପାଇଁ ସେ ଅନେକ ଚା’ ଖର୍ଚ୍ଚ କରି ସାରିଲେଣି । ତଥାପି ସେ କ୍ଷଣକ ସକାଶେ ଲୋକଟିକୁ ଯେ ଚିହ୍ନି ପାରିଲେ ନାହିଁ । ଏତିକି କେବଳ ତାଙ୍କର ଦୁଃଖ ।

 

ଦିନେ ବିଦ୍ୟୁପ୍ରଭା ସେ ଲୋକଟିକୁ ପ୍ରଶ୍ନକଲେ, ‘‘ଆପଣତ ଆମ ଘରକୁ ଅନେକଦିନ ଆସିଲେଣି କିନ୍ତୁ ଆପଣଙ୍କ ପରିଚୟ କାହିଁ ଦିନେ ହେଲେତ ଆମକୁ ଦେଲେନାହିଁ ?’’

 

ସେ ଲୋକଟି ଅଳ୍ପ ହସିଦେଇ କହିଲା, ‘‘ମୁଁ ହେଉଛି ମୋ ନିଜର ପରିଚୟ । ଏତିକି ବ୍ୟତୀତ ମୋ ନିଜ ସମ୍ବନ୍ଧରେ ମୁଁ ଅନ୍ୟକିଛି ଜାଣେ ନାହିଁ ।’’

 

‘ଏହାର ଅର୍ଥ ?’ ଏତିକି କହି ବିଦ୍ୟୁପ୍ରଭା ସେ ଖେୟାଲୀ ଲୋକଟିକୁ ଅନାଇଲେ ।

 

ସେ କୌଣସି ଉତ୍ତର ନ ଦେଇ ପୂର୍ବଭଳି କହିଲା, ‘‘ମୁଁ ଆସୁଛି । ପୁଣି ଆଉ କେବେ ଆସିଲେ କପେ ଚା’ ପିଇବି ।’’ ଏତିକି କହିଦେଇ ଲୋକଟି ପଦାକୁ ଯିବାକୁ ଉପକ୍ରମ କଲାମାତ୍ରେ ବିଦ୍ୟୁପ୍ରଭା ଟିକିଏ ଅସହିଷ୍ଣୁ ଭାବ ପ୍ରକାଶ କରି କହିଲେ, ‘‘ଆପଣ ମୋଟେ ନ ଆସିବାହିଁ ଭଲ ।’’

 

ସେହି ସୃଷ୍ଟିଛଡ଼ା ମଣିଷଟି ଅବିଚଳିତ କଣ୍ଠରେ କହିଲା, ‘‘କପେ ଚା’ ଖୁଆଇ ମୋ ଉପରେ ଜୁଲୁମ ଆରମ୍ଭ କରିବାକୁ ମୋଟେ ଚେଷ୍ଟାକରନ୍ତୁ ନାହିଁ । ପାଟିରୁ ଦୁଇପଦ କଥା ଖର୍ଚ୍ଚ କରିପାରିଲେ କପେ ଚା’ ସବୁଠାରେ ମିଳେ; ମାତ୍ର ସ୍ନେହ ସବୁଠାରେ ମିଳେନାହିଁ ।’’

 

ଲୋକଟିର କଥା ଶୁଣି ବିଦ୍ୟୁପ୍ରଭା ଚମକି ପଡ଼ିଲେ । ସେ ମନେମନେ ଭାବିଲେ ମୁଁ ଯେ ତାକୁ ସ୍ନେହକରେ ଏହି କଥା ସେ ଜାଣିଲା କିପରି ? ସେ ପ୍ରକାଶ୍ୟରେ ପଚାରିଲେ, ‘‘ଆପଣ ସ୍ନେହ କଥା କ’ଣ କହୁଛନ୍ତି ?’’

 

ସଙ୍ଗେ ସଙ୍ଗେ ସେ ସହାସ୍ୟ ବଚନରେ ଜବାବ୍ ଦେଲା, ‘‘ମୁଁ ସ୍ନେହକଥା ମୋଟେ କହୁନାହିଁ । କେବଳ କହିବା ପାଇଁ କେହି କାହାକୁ ବାଧ୍ୟ ନ କଲେ କେହି ଉପରେ ପଡ଼ି କହେ ନାହିଁ-।’’

 

ବିଦ୍ୟୁପ୍ରଭା ଲୋକଟିକୁ ଏକ ଲୟରେ କେବଳ ଅନାଇଲେ । କିଛି ସମୟ କଟିଗଲା ପରେ ସେ କହିଲେ, ‘‘ମୁଁ ଯେ ଆପଣଙ୍କୁ ସ୍ନେହକରେ ତାହା ଆପଣ କିପରି ଜାଣିଲେ ?’’

 

‘‘ଏପ୍ରକାର ଅବାନ୍ତର ପ୍ରଶ୍ନ ମୋତେ ନ ପଚାରି ଆପଣ ନିଜକୁ ନିଜେ ପଚାରନ୍ତୁ । ଆପଣଙ୍କ ଅନ୍ତର ମଧ୍ୟରେ ଯେଉଁ ଆତ୍ମା ପୁରୁଷ ବିଦ୍ୟମାନ ସେ ଆପଣଙ୍କୁ ବୁଝାଇ ଦେବ । ଆପଣଙ୍କ ଜଟିଳ ପ୍ରଶ୍ନର ଉତ୍ତର ସେ ଅତି ସରଳ ଭାଷାରେ ଆପଣଙ୍କ ପାଖରେ ପ୍ରକାଶ କରିବ । ଆପଣ ତେବେ ଯାଇ ବୁଝିପାରିବେ ସ୍ନେହର ଅର୍ଥ କ’ଣ ?’’

 

ଏତିକି କହି ଲୋକଟି ପଦାକୁ ଚାଲିଗଲା । ଯିବାବେଳେ ନମସ୍କାରଟିଏ ପକାଇବାକୁ ସେଦିନ ସେ ବୋଧହୁଏ ଭୁଲି ଯାଇଥିଲା । ଅନେକ ଦିନ ପର୍ଯ୍ୟନ୍ତ ସେ ଲୋକଟିର ଦେଖା ମିଳିଲା ନାହିଁ । ପ୍ରତିଦିନ ଚା’ ଖାଇଲାବେଳେ ବିଦ୍ୟୁପ୍ରଭା ସେହି ଲୋକଟିକୁ ମନେମନେ ଖୋଜନ୍ତି । ଭାରି ସୁନ୍ଦର ମଣିଷଟି । କେବେ କିଛି କହେନାହିଁ । ଲୋଭନୀୟ ଆଖିରେ କେବେହେଲେ ମଧ୍ୟ ଅନାଏ ନାହିଁ । ତାହାର ମନ ନେବାକୁ ସେ ଯେତେପ୍ରକାର ଚେଷ୍ଟା କରନ୍ତି ତଥାପି ସେଥିପ୍ରତି ସେ ଭ୍ରୂକ୍ଷେପ ନ କରି କେବଳ ଚା’ ପିଇଦେଇ ଚାଲିଯାଏ । ତଥାପି ତାକୁ ବିଦ୍ୟୁପ୍ରଭାକୁ ଭଲଲାଗେ ।

 

ସେ ଲୋକଟି ତେବେ କ’ଣ ଆଉ ଆସିବ ନାହିଁ ?

 

ହଠାତ୍‍ ସେହି ଲୋକଟି ଦିନେ ଆସି ଜଲୁମ ଆରମ୍ଭ କଲା ଚା’ କପେ ପାଇଁ । ବିଦ୍ୟୁପ୍ରଭା ତାକୁ ଉଦାସ ନୟନରେ ଅନାଇ ପଚାରିଲେ, ‘‘ଆଜି କ’ଣ ଆଉ କେଉଁଠାରେ ଚା’ ଯୋଗାଡ଼ କରିପାରିଲେ ନାହିଁ ?’’

 

‘‘ସେତିକି କରିପାରିଥିଲେ ଏଠାକୁ ଆସିବାର କୌଣସି ଆବଶ୍ୟକତା ନ ଥିଲା । ଆସିଛି ଯେତେବେଳେ ଚା’ କପେ ନ ଖାଇ ଫେରିଗଲେ ନିହାତି କଥାଟା ଅସୁନ୍ଦର ହେବ । ତେଣୁ ଆପଣଙ୍କୁ ଜଞ୍ଜାଳ କରିବା କଥା ।’’ ଏତିକି କହି ଲୋକଟି ହସିବାକୁ ଆରମ୍ଭ କଲା ।

 

ବିଦ୍ୟୁପ୍ରଭା କୌଣସି ବାକ୍ୟ ବ୍ୟୟ ନ କରି ଚା’ ତିଆରି କରି ତା’ ହାତକୁ ବଢ଼ାଇ ଦେଲେ । ସେ ଏକ ନିଶ୍ୱାସରେ ଚା’ ତକ ପିଇଦେଇ ପୂର୍ବ ଭଳି କହିଲା, ‘‘ମୁଁ ଆସୁଛି ।’’

 

ବିଦ୍ୟୁପ୍ରଭା କହିଲେ, ‘‘ମୁଁ ପରା ଆପଣଙ୍କୁ ଦିନେ ମନାକରିଥିଲି ମୋଟେ ଆସିବେ ନାହିଁ ବୋଲି ।’’

 

‘‘ସେଥିପାଇଁ ଏତେଦିନ ଆସିନଥିଲି ।’’

 

‘‘ତେବେ ହଠାତ୍‍ ଶୁଭାଗମନର କାରଣ କ’ଣ ଜାଣିପାରେକି ?’’ ଏକ ନିଶ୍ୱାସରେ ଏତିକି ପଚାରିଲେ ବିଦ୍ୟୁପ୍ରଭା ।

 

‘‘କାରଣ ସେମିତି ବିଶେଷ କିଛି ନୁହେଁ । କେବଳ କପେ ଚା’ ।’’ ଏତିକି କହି ଲୋକଟି ଯିବାକୁ ଉଦ୍ୟତ ହେଲା ।

 

‘‘ଭଦ୍ରାମିର ସୀମା ଲଙ୍ଘନ କରନ୍ତୁ ନାହିଁ । ଆପଣ କ’ଣ କହିବାକୁ ଚାହାଁନ୍ତି ମୁଁ କେବଳ ଆପଣଙ୍କର ଚା’ କପ୍‍କର ବନ୍ଧୁ ?’’

 

‘‘ଅଧିକ ଆଶା କରିବା ଅନ୍ୟାୟ ନୁହେଁ କି ? ନାରୀର ମନ ନିମ୍ନଗାମୀ ନଦୀର ଜଳସ୍ରୋତ ପରି । ନଦୀ ତା’ର ବାଟରେ ଯାଉଁ ଯାଉଁ କେତେ କେତେ ଯେ ଚକାଭଉଁରୀ ସୃଷ୍ଟିକରେ ତାହା ନଦୀ ଜାଣେନାହିଁ । ଦେଖିଲା ଲୋକ ତାହା ଜାଣିପାରେ । ଠିକ୍‍ ସେହିପରି ନାରୀ ଯେତେବେଳେ କାହାକୁ ଭଲ ପାଇବାକୁ ଆରମ୍ଭ କରେ ସେ କୌଣସି ପ୍ରତିବନ୍ଧକକୁ ଭ୍ରୂକ୍ଷେପ କରେନାହିଁ । ମାତ୍ର ପରମୁହୂର୍ତ୍ତରେ ସେ ଚିନ୍ତା କରେ ତା’ର ସମାଜ, କୁଳ, ମାନ, ଖ୍ୟାତି, ଏମିତି କେତେ କ’ଣ । ତା’ପରେ ସେ ଅନୁଶୋଚନା କରେ । ପ୍ରେମକୁ ପାପ ବୋଲି କହେ । ସେଥିପାଇଁ ମୁଁ କପେ ଚା’ ବ୍ୟତୀତ ଅନ୍ୟ କିଛି ଆପଣଙ୍କ ପାଖରୁ କେବେ ଆଶା କରେନାହିଁ । ଆଚ୍ଛା ମୁଁ ତେବେ ଆସେ ।’’ ଏତିକି କହି ସେ ଲୋକଟି ଚାଲିଗଲା ।

 

ପଛରୁ ବିଦ୍ୟୁପ୍ରଭା ପାଟିକରି କହିଲେ, ‘‘ଏଠାରେ ଆପଣ ଖାଇବେ ଦେଖନ୍ତୁ ମୁଁ ଆପଣଙ୍କୁ ଅପେକ୍ଷା କରିଛି ।’’

 

କୌଣସି ଜବାବ୍ ନ ଦେଇ ଲୋକଟି ଚାଲିଗଲା । ବିଦ୍ୟୁପ୍ରଭା ପରିବା କାଟିବାରେ ମନ ନିବେଶ କଲେ । ସେ କେବଳ ଭାବୁଥିଲେ ସ୍ତ୍ରୀ କାହିଁକି ପ୍ରେମକୁ ପାପ ବୋଲି କହେ ? ପ୍ରେମ, ସ୍ନେହ, ଦୟା, କ୍ଷମା ଏସବୁ ଦେବଦୁର୍ଲ୍ଲଭ ବସ୍ତୁ । ଏ ସବୁ ବସ୍ତୁ କେବେ ପାପ ହୋଇନପାରେ । ପ୍ରକୃତରେ ସେ ଲୋକଟା କେଡ଼େ ଅଭଦ୍ର । କେଡ଼େ ଅଶ୍ଳୀଳ ତା’ର ମନବୃତ୍ତି । ଯେଉଁ ମଣିଷ ଭଲକୁ ଭେଲ କହେ, ଶିବକୁ ଅଶିବ କହେ ସେହି ଲୋକ କଳାନାଗଠାରୁ ମଧ୍ୟ ଭୟଙ୍କର । ସେପରି ମଣିଷକୁ ଘରେ ପୂରାଇବା ଅନୁଚିତ୍‍ । ସେହିଭଳି ଲୋକକୁ ପ୍ରଶ୍ରୟ ଦେବା ନିହାତି ଅଶୋଭନୀୟ । ଲୋକଟା ମୋଟ ନ ଆସନ୍ତା କି ।

 

ସମୟ ଗଡ଼ିଚାଲିଛି ତାହାର ବାଟରେ । ସେ କୌଣସି କଥାକୁ ହିସାବ ନିକାଶ କରିବାକୁ ବେଳ ପାଏ ନାହିଁ କିମ୍ବା ତାହା କରିବା ତା’ର ଅଭ୍ୟାସ ନୁହେଁ । ଯେତେ ଉଛୁର ହେଉଥାଏ ବିଦ୍ୟୁପ୍ରଭା ସେତେ ବ୍ୟସ୍ତହୋଇ ପଡ଼ୁଥିଲେ । ଲୋକଟା ବୋଧହୁଏ ଆସୁଥିବ । ଖାଇବା ବେଳ ଗଡ଼ିଗଲାଣି । ତଥାପି ରୋଷେଇ ସରିନାହିଁ । ସେ ଲୋକଟା କ’ଣ ଭାବିବ ? ସେ ଏଠାରେ ଖାଇବ ବୋଲି ତାକୁ ଯେ ନିମନ୍ତ୍ରଣ କରାଯାଇଛି ।

ତାକୁ ଅପେକ୍ଷା କରି କରି ବିଦ୍ୟୁପ୍ରଭାଙ୍କର ଆଖିର ପାଣି ଆଖିରେ ମରିଗଲା ତଥାପି ଲୋକଟା ଆସିଲା ନାହିଁ । ବିଦ୍ୟୁପ୍ରଭା ଅସ୍ୱସ୍ତି ଅନୁଭବ କଲେ । ଇସ୍ ଲୋକଟାର ଟିକିଏ ହେଲେ ମଧ୍ୟ ସାଧାରଣଜ୍ଞାନ ନାହିଁ । ଭଦ୍ରାମିର ଚିହ୍ନ ବର୍ଣ୍ଣ ଟିକିଏ ହେଲେ ମଧ୍ୟ ତା’ ପାଖରେ ନାହିଁ । ଏମିତି ହୃଦୟହୀନ ମଣିଷ ପୁଣି ଦୁନିଆରେ ଥାଆନ୍ତି ?

ସେହି ଲୋକଟି କଥା ଚିନ୍ତା କରୁ କରୁ ହଠାତ୍ ସ୍ୱାମୀଙ୍କ କଥା ତାଙ୍କର ମନେପଡ଼ିଗଲା । ଚମକି ସେ ପଡ଼ିଲେ ଅସମ୍ଭବ ଭାବରେ । ସେ ଯେ ହିନ୍ଦୁ ପରିବାରର କୁଳବଧୁ । ହିନ୍ଦୁରମଣୀର ସର୍ବସ୍ୱ ହେଉଛି ତାହାର ସ୍ଵାମୀ । ସେ ଆଜି ଅନ୍ୟ ପୁରୁଷ କଥା ମନରେ ଚିନ୍ତା କରୁଛନ୍ତି କାହିଁକି ? ସତୀତ୍ୱ ତାଙ୍କର ନଷ୍ଟ ହୋଇଯିବ ନାହିଁ ? ମନକୁ ସବଳ କରିବା ପାଇଁ ଓ ସତୀତ୍ୱକୁ ପଣତକାନିରେ ବାନ୍ଧିରଖିବା ପାଇଁ ସେ ବାରମ୍ବାର ମନମଧ୍ୟରେ ଆବୃତ୍ତି କରିବାକୁ ଲାଗିଲେ ‘ପତି ପରମ ଗୁରୁ ।’

ପୁଣି ଘଣ୍ଟାକୁ ଅନାଇଲେ । ଚାରି ବାଜିବାକୁ ପନ୍ଦର ମିନିଟ୍ ଥାଏ ବାକି ।

ହୁଏତ ଲୋକଟା ଏହା ମଧ୍ୟରେ ଆସିଯାଇପାରେ ? ତଥାପି ଲୋକଟା ଆସିଲା ନାହିଁ । ବିଦ୍ୟୁପ୍ରଭାଙ୍କ ଆଖି କୋଣରୁ ଦୁଇଟୋପା ଅଶ୍ରୁବିନ୍ଦୁ ତଳକୁ ଗଡ଼ିଆସିଲା । ସେ ପଣତରେ ଲୁହ ପୋଛି ମନକୁ ମନ କହିଲେ ପର ପାଇଁ ଏତେ ହାଇଁପାଇଁ ହେବାରେ ଲାଭ କ’ଣ ? ଘରେ ତା’ର ସ୍ୱାମୀ ଅଛନ୍ତି । ସ୍ୱାମୀ ହେଉଛନ୍ତି ଇହ ଓ ପରକାଳର ଦେବତା । ହିନ୍ଦୁ ସ୍ତ୍ରୀର ସ୍ୱାମୀ ବ୍ୟତୀତ ଅନ୍ୟ କେହି ଆପଣାର ହୋଇନପାରେ । ସ୍ୱାମୀ ହେଉଛନ୍ତି ସ୍ତ୍ରୀର ଭଗବାନ । ତେଣୁ ପତିବ୍ରତା ନାରୀ ପତି ବ୍ୟତୀତ ଅନ୍ୟ କାହାକୁ ଚିନ୍ତା କରିବା ମହାପାପ ।

ସ୍ୱାମୀ ସମ୍ବନ୍ଧରେ ଅନେକ ଉଚ୍ଚ ଚିନ୍ତା କରିବା ପରେ ବିଦ୍ୟୁପ୍ରଭାଙ୍କର ମନ ଛାଏଁ ଛାଏଁ ଦୁର୍ବଳ ହୋଇଗଲା । ପୁରାଣ ଶାସ୍ତ୍ରର ନୀତିବାକ୍ୟ ତାଙ୍କର ମନେପଡ଼ିଲା । ସ୍ତ୍ରୀର ରକ୍ଷାକର୍ତ୍ତା ହେଉଛି ତା’ର ସ୍ୱାମୀ । ତେଣୁ ସେ ସ୍ତ୍ରୀର ମଥାର ଦେବତା ।

କେଉଁପରି ସ୍ୱାମୀ ସ୍ତ୍ରୀର ଦେବତା ? ସ୍ୱାମୀ ହୋଇଗଲେ କ’ଣ ଦେବତା ହୋଇଯିବେ-? ଦେବତାର ଯେତିକି ସଦ୍‍ଗୁଣ ଅଛି ସ୍ୱାମୀ ମଧ୍ୟ ସେତିକି ସଦ୍‍ଗୁଣସମ୍ପନ୍ନ ହେବା ଉଚିତ୍ । ନଚେତ୍‍ ସେ ସ୍ତ୍ରୀର କେବେ ନମସ୍ୟ ହୋଇପାରିବ ନାହିଁ ।

ଯେଉଁ ସ୍ୱାମୀ ଆଗରେ ସ୍ତ୍ରୀ ଲାଞ୍ଛନା ଭୋଗ କଲେ ମଧ୍ୟ ସ୍ୱାମୀ ପାଟିରୁ ଦୁଇପଦ କଥା ଫିଟେନାହିଁ, ଯେଉଁ ସ୍ୱାମୀ ସ୍ତ୍ରୀର ମନ ବୁଝି ଜାଣେ ନାହିଁ, ପ୍ରେମିକର ସ୍ନେହ ସ୍ତ୍ରୀକୁ ଦେଇପାରେ ନାହିଁ, ସେହିଭଳି ସ୍ୱାମୀକୁ ଦେବତାର ଆସନରେ ବସାଇ ଦେବତାର ସମ୍ମାନ କେବେ ସ୍ତ୍ରୀ ଦେଇପାରେ କି ?

ନିଜର ସୌନ୍ଦର୍ଯ୍ୟ ବଢ଼ାଇବାକୁ ସ୍ତ୍ରୀ ଗାଧୋଇସାରି କପାଳରେ ସିନ୍ଦୂର ପିନ୍ଧେ । ସିନ୍ଦୂର ପିନ୍ଧିସାରି ସ୍ୱାମୀର ଦୀର୍ଘଜୀବନ କାମନା କରିବାକୁ ଭଗବାନଙ୍କୁ ଡାକେ । ଏହାର କାରଣ ସୌନ୍ଦର୍ଯ୍ୟକୁ ଅତୁଟ ରଖିବାକୁ ।

ପୁଣି ସେହି ଲୋକଟିକୁ ବିଦ୍ୟୁପ୍ରଭା ମନେପକାଇଲେ । ଇସ୍ ଲୋକଟା କେଡ଼େ ଜିଦଖୋର । ତା’ ଭଳି ଜିଦଖୋର ପୁରୁଷର ହାତଧରି ତା’ର ସ୍ତ୍ରୀଟା କେତେ ଦହଗଞ୍ଜ ହେଉନଥିବ ? ସ୍ତ୍ରୀ ଏହିଭଳି ପୁରୁଷକୁ କ’ଣ ଭଲପାଇପାରେ ? ଏହି ଗୋଟିଏ ପ୍ରଶ୍ନ କେବଳ ସେଦିନ ବିଦ୍ୟୁପ୍ରଭାଙ୍କ ମନରେ ସ୍ଥାନ ପାଇଲା ।

ସେ ନିଜର ସ୍ୱାମୀଙ୍କ ସଙ୍ଗେ ସେହି ପୁରୁଷଟିକୁ ତୁଳନା କଲେ । ତାଙ୍କର ସ୍ୱାମୀ କେଡ଼େ ଭଦ୍ର । କେତେ ଉଦାର ପ୍ରକୃତିର ମଣିଷ ହେଉଛନ୍ତି ତାଙ୍କର ସ୍ୱାମୀ । ନାକ କାଟିଦେଲେ ମଧ୍ୟ ସହଜରେ ବଚନ ବାହାରିବ ନାହିଁ । ଯେତେ ଯାହାହେଲେ ମଧ୍ୟ ସେ କେବେ ବିଦ୍ୟୁପ୍ରଭାକୁ ହତାଦର କରନ୍ତି ନାହିଁ । ସେ ବିଦ୍ୟୁପ୍ରଭାଙ୍କ ରୂପ ଦେଖି ପାଗଳ ହୋଇ ଶେଷରେ ମୂକ ପାଲଟି ଯାଇଛନ୍ତି । ସତରେ କେଡ଼େ ସୁନ୍ଦର ମଣିଷ ତାଙ୍କର ସ୍ୱାମୀ !!!

ବିଦ୍ୟୁପ୍ରଭା ମନେମନେ ସ୍ଥିର କଲେ ଯେ ସେ କେବେହେଲେ ଆଉ ଦିନକ ପାଇଁ ସେହି ସୃଷ୍ଟିଛଡ଼ା ମଣିଷଟାର କଥା ଚିନ୍ତା କରିବେ ନାହିଁ । ସେ ମଣିଷଟା ତାଙ୍କର କିଏ କି ? ସେ ଲୋକଟା ନ ଆସିବା ହିଁ ଭଲ । ଅନ୍ତତଃ ଚା’ କପ୍‍ଟିଏ ତ ରହିଗଲା ।

ଦିନେ ଗୋଧୂଳିରେ ସେହି ଲୋକଟି ପୁଣି ଆସିଲା ଓ ବିଦ୍ୟୁପ୍ରଭାଙ୍କୁ ଚା’ କପେ ପାଇଁ ଅନୁରୋଧ କଲା ।

‘ଆପଣ ଆଉ ଆସିବେ ନାହିଁ ’ ଏହିକଥା ସିଧାସଳଖ ସେଦିନ ତାଙ୍କର କହିବାକୁ ଇଚ୍ଛା ହେଉଥିଲା । ମାତ୍ର ସେ ପାଟି ଖୋଲି କହିପାରିଲେ ନାହିଁ । କାଳେ ଲୋକଟା କ’ଣ ଭାବିବ ? ପୁଣି ଯଦି ଆଉ ନ ଆସେ ? ଏହି ଆଶଙ୍କାରେ ସେ କିଛି କହିଲେ ନାହିଁ ।

ଲୋକଟା ଚା’ ପିଇଦେଇ ଯିବାକୁ ବାହାରିଲା ।

 

ବିଦ୍ୟୁପ୍ରଭା ତାକୁ କହିଲେ, ‘‘ଚା କପେ ଏଠାକୁ ଆସି ନ ଖାଇଲେ କ’ଣ ଭାରତ ଅଶୁଦ୍ଧ ହୋଇଯିବ ? ଏମିତି ମଣିଷ ମୋଟେ ନ ଆସିବା ହିଁ ଭଲ ।’’

 

ସେ ଲୋକଟା କେବଳ ହସିଲା । ସେ ହସରେ ଯେ କ’ଣ ଅର୍ଥଥିଲା ତାହା କେବଳ ତାକୁ ଜଣା । ବିଦ୍ୟୁପ୍ରଭାଙ୍କର ଇଚ୍ଛା ହେଉଥିଲା ସେ ଲୋକଟିର ଦୁଇ ଗାଲରେ ଦୁଇ ଚାପୁଡ଼ା ବସାଇ ବିଦା କରିଦେବାକୁ । ମାତ୍ର ତାହା ସେ କରିପାରିଲେ ନାହିଁ ।

 

ମଣିଷ ଯାହା କରିବାକୁ ଭାବେ ସେତିକି ଯଦି ସେ କାର୍ଯ୍ୟରେ ପରିଣତ କରିନପାରେ ବୋଧହୁଏ ତା’ର ଜୀବନରେ ପୂର୍ଣ୍ଣତା ଆସେ ନାହିଁ । ତେବେ ଲୋକଟା ଗାଲରେ ଦୁଇଟା ଗରମ ଚାପୁଡ଼ା ଆଉ ଥୋଇଦେବ କି ? ଏହା ଭାବୁଛନ୍ତି ହଠାତ୍ ଲୋକଟା କହିଲା ‘‘ଆଚ୍ଛା ଆସୁଛି ।’’

 

‘‘ଆପଣ ନ ଆସିଲେ କ’ଣ ଚଳିବ ନାହିଁ ? ଆପଣଙ୍କ ଭଳି ହୃଦୟହୀନ ଲୋକ ନ ଆସିବା ହିଁ ଭଲ ।’’ ଏତିକି କହିଲେ ବିଦ୍ୟୁପ୍ରଭା ।

 

ସେଦିନ ଲୋକଟାର ପାଟିରୁ ଗଡ଼ରେଜ୍ ତାଲାଟା ହଠାତ୍‍ ଖୋଲିଗଲା । ସେ ଅପୂର୍ବ ଉତ୍ସାହର ସହିତ ଆରମ୍ଭ କଲା, ‘‘ଦେଖନ୍ତୁ ଆପଣ ସବୁବେଳେ ମୋତେ ଅପେକ୍ଷା କରୁଛନ୍ତି । ମୋତେ ଦେଖିଲେ ରାଗରେ ଜଳିଯାଉଛନ୍ତି । କିନ୍ତୁ ଆପଣଙ୍କର ମନେରଖିବା ଉଚିତ ଯେ ମୁଁ ନିର୍ବୋଧ ପୁରୁଷ ପରି ସ୍ତ୍ରୀକୁ ଭଲପାଇ ଜାଣେନାହିଁ । ସ୍ତ୍ରୀର ଅନ୍ତର ମୁଁ ଚିହ୍ନେ । ସ୍ତ୍ରୀ ଜାତିର ମୁଖର ଭାଷାକୁ ମୁଁ ବିଶ୍ୱାସ କରିପାରେ ନାହିଁ । ସ୍ତ୍ରୀର ହୃଦୟର ଭାଷା ମୁଁ ବୁଝିପାରେ ବୋଲି ମୁଁ ଦେଖିଲା ମାତ୍ରେ ତାକୁ ଚିହ୍ନିପାରେ । ତେଣୁ ମୁଁ ଯେତିକି ବୁଝିଛି କେବଳ ସେତିକି କହୁଛି । ସ୍ତ୍ରୀ ପାଖରେ ସ୍ନେହ ଓ ପ୍ରେମର ମୂଲ୍ୟ ନିହାତି ତୁଚ୍ଛ । ସ୍ୱାମୀକୁ ମସ୍ତକରେ ଧାରଣ କରିବାକୁ ସେ ଯେତେ ଆନନ୍ଦ ନ ପାଏ ତାକୁ ପଦତଳରେ କ୍ରୀତଦାସରୂପେ ଖଟାଇବାକୁ ସେ ସେତେ ଆନନ୍ଦ ପାଏ । ଏଣୁ ସ୍ୱାମୀ ସ୍ତ୍ରୀ ଆଖିରେ ମୋଟେ ବଡ଼ ଜିନିଷ ନୁହେଁ । ଯେ ତାକୁ ଶାଢ଼ି, ଶଙ୍ଖା ଦେଲା ସେ ହେଲା ତା’ର ସ୍ୱାମୀ । ଅଯୋଗ୍ୟ ସ୍ୱାମୀର କଥା ନ କହିବା ହିଁ ଭଲ, ସେ ସ୍ତ୍ରୀ ଆଖିରେ କୁକୁରଠାରୁ ମଧ୍ୟ ନ୍ୟୁନ ।’’

 

ସେଦିନ କହୁଁ କହୁଁ ଲୋକଟା ଅନେକ କିଛି କହିଗଲା । ବିଦ୍ୟୁପ୍ରଭା ସବୁ ନିରବରେ ସହ୍ୟ କରିଗଲେ । ପାଟି ଫିଟାଇ କିଛି କହିପାରିଲେ ନାହିଁ । କେବଳ ସେ ପଚାରିଲେ, ‘‘ଆପଣଙ୍କ ଭଳି ସ୍ୱାମୀଙ୍କୁ ଆପଣଙ୍କ ସ୍ତ୍ରୀ କିପରି ଭଲପାଆନ୍ତି ?’’

 

ସେ ଲୋକଟି ସଙ୍ଗେ ସଙ୍ଗେ ଜବାବ୍ ଦେଲା, ‘‘ସେ ମୋତେ ଭଲପାଏ କି ନାହିଁ ତାହା ମୁଁ ବୁଝିବାକୁ ମୋଟେ ଚେଷ୍ଟା କରେନାହିଁ । ତେବେ ଏତିକି ଜାଣେ ଯେ ସେ ମୋତେ କେବେହେଲେ ଅବହେଳା କରେନାହିଁ । ମନ ମଧ୍ୟରେ ଘୃଣାକରି ଅଧରରେ ହସଫୁଟାଇ ‘ମୁଁ ତୁମକୁ ଭଲପାଏ’ ବୋଲି ସେ କେବେହେଲେ କହେନାହିଁ । ମୋ ଭଳି ଉଦ୍ଧତ ପୁରୁଷର ଦୌରାତ୍ମ୍ୟ ଯେଉଁ ସ୍ତ୍ରୀ ସହ୍ୟ କରିବାକୁ ଅଭ୍ୟସ୍ତ ହୋଇଗଲାଣି ସେ ମୋତେ ଘୃଣା କରିବାକୁ ଅବସର ପାଇବ କୁଆଡ଼ୁ-?’’

 

‘‘ଆପଣଙ୍କ ସ୍ତ୍ରୀ ଯେ ଆପଣଙ୍କୁ ଘୃଣାକରନ୍ତି ନାହିଁ ଏକଥା ଆପଣ ଜାଣିଲେ କିପରି ?’’ ପଚାରିଲେ ବିଦ୍ୟୁପ୍ରଭା ।

 

‘‘ଆପଣଙ୍କୁ ଦେଖି ମୁଁ ଜାଣି ପାରୁଛି ।’’ ସଙ୍ଗେ ସଙ୍ଗେ ଲୋକଟି ଜବାବ୍‍ ଦେଲା ।

 

ବିଦ୍ୟୁପ୍ରଭା ଲୋକଟାର କଥା ଶୁଣିଲାକ୍ଷଣି ଲାଜରେ ଲାଲ ପଡ଼ିଗଲେ । ସେ କୃତ୍ରିମ କ୍ରୋଧ ପ୍ରକାଶ କରି କହିଲେ, ‘‘ଆପଣ ଏଠାରୁ ଚାଲିଯାଆନ୍ତୁ । ଆଉ ଯେପରି ଦିନକ ପାଇଁ ଏଠାରେ ଆପଣଙ୍କର ପାଦନପଡ଼େ । ଏଟା ହେଉଛି ଭଦ୍ରଲୋକର ଘର ।’’

 

ତଥାପି ଲୋକଟାର କୌଣସି ପରିବର୍ତ୍ତନ ହେଲାନାହିଁ । ସେ କେବଳ ଫିକା ହସଟିଏ ହସି ଦେଇ କହିଲେ, ‘‘ଚା କପେ ଆପଣଙ୍କର ରହିଗଲା । ଆଚ୍ଛା ନମସ୍କାର ।’’

 

ଏତିକି କହିଦେଇ ସେଦିନ ଲୋକଟି ବାହାରିଗଲା ।

 

ସେ ଲୋକଟି ମୋଟେ ଆଉ ଫେରିନାହିଁ । ଫେରିବାର ଆବଶ୍ୟକତା ବୋଧହୁଏ ନ ଥିଲା । ମଣିଷ ମଣିଷକୁ ଥରେ ଚିହ୍ନିଗଲେ ଆଉ ଚିହ୍ନିବାର ଆବଶ୍ୟକତା ବୋଧହୁଏ ନଥାଏ । ସେଥିପାଇଁ କ’ଣ ସେ ଲୋକଟି ଆଉ ଆସୁନାହିଁ ? ଏହି କଥା ପ୍ରତିଦିନ ଚା’ ଖାଇଲାବେଳେ ବିଦ୍ୟୁପ୍ରଭାଙ୍କର ମନେପଡ଼େ ।

 

ସେହି ସୃଷ୍ଟିଛଡ଼ା ମଣିଷଟିକୁ ବିଦ୍ୟୁପ୍ରଭା ମୋଟେ ମନ ମଧ୍ୟରୁ ଅନ୍ତର କରି ଦେଇପାରନ୍ତି ନାହିଁ । ସେହି ଲୋକଟାର ବନ୍ଧୁତ୍ୱ ସେ କାମନା କରନ୍ତି । ସେହି ଉଦ୍ଧତ ଲୋକଟିକୁ ତାକୁ ଭାରି ଭଲଲାଗେ । ସେହି ଅଦ୍ଭୁତ ମଣିଷଟିର ସ୍ନେହ ଅପେକ୍ଷା ତାହାର ହତାଦରକୁ ସେ ବେଶି ପସନ୍ଦ କରନ୍ତି । ଯେ ହତାଦର କରି ନ ଜାଣେ, ସେ ସ୍ନେହକରି ଜାଣିବ କୁଆଡ଼ୁ ? ଏତିକି ଭାବନ୍ତି ବିଦ୍ୟୁପ୍ରଭା ।

 

ନା, ସେ ଲୋକଟା ଆଉ କେବେହେଲେ ଫେରିବ ନାହିଁ । ଯଦି ଏ ଜନ୍ମରେ ଆଉ କେବେ ସାକ୍ଷାତ ଘଟେ ସେ ନିଶ୍ଚୟ ତାକୁ କହିବେ, ‘‘ମୁଁ ତୁମକୁ ମୋର ସର୍ବସ୍ୱ ବିନିମୟରେ ଭଲପାଏ । ମୋର ଅଜ୍ଞାତସାରରେ ମୁଁ ତୁମକୁ ମୋର ଦେହ, ମନ ଓ ହୃଦୟ ଅର୍ପଣ କରିଦେଇଛି । ତୁମେ ଯେ ମୋର କିଏ ତାହା ମୁଁ ଜାଣେନାହିଁ, ହୁଏତ ତୁମେ ଜାଣିଥିଲେ ଜାଣିଥିବ ।’’

 

ପୁଣି ମନକୁ ମନ ସେ ପ୍ରଶ୍ନ କରନ୍ତି ଯଦି ଏ ଜନ୍ମରେ ସେ ଲୋକଟା ସଙ୍ଗରେ ତାଙ୍କର ସାକ୍ଷାତ ନ ଘଟେ ତେବେ ଯେଉଁକଥା ତାଙ୍କର ନିଭୃତତମ ପ୍ରଦେଶରେ ସେ ସାଇତି ରଖିଛନ୍ତି ସେ କଥା କ’ଣ ଅକୁହା ହୋଇ ରହିଯିବ ?

 

ଗୋଟିଏ ଜନ୍ମରେ କ’ଣ ମଣିଷ ଜନ୍ମ ଶେଷ ହୋଇଯାଏ ? ସେ ପୁଣି ଆଉଥରେ ସଂସାରକୁ ଆସେ ନାହିଁ କି ?

 

ପରଜନ୍ମରେ ଏହି ମଣିଷଟିକୁ ଯଦି ବିଦ୍ୟୁପ୍ରଭା ଆଉ କେଉଁଠାରେ ଦେଖନ୍ତି ସେ ନିଶ୍ଚୟ କହିବେ ଏହି ସୃଷ୍ଟିଛଡ଼ା ମଣିଷଟି ତାଙ୍କର ଦେହକୁ ଆଘାତ ଦେଇଥିଲା । ମନକୁ କ୍ଷତବିକ୍ଷତ କରିଥିଲା । ତାଙ୍କର ଗର୍ବର ଅଟ୍ଟାଳିକାକୁ ଭାଙ୍ଗିଚୂରି ଧୂଳିରେ ମିଶାଇ ଦେଇଥିଲା । ତଥାପି ଏହି ମଣିଷଟିକୁ ତାଙ୍କୁ ଭଲଲାଗେ ଓ ତାହାର ଛାତି ତଳରେ ଶୋଇରହି ନାରୀ ଜନ୍ମର ସାର୍ଥକତା ଉପଭୋଗ କରିବାକୁ ସର୍ବଦା ଲାଳାୟୀତା ।

 

ପରକ୍ଷଣରେ ସେ ଚମକି ପଡ଼ିଲେ । ସେ ଭାବୁଛନ୍ତି କ’ଣ ? ସେ ଯେ ଗୋଟିଏ ରକ୍ଷଣଶୀଳ ହିନ୍ଦୁ ପରିବାରର କୁଳବଧୂ । ହିନ୍ଦୁରମଣୀ ଦୁନିଆରେ କିଛି ବୁଝେନାହିଁ । ସେ ପ୍ରେମକୁ କେବେ ଦେବତାର ଆଶୀର୍ବାଦ ବୋଲି ସ୍ୱୀକାର କରିବାକୁ ରାଜି ନୁହେଁ । ସେ କେବଳ ଜାଣେ ଏହି ଦେହଟା ଅପବିତ୍ର ହୋଇଗଲେ ତା’ର ସତୀତ୍ୱ ନଷ୍ଟ ହୋଇଯାଏ । ସେଥିପାଇଁ ଅଗ୍ନିଦେବତାଙ୍କୁ ସାକ୍ଷୀ ରଖି ଏହି ଦେହଟା ପାଇଁ ସେ ଘରସଂସାର କରେ ଏବଂ ଦେହଟା ଦେଇ ସ୍ୱାମୀକୁ ସନ୍ତୁଷ୍ଟ କରିଥାଏ ।

 

ସେହି ସୃଷ୍ଟିଛଡ଼ା ମଣିଷଟିପାଇଁ ଆଜି ତାଙ୍କର ସବୁ ନଷ୍ଟ ହୋଇଗଲା । ଯେତେ ଚେଷ୍ଟାକଲେ ମଧ୍ୟ ସେ ମଣିଷଟିକୁ ମୋଟେ ଘୃଣା କରିହୁଏ ନାହିଁ । କି ଅଦ୍ଭୁତ ସେ ମଣିଷଟା ! ଏମିତି ମଣିଷ ପୁଣି ଦୁନିଆରେ ଅଛନ୍ତି ?

 

ତଥାପି ସେହି ଲୋକଟିର କଥା ଚିନ୍ତା କରିବାକୁ ବିଦ୍ୟୁପ୍ରଭାକୁ ଭଲଲାଗେ । ସେ ଲୋକଟାର କଥା ଯେପରି ସୃଷ୍ଟିଛଡ଼ା, ଚେହେରାଟା ମଧ୍ୟ ସେହିପରି ସୃଷ୍ଟିଛଡ଼ା । ଚାଲିଚଳନ ତହିଁରୁ ବଳେ । ଇସ୍, କେଡ଼େ ଜଘନ୍ୟ ସେ ଲୋକଟା । ଏମିତି ଲୋକକୁ ଦୟା ଦେଖାଇ ମଧ୍ୟ ହୁଏ ନାହିଁ । ଏମିତି କେତେ କ’ଣ ଭାବନ୍ତି ବିଦ୍ୟୁପ୍ରଭା ।

 

ସେ ଲୋକଟା ହନ୍ତସନ୍ତ କରି ତାଙ୍କୁ ମାରିବା ପାଇଁ କ’ଣ ଦୁନିଆରେ ଜନ୍ମ ହୋଇଥିଲା-? ମଣିଷ ଭିତରେ ଏମିତି ସୟତାନ୍‍ ମଧ୍ୟ ଅଛନ୍ତି ? ଏହି କେତୋଟି ପ୍ରଶ୍ନର ସମାଧାନ ବିଦ୍ୟୁପ୍ରଭା ଆଉ ଏ ଜୀବନ ମଧ୍ୟରେ ଯେ କରିପାରିବେ ନାହିଁ ସେତିକି ତାଙ୍କର ଦୁଃଖ ରହିଗଲା ।

Image

 

ସୁନା ପ୍ରତିମାର ଛାଇ

 

ଏହି ଦୁନିଆରେ ସମସ୍ତଙ୍କର ଅଧିକାର ସମାନ । ସରିତା ନିଜର ଦାବି ନିଜେ ଯଦି ସାବ୍ୟସ୍ତ କରେ କିଏ ବା କାହିଁକି ତାହାକୁ ଖରାପ ଭାବିବ ?

 

ଏହି ସରିତା ହେଉଛି ଭାଉଜ ବୋହୂଙ୍କର ଦୂରସମ୍ପର୍କୀୟା ଲେଖାଯୋଖା ଭଉଣୀ । ଟୁନୁର ଜନ୍ମଦିନଠାରୁ ଆମେ ଦୁହେଁ ଦୁହିଁଙ୍କୁ ଅତି ନିକଟରେ ପାଇଛୁଁ । କାହାରି ମନରେ କାହାରି ପ୍ରତି ଅବିଶ୍ୱାସ ନାହିଁ ।

 

ସରିତା ଯଥେଷ୍ଟ ଅପ୍ରଗଳ୍‍ଭା । ତା’ର ଆଖି ତଳେ ଫୁଟି ଉଠିଥାଏ ଅସ୍ୱସ୍ତିର ଦାଗ । ସେ ଜୀବନକୁ ଉପଭୋଗ କରିବାକୁ ଚାହେଁ, ମାତ୍ର ସେ ଖୋରାକ କେହି ତାକୁ ଯୋଗାଇ ପାରିନାହାନ୍ତି । ତଥାପି ଭାଉଜ ଭ୍ରାନ୍ତ ଧାରଣା ପୋଷଣକରି ସରିତାକୁ ତାରିଫ୍ କରି କହନ୍ତି, ‘‘ସରିତା ! ତୁ ସଂସାରରେ ସୁଖୀ । ପୂର୍ବରୁ ସୁକୃତି ନ ଥିଲେ ଏ ସୌଭାଗ୍ୟ କ’ଣ ସହଜରେ କାହାରି କପାଳରେ ଯୁଟେ ? ସତରେ ତୋତେ ଦେଖିଲେ ମନରେ ହିଂସା ହୁଏ ।’’

 

ଭାବିଲି ହାୟ ଭାଉଜ ! ତୁମେ ଦୁନିଆ କ’ଣ ବୁଝ ? ଧନ, ଦୌଲତ, କୋଠା-ବାଡ଼ି, ଏହା ଯଦି ଦୁନିଆରେ ସବୁଠାରୁ ଲୋଭନୀୟ ବସ୍ତୁ ହୋଇଥାଏ ତେବେ ସରିତାକୁ ପଚାର, ସେ ଆଜି ବ୍ୟଥିତ ହୃଦୟରେ ଦୁନିଆକୁ ତର୍ଜମା କରି କହୁଛି ସୁନା ପ୍ରତିମାର ଛାଇ ମଧ୍ୟ କଳା । ସେ ଯେ କାହିଁକି ଏହା କହେ ତାହା ବୁଝିବାକୁ ଭାଉଜ ଚେଷ୍ଟା ମଧ୍ୟ କରିବେ ନାହିଁ । ସେ କେବଳ ସରିତାକୁ ହିଂସା କରିପାରିବେ ଯେହେତୁ ସେ ସରିତାଠାରୁ ଯଥେଷ୍ଟ ଅସୁନ୍ଦରୀ ।

 

ମୁଁ ସରିତାକୁ କେବେ କେବେ ସାନ୍ତ୍ୱାନା ଦେବାକୁ ଚେଷ୍ଟାକରେ । ସେ କିଛି ବୁଝେନାହିଁ । ସେ କେବଳ କହେ ତୁମେ ପୁରୁଷ, ନାରୀର ହୃଦୟ ତୁମେ ବୁଝିବାକୁ ଅକ୍ଷମ ।

 

ସରିତା ମୋର ପୌରୁଷକୁ ଧିକ୍‍କାର କରେ ଯେହେତୁ ସେ ତା’ର ନାରୀତ୍ୱର ମର୍ଯ୍ୟାଦା ଅଦ୍ୟାବଧି କୌଣସି ପୁରୁଷ ପାଖରୁ ପାଇନାହିଁ । ସେ ପୁରୁଷକୁ ଦେଖିଲାମାତ୍ରେ ନିଶ୍ଚୟ ଘୃଣା କରୁଥିବ । ମୁଁ ହୁଏତ ସେଥିରୁ ବାଦ୍ ମଧ୍ୟ ପଡ଼ୁନଥିବି ।

 

ଆମେ ଦୁହେଁ ଅନେକ ସମୟ ଧରି ଜୀବନକୁ ବିଶ୍ଳେଷଣ କରୁଁ । ମୁଁ କହିଯାଏ ସେ କେବଳ ଶୁଣେ ଓ ମଝିରେ ମଝିରେ ସେ କେବଳ ଦୀର୍ଘଶ୍ୱାସ ପକାଏ । ତାକୁ ମୁଁ ଅନେକ ସମୟରେ କହେ, ‘‘ମୋ କଥାରେ ଯଦି ତୁମେ ଦୁଃଖ ପାଇଥାଅ ମୋତେ ତୁମେ କ୍ଷମା କରିବ ।’’

 

ତା’ର ପଣ୍ଡୁର ମୁହଁରେ ହସର ରେଖା ଫୁଟେ । ସେ ବିଚଳିତ ହୋଇ କହେ, ‘‘ଆପଣଙ୍କ କଥା ଶୁଣିବାକୁ ମୋତେ ଭାରି ଭଲଲାଗେ । ସତରେ ଆପଣ କେଡ଼େ ଉଦାର ।’’

 

‘‘ଥାଉ, ଅଯଥା ପ୍ରଶସ୍ତିଗାଇ ସମୟ ବୃଥାରେ ଆଉ ନଷ୍ଟ କରନାହିଁ । ଦୟାକରି କପେ ଚା’ର ଯଦି ଆୟୋଜନ କରନ୍ତି ଭାରି ଭଲ ହୁଅନ୍ତା ।’’

 

ସରିତା ଚା’ ତିଆରି କରିବାକୁ ଚାଲିଗଲା । ସାମାନ୍ୟ କେତେ ମିନିଟ୍‍ ପାଇଁ । ମୋତେ ଜଣାଗଲା ତାହା ଯେପରି ଗୋଟାଏ ଯୁଗ । ସରିତା ଚା’ ନେଇ ଫେରିଆସିଲା ।

 

ସେ ମୋ ହାତକୁ ଚା’ ବଢ଼ାଇଦେଲା ବେଳେ ମୋର ଅଙ୍ଗୁଳି ସ୍ପର୍ଶ ସେ ତା’ ଦେହରେ ଅନୁଭବ କଲା ।

 

ତା ମୁହଁରେ ହଠାତ୍‍ ଭାବନାର ଛାୟା ଖେଳିଗଲା ।

 

ପଚାରିଲି, ‘‘କ’ଣ ଭାବୁଛ ?’’

 

‘‘ଯାହାର ଭାଷା ଏତେ ମଧୁର ତାହାର ସ୍ପର୍ଶ...।’’

 

‘ଓଃ, ତୁମେ ମଧ୍ୟ ଥଟ୍ଟା କରି ଜାଣ ।’

 

ସରିତାର ଆଖି-କୋଣରେ ଲୁହ ଢଳ ଢଳ କଲା । ମୁଁ ନ ଦେଖିଲା ଭଳି ମୁହଁ ବୁଲାଇ ପଚାରିଲି, ‘‘ଗାଁ କୁ କେବେ ଯାଉଛ ?’’

 

ଗାଁ କଥା ଶୁଣି ସରିତା ଚମକିପଡ଼ିଲା । କହିଲି, ‘‘ହଁ, ଯେଉଁଠାରେ ତୁମ୍ଭର ପତିଦେବତା ସ୍ୱୟଂ ଦାରୁବ୍ରହ୍ମ ରୂପରେ ବିଦ୍ୟମାନ ।’’

 

ସରିତା ଭୟରେ ଥରିଉଠିଲା । ପଚାରିଲା, ‘‘ଆପଣ କାହିଁକି ଏ କଥା କହୁଛନ୍ତି ? ମୋର ସ୍ୱାମୀକୁ ଥଟ୍ଟା କରିବାର ଅଧିକାର ଆପଣଙ୍କୁ କିଏ ଦେଲା ? ସେ ଯେ ମୋର ସ୍ୱାମୀ । ସେ ଅମଣିଷ ହୁଅନ୍ତୁ ଅଥବା ଆଉ ଯାହା କିଛି ହୁଅନ୍ତୁ ତଥାପି... ।’’

 

କହିଲି, ‘‘ଜାଣେ, ପ୍ରତ୍ୟେକ ସ୍ତ୍ରୀ ସ୍ୱାମୀକୁ ଭକ୍ତି କରନ୍ତି ବୋଲି କହନ୍ତି । ଅନ୍ୟ ପୁରୁଷ ପାଖରେ ସ୍ୱାମୀର ପ୍ରଶଂସା ସେମାନେ ଶତଜିହ୍ୱାରେ ବଖାଣିବାକୁ ଭାରି ଆଗ୍ରହ ପ୍ରକାଶ କରନ୍ତି । ଏହି ପ୍ରକାର ଛଳନା ଆମ ଧର୍ମରେ ଅସ୍ଥିମଜ୍ଜାଗତ ହୋଇଗଲାଣି । ଏଣୁ ଆମ ଦେଶର ନାରୀ ନିଜର ସତୀତ୍ୱକୁ ଖଣ୍ଡାଦାଢ଼ରେ ପରୀକ୍ଷା ନ କରି ଆତ୍ମାର ତୃପ୍ତି ପାଇଁ ଅମ୍ଳାନ ବଦନରେ ଗାଇଯାଏ ଅହଲ୍ୟା ପ୍ରଭୃତି ପଞ୍ଚସତୀଙ୍କର ପ୍ରଶସ୍ତି ।’’

 

ମୁଁ ଖୁବ୍‍ ଉତ୍ତେଜିତ ସେତେବେଳକୁ ହୋଇପଡ଼ିଥିଲି । ସରିତା କେବଳ ହତବମ୍ବ ହୋଇ ମୋର ହିଂସ୍ର ଅଖି ଦୁଇଟାକୁ ଅନାଇ ରହିଥିଲା । ‘ହଉ ମୁଁ ଆସେ’ କହି ବାହାରକୁ ଯିବାର ଉପକ୍ରମ କଲି । ସରିତା ମୋତେ ବସିବାକୁ ପୁଣି ଅନୁରୋଧ କଲା ।

 

କାହାରି ମୁହଁରେ ଭାଷା ନ ଥିଲା । କିଛି ସମୟ ପରେ ସରିତା ନିସ୍ତବ୍‍ଧତା ଭଙ୍ଗକରି କହିଲା, ‘‘ଆପଣ ମୋତେ ଘୃଣା କରୁଛନ୍ତି ?’’

 

‘‘ପୁଣି ଏ ପ୍ରଶ୍ନ କାହିଁକି ସରିତା ?’’

 

ମୋର ସ୍ୱାମୀ ମୋତେ ଭଲପାଆନ୍ତି ନାହିଁ । ଏହା ଜାଣି ମୋତେ ଯଦି ଆପଣ ଘୃଣା କରନ୍ତି ?

 

‘‘ତୁମେ କ’ଣ କହୁଛ ସରିତା ?’’

 

ସରିତାର କଣ୍ଠର ସ୍ୱର କୋମଳ ହୋଇଆସିଲା । ସେ କହିଲା, ‘‘ହୁଏତ ଆପଣ ଭାବିପାରନ୍ତି, ଯେ ନିଜର ମଣିଷକୁ ଆଦର କରି ଜାଣେନାହିଁ, ସେ ପୁଣି ଅନ୍ୟକୁ ଯଦି ଆଦର କରେ, ତାହା ତା’ର ସୁସ୍ଥମନର ପରିଚାୟକ ନୁହେଁ । ତାହା କେବଳ ତା’ର ଛଳନା ।’’

 

କହିଲି, ‘‘ତୁମେ ମୋତେ ଭଲପାଇବ, ଏହା ମୁଁ ବା କାହିଁକି ଆଶା କରିବି ? ତୁମେ ମୋର କିଏ କି ? ଆଉ ମୋ ସଙ୍ଗରେ ତୁମର ପୁଣି ସମ୍ପର୍କ କ’ଣ ?’’

 

‘‘ଆପଣ ମୋର କେହି ନୁହନ୍ତି ?’’

 

‘‘ବିବାହିତ ସ୍ୱାମୀ ବ୍ୟତୀତ ଅନ୍ୟ ପୁରୁଷ ସ୍ତ୍ରୀର କେବେ ଆପଣାର ହୋଇନପାରେ । ମୁଁ ତୁମର ପର, ସାତପର ।’’ ମୋର କଣ୍ଠରେ ଥିଲା ବ୍ୟଙ୍ଗୋକ୍ତି ।

 

ସରିତା ଭାଜିପଡ଼ିଲା । ସେ ହୁଏତ ଯଥେଷ୍ଟ ଆଘାତ ପାଇଥିବ । ସେତେବେଳକୁ ମୋଟେ ଭାବିବାର ଅବକାଶ ନ ଥିଲା । ପ୍ରତ୍ୟେକ ପ୍ରତ୍ୟେକକୁ ଜୟ କରିବା ଚେଷ୍ଟାରେ ଥିଲୁଁ । ସରିତା ପାଖରୁ ମୁଁ ଚାହୁଁଥିଲି ମୁକ୍ତି । ତେବେ ସରିତା ଯେ କ’ଣ ଚାହୁଁଥିଲା ତାହା ସେ ମଧ୍ୟ ସେତେବେଳେ କହିପାରିବା ଅବସ୍ଥାରେ ନ ଥିଲା । କାହିଁକିନା ତା’ର ମନ ସେତେବେଳକୁ ତା’ର ଆୟତ୍ତାଧୀନ ନ ଥିଲା ।

 

କହିଲି, ‘‘ସରିତା ! ତୁମେ କହୁଛ ମୃତ୍ୟୁର ଅନ୍ୟ ନାମ ନିର୍ବାଣ; କିନ୍ତୁ ମୁଁ ଯେତେବେଳେ ମୃତ୍ୟୁକୁ ମୃତ୍ୟୁ ବୋଲି କହିବି ସେତେବେଳେ ତୁମେ ଯୁକ୍ତିକରି ଅନ୍ୟ କିଛି କହିପାର । କିନ୍ତୁ ମନେରଖ ସତ୍ୟ ହିଁ ସତ୍ୟ । ଯାହା ସତ୍ୟ ତାହା ମୁକ୍ତାପରି ବିଶୁଦ୍ଧ । ମିଥ୍ୟାର ବୁରୁଖାରେ କେହି ସତ୍ୟକୁ କେବେ ଘୋଡ଼ାଇ ଦେଇପାରେ ନାହିଁ । ତେବେ ତୁମ ସମ୍ବନ୍ଧରେ ମୁଁ ଏତିକି କହିପାରେ ଯେ ତୁମେ ସଂସାରରେ ଅସୁଖୀ, ଯେହେତୁ ତୁମେ ସବୁବେଳେ ନିଜକୁ ପୃଥିବୀର ସର୍ବୋଚ୍ଚ ସ୍ଥାନରେ ଥୋଇଦେଇ ଅନ୍ୟକୁ ନିହାତି ଇତର ଭାବି ଘୃଣ୍ୟ ଚକ୍ଷୁରେ ଦେଖିବାକୁ ଭଲପାଏ ।’’

 

ସରିତାର ଆଖିରେ ଲୁହ ଭରିଗଲା । ସେ କହିଲା, ‘‘ଆପଣ ବାହାରୁ ଆସନ୍ତୁ । ମୋତେ ଟିକିଏ ଶକ୍ତି ସଞ୍ଚୟ କରିବାକୁ ଅବସର ଦିଅନ୍ତୁ ।’’

 

ମୁଁ ବାହାରକୁ ଚାଲିଗଲି । ସରିତା ମୋର ପଢ଼ାଘର ଟେବୁଲ ଉପରେ ମୁହଁମାଡ଼ି ବୋଧହୁଏ ଶକ୍ତି ସଞ୍ଚୟ କରିବାକୁ କାନ୍ଦୁଥିଲା ।

 

‘‘ଆଜି ମନ୍ଦିରକୁ ଗଲେ ଚଳନ୍ତା ନାହିଁ ?’’

 

ବହି ଉପରୁ ମୁହଁ ଉଠାଇଲି । ଦେଖିଲି ସରିତା କବାଟ ପାଖରେ ଛିଡ଼ାହୋଇଛି ବେଶ୍‍ ରୁଚି ମାର୍ଜିତ ଚେହେରା ନେଇ । ତା’ର ପରିଧେୟ ଗୋଟିଏ ସିଲ୍‍କ ଶାଢ଼ି ଓ ଶାଢ଼ି ରଙ୍ଗକୁ ଖାପ ଖାଇଲାଭଳି ଗୋଟାଏ ବ୍ଲାଉଜ ।

 

ବାଃ, କି ଚମତ୍କାର ତାହାର ରୁଚି ? ସତରେ ଯାହାର ରୁଚି ଏତେ ସୁନ୍ଦର ସେ କାହାରି ଅବହେଳା କ’ଣ ସହ୍ୟ କରିପାରିବ ?

 

ଆଖି ଦୁଇଟାକୁ ଅପେକ୍ଷା କୃତ ବଡ଼ କରି କହିଲି, ‘‘ସରିତା ! ତୁମେ ମୋ ସାଙ୍ଗରେ ମନ୍ଦିରକୁ ଯିବ ?’’

 

‘‘ହଁ, କ୍ଷତି କ’ଣ ?’’

 

‘‘ଦୁନିଆ ଆଉ ସମାଜ ?’’

 

କହିଲା, ‘‘ଓଃ, ଆପଣ ଯଥେଷ୍ଟ ଦୁର୍ବଳ ।’’

 

‘‘ମୋ କଥା ମୁଁ ମୋଟେ ଚିନ୍ତା କରୁନାହିଁ ସରିତା ! ତେବେ ଭାବୁଛି ଠାକୁର ମୋତେ ଆଜି ଦେଖାଦେବେ କି ନାହିଁ ?’’

 

ସରିତା କେବଳ ଗୋଟିଏ ତୃପ୍ତିର ହସ ହସିଲା ।

 

ମହା ମନ୍ଦିର ପ୍ରାଙ୍ଗଣରେ ଆମେ ଦୁହେଁ ଛିଡ଼ା ହୋଇଥିଲୁଁ ଖୁବ୍‍ ଲଗାଲଗି ହୋଇ । କାହାରି ମୁହଁରେ ଭାଷା ନ ଥିଲା । ସେ କେବଳ ମୋତେ ଅପଲକ ନେତ୍ରରେ ଅନାଇ ରହିଥିଲା ।

 

‘‘ମାଆ ! ପଇସାଟିଏ ମିଳୁ ।’’

 

ଗୋଟିଏ ଅସ୍ଥିଚର୍ମସାର ହାତ ସରିତାର ସମ୍ମୁଖକୁ ଲମ୍ବିଆସିଲା । ସରିତାର ନିର୍ଦ୍ଦେଶ ପାଳନ କରି ଚାରିଅଣୀଟେ ବଢ଼େଇ ଦେଲି । ସଙ୍ଗେ ସଙ୍ଗେ ଧନ, ଯନ, ଗୋପ, ଲକ୍ଷ୍ମୀ ପ୍ରାପ୍ତିର ଆଶୀର୍ବାଦ ।

 

ଏହି ଆଶୀର୍ବାଦ ସରିତା ଉଦ୍ଦେଶ୍ୟରେ କିମ୍ବା ମୋ ଉଦ୍ଦେଶ୍ୟରେ ତାହା କେବଳ ସେହି ଶୁଭାକାଂକ୍ଷୀକୁ ଜଣା ।

 

ସରିତାର ମୁହଁରେ ହସ ଫୁଟିଉଠିଲା । ଆଶ୍ଚର୍ଯ୍ୟ ହୋଇ ଅନାଇଲି ସରିତାକୁ । ବାଃ, ସରିତା ମଧ୍ୟ ହସି ଜାଣେ ?

 

ଅନେକଥର ସରିତା ମୁହଁରୁ ଶୁଣିଛି ‘‘ଏହା ତ ଜୀବନ ନୁହେଁ । ଏହା ଗୋଟାଏ ବୋଝ-।’’

 

ଯେଉଁ ସରିତା ଜୀବନ ସମ୍ବନ୍ଧରେ ଗୋଟାଏ ଭ୍ରାନ୍ତଧାରଣା ମନ ମଧ୍ୟରେ ପୋଷଣ କରିଛି ସେ ମଧ୍ୟ ଜୀବନ ଉପଭୋଗ କରିବାକୁ ଚାହେଁ । କ୍ଷତି କ’ଣ ?

 

ଠାକୁରଙ୍କ ସିଂହାସନ ତଳେ କୋଟି କୋଟି କାମନା ହୃଦୟରେ ପୋଷଣ କରି ସମସ୍ତେ ଦୀପ ଜଳାନ୍ତି । କିଏ ମାଗେ ଧନ କିଏ ମାଗେ ଯଶ, ପୁଣି କିଏ ମଧ୍ୟ ଚାହେଁ ମୁକ୍ତି । ସେଦିନ ମୋର ମନ ମଧ୍ୟରେ ଦୁର୍ବଳତା ଦେଖାଦେଲା । ମୋ ହାତରେ ମାଟିର ପ୍ରଦୀପ । ତହିଁରେ ଅଗ୍ନି ସଂଯୋଗ କଲି । ଦୀପଶିଖା ଥରିଉଠିଲା । ପାଖକୁ ଲାଗି ଛିଡ଼ାହୋଇଥିଲା ସରିତା । ତା’ ହାତକୁ ଦୀପ ବଢ଼ାଇଦେଇ ସିଂହାସନ ତଳେ ମଥା ଲଗାଇଲି ।

 

ସରିତା ମୋ ଆଡ଼କୁ ଚାହିଁ କେବଳ ହସିଲା ଓ ଶେଷରେ ତାଚ୍ଛଲ୍ୟ ସ୍ୱରରେ କହିଲା, ‘‘ଆପଣ ଯଥେଷ୍ଟ ଆଶାବାଦୀ ।’’

 

ଆମେ ମନ୍ଦିର ବେଢ଼ା ମଧ୍ୟରେ ପରିକ୍ରମା କରୁଥାଉଁ । ସରିତା ଅନତିଦୂରରେ ଚାଲିଥାଏ-। ଗୋଟିଏ ନିଛାଟିଆ ସ୍ଥାନରେ ଆସି ପହଞ୍ଚିଲୁ । କହିଲି, ସରିତା ! ତୁମେ କିଛି ବୁଝିପାରୁଛ, ନା’ ଏତିକି କେବଳ ସରିତା ଉତ୍ତରଦେଲା ।

 

ସରିତାର ପାଖକୁ ଲାଗିଗଲି । ସେତେବେଳକୁ ସରିତାର ହାତଟି ମୋ ହାତମୁଠାରେ । ସେ ତା’ର ହାତଟିକୁ ମୋ ହାତମୁଠାରୁ ଜୋରକରି ମୁକୁଳାଇ ନେଇ କହିଲା, ‘ଭଦ୍ରଲୋକର ମୁଖାପିନ୍ଧି ଆପଣ ଏତେ ଅଭଦ୍ର ହୋଇପାରନ୍ତି ?’ ତା’ର କଣ୍ଠରେ ଥିଲା ଦୃଢ଼ତା ।

 

‘‘ତୁମେ ଯାହା ଭାବ ସରିତା, ତୁମେ ମୋର ସମସ୍ତ ଧୈର୍ଯ୍ୟ... ।’’ ଆଉକିଛି କହିପାରିଲି ନାହିଁ ।

 

‘‘ଓଃ, ଆପଣ କ’ଣ କହୁଛନ୍ତି ? ମୁଁ ଯେ କୁଳର ବହୂ ।’’ ସରିତା କ୍ରୋଦ୍ଧା ନାଗୁଣୀ ସମ ଗର୍ଜନ କରିଉଠିଲା ।

 

ପ୍ରକୃତିସ୍ଥ ହେଲି । ସରିତା ଏତେଦିନ ପରେ ତାହାର ସ୍ୱରୂପ ପ୍ରକାଶ କରିଛି । ଭାବିଲି ଧନ୍ୟରେ ନାରୀ ! ତୁ ସବୁବେଳେ ରହୁ ପୁରୁଷର କଳ୍ପନାର ବାହାରେ ।

 

ମୁଁ ସେତେବେଳକୁ ଯଥେଷ୍ଟ ଦୁର୍ବଳ ହୋଇସାରିଥାଏ । ବ୍ୟଙ୍ଗୋକ୍ତି କରି କହିଲି, ‘‘ସରିତା ! ଜାଣେ ତୁମେ ବିବାହିତା । ଏହି ଦେହଟା ଦେବାକୁ ତୁମେ ବିବାହ ବନ୍ଧନରେ ଆବଦ୍ଧ ହୋଇଛ । ଦୁନିଆ ଓ ସମାଜ ଯାହାକୁ ବିବାହ କରେ ଓ ଯେଉଁ ବିବାହ ପରେ ଦେହ ସଙ୍ଗେ ଦେହର ସମ୍ପର୍କ ସ୍ଥାପନ କରାଯାଏ, ତାହା ବିବାହ ନୁହେଁ, ତାହା ବ୍ୟଭିଚାର । ତୁମେ ବ୍ୟଭିଚାର କରି ମଧ୍ୟ ମୋ ପାଖରେ କହିବାକୁ ସାହସ କରୁଛ ଯେ ତୁମେ କୁଳର ବୋହୂ । ବେଶ୍ ତାହାହିଁ ହେଉ । ତୁମର ମନେରଖିବା ଉଚିତ ଯେ ମୁଁ ତୁମର ସ୍ୱାମୀ ପରି ନିର୍ବୋଧ ନୁହେଁ । ତୁମର ସ୍ୱାମୀର ଆଖି ଥାଉଁ ଥାଉଁ ମଧ୍ୟ ସେ ଅନ୍ଧ । ସେ ଅନ୍ଧହୋଇଥିବାରୁ ତୁମକୁ ଆଜି ଯାଏ ଚିହ୍ନିପାରିଲେ ନାହିଁ ।

 

ତୁମେ ଗୋଟାଏ ଭଦ୍ର ପରିବାରର କୁଳ ବଧୂ । ଏହା ଦୁନିଆ ଅସ୍ୱୀକାର କରେ ନାହିଁ । ତେଣୁ ମୁଁ ତୁମ କପାଳରେ କଳଙ୍କର ଟୀକା ପିନ୍ଧାଇ ଦେବାକୁ ଚାହେଁ ନାହିଁ । ତୁମକୁ ଭଲପାଇ ଯେଉଁ ଭୁଲକରିଥିଲି, ତାହା ମୁଁ ନିଶ୍ଚୟ ସଂଶୋଧନ କରିନେବି । ହଉ ଚାଲ ଯିବା ।’’

 

ସେତେବେଳକୁ ସରିତା ଗୋଟିପଣେ ଥରୁଥାଏ । ତା’ର ଆଖିପତା ଫାଟି ଗାଲ ଉପରେ ଧାର ଧାର ହୋଇ ଲୁହ ଗଡ଼ିଯାଉଥିଲା । ମୁଁ ନିର୍ବାକ ଓ ନିଶ୍ଚଳ ଭାବରେ ସରିତାକୁ ଅନାଇଲି । ସେଦିନ ସରିତାର ଆଖିର ଲୁହ ମୋର ସମସ୍ତ ଧୈର୍ଯ୍ୟ ଟଳାଇ ଦେଲା । ମୁଁ ଅଶ୍ରୁ ସମ୍ବରଣ କରିପାରିଲି ନାହିଁ । ସରିତାକୁ ସମବେଦନା ଜଣାଇବାକୁ ମୋର ସମସ୍ତ ଚେଷ୍ଟା ସତ୍ତ୍ଵେ ଦୁଇଟୋପା ଲୁହ ଗଡ଼ିପଡ଼ିଲା ।

 

ସେ ମୋର ଲୁହ ହାତରେ ପୋଛିନେଇ ବିଜୟନୀର ଟୀକା ସ୍ୱରୂପ କପାଳରେ ପିନ୍ଧିଲା-

 

ବାଷ୍ପାକୁଳ କଣ୍ଠରେ ଡାକିଲି, ‘‘ସରିତା !’’

 

ଥଙ୍ଗେଇ ଥଙ୍ଗେଇ ସେ ଉତ୍ତରଦେଲା, ‘‘ସାଗର !’’

 

ସେତେବେଳକୁ ମୋ ଛାତି ଉପରେ ସରିତାର ମୁଣ୍ଡ ।

 

ଏହି ଅବସରରେ ସରିତାର ଅଧରରେ ହସର ସରୁ ରେଖାଟିଏ ଫୁଟିଉଠିଲା । ତାହା କେବଳ ନୀଳଚକ୍ର ଦେଖିଥାଏ ।

 

ଏ ଜନ୍ମରେ ସରିତା ମୋତେ ଭଲପାଇଥିଲା କି ନା ଏହି କଥା ପରଜନ୍ମରେ ମୋତେ ଯଦି କେହି ପଚାରେ, ମୁଁ କହିବି ସେହି ନୀଳଚକ୍ର ମୋର ସାକ୍ଷୀ ।

 

ନାରୀ ଯେ ସବୁ କରିପାରେ ତାହାର ଚାକ୍ଷୁସ ପ୍ରମାଣ ଅଳ୍ପଦିନ ପରେ ମୁଁ ନିଜେ ପାଇଗଲି । ପରଜନ୍ମ ଓ ଏ ଜନ୍ମର ବିଶ୍ୱାସ ମୋ ମନରୁ ଅଚିରେ ଉଭେଇଗଲା । ଯେଉଁ ସରିତା ମୋତେ ଦିନେ ତା’ର ବାହୁପାଶରେ ବନ୍ଦୀକରି କହିଥିଲା, ‘‘ସାଗର ! ତୁମେ ନିହାତି ଦୁର୍ବଳ, ତୁମ ଭଳି ଦୁର୍ବଳ ପୁରୁଷକୁ ନାରୀ ମୋଟେ ଭଲ ପାଇପାରେ ନାହିଁ’’, ସେହି ସରିତା (?) ସଙ୍ଗରେ ଦେଖାହେଲା ଦିନେ ମୋର ସିଂହଦ୍ଵାର ପାଖରେ ।

 

ଠାକୁର ଦର୍ଶନ କରିସାରି ସେ ଫେରି ଆସୁଥିଲା । ପାଖରେ ଥିଲେ ଜଣେ ସୁଦର୍ଶନ ଯୁବକ ଓ ଗୋଟିଏ ଛୋଟ ପୁଅ । ଭାବିଲି ଯୁବକଟି ନିଶ୍ଚୟ ହେବେ ସରିତାର ସ୍ୱାମୀ ।

 

ଯଥେଷ୍ଟ ଆଶ୍ଚର୍ଯ୍ୟ ହେଲି । ଏହିଭଳି ସ୍ୱାମୀର ହାତଧରି ସରିତା ନିଜକୁ ଏତେ ଅସହାୟ ମନେକରେ କାହିଁକି ? ଭଦ୍ରଲୋକ ଯଥେଷ୍ଟ ରୁଚିମାର୍ଜିତ । ତଥାପି ସରିତା ସଂସାର ସମ୍ବନ୍ଧରେ ଏତେ ଉଦାସୀନତା ପ୍ରକାଶ କରେ କାହିଁକି ? ତେବେ ସେ ଯାହା କହୁଥିଲା, ସେଥିରେ କ’ଣ ସତ୍ୟତା ମୋଟେ ନ ଥିଲା ? ମିଛ କହିବାର ଆବଶ୍ୟକତା କ’ଣ ଥିଲା ମୋ ପାଖରେ ?

 

ହସ ହସ ମୁଖରେ ଆଗେଇଗଲି ସରିତା ପାଖକୁ । ଦୁଇ ହାତ ଉଠାଇ ଛୋଟ ନମସ୍କାରଟିଏ ମଧ୍ୟ ପକାଇବାକୁ ଭୁଲି ନଥିଲି ସେଦିନ ।

 

ସରିତା ମୋତେ ନ ଦେଖିଲାଭଳି ଆଡ଼େଇଯାଇ ତରବରରେ ଲୋକ ଗହଳିରେ ମିଶିଗଲା ।

 

ତେବେ ସରିତା କ’ଣ ମୋତେ ଚିହ୍ନିପାରିଲା ନାହିଁ ?

 

ଚିହ୍ନିବାର ଆବଶ୍ୟକତା ଆଉ କ’ଣ ଥିଲା ? ନାରୀ ଯେତେବେଳେ ତା’ର ସ୍ୱାମୀ ଓ ସଂସାର ନେଇ ସୁଖରେ ରହେ ସେତେବେଳେ ସେ ଅତୀତକୁ ଫେରି ଚାହିଁବାକୁ ସମୟ ପାଏ ନାହିଁ-। ଯଦି ବି କେବେ ଦରଭୁଲା ଅତୀତ ତା’ର ମନେପଡ଼ିଯାଏ ସେ ଯେତେ ଶୀଘ୍ର ପାରେ ସେତେ ଶୀଘ୍ର ଅତୀତର ଅସ୍ପଷ୍ଟ ଛାୟାକୁ ମନ ମଧ୍ୟରୁ ତଡ଼ି ଦେବାକୁ ଚେଷ୍ଟା କରେ । ଏହା ହେଉଛି ନାରୀର ସ୍ୱଭାବ ।

 

ସରିତା ମଧ୍ୟ ଜଣେ ନାରୀ । ନାରୀର ହାଲୁକା ହୃଦୟ ନେଇ ସେ ମଧ୍ୟ ଜନ୍ମ ହୋଇଛି । ନରକର ଅନ୍ଧକାର ମଧ୍ୟରେ ରହି ସୁଦ୍ଧା ସ୍ୱର୍ଗସୁଖ ଉପଭୋଗ କରୁଛି କହିବା ହେଉଛି ନାରୀର ଅଭ୍ୟାସ ।

 

ମୁଁ ଏମିତି କେତେ କ’ଣ ଭାବୁଛି । ପଛରୁ ଗୋଟିଏ ସ୍ତ୍ରୀ ଲୋକ ହାତର ସ୍ପର୍ଶ ପାଇଲି । ଫେରି ଚାହିଁଲି । ଦେଖିଲି ପଛରେ ଛିଡ଼ା ହୋଇଛନ୍ତି ଭାଉଜ ।

 

ସେ ପଚାରିଲେ, ‘ନିବିଷ୍ଟ ମନରେ କ’ଣ ଭାବୁଛ ସାଗର ?’

 

ଉତ୍ତରଦେଲି, ‘‘ଏହି ସରିତାର କଥା । ସେ ମୋତେ ବୋଧହୁଏ ଦେଖି ପାରିଲା ନାହିଁ ।’’

 

‘‘ସେ ତୁମକୁ ଦେଖି ଚିହ୍ନିବା ଅବସ୍ଥାରେ ନ ଥିଲା ।’’ ହସି ହସି କହିଲେ ଭାଉଜ ।

 

ବୋକାଙ୍କଭଳି ଅନାଇଲି ଭାଉଜଙ୍କୁ । ସେ ମୋର ସନ୍ଦେହ ମୋଚନ କରି କହିଲେ, ‘‘ଯେଉଁ ଭଦ୍ରଲୋକଙ୍କୁ ସରିତା ସଙ୍ଗେ ଦେଖିଲ, ସେ ହେଉଛନ୍ତି, ସରିତାର ପ୍ରେମିକ ।’’

 

ପ୍ରେମିକ ଶବ୍ଦଟା ଶୁଣି ମଥାଟା ମୋର ଘୂରିଗଲା । ଯେଉଁ ସ୍ତ୍ରୀ ହିନ୍ଦୁ ପରିବାରର କୁଳବଧୂ ବୋଲି ନିଜ ନାମରେ ନିଜେ ଡିଣ୍ଡିମ ବଜାଏ, ସେ ପୁଣି ପ୍ରେମରେ ପଡ଼େ ? ସରିତାକୁ ମୁଁ ମନେମନେ ଯେତେ ସମ୍ମାନ କରୁଥିଲି ସେତେ ଅସମ୍ମାନ କରିବାକୁ ଲାଗିଲି ।

 

ଜନାକୀର୍ଣ୍ଣ ସହରଟା ମୋତେ ଜନଶୂନ୍ୟ ବୋଲି ଜଣାଗଲା । ଗୋଟିଏ ଦୀର୍ଘଶ୍ୱାସ ପକାଇ ପଛକୁ ଅନାଇଲି । ଦେଖିଲି ମୋ ପାଖରୁ ଅଳ୍ପଦୂରରେ ଛିଡ଼ାହୋଇଛନ୍ତି ସରିତାର ପ୍ରେମିକ-

 

ଭଦ୍ରଲୋକକୁ ଦେଖି ସମବେଦନା ଜଣାଇବାକୁ ଇଚ୍ଛା ହେଉଥିଲା ଏବଂ ପ୍ରେମିକ ଜୀବନର ସୁସ୍ଥ ଅବସ୍ଥାକୁ ବୁଝାଇ ଦେବାକୁ ପାଟି ଖଜ୍‍ବଜ୍‍ ହେଉଥିଲା । ପୁଣି ଭାବିଲି ଲାଭ କ’ଣ ?

 

ଭଦ୍ରସମାଜରେ ନାରୀର ସାତଖୁଣ ମାଫ । ନୀଳଚକ୍ରକୁ ଅନାଇଲି । ଏହି ନୀଳଚକ୍ର ସବୁ ଦେଖି ଦେଖି ମୂକ ପାଲଟି ଯାଇଛି । ଧର୍ମ ନାମରେ ଯେତେ ଯିଏ ଦ୍ୱାହି ଦିଅନ୍ତି, ସେ ସବୁ ଶୁଣି ଶୁଣି ଲାଲ ପାଲଟି ଯାଇଛି । ସରିତା ଅଧିକା କ’ଣ କଲା ଯେ ସେଥିପାଇଁ ସେ ଆଜି ବିଚଳିତ ହେବ ?

 

ପ୍ରକୃତରେ ମୁଁ ସେଦିନ ଦୁର୍ବଳ ହୋଇପଡ଼ିଥିଲି । ତେଣୁ ସରିତାର କଥା ମୋତେ ଏତେ ଭାବିବାକୁ ସମୟ ମିଳିଲା, ସରିତା ମୋଟେ ମନେ ନ ପଡ଼ନ୍ତା କି ?

 

ସରିତାର ଜୀବନର ସମସ୍ତ ଇତିହାସ ଜାଣି ସୁଦ୍ଧା ତାକୁ ମୋଟେ ଭୁଲିହେବ ନାହିଁ । ତାକୁ କେବଳ ମୁଁ ଭଲପାଇଥିଲି, ଏତିକି ବ୍ୟତୀତ ମୁଁ ତାକୁ ଅଧିକା କେବେ କିଛି ଦେଇନାହିଁ ଏବଂ ତାହାଠାରୁ ମଧ୍ୟ ମୁଁ ପ୍ରତିଦାନରେ କେବେ କିଛି ପାଇନାହିଁ । ସେ ଆଜି ଜଗତ ଆଖିରେ ଯାହା ହେଉନା କାହିଁକି, କିନ୍ତୁ ମୁଁ ତା’ ସମ୍ବନ୍ଧରେ କୌଣସି ଅସତ୍‍ ଚିନ୍ତା କରିପାରିବି ନାହିଁ ।

 

ସରିତା କେବେ ମୋ ବ୍ୟତୀତ ଅନ୍ୟ କାହାକୁ ହୃଦୟ ଦେଇ ନ ପାରେ । ଏ ବିଷୟରେ ମୁଁ ଏକାବେଳକେ ନିଶ୍ଚିନ୍ତ ।

 

ଭାଉଜ ପୁଣି ହୁଏତ ମୋତେ କେବେ ସରିତା କଥା କହିବେ ଓ ସରିତାକୁ ବିଦ୍ରୂପ କରିବେ ଏହି ଆଶଙ୍କାରେ ମୁଁ ସେତେବେଳେ ଭୟରେ ଥରିଉଠିଥିଲି । ହଠାତ୍‍ ଗୋଟିଏ ଭଙ୍ଗାଇଟା ମୋତେ ଲକ୍ଷ୍ୟକରି କେହିଜଣେ ଫିଙ୍ଗି ଦେଲା । କିଏ ଯେ ଫିଙ୍ଗିଲା ମୋତେ ଜଣାନାହିଁ ।

 

ଆଠଦିନ ପରେ ମଥାରୁ ବେଣ୍ଡେଜ୍‍ ଖୋଲାଗଲା । ବିଛଣାରୁ ଉଠିବାକୁ ମୋର ଶକ୍ତି ମୋଟେ ନ ଥିଲା । ପାଖରେ ଛିଡ଼ା ହୋଇଥିଲେ ଭାଉଜ । ତାଙ୍କ ଉପରେ ଭରା ଦେଇ ବିଛଣାରୁ ଉଠିଲି । ତାଙ୍କ ମୁହଁକୁ ଅନାଇଲି ଏବଂ ମୁଖଭଙ୍ଗୀରୁ ଜାଣିଲି, ସେ ମୋତେ କ’ଣ ପଚାରୁଛନ୍ତି ।

 

ଯେତେବେଳେ ଜାଣିଲି ଗୁରୁତର ଆଘାତ ଯୋଗୁଁ ମୁଁ ମୋର ଶ୍ରବଣ ଶକ୍ତି ଚିରଦିନପାଇଁ ହରାଇ ଦେଇଛି, ସେତେବେଳେ ଯେ କେତେ ଆନନ୍ଦିତ ହେଲି ତାହା କେବଳ ମୁଁ ଜାଣେ, କାରଣ ମୁଁ ସରିତାର ଚରିତ୍ର ସମ୍ବନ୍ଧରେ ଆଉ ଭାଉଜ ପାଖରୁ କୌଣସି କଥା ଶୁଣିପାରିବି ନାହିଁ ।

 

ଭଗବାନ ଆଖି ଦୁଇଟା ଯଦି ନଷ୍ଟ କରି ଦେଇଥାନ୍ତେ ତାଙ୍କୁ ଯଥେଷ୍ଟ ଧନ୍ୟବାଦ ଦେଇଥାଆନ୍ତି । ତଥାପି ମୁଁ ଯାହା ଚାହୁଁଥିଲି ଅଳ୍ପଅଧିକେ ସେ ମୋତେ ସାହାଯ୍ୟ କରିଛନ୍ତି ବୋଲି ଯଥେଷ୍ଟ ଆଶ୍ୱସ୍ତି ହେଲି ।

 

ମୋ ଭଳି କାଲକୁ କୌଣସି ଝିଅ ଯେ ବିଭାହେବାକୁ ରାଜି ହେବନାହିଁ ଏହା ଭାବି ଠାକୁରଙ୍କୁ ଜୁହାରଟିଏ ମଧ୍ୟ ଦେଲି ।

 

‘ସରିତା ମଙ୍ଗଳରେ ରହୁ ଏବଂ ତା’ର ନିର୍ବୋଧ ସ୍ୱାମୀ ଯେପରି ତାକୁ ଚିହ୍ନି ନ ପାରନ୍ତି’ ଏତିକି ସେଦିନ ଠାକୁରଙ୍କୁ ଜଣାଇଥିଲି ।

Image

 

ଶଯ୍ୟା ନାୟିକା

 

ପ୍ରତ୍ୟେକ କବି ତାଙ୍କ କାବ୍ୟନାୟିକା ଚକ୍ଷୁରେ ଧୋବା ଘରର ଗଧ ଅପେକ୍ଷା ଆହୁରି ହୀନ ବୋଲି ବିବେଚିତ ହୋଇଥାନ୍ତି । ଏହି କଥା କାହା ଭାଗ୍ୟରେ ଘଟୁ ଅଥବା ନ ଘଟୁ, କିନ୍ତୁ ଭବାନନ୍ଦ ଏହା ମର୍ମେ ମର୍ମେ ଅନୁଭବ କରିଥିଲେ ।

 

ଭବାନନ୍ଦ କବି । ଏବେ ମଧ୍ୟ ସେ କବିତା ଲେଖନ୍ତି । ତାଙ୍କର କବିତାରେ ପ୍ରାଣଥାଏ ବୋଲି ସମସ୍ତେ କହନ୍ତି, ମାତ୍ର ଏହା ଅସ୍ୱୀକାର କରନ୍ତି ଅରୁନ୍ଧୁତୀ । ଏବେ ଅରୁନ୍ଧୁତୀ କହନ୍ତି ମଣିଷ କାହିଁକି କବିତା ଲେଖେ ? ସେ କବିତାର ମୂଲ୍ୟ କ’ଣ ? କିଏ କବିତା ପଢ଼େ ?

 

ଏହି କଥା ଯଦି ଭଗବାନ ଆଜି ଶୁଣନ୍ତେ, ତାଙ୍କର ମନ ମୋଟେ ମଉଳି ପଡ଼ନ୍ତା ନାହିଁ କିମ୍ବା ସେ ମନେମନେ ପ୍ରତିଜ୍ଞା ମଧ୍ୟ କରନ୍ତେ ନାହିଁ ଯେ ଆଉ ଦିନେହେଲେ କଲମ ଛୁଇଁବେ ନାହିଁ ବୋଲି ।

 

ଭବାନନ୍ଦ ଶୋଇ ଶୋଇ ଅନେକ କଥା ଭାବିଯାଆନ୍ତି । ସେ ଅରୁନ୍ଧୁତୀ ସଙ୍ଗେ ନିଜ ସ୍ତ୍ରୀ ମିତ୍ରାକୁ ତୁଳନା କରନ୍ତି । ମିତ୍ରାର ଦେହଟା ଯେଉଁ ରକ୍ତମାଂସରେ ଗଢ଼ାହୋଇଛି, ସେହି ରକ୍ତମାଂସରେ କ’ଣ ଅରୁନ୍ଧୁତୀର ଦେହଟା ଗଢ଼ା ନୁହେଁ ? ତାହା ଯଦି ହୋଇଥାନ୍ତା ସେ ଭବାନନ୍ଦଙ୍କୁ ଉପହାସ କରନ୍ତେ କିପରି ? ଭବାନନ୍ଦଙ୍କୁ ଅବହେଳା କରନ୍ତେ କିପରି ? ଭବାନନ୍ଦଙ୍କୁ ଇତର ମଣିଷ ଭାବି ବେଶ୍ୟାଳୟକୁ ଯିବାକୁ ସଦୁପଦେଶ ଦିଅନ୍ତେ କିପରି ?

 

ଆତ୍ମହତ୍ୟା କରି ଅନ୍ତରର ସମସ୍ତ ଦୁଃଖ କଷ୍ଟ ଭୁଲିଯିବାକୁ ଭବାନନ୍ଦ ଅନେକଦିନରୁ ମନସ୍ଥ କଲେଣି । ସମସ୍ତେ କହନ୍ତି ଆତ୍ମହତ୍ୟା ମହାପାପ । ମାତ୍ର ଭବାନନ୍ଦ ଏହି ଉକ୍ତିକୁ ମୋଟେ ସମର୍ଥନ କରନ୍ତି ନାହିଁ । ସେ କହନ୍ତି, ଆଖିରୁ ଲୁହ ଗଡ଼ାଇ ହା ହତାଶମୟ ଜୀବନଯାପନ କରିବା ହେଉଛି ମହାପାପ । ଆତ୍ମା ଅମର । ତାହାର ବିନାଶ ନାହିଁ । କେବଳ ଘଟ ପରିବର୍ତ୍ତନ ସେ ସବୁବେଳେ କରେ ।

 

ତେଣୁ ଆତ୍ମା ଅପେକ୍ଷା ଏହି ଘଟଟା ହେଉଛି ଅତି ଲୋଭନୀୟ ବସ୍ତୁ । ଏହି ମାଟି ପିଣ୍ଡଟା ଦିନେ ମାଟିରେ ମିଶିଯିବ, ତଥାପି ଏହି ପିଣ୍ଡଟା ପାଇଁ ଏତେ ବାଦ ବିସମ୍ବାଦ କାହିଁକି ? ଏତେ ମନ ଫଟାଫଟି କାହିଁକି ? ଏତେ ମନ ଘେନାଘେନି କାହିଁକି ?

 

ମିତ୍ରାର କାବ୍ୟ କବିତା ସଙ୍ଗେ ସମ୍ପର୍କ ଅତି ଅଳ୍ପ । ସେ କବିତା ବୁଝେ ନାହିଁ । କବିତାର ହୃଦୟସ୍ପର୍ଶୀ ଭାଷା ତା’ର ହୃଦୟକୁ ସ୍ପର୍ଶ କରିପାରେ ନାହିଁ । ସେଥିପାଇଁ ଭବାନନ୍ଦଙ୍କ ମନରେ ଅସୀମ ଦୁଃଖ ।

 

ଯେଉଁ ଲୋକଟି ତାଙ୍କର କବିତା ପଢ଼ି ଭବାନନ୍ଦଙ୍କୁ ତାରିଫ୍ କରିବ ଏବଂ ଉତ୍ସାହିତ କରିବ, ସେହି ଲୋକଟିକୁ ସେ ମନେମନେ ଖୋଜୁଥିଲେ ।

 

କବିର ଦୁର୍ଭାଗ୍ୟ ନ ଆସିଲେ ସେମିତି ଲୋକ ସହଜରେ କବି ଆଗକୁ ଆସେ ନାହିଁ । ଭବାନନ୍ଦଙ୍କ ଦୁର୍ଯ୍ୟୋଗକୁ ହଠାତ୍ ଅରୁନ୍ଧୁତୀ ମିଳିଗଲେ । ଅରୁନ୍ଧୁତୀର ରୂପକୁ ଯେ ମନପୂରାଇ ନ ଦେଖିଛି ସେ ଅରୁନ୍ଧୁତୀ ବିଷୟରେ ମୋଟେ କିଛି ବୁଝିପାରିବ ନାହିଁ ।

 

ଅନେକ କାବ୍ୟ କବିତା ଭବାନନ୍ଦ ପଢ଼ିଛନ୍ତି । ଅନେକ ପ୍ରାଚୀନ ସାହିତ୍ୟ ସେ ଗବେଷଣା ମଧ୍ୟ କରିଛନ୍ତି; କିନ୍ତୁ ଅରୁନ୍ଧୁତୀଙ୍କ ରୂପ ତୁଳନାରେ ସେ କୌଣସି ଗୋଟାଏ ରୂପସୀ ସ୍ତ୍ରୀର ସନ୍ଧାନ କୌଣସି କାବ୍ୟରେ ମଧ୍ୟ କରିପାରିଲେ ନାହିଁ । ମୋଟାମୋଟି କହିବାକୁ ଗଲେ ଏହି ଅରୁନ୍ଧୁତୀ ହେଉଛନ୍ତି ଭବାନନ୍ଦଙ୍କ ଭାଷାରେ ବିଶ୍ୱସୁନ୍ଦରୀ ଅପେକ୍ଷା ଅଧିକ ସୁନ୍ଦରୀ ।

 

ସପ୍ତର୍ଷିମଣ୍ଡଳ ଦେଖିବା ଲୋକ ଧ୍ରୁବତାରା ଅପେକ୍ଷା ଅରୁନ୍ଧୁତୀକୁ ଦେଖିବାକୁ ଯେତିକି ଆଗ୍ରହ ପ୍ରକାଶ କରେ, ଠିକ୍‍ ସେତିକି ଆଗ୍ରହ ଏହି ରକ୍ତମାଂସରେ ଗଢ଼ା ଅରୁନ୍ଧୁତୀକୁ ଦେଖିବାକୁ ସବୁବେଳେ ପ୍ରକାଶ କରୁଥିଲେ କବି ଭବାନନ୍ଦ । ତାଙ୍କୁ ଜଣାଯାଉଥିଲା ଏହି ମର୍ତ୍ତ୍ୟର ଅରୁନ୍ଧୁତୀ ହେଉଛନ୍ତି ଆକାଶର ଅରୁନ୍ଧୁତୀ ।

 

ଦେବ ମନ୍ଦିରରେ ଗୀତା, ଭାଗବତ ପାଠକରି ମଣିଷ କୃତ୍ୟକୃତ୍ୟ ହୋଇଯାଏ । ଏପରି ହେବାର ଉଦ୍ଦେଶ୍ୟ ସେ ମନେକରେ ଏଥର ଠାକୁରେ ନିଶ୍ଚୟ ତାକୁ ଅନୁଗ୍ରହ କରିବେ । ଠାକୁରଙ୍କ ମନ ନେବାପାଇଁ ସେ ଏତେ ଧର୍ମଗ୍ରନ୍ଥ ତାଙ୍କ ଆଗରେ ପାଠକଲାଣି, ତାଙ୍କର ମହିମା ସେ ତାଙ୍କ ଆଗରେ ଗାଇଗଲାଣି, ତେବେ କ’ଣ ତାଙ୍କର ଦୟା ହେବନାହିଁ ? କିନ୍ତୁ ନିର୍ଦ୍ଦୟ ଠାକୁରର ପାଷାଣ ହୃଦୟ ମୋଟେ ଟଳେ ନାହିଁ । ସେ ସବୁବେଳେ ଚାହିଁଥାଏ, ଯେ ତା’ର ଗୁଣଗାନ କରୁଛି ସେ ସବୁବେଳେ ସିମିତି ଆସି ଗାଉଥାଉ, ଆଉ ସେ ଯୋଗନିଦ୍ରାରେ ଶୋଇରହି ଶୂନ୍ୟରେ ହାଇ ତୋଳୁଥାଉ ।

 

ଠିକ୍‍ ସେମିତି ଭବାନନ୍ଦ ଯେତେସବୁ କାବ୍ୟ କବିତା ଲେଖୁଥିଲେ, ଅରୁନ୍ଧୁତୀ ନ କହିଲେ ମଧ୍ୟ ସେ ଆପେ ଆପେ ଅରୁନ୍ଧୁତୀ ଆଗରେ ଅତି ଉଚ୍ଛ୍ୱସିତ ହୃଦୟରେ ଆବୃତ୍ତି କରିଯାଉଥିଲେ । କେଉଁଦିନ ଅରୁନ୍ଧୁତୀ ଶୁଣୁଥିଲେ ଏବଂ ଯେଉଁଦିନ ତାଙ୍କର ଶୁଣିବାକୁ ଇଚ୍ଛା ମଧ୍ୟ ହେଉନଥିଲା ସେହିଦିନ ସେ ଭବାନନ୍ଦଙ୍କ ମନରକ୍ଷା କରିବାକୁ କହୁଥିଲେ, ‘‘ଭାରି ଭଲ ହୋଇଛି କବିତାଟି ।’’

 

ଅରୁନ୍ଧୁତୀଙ୍କ ପାଟିରୁ ଏତିକି ଶୁଣିଲା ମାତ୍ରେ ଭବାନନ୍ଦ ଆନନ୍ଦରେ ଗଦ୍ ଗଦ୍ ହୋଇଯାଉଥିଲେ ଏବଂ ସେ ମନେମନେ ଭାବୁଥିଲେ ଧନ୍ୟ ଭଗବାନ ! ଧନ୍ୟ ତୁମର ଲୀଳାଖେଳା-। ବେଳକାଳ ଜାଣି ତମେ ଯଦି ଅରୁନ୍ଧୁତୀକୁ ଆଣି ମୋ ପାଖରେ ପହଞ୍ଚାଇ ଦେଇନଥାନ୍ତ, ତେବେ ମୋର ଏଇ କବି ଜନ୍ମଟା କ’ଣ ସାର୍ଥକ ହୋଇପାରନ୍ତା ? ଅରୁନ୍ଧୁତୀଙ୍କ ପ୍ରତି ମହାନନ୍ଦଙ୍କ ମନ କୃତଜ୍ଞତାରେ ପୂରିଉଠେ ।

 

ସେ ଯେତେବେଳେ ଅରୁନ୍ଧୁତୀଙ୍କ ଆଗରେ ତାଙ୍କର କବିତା ଆବୃତ୍ତି କରୁଥିଲେ, ସେତେବେଳେ ଅପରିସୀମ ଭାବରେ ତାଙ୍କର ହୃଦୟ ସ୍ପନ୍ଦିତ ହେଉଥିଲା । ଆଖି ଓ ସୁଖର ଭାବ ହଠାତ୍‍ ବଦଳି ଯାଉଥିଲା । କଣ୍ଠ ଭାରି ଭାରି ଶୁଭୁଥିଲା । ଭବାନନ୍ଦଙ୍କ ଏ ପ୍ରକାର ଦୁରବସ୍ଥା ଦେଖି ଉପରିଆ ସହାନୁଭୂତି ପ୍ରକାଶ କରି ଅରୁନ୍ଧୁତୀ କହୁଥିଲେ, ‘‘ଭବାନନ୍ଦ ! ତୁମେ ହଠାତ୍ କାହିଁକି ବଦଳିଗଲ ? ଖୋଲିକରି କୁହନା, ତୁମର କ’ଣ ଦୁଃଖ ଅଛି ? ମୋ ପାଖରେ ଲାଜ ପୁଣି ଗୋଟେ କ’ଣ ?’’

 

ଭବାନନ୍ଦ କବି । ସିଧାସଳଖ କଥା କେବଳ ବୋକାମାନେ ହିଁ କହନ୍ତି । କଥାକୁ ବୁଲେଇକରି କହିବା ହେଉଛି କବିଜାତିର ଅଭ୍ୟାସ । ତେଣୁ ଭବାନନ୍ଦ ହୃଦୟର ଭାବ ଗୋପନକରି କହିଲେ, ‘‘ମୋ ମନରେ ଦୁଃଖ ସେମିତି କିଛି ନାହିଁ । ତେବେ ପ୍ରେମ କବିତା ପଢ଼ିଲା ବେଳେ ମନଟା କାହିଁକି ଦୁର୍ବଳ ହୋଇଯାଏ ।’’

 

‘‘ଏହାର ଅର୍ଥ ?’’ କୋଣ ଆଖିରେ ଅନାଇ ପଚାରିଲେ ଅରୁନ୍ଧୁତୀ ।

 

ଭବାନନ୍ଦ ପାରୁପର୍ଯ୍ୟନ୍ତ ଚେଷ୍ଟାକରି ବୁଝାଇ କହିଲେ ଅରୁନ୍ଧୁତୀକୁ । ନାନାପ୍ରକାର କାବ୍ୟ କବିତାରୁ ଉପମା, ଉପମେୟ ଖୋଜି ସେ ବୁଝାଇ ବସିଲେ ଯେ ଅରୁନ୍ଧୁତୀ ହେଉଛନ୍ତି ତାଙ୍କର କାବ୍ୟନାୟିକା ଏବଂ ଭବାନନ୍ଦ ହେଉଛନ୍ତି ତାଙ୍କର ପ୍ରେମିକ କବି । ସେ ଯେତେସବୁ କବିତା ଲେଖନ୍ତି ସବୁ ଲେଖନ୍ତି କେବଳ ଅରୁନ୍ଧୁତୀକୁ ଲକ୍ଷ୍ୟକରି । ସେ କବିତା ମାଧ୍ୟମରେ ଅରୁନ୍ଧୁତୀକୁ ସବୁ ମାଗନ୍ତି । ମାନ, ଅଭିମାନ କରନ୍ତି । ଯେତେବେଳେ ସେ କିଛି ପାଆନ୍ତି ନାହିଁ, ସେତେବେଳେ ସେ ଆଖିରୁ ଲୁହ ଗଡ଼ାନ୍ତି, କେବଳ ଅରୁନ୍ଧୁତୀର ପାଷାଣ ହୃଦୟ ଟିକିଏ ତରଳାଇ ଦେବାକୁ ।

 

ନାରୀ ଓ କବି ଏମାନଙ୍କ ମାୟାରେ କେହି ପଶି ପାରନ୍ତି ନାହିଁ । ତଥାପି ନାରୀ କବିକୁ ଅନ୍ତର ମଧ୍ୟରେ ଖୋଜେ ଏବଂ କବି ନାରୀକୁ ତା’ର ଅନ୍ତର ମଧ୍ୟରେ ଧ୍ୟାନକରି କବିତା ଲେଖେ ।

 

ଅରୁନ୍ଧୁତୀର ଦେହଟା ଯେ ଲହୁଣୀରେ ଗଢ଼ା, ଏହା କେହି ଅସ୍ୱୀକାର କରିବେ ନାହିଁ । କିନ୍ତୁ ତାଙ୍କ ହୃଦୟଟା ଲହୁଣୀର ନୁହେଁ କିମ୍ବା ଲୁହାରେ ମଧ୍ୟ ନୁହେଁ । ତାହା ବଜ୍ରରେ ତିଆରି । ତାଙ୍କର ପାରିପାର୍ଶ୍ୱିକ ଅବସ୍ଥା ତାଙ୍କୁ ପାଷାଣ କରିଦେଇଥିଲା । ସେ ମଧ୍ୟ ନାରୀ । ସେ କବିତା ବୁଝନ୍ତି ।

 

କବିତାର ମର୍ମସ୍ପର୍ଶୀ ଭାଷାରେ ତାଙ୍କର ହୃଦୟରେ ଆଲୋଡ଼ନ ସୃଷ୍ଟିହୁଏ । କେବଳ ଦୀର୍ଘଶ୍ୱାସ ପକାଇ କବିକୁ ସାନ୍ତ୍ୱାନା ଦେବା ବ୍ୟତୀତ ତାଙ୍କ ପାଖରେ ଆଉ କିଛି ନ ଥିଲା । ଆଉ ଯଦି କିଛି ଥାଆନ୍ତା, ଭବାନନ୍ଦଙ୍କ ଆଖିରୁ ଲୁହ ଶୁଖାଇବାକୁ ସେ କ’ଣ ଚେଷ୍ଟା କରିନଥାନ୍ତେ ?

 

ଅରୁନ୍ଧୁତୀ ଭାବୁଥିଲେ ଭବାନନ୍ଦ କେବଳ ତାଙ୍କର ଏହି ଲୋଭନୀୟ ଦେହପାଇଁ ବୋଧହୁଏ ବ୍ୟସ୍ତ । ସେଥିପାଇଁ ତାଙ୍କର ଏହି କାବ୍ୟ, କବିତା । ସେଥିପାଇଁ ବୋଧହୁଏ ତାଙ୍କର ଏତେ ଅଶ୍ରୁବର୍ଷଣ ।

 

ହାୟରେ ନାରୀ ! ତୁମର ଶକ୍ତି କାହିଁ କବିର ଅନ୍ତର ବୁଝିବାକୁ । କବିର ହୃଦୟ ଯେ ସାଗର ପରି ଗଭୀର ।

 

ଯେଉଁ ଭବାନନ୍ଦ ତାଙ୍କର କଲମ ମୂନରେ ଉର୍ବଶୀର ଶୋଭାକୁ ଅରୁନ୍ଧୁତୀର ନଖପତ୍ରରେ ଫୁଟାଇ ଦେଇଛନ୍ତି ଏବଂ ନୀଳ ଆକାଶର ଚନ୍ଦ୍ରକୁ ଦର୍ପଣ କରି ଅରୁନ୍ଧୁତୀକୁ ମୁଖ ଦେଖିବାକୁ ଧରାଇ ଦେଇଛନ୍ତି, ସେହି ଭବାନନ୍ଦ କ’ଣ ରକ୍ତମାଂସ ଲୋଭୀ କୁକୁର ?

 

ଅରୁନ୍ଧୁତୀ ଭାବନ୍ତି ସବୁ ପୁରୁଷ ସମାନ । ସମସ୍ତେ ହୃଦୟ ବଦଳରେ ଚାହାଁନ୍ତି ଦେହଟାକୁ-। ଗୋଟାଏ ହୃଦୟହୀନ ପୁରୁଷର ଦୌରାତ୍ମ୍ୟ ସହ୍ୟ କରି କରି ଅରୁନ୍ଧୁତୀ ପୁରୁଷଜାତି ସମ୍ବନ୍ଧରେ ଏତିକି ନୀଚ ଚିନ୍ତା କରୁଥିଲେ । ତେଣୁ ସେ ଭବାନନ୍ଦଙ୍କୁ ମଧ୍ୟ ସେହି ଆଖିରେ ବିବେଚନା କରିବାକୁ ଲାଗିଲେ । ମୋଟାମୋଟି କହିବାକୁ ଗଲେ ଅରୁନ୍ଧୁତୀ ବୁଝିଥିଲେ ନାରୀର ଦେହ ମଧ୍ୟରେ ତା’ର ହୃଦୟଟା ନଥାଏ ।

 

ହୃଦୟର ଅର୍ଥ ଅଭିଧାନରେ ଯାହା ଲେଖାଅଛି ଏବଂ ହୃଦୟର ଅର୍ଥ ଅରୁନ୍ଧୁତୀ ଯେତିକି ବୁଝନ୍ତି ସେହି ହୃଦୟଦେଇ ଏବଂ ନିଜର ରକ୍ତମାଂସର ଦେହକୁ ଆକୁଣ୍ଠିତଭାବେ ସମର୍ପଣ କରିଦେଇ ମିତ୍ରା ଭଲପାଉଥିଲା ଭବାନନ୍ଦକୁ । ଭବାନନ୍ଦକୁ ସନ୍ତୁଷ୍ଟ କରିବାକୁ, ତାଙ୍କୁ ନିଜର କରିବାକୁ ମିତ୍ରା କେବେହେଲେ କୃପଣତା ପ୍ରକାଶ କରୁନଥିଲା । ଭବାନନ୍ଦ ଭଳି ରୂପବାନ୍‍ ଓ ଗୁଣବାନ୍‍ ସ୍ୱାମୀଙ୍କ ପାଖରେ ମାନ ଅଭିମାନ ଶୋଭାପାଏ ନାହିଁ ଜାଣି ମିତ୍ରା ନିଜକୁ ଭବାନନ୍ଦଙ୍କ ପାଖରେ ଅର୍ପଣ କରିଦେଇଥିଲା ସତ୍ୟ; କିନ୍ତୁ କବିର ଅତୃପ୍ତ ହୃଦୟକୁ ସେ ତୃପ୍ତି ଦେଇପାରୁ ନଥିଲା ।

 

ଏହାର କାରଣ, ଭବାନନ୍ଦ ଭାବୁଥିଲେ କାବ୍ୟ ନାୟିକାର ହୃଦୟ ସାଧାରଣ ସ୍ତ୍ରୀର ହୃଦୟ ଅପେକ୍ଷା ଯଥେଷ୍ଟ ପରିମାଣରେ ଭଲ । କାବ୍ୟ ନାୟିକାର ଯେଉଁ ହୃଦୟକୁ ତୃପ୍ତ କରିବା ପାଇଁ କବି ଆଖିରୁ ଲୁହ ଢାଳି ତାହାର ଅନ୍ତରର ସମସ୍ତ ବେଦନା କଲମ ମୁନରେ ପ୍ରକାଶ କରେ ସେ ହୃଦୟ ସାଧାରଣ ହୃଦୟ ନୁହେଁ । ତେଣୁ ସେହି ହୃଦୟ ଚାହୁଁଥିଲେ କବି ଭବାନନ୍ଦ । ସେ ଜାଣିଥିଲେ ନାରୀର ଦେହ ମଧ୍ୟରେ ତା’ର ହୃଦୟ ଥାଏ । ଦେହଟା ନ ପାଇଲେ ହୃଦୟ ମିଳେନାହିଁ ବୋଲି ତାଙ୍କର ଥିଲା ଗୋଟିଏ ବଳିଷ୍ଠ ଯୁକ୍ତି । ତେଣୁ ସେ ଅରୁନ୍ଧୁତୀର ହୃଦୟ ପାଇବାକୁ ବ୍ୟାକୁଳ ହୋଇପଡ଼ିଥିଲେ ଏବଂ ଦିନେ କଥା ଛଳରେ କହିଲେ, ‘‘ଅରୁନ୍ଧୁତୀ ! ତୁମକୁ ମୁଁ ଶଯ୍ୟାନାୟିକା କରିବାକୁ ଚାହେଁ । ଯେ କବିର ସହସ୍ର କାବ୍ୟର ନାୟିକା ହୋଇଛି ସେ କ’ଣ କବିର ଶଯ୍ୟାନାୟିକା ହେବାକୁ ନାସ୍ତି କରିବ ?’’

 

ତତ୍‍କ୍ଷଣାତ ଭବାନନ୍ଦଙ୍କ ଭ୍ରମ ଦୂର ହୋଇଗଲା । ଅରୁନ୍ଧୁତୀ ଗମ୍ଭୀର ହୋଇ ମୁଖରେ ଘୃଣାଭାବ ଫୁଟାଇ କହିଲେ, ‘‘ମସ୍‍ଜିଦ୍ ଲେନରେ ବହୁତ ଶଯ୍ୟାନାୟିକା ଶସ୍ତା ଦରରେ ମିଳନ୍ତି ।’’

 

ସେହି ଘଟଣା ପରେ ପରେ ଭବାନନ୍ଦଙ୍କ କବିତା ମରିଗଲା । ଭବାନନ୍ଦଙ୍କ ପ୍ରାଣସ୍ପର୍ଶୀ ଭାଷା ଆଉ ତାଙ୍କର କବିତାରେ ପଢ଼ିବାକୁ ମିଳିଲା ନାହିଁ । ଯେଉଁ ଅରୁନ୍ଧୁତୀ ଦିନେ ଭବାନନ୍ଦଙ୍କ କବିତା ଶୁଣି ତାଙ୍କର ଦେହ ଓ ହୃଦୟକୁ ଭବାନନ୍ଦକୁ ଅର୍ପଣ କରିଦେବାକୁ ଆଗେଇ ଆସିଥିଲେ ସେ ମଧ୍ୟ ଆଜି ଭବାନନ୍ଦଙ୍କ ନାଁ ଶୁଣି ନାକ ଟେକିଲେ ।

 

ସବୁ ନିୟତିର ଖେଳ । ସେ ଖେଳକୁ ବଳ କାହାର ପାଏ ।

 

ପ୍ରେମଚାନ୍ଦ ବରାଳ ଷ୍ଟ୍ରୀଟରୁ ସିଧାସଳଖ ଭାବେ ଯେଉଁ ଅଣଓସାରିଆ ରାସ୍ତାଟି କୁଖ୍ୟାତ ବସ୍ତି ଆଡ଼କୁ ଲମ୍ବିଯାଇଛି ସେହି ରାସ୍ତାରେ ଭାରାକ୍ରାନ୍ତ ହୃଦୟରେ ଚାଲୁଥିଲେ କବି ଭବାନନ୍ଦ । ସେ ଆଜି ଅରୁନ୍ଧୁତୀର କହିବା ଅନୁସାରେ ବାହାରିଛନ୍ତି ଶଯ୍ୟାନାୟିକା ସନ୍ଧାନରେ ।

 

ଶଯ୍ୟାନାୟିକାର ଅର୍ଥକୁ କଦର୍ଥ କରି ତାଙ୍କୁ ସେଦିନ ଅରୁନ୍ଧୁତୀ ଏତେ ଅପମାନ ଦେଲେ କାହିଁକି, ଏହି କଥା କେବଳ ଭାବୁଥିଲେ ଭବାନନ୍ଦ । ପୁଣି ମନକୁ ମନ ଭାବିଲେ ସ୍ତ୍ରୀ ପରା ସ୍ୱାମୀର ଶଯ୍ୟାନାୟିକା ନୁହେଁ । ସେ ହେଉଛି ପ୍ରାଣସଙ୍ଗିନୀ ।

 

ସାହିତ୍ୟିକ ଶବ୍ଦର ଅର୍ଥ କେବଳ ସାହିତ୍ୟିକ ବୁଝେ । ଏମିତି କେତେ କ’ଣ ଭାବୁ ଭାବୁ ହଠାତ୍‍ ତାଙ୍କର ପାଦ ଦୁଇଟି ଗୋଟିଏ ନୀଳକୋଠା ପାଖରେ ଅଟକିଗଲା । ସେଠାରେ ରହୁଥିଲା ନୟନତାରା । ନୂଆକରି ସେ ବ୍ୟବସାୟ ଆରମ୍ଭ କରିଥାଏ । ତାହାର ଦାମ ଅନ୍ୟମାନଙ୍କ ତୁଳନାରେ ଟିକିଏ ଚଢ଼ା । ତଥାପି ଗ୍ରାହକର ଅଭାବ ନାହିଁ ।

 

ଲୋକେ କହନ୍ତି ଏ ଦୁନିଆରେ ସମସ୍ତେ ଅର୍ଥଦ୍ୱାରା ବଶୀଭୂତ ହୁଅନ୍ତି । ଏହା ସଠିକ୍‍ କି ନୁହେଁ ତାହା ଭବାନନ୍ଦଙ୍କୁ ଜଣାନାହିଁ । ତଥାପି ଭବାନନ୍ଦ ଏତିକି ଜାଣନ୍ତି ଯେ ପଇସାବାଲାର ସ୍ତ୍ରୀ ହେବାପାଇଁ ସବୁ ସ୍ତ୍ରୀର ମନ ମଧ୍ୟରେ ଲାଲସା ଥାଏ । ଦରିଦ୍ରର ସ୍ତ୍ରୀ ପାଖରେ ଧନୀକର ସ୍ତ୍ରୀ ଗର୍ବ ଦେଖାଏ କେବଳ ପଇସା ପାଇଁ । ସ୍ତ୍ରୀମାନେ ବୁଝନ୍ତି ପ୍ରତିଭା ଅପେକ୍ଷା ଧନର ଓଜନ ଢେର ବେଶି-

 

ହଠାତ୍‍ ନେପାଳୀ ଦରବାନ୍ ସଲାମ ପକାଇ ଭବାନନ୍ଦଙ୍କୁ ଭିତରକୁ ଯିବାକୁ ଇଙ୍ଗିତ ଦେଲା । ଭବାନନ୍ଦ ଭିତରେ ପଶିଲେ । ଘରର ଛାତଟା ଆଉ ତାଙ୍କ ମଥା ଉପରେ ଖସିପଡ଼ିବକି ଏହି କଥା ସେତେବେଳେ ଭବାନନ୍ଦଙ୍କୁ ଜଣାପଡ଼ୁଥିଲା ।

 

ହସ ହସ ମୁଖରେ ଆସି ଅଭିବାଦନ ଜଣାଇଲା ନୟନତାରା । ତାହାର ନାମଟା ଯେପରି, ରୂପଟା ମଧ୍ୟ ସେହିପରି । ରୂପରେ ନିଆଁ ଜଳୁଥିଲା । ସେତିକି ନ ହେଲେ ନିର୍ବୋଧ ପୁରୁଷର ମନ ଧରିରଖିବାକୁ ସେ ପ୍ରୟାସ ବା କରନ୍ତା କାହିଁକି ? ଭବାନନ୍ଦଙ୍କ ଆଖି ଝଲସିଉଠିଲା । ସେତିକିବେଳେ ତାଙ୍କର ମନେପଡ଼ିଲା ଅରୁନ୍ଧୁତୀକୁ ।

 

ଅରୁନ୍ଧୁତୀ ଓ ନୟନତାରା ଉଭୟଙ୍କର ରୂପ ଅଛି । ଉଭୟଙ୍କର ଯୌବନ ଅଛି । ଉଭୟଙ୍କ ନୟନ କୋଣରେ ଅଛି ପୁରୁଷକୁ ପାଗଳ କରିଦେବାକୁ ବଣା ଏଣୀର ଚଞ୍ଚଳ ଚାହାଣି । ତେବେ ତଫାତ୍‍ ଏତିକି ଯେ ଜଣେ କବିତାର କବିକୁ ଦୂରକୁ ଗୋଡ଼ରେ ଆଡ଼େଇ ଦିଏ ଓ ଆଉ ଜଣେ କେତୋଟି ମୁଦ୍ରା ପାଇବା ପାଇଁ ଭଲ ପାଇବାର ଅଭିନୟ କରି ସାଦର ସମ୍ବର୍ଦ୍ଧନା ଜଣାଏ ।

 

ନୟନତାରା ପାଖେଇ ଆସିଲା । ହାତରେ ବାଦାମୀରଙ୍ଗର ଚା’ କପ୍ ଓ ତା’ର ଗୋଲାପି ଓଠରେ ଲାଗିରହିଥିଲା ମୃଦୁ ହସର ଗୋଟିଏ ଛିଟିକା । ଏହି ଅଳ୍ପ ସମୟ ମଧ୍ୟରେ ସେ ଭବାନନ୍ଦଙ୍କ ଅତି ପାଖକୁ ଲାଗିଯାଇ ଓଠରେ ଓଠ ମିଳାଇବ ତା’ର ଇଚ୍ଛା ବିରୁଦ୍ଧରେ ଏବଂ ପୁଣି ଅତି ଅପରିଚିତା ହୋଇ ସୁଦ୍ଧା ପରିଚିତା ଭାବରେ ହସ ଫୁଟାଇ ରାତ୍ରିଯାପନ କରିବାକୁ ଅନୁରୋଧ କରିବ । ଏ ସବୁ କ’ଣ ପାଇଁ ? କେବଳ କେତୋଟି ମୁଦ୍ରା ପାଇଁ ନୁହେଁ କି ?

 

ଭବାନନ୍ଦ ଆଜି ପ୍ରେମିକ କବି ଭାବେ ଆସିନାହାନ୍ତି । ସେ ଆସିଛନ୍ତି, ଶଯ୍ୟାନାୟିକାର ଶସ୍ତା ଦାମର ଦେହଟାକୁ ଖରିଦ କରିବାକୁ ଗୋଟିଏ ପୁରୁଷ ଭାବରେ ।

 

ନୟନତାରା କୁଳବତୀ ନାରୀ ନୁହେଁ । ତେଣୁ କୁଳବତୀ ନାରୀ ଯେପରି ଅଭିନୟ କରେ ସେପରି ଅଭିନୟ କରିବାକୁ ସେ ମୋଟେ ଅଭ୍ୟସ୍ତ ନୁହେଁ । ସେ କେତୋଟି ମୁଦ୍ରା ପାଇବା ପାଇଁ କେବଳ ଅତି ବିଭତ୍ସ ଭାବରେ ହସି ହସି ନିଜକୁ ଅର୍ପଣ କରେ । ସେ ତାହାର ଦେହଟା ଖରିଦ୍‍ କରିପାରେ, ସେ ତାହାକୁ ଉପଭୋଗ କରିସାରି ଚାଲିଯାଏ । ଇସ୍‍ କେଡ଼େ ଜଘନ୍ୟ ଏହି ନାରୀର ଦେହ ଓ କେଡ଼େ କୁତ୍ସିତ ତା’ର ମନ ଏବଂ କେଡ଼େ ବିଭତ୍ସ ତା’ର ହୃଦୟ ?

 

ଶାଢ଼ି, ଶଙ୍ଖା, ସିନ୍ଦୂର ପିନ୍ଧାଇ ଯେଉଁ ସ୍ତ୍ରୀକୁ ପୁରୁଷ ପତ୍ନୀଭାବରେ ଗ୍ରହଣ କରେ, ସେହି ସ୍ତ୍ରୀ ପୁରୁଷର ମନ ନେବାପାଇଁ ଯେତିକି ତ୍ୟାଗ ସ୍ୱୀକାର କରେ, ସେତିକି ତ୍ୟାଗ ଅନାୟାସରେ ମଧ୍ୟ ନୟନତାରା ସ୍ଵୀକାର କରେ କାହିଁକି ? ଏମିତି କେତେ କ’ଣ ଅବାନ୍ତର ଦର୍ଶନ ଚିନ୍ତାକରୁଥିଲେ ସେଦିନ କବି ଭବାନନ୍ଦ ।

 

ନୟନତାରା ହସିହସି ପାଖେଇ ଆସିଲା ତାଙ୍କ ଓଠରେ ଓଠ ଲଗାଇ ତା’ର ନାରୀ ହୃଦୟର ସମସ୍ତ ସ୍ନେହ ଅଜାଡ଼ି ଦେବାକୁ । ଭବାନନ୍ଦ ପଛେଇ ଆସିଲେ । ସେ ଥରି ଥରି କହିଲେ, ‘‘ତୁମେ କ’ଣ ମୋର ଦେହଟାକୁ ଉପଭୋଗ କରିବାକୁ ଚାହଁ ?’’

 

ଅନେକ ପୁରୁଷଙ୍କୁ ନୟନତାରା ଦେଖିଛି । ବହୁ ପୁରୁଷଙ୍କ ପାଖରୁ ସେ ଅନେକ କିସମର ମିଠାକଥା ମଧ୍ୟ ଶୁଣିଛି, କିନ୍ତୁ ଏ ପ୍ରକାର ଅଦ୍ଭୁତ ଧରଣର ମଣିଷଟିଏ ସେ କେବେହେଲେ ଦେଖିନଥିଲା । ସେ କେବଳ ଅନାଇଲା ଭବାନନ୍ଦଙ୍କୁ ଅସହାୟ ଭାବରେ । ନୟନତାରାର ଉଜ୍ଜ୍ୱଳ ଆଖିଯୋଡ଼ାକ ନିଷ୍ପ୍ରଭ ହୋଇଗଲା ।

 

ଭବାନନ୍ଦ କୌଣସି ବାକ୍ୟ ବ୍ୟୟ ନ କରି ପକେଟରୁ ଦୁଇଖଣ୍ଡ ଦଶଟଙ୍କିଆ ନୋଟ ବାହାରକରି ନୟନତାରା ହାତକୁ ବଢ଼ାଇଦେଲେ । ନୟନତାରାର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ କିମ୍ବା ସେ ଦୁଃଖିତ ମଧ୍ୟ ହେଲା ନାହିଁ । ସେ କେବଳ ଭାବୁଥିଲା ଲୋକଟା ଆଉ ପାଗଳ ନୁହେଁ ତ-?

 

ଭବାନନ୍ଦ ରାସ୍ତା ଉପରକୁ ଆସିଲେ । ଭୟରେ ତାଙ୍କର ସର୍ବାଙ୍ଗ ଥରୁଥାଏ । ସେ ଆଉ ରାସ୍ତାରେ ପଡ଼ିଯିବେ କି ? ବହୁ ଚେଷ୍ଟାକରି ସେ ବସାଘରକୁ ଫେରି ଆସୁଥିଲେ । ରାସ୍ତାରେ ସେ ଆସିବାବେଳେ ଭାବୁଥିଲେ ନୟନତାରା କଥା ।

 

ନୟନତାରା ଅନାୟସରେ ତାଙ୍କୁ ତା’ର ଦେହଟା ନିଶ୍ଚୟ ସମର୍ପଣ କରିଥାନ୍ତା । ଅରୁନ୍ଧୁତୀ ତା’ର ସ୍ୱାମୀକୁ ଅଧିକା କ’ଣ ଆଉ ଦେଉଥିବ କି ? ନୟନତାରା ଯେଉଁ ଦେହ ଓ ହୃଦୟ ଦେଇ ତାଙ୍କୁ ଆଜି ସନ୍ତୁଷ୍ଟ କରିବାକୁ ବସିଥିଲା, ଠିକ୍‍ ସେହିପରି ଅରୁନ୍ଧୁତୀ ମଧ୍ୟ ତା’ର ସ୍ୱାମୀକୁ ସନ୍ତୁଷ୍ଟ କରେ । ସବୁ ସ୍ତ୍ରୀର ହୃଦୟର ସ୍ପନ୍ଦନ ଓ ଦେହର ଉଷ୍ମତା ନୟନତାରାର ହୃଦୟର ସ୍ପନ୍ଦନ ଓ ଦେହର ଉଷ୍ମତା ସଙ୍ଗେ ସମାନ ନ ହୋଇ ଟିକିଏ ଊଣା କିମ୍ବା ଟିକିଏ ଅଧିକ ହୋଇପାରେ । ମାତ୍ର ଅଜସ୍ର କାବ୍ୟ କବିତାର ନାୟିକା ହେବାର ସୁଯୋଗ ଯେଉଁ ରମଣୀ ଜୀବନରେ ଲାଭ କରିଥାଏ ସେ କ’ଣ ନୟନତାରା ଭଳି ଏକ ଇତର ସ୍ତ୍ରୀ ? ତଥାପି ଅରୁନ୍ଧୁତୀ ତାଙ୍କୁ ଭୁଲ ବୁଝିଲା କାହିଁକି ?
 

 

ଏହି ଦୁଃସମୟରେ ଭବାନନ୍ଦଙ୍କର ମନେପଡ଼ିଲା ମିତ୍ରାକଥା । ସେ ପୁଣି ଭାବିଲେ ମିତ୍ରା କାହିଁକି ତାଙ୍କର କବିତା ରାଜ୍ୟରେ ପଶି ହଇରାଣ ହେବ ? ସେ ଲୁଣ ତେଲର ସଂସାରରେ ଭାଜି ହୋଇ ହୋଇ ଶୁଖୁଆ ହୋଇଗଲାଣି ।

 

ସେ ପ୍ରେମ କିମ୍ବା ପ୍ରଣୟର ଅର୍ଥ ବୁଝିବାକୁ ମୋଟେ ବ୍ୟସ୍ତ ନୁହେଁ । ସେ ନିଜର ସ୍ୱାମୀକୁ ସୁଖୀ କରିବାକୁ ସର୍ବଦା ବ୍ୟସ୍ତ । ସେ ତାଙ୍କର କାବ୍ୟର ନାୟିକା ହେବାର ସୌଭାଗ୍ୟ ନେଇ ଜନ୍ମ ହୋଇନାହିଁ । ସେ କେବଳ କବିର ପତ୍ନୀ ହେବାର ପୁଣ୍ୟ ନେଇ ଜନ୍ମ ହୋଇଛି । ମିତ୍ରା ଭଳି ଗୋଟିଏ ନିରୀହା ସ୍ତ୍ରୀକୁ ଆଣି କାହିଁକି ସେ ଅଡ଼ୁଆରେ ପୂରାଇବେ ? ଏତିକି ମନେମନେ ଭାବି ଭବାନନ୍ଦ ହସିଉଠିଲେ ।

 

ସେତେବେଳେ ତାଙ୍କର ଆଖିରେ ଅରୁନ୍ଧୁତୀର ହସ ହସ ମୁଖଟି ଯେତେ ଦିଶୁନଥିଲା ତାହାଠାରୁ ଅଧିକ ଦିଶୁଥିଲା ନୟନତାରାର ରକ୍ତାଭ ମୁଖଟା । ଇସ୍ କେଡ଼େ ସୁନ୍ଦର ସେ ହସୁଥିଲା ।

 

‘ଯେ କୌଣସି ସ୍ତ୍ରୀ ସ୍ୱାମୀର ମନନେବାକୁ ଠିକ୍‍ ନୟନତାରା ଭଳି ହସେ ନାହିଁକି ?’ ଏହା କେବଳ ଭାବୁଥିଲେ କବି ଭବାନନ୍ଦ ।

Image

 

କାଳ ନାଗୁଣୀ

 

ଡାକ୍ତର ହେବାର ମମତାକୁ ସମ୍ପୂର୍ଣ୍ଣଭାବେ ଛିନ୍ନକରି ଯେଉଁଦିନ ମେଡିକାଲରୁ ନାଁ କଟେଇ ସୁମନ୍ତ ଘରକୁ ଫେରିଆସିଲେ ସେହି ଅଶୁଭ ଦିନରେ ସୁକାନ୍ତିକୁ କ୍ଷମା ଦେବାପାଇଁ ଅନୁରୋଧ କଲେ ଭାଉଜ ଦେବବାଳା । ସୁମନ୍ତ ଅତି ଧୀର ଗଳାରେ ଜବାବ୍ ଦେଲେ ‘‘ପ୍ରତ୍ୟେକ ଜିନିଷକୁ ନିଜର ଦୃଷ୍ଟିକୋଣରୁ ବିଚାର କରିବା ହେଉଛି ନାରୀର ସ୍ୱଭାବ । ସୃଷ୍ଟିର ଆଦିମଯୁଗରୁ ପୁରୁଷ ମାତ୍ରେ ହିଁ ଯେ କ୍ଷମାଶୀଳ ଏହା କ’ଣ ତୁମେ ଅସ୍ୱୀକାର କରୁଛ ଭାଉଜ ?’’

 

ଭାଉଜଙ୍କ କଣ୍ଠର ସ୍ୱର ଅତି ଅସ୍ୱାଭାବିକ ଭାବରେ ଋକ୍ଷ ହୋଇଆସିଲା । ସେ କହିଲେ, ‘‘ସୁକାନ୍ତୀକୁ ଶାସ୍ତିଦେବାକୁ କ’ଣ ତୁମର ଅଭିପ୍ରାୟ ନୁହେଁ ?’’

 

ସୁମନ୍ତ ମ୍ଳାନ ମୁଖରେ ଉତ୍ତରଦେଲେ, ‘‘ପୁରୁଷର ଦୃଷ୍ଟିକୋଣ ଭିନ୍ନ । ସେ ଯାହାକୁ ଥରେ ହୃଦୟ ଦାନ କରେ ଯେତେ ଚେଷ୍ଟାକଲେ ମଧ୍ୟ ତାହା ସେ ଫେରାଇ ଆଣିପାରେ ନାହିଁ । ଏ କଥା କ’ଣ ତୁମେ ମାନିବାକୁ ପ୍ରସ୍ତୁତ ନୁହଁ ?’’

 

ଦେବବାଳା ସହଜରେ ବୁଝିବା ପ୍ରକୃତିର ସ୍ତ୍ରୀ ନୁହଁନ୍ତି । ସେ କହିଲେ, ‘‘ସୁକାନ୍ତୀ ଯେଉଁ ଅପରାଧ କରିଛି ସେଥିପାଇଁ କ’ଣ ତା’ର କ୍ଷମା ନାହିଁ ?’’

 

ଦୋଷ ନ ଥାଇ ମଧ୍ୟ କ୍ଷମାର ପ୍ରଶ୍ନ ? ଏହାର ସମାଧାନ ସୁମନ୍ତ ବା କରିବ କିପରି ?

 

ଭାଉଜ ବିଦାୟ ନେଲେ । ସୁମନ୍ତ ଭାବିବାକୁ ଲାଗିଲେ ତାଙ୍କର ଅପକର୍ମ ହିଁ ସୁକାନ୍ତୀ ପାଖରୁ ଦୂରରେରହିବାକୁ ତାଙ୍କୁ ବାଧ୍ୟ କରିବ । ସେ ଯେଉଁ ଉତ୍‍ଶୃଙ୍ଖଳତା ପ୍ରକାଶ କରିଛନ୍ତି ସେଥିପାଇଁ ସେ ହେଉଛନ୍ତି ନିଜେ ଦୋଷୀ । କେଉଁ ମୁହଁରେ ସେ ଆଜି ସୁକାନ୍ତୀ ପାଖକୁ ଯାଇ କହିବେ, ‘‘ମୁଁ ଦୋଷୀ । ତୁମେ ତୁମର ନାରୀ ସୁଲଭତା ଗୁଣରେ ମୋତେ କ୍ଷମାକର ସୁକାନ୍ତୀ । ମୁଁ କେବେ ତୁମର ଚଲାବାଟରେ ଆଉ କଣ୍ଟାହୋଇ ଫୁଟିଉଠିବାକୁ ଅପଚେଷ୍ଟା କରିବି ନାହିଁ । ଯେଉଁ ଭାବପ୍ରବଣତାରେ ଭାସିଯାଇ ତୁମର ରୂପର ସ୍ତୁତିଗାନ କରି ନିଜକୁ ପ୍ରତିଷ୍ଠିତ କରିବାକୁ ବସିଥିଲି, ସେ ଭ୍ରମ ମୋର ଦୂର ହୋଇଯାଇଛି । ବର୍ତ୍ତମାନ ମୁଁ କେବଳ କ୍ଷମାର ପାତ୍ର ।’’

 

ତାଙ୍କର ମନର ମଣିଷ ବିଦ୍ରୋହୀ ହୋଇଉଠିଲା । ସେ ପଥର ପରି କଠିନ ହୋଇଉଠିଲେ । ସୁକାନ୍ତୀର ସ୍ମୃତିକୁ ସେ ମନ ମଧ୍ୟରୁ ବିଦାୟ କରିଦେବାକୁ ଦୃଢ଼ପ୍ରତିଜ୍ଞ ।

 

ସୁକାନ୍ତୀର ରକ୍ତମାଂସ ଦେହ ଉପରୁ ତାଙ୍କର ଲୋଭ କ୍ରମଶଃ କମିଆସିଲା ।

 

ସୁମନ୍ତ ବର୍ତ୍ତମାନ କଳାର ଛାତ୍ର । କଲେଜରୁ ଫେରିବାବେଳେ କେବେକେବେ ତାଙ୍କର ଆଶାୟୀ ଆଖି ଦୁଇଟି ଅଣାୟତ୍ତ ଅବସ୍ଥାରେ ସୁକାନ୍ତୀଙ୍କ କୋଠା ପାଖରେ ଅଟକି ଯାଇ ସୁକାନ୍ତୀକୁ ଖୋଜିବାର ଚେଷ୍ଟା ଯେ ନ କରିଛି ତାହା ନୁହେଁ, ତେବେ ସୁମନ୍ତର ଭୀଷ୍ମ ପ୍ରତିଜ୍ଞା ପାଖରେ ସେହି ଆଖି ଯୋଡ଼ାକ ହାରି ଯାଇଛନ୍ତି ।

 

ଯେଉଁ ଦିନ ସୁମନ୍ତ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ପରୀକ୍ଷାରେ କୃତିତ୍ଵ ସହକାରେ ଉତ୍ତୀର୍ଣ୍ଣ ହେଲେ, ସେଦିନ ସେ ଶୁଣିଲେ ସୁକାନ୍ତୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବାକୁ ଆସିଥିଲା । ଏ ଖବର ସେ ପାଇଥିଲେ ଭାଉଜ ଦେବବାଳାଙ୍କ ନିକଟରୁ ।

 

ସେ ବିବ୍ରତ ହୋଇପଡ଼ିଥିଲେ । ଭାବିଲେ ଘର ନ ଛାଡ଼ିବା ଯାଏ ତାଙ୍କର ଆଉ ରକ୍ଷାନାହିଁ । ସୁକାନ୍ତୀ ତାଙ୍କୁ ପଛରୁ ଯେପରି ଏଲସେସିଆନ୍ କୁକୁର ଭଳି ଗୋଡ଼ାଉଛି କେତେବେଳେ ହୁଏତ ତାହାର ବିଷଦାନ୍ତର ଦଂଶନରେ ତାଙ୍କର ପ୍ରାଣହାନୀ ହୋଇପାରେ । ପୁଣି ସେଥିରେ ଭାଉଜଙ୍କର ଦୁରଭିସନ୍ଧି !! ମଣିଷର ଉପାୟ କ’ଣ ?

 

ସୁକାନ୍ତୀକୁ ଅକ୍ଳେଶରେ ଏଡ଼ିଦିଆଯାଇପାରେ; ମାତ୍ର ଭାଉଜଙ୍କର କରୁଣ ନିବେଦନକୁ ସେ କ’ଣ ପାଦରେ ଦଳିଦେଇ ପାରିବେ ? ଦୁନିଆରେ ସ୍ନେହ ଅପେକ୍ଷା ଅନ୍ନ ହେଉଛି ବଡ଼ ଜିନିଷ ନୁହେଁ କି ? ଯାହାର ଅନ୍ନରେ ପ୍ରତିପାଳିତ ହୋଇ ସେ ଆଜି ଦୁନିଆରେ ପ୍ରତିଷ୍ଠିତ ହେବାକୁ ଯାଉଛନ୍ତି ତାଙ୍କର ଇଚ୍ଛା ବିରୁଦ୍ଧରେ ଯିବାର ଅର୍ଥ ଅନ୍ନଦାତ୍ରୀଙ୍କପ୍ରତି ଚରମ ବିଶ୍ୱାସଘାତକତା ନୁହେଁ କି ? ସେ କୌଣସିମତେ ଭାଉଜଙ୍କ ବିରୁଦ୍ଧାଚରଣ କରିପାରିବେ ନାହିଁ । ସେ ସୁକାନ୍ତୀକୁ ନିଶ୍ଚୟ କ୍ଷମା କରିବେ ଓ ନିଜକୁ ତା’ର କାମନାର ଯଜ୍ଞପୀଠରେ ସମିଧ କରି ଦଗ୍‍ଧ କରିବେ । ଏହା ହେଲା ସୁମନ୍ତର ସେଦିନର ସିଦ୍ଧାନ୍ତ ।

 

ଏକ ଦିଗରେ ଭାଉଜଙ୍କର କରୁଣ ନିବେଦନ ଓ ଅନ୍ୟ ଦିଗରେ ନିଜର ଆତ୍ମସମ୍ମାନ । କାହାକୁ ଉଚ୍ଚଆସନ ଦେବ ସୁମନ୍ତ ?

 

ବିବେକ ପୁରୁଷର ଏ ଅମାନୁଷିକ ପ୍ରଶ୍ନର ଜବାବ୍ ସୁମନ୍ତଙ୍କୁ ହିଁ ଦେବାକୁ ପଡ଼ିଲା । ସେ ହେଲେ ଦେଶତ୍ୟାଗୀ । ସୁକାନ୍ତୀ ସେହିଦିନଠାରୁ ତାଙ୍କ ପାଖରେ ନିହାତି ଅଜଣା, ଅଶୁଣା ହୋଇ ରହିଗଲା ।

 

ସୁମନ୍ତର ସହଜସୁଲଭ ବ୍ୟବହାରରେ କାରଖାନାର ଶ୍ରମିକଠାରୁ ମାଲିକ ପର୍ଯ୍ୟନ୍ତ ସମସ୍ତେ ମୁଗ୍‍ଧ । ଜଣେ ଉଚ୍ଚ ବେତନଭୋଗୀ କର୍ମଚାରୀ ଯେ ଏତେ ଭଦ୍ର ଓ କ୍ଷମାଶୀଳ ହୋଇପାରେ ଏହା ସମସ୍ତଙ୍କର ପ୍ରଧାନ ଆଲୋଚ୍ୟ ବିଷୟ ହୋଇଉଠିଲା । ସମସ୍ତେ ଚାହିଁଲେ ସୁମନ୍ତର ସାନିଧ୍ୟ । କାରଖାନାର କର୍ତ୍ତୃପକ୍ଷଙ୍କ ଶୁଭଦୃଷ୍ଟି ମଧ୍ୟ ତାଙ୍କ ଉପରେ ପଡ଼ିଲା ।

ଭାଉଜଙ୍କର ମୋହିନୀ ମୂର୍ତ୍ତି ସୁମନ୍ତଙ୍କ ମନ ମଧ୍ୟରେ କୌଣସି ରେଖାପାତ ଯେ ନ କରିଛି ତାହା ନୁହେଁ, ସେ ସବୁବେଳେ ନିଜର ଅପରାଧ ପାଇଁ ସେହି ଅଦୃଶ୍ୟ ହାତର ଆଶୀର୍ବାଦ ଲୋଡ଼ିଛନ୍ତି । ଅଶ୍ରୁସିକ୍ତ ମୁଖରେ ସ୍ୱକୃତ ପାପର ପ୍ରାୟଶ୍ଚିତ୍ତ ପାଇଁ ସେ କ୍ଷମା ମଧ୍ୟ ଚାହିଁଛନ୍ତି ।

ଦୀର୍ଘ ପାଞ୍ଚବର୍ଷ ପରେ ସେ ଭାଉଜଙ୍କ ପାଖକୁ ଚିଠି ଲେଖି ନିଜର ଅପରାଧ ପାଇଁ କ୍ଷମା ଚାହିଁଲେ । ଭାଉଜ କ୍ଷମାଦେବା ପରିବର୍ତ୍ତେ ସେ ଅଭିମାନ କରି ଲେଖିଲେ, ‘ସେ ଦେଶତ୍ୟାଗୀ ହେଲା ଦିନଠାରୁ ଭାଉଜ ମରିଯାଇଛି ଓ ତା’ର ପ୍ରେତ ଛାୟାଟା କେବଳ ରହିଯାଇଛି ଦେଶତ୍ୟାଗୀ ସୁମନ୍ତଙ୍କୁ ସଂସାରୀ କରିବା ପାଇଁ । ସୁମନ୍ତଙ୍କୁ ନିଶ୍ଚୟ ତାଙ୍କର ଶେଷ ଅନୁରୋଧଟି ରକ୍ଷା କରିବାକୁ ହେବ । ଏହା ହେଉଛି ଦେବବାଳାଙ୍କ ଚିଠିର ସାରାଂଶ ।

ପୁଣି ସେହି ସୁକାନ୍ତୀ ??

ସୁମନ୍ତଙ୍କର ପୁଣି ନୂତନ ଆବିଷ୍କାର ।

ସେ ନିଜର ଯୁକ୍ତିକୁ ପ୍ରତିପାଦିତ କରିବା ପାଇଁ ଭାବିଲେ ଏହା ମଧ୍ୟରେ ସୁକାନ୍ତୀ କୌଣସି ଭାଗ୍ୟବାନ ଯୁବକର ଅଙ୍ଗଶାୟିନୀ ହୋଇ ଫେନିଳ ଦୁଗ୍‍ଧସମ ମଲମଲ ଶଯ୍ୟା ଉପରେ ନିଜର ଜାଫ୍ରାନୀ ରଙ୍ଗର ଦେହକୁ ଲୋଟାଇ ଦେଇ ସେ ନିଶ୍ଚୟ ଆକାଶ କୁସୁମ ତୋଳିବା ପାଇଁ ହାତ ବଢ଼ାଉଥିବ । ଆଉ ସୁମନ୍ତର ସ୍ମୃତି ତା’ର ହୃଦ ଆକାଶର ଘନ କୁହେଳି ତଳେ ଚିରଦିନ ପାଇଁ ଲୁଚିଯାଇଥିବ ।

ସୁମନ୍ତକୁ ସଂସାର କରିବାକୁ ପଡ଼ିବ । ସେ ଭାଉଜର ସରଳ ବିଶ୍ୱାସରେ ବିଷ ବୋଳିଦେଇ ପାରିବେ ନାହିଁ । ତେବେ ପାତ୍ରୀ

କିଏ ବା ତୁମର ଅଧରମଧୁ ଚାଖିବା ପାଇଁ ପ୍ରଣୟପ୍ରାର୍ଥିନୀ ନ ହେବ ସୁମନ୍ତ ? ପୁଣି ସେହି ମନର ମଣିଷର ଏ ସରଳ ପ୍ରଶ୍ନ ସୁମନ୍ତଙ୍କୁ ଶୁଣାଗଲା ।

ଉର୍ବଶୀର ମୁନିମନଲୋଭା ରୂପ, ମେନକାର ଦେବଦୁର୍ଲ୍ଲଭ ଜ୍ୟୋତି ତାଙ୍କର କାମନାର ବାହାରେ । ସେ ଚାହାଁନ୍ତି କେବଳମାତ୍ର ଗୋଟିଏ ନାରୀ । ଯେଉଁ ନାରୀଟିକୁ ସେ ଚାହାଁନ୍ତି, ସେ ରୂପରେ ଭୈରବୀ ହେଉ ଅଥବା ସୂର୍ପଣଖା ପରି ଅସୁନ୍ଦରୀ ହେଉ ସେଥିରେ ତାଙ୍କର ଲେଶମାତ୍ର ଆପତ୍ତି ନାହିଁ ।

ପୂର୍ବର କେଉଁ ଦୁଷ୍କୃତି ଫଳରେ ଯେ ତିଳୋତ୍ତମା କଳାକଜ୍ୱଳ ରୂପକୁ ଧରି ବିଧାତାଙ୍କର ଚରମ ସୃଷ୍ଟିକୁ ଉପହାସ କରି ଧରାପୃଷ୍ଠକୁ ଆସିଥିଲା, ସେ କଥା କେବଳ ସେ ଜାଣେ । ତିଳୋତ୍ତମା ହେଲା ସୁମନ୍ତର ଅଙ୍କଲକ୍ଷ୍ମୀ ।

ଗୋଟିଏ ସ୍ତ୍ରୀର ରୂପ ଦେଖି ଅନ୍ୟ ଗୋଟିଏ ସ୍ତ୍ରୀ ଯେ ରାଗରେ ଜଳିଯାଇପାରେ ଏହି କଥା ସୁମନ୍ତ ପ୍ରଥମେ ଆବିଷ୍କାର କଲେ ଭାଉଜଙ୍କର ଭ୍ରୂକୁଞ୍ଚନରୁ । ଭାଉଜଙ୍କର ପାଟିରୁ ବାହାରିପଡ଼ିଲା ‘‘ଏ କ’ଣ କଲ ସୁମନ୍ତ ?’’

‘‘ତୁମକୁ ସୁଖୀ କରିବାକୁ ଏହା କରିବାକୁ ବାଧ୍ୟ ହେଲି ଭାଉଜ । ଯେଉଁ ତିଳୋତ୍ତମାର ରୂପ ବିଧାତାଙ୍କର କଳ୍ପନାତୀତ, ସେହି ତିଳୋତ୍ତମାକୁ ଦେଖିଲେ ସୁକାନ୍ତୀର ସ୍ପର୍ଦ୍ଧା କ୍ଷଣକ ସକାଶେ ନଇଁପଡ଼ିବ ନାହିଁ ଭାଉଜ ?’’ ଅବିଚଳିତ କଣ୍ଠରେ ସୁମନ୍ତ ଏତିକି କହି ଘର ମଧ୍ୟରୁ ବାହାରି ଯିବାବେଳେ ଦୁଇଟୋପା ଲୁହ ତାଙ୍କ ଆଖିରୁ ସିମେଣ୍ଟ ଚଟାଣ ଉପରେ ଗଡ଼ିପଡ଼ିଲା ।

 

ସୁମନ୍ତର ବ୍ୟଥିତ ହୃଦୟର ପରିଚୟ ଦେବବାଳା ପାଇବା ମାତ୍ରେ ସେ ସୁମନ୍ତଙ୍କୁ ପଚାରିଲେ, ‘‘ସୁକାନ୍ତୀକୁ ଅଭିମାନ କରି ନିଜକୁ ନିଜେ କାହିଁକି ଦଗ୍‍ଧ କଲ ସୁମନ୍ତ ?’’

 

ଉତ୍ତର ଦେବାକୁ ସେଠାରେ ସୁମନ୍ତ ନ ଥିଲେ । ନିର୍ବାକ୍‍ ପିତୁଳାସଦୃଶ ଏହି ଦୃଶ୍ୟ କେବଳ ଉପଭୋଗ କରୁଥିଲା ତିଳୋତ୍ତମା ।

 

‘‘କେବେ ଯଦି ସୁକାନ୍ତୀକୁ ଦେଖ, କହିବ ସୁମନ୍ତ ସୁଖରେ ଅଛି ।’’ ଏହା ହେଉଛି ସୁମନ୍ତର ଭାଉଜଙ୍କୁ ବିଦାୟ ଦେବା ସମୟରେ ପ୍ରାର୍ଥନା ।

 

ଦେବବାଳା କୌଣସି ଉତ୍ତର ଦେଇପାରିଲେ ନାହିଁ । ସେ କେବଳ ଦୁଇଟୋପା ଲୁହ ଗଡ଼ାଇ ଫେରିଆସିଲେ ।

 

ଓଃ, କି ଭୟଙ୍କର ରୂପ ? ସତେଯେପରି ଗୋଟାଏ କାଳନାଗୁଣୀ ସୁମନ୍ତର ଗଳାରେ ଛନ୍ଦିହୋଇ ଓଠ ପାଖରେ ମୁହଁ ଲଗାଉଛି । ଶୋଇବା ଘର ପଲଙ୍କ ପାଖରେ ଟଙ୍ଗା ହୋଇଥିବା ଦର୍ପଣରେ ପ୍ରତିବିମ୍ବ ଦେଖି ସୁମନ୍ତ ଛାନିଆ ହୋଇଉଠିଲେ ।

 

କିନ୍ତୁ ସେ ଯେ ନିଜେ ଏହି କାଳନାଗୁଣୀକୁ ଆହ୍ୱାନ କରି ଆଣିଛନ୍ତି ସୁକାନ୍ତୀର ତୀବ୍ର ବିଷଜ୍ୱାଳାରୁ ନିଜକୁ ବଞ୍ଚାଇବା ପାଇଁ । ସେଥିପାଇଁ ବିଚାରୀ ତିଳୋତ୍ତମାର ବା ଦୋଷ କ’ଣ ? ଦୟାରେ ସୁମନ୍ତର ହୃଦୟ ଆର୍ଦ୍ର ହୋଇଉଠିଲା ।

 

ସେ ନିଜର ସମସ୍ତ ଶକ୍ତି ଖଟାଇ ତିଳୋତ୍ତମାକୁ ସୁଖୀ କରିବେ । ତିଳୋତ୍ତମା ହେବ ତାଙ୍କର ଉତ୍ତର ଦାୟାଦର ଜନ୍ମଦାତ୍ରୀ । ସେ ସୁମନ୍ତର ଛାତି ତଳରେ ଶୋଇରହି ତା’ର ନାରୀଜନ୍ମର ସାର୍ଥକତା ଆଣିବ । ଯେ ସୁକାନ୍ତୀ ପାଇଁ ଏତେ ତ୍ୟାଗ ସ୍ଵୀକାର କରିପାରିଛନ୍ତି, ସେ କ’ଣ ତିଳୋତ୍ତମା ପାଇଁ ଏତିକି କରିପାରିବେ ନାହିଁ ?

 

ସୁମନ୍ତ ଉନ୍ମତ୍ତ ପ୍ରାୟ ଚିତ୍କାର କରି କହିଲେ, ‘‘ତିଳୋତ୍ତମା ! ତୁମେ ହେଉଛ ମୋର ରୂପରାଜ୍ୟର ରାଜଜେମା । ମୁଁ ମୋର ମନ ପକ୍ଷିରାଜରେ ସାତ ସମୁଦ୍ର ତେର ନଈ ବୁଲି ବୁଲି ତୁମକୁ ବୁଢ଼ୀ ଅସୁରୁଣୀର କବଳରୁ ଛଡ଼ାଇ ଆଣିଛି ଏହି ହୃଦୟ ସିଂହାସନରେ ବସାଇ ପୂଜା କରିବା ପାଇଁ । ତୁମେ ମୋର ସର୍ବସ୍ୱ ।’’

 

ଦୀର୍ଘଦିନର ବ୍ୟବଧାନ ପରେ ଶତପ୍ରଶ୍ନ ତିଳୋତ୍ତମାର ମନରେ ଉଦୟ ହେଲା । ଏ ଅଭିନୟ ପୁଣି କାହିଁକି ? ସେ ଯେ ନାରୀ । ମା’ ହେବାପାଇଁ ସେ ଯେ ଦୁନିଆକୁ ଆସିଅଛି । ମାତୃତ୍ଵ ଯେ ତାହାର ଏକମାତ୍ର କାମନା । ସେଥିପାଇଁ ସୁମନ୍ତ ଏତେ କୃପଣତା ପ୍ରକାଶ କରୁଛନ୍ତି କାହିଁକି ? ସେ ମା’ ନ ହେଉ ଏହା କ’ଣ ସୃଷ୍ଟିକର୍ତ୍ତାଙ୍କ ପରମ ଅଭିଳାଷ ?

 

ସୁମନ୍ତ ଭଳି ସ୍ୱାମୀ ପାଇ କୌଣସି ନାରୀ ଯଦି କହେ ସେ ଭାଗ୍ୟହୀନା, ତେବେ ଦୁନିଆ ତାକୁ ଆଜି କ’ଣ କହିବ ? ତିଳୋତ୍ତମାର ମନ ମଧ୍ୟରେ ଏହି ପ୍ରଶ୍ନ ଯେ କାହିଁକି ଏତେଦିନ ପରେ ସ୍ଥାନପାଇଛି ତାହା ସେ ନିଜେ ମଧ୍ୟ ଜାଣିପାରିଲା ନାହିଁ । ମା’ ହେବାର ବାସନା ତାକୁ ଅସ୍ଥିର କରିପକାଇଲା । କିନ୍ତୁ ସେ ଦିଗରେ ସୁମନ୍ତ ଯେ ଏକାବେଳକେ ନିଶ୍ଚେଷ୍ଟ । ତେବେ ଉପାୟ ?

 

ବିବାହିତା ନାରୀକୁ ସବୁ ଉପାୟ ଜଣା । ସେ ଶିବବ୍ରତ କରି ମଧ୍ୟ ପାଣିରେ ବୁଡ଼ି ପାଣି ପିଇଜାଣେ । ତିଳୋତ୍ତମା କ’ଣ ଏତିକି କରିପାରିବ ନାହିଁ ?

 

ନିର୍ବିକାର ଭାବେ ତିଳୋତ୍ତମା କହିଲା, ‘‘ଆପଣ ନାରୀ । ନାରୀର ଦୁଃଖ ନାରୀକୁ ଜଣା-। ମୋର ମା’ ହେବାର..... ।’’

 

ସ୍ୱାସ୍ଥ୍ୟକେନ୍ଦ୍ର ଦାୟିତ୍ଵରେ ଥିବା ମହିଳା ଡାକ୍ତର ଟିକିଏ ରସିକତା କରି କହିଲେ, ‘‘ଆପଣ କୌଣସି ପୁରୁଷ ପାଖରେ ଆବେଦନ କରନ୍ତୁ । ସେ ଆପଣଙ୍କର ବାସନାକୁ ଚରିତାର୍ଥ କରିବେ । ଏହା ମୋର ଦୃଢ଼ ବିଶ୍ୱାସ ।’’

 

‘‘ମାଆ ହେବାର ପରମ ସୌଭାଗ୍ୟକୁ ମୁଁ ଚିରଦିନ ପାଇଁ ବିସର୍ଜନ ଦେବାକୁ ଚାହେଁ । ଆପଣ ମୋତେ ସାହାଯ୍ୟ କରନ୍ତୁ ।’’

 

‘‘ଉଦ୍ଦେଶ୍ୟ ?’’

 

ଆଖିର ଲୁହରେ ସେ କହିଲା, ‘‘ମୋର ସ୍ୱାମୀ ତାଙ୍କର କୌଣସି ଉତ୍ତରଦାୟାଦକୁ ସୂର୍ଯ୍ୟର ଆଲୋକ ମଧ୍ୟକୁ ଆସିବାକୁ ସୁଯୋଗ ଦେବାକୁ ଅନିଚ୍ଛୁକ.... ।’’

 

କଥା ଶେଷହେବା ପୂର୍ବରୁ ମହିଳା ଡାକ୍ତର ପଚାରିଲେ, ‘‘ଆପଣଙ୍କ ସ୍ୱାମୀଙ୍କର ଏ ପ୍ରକାର ଅମାନୁଷିକ ଅଭିପ୍ରାୟର କାରଣ ଜାଣିପାରେ କି ?’’

 

‘‘ରୂପ ବଜାରରେ ପେଶାଦାର ପ୍ରେମିକ ସାଜିବାକୁ ତାଙ୍କର କୌଣସି ଉତ୍ତରାଧିକାରୀ ସୂର୍ଯ୍ୟର ଆଲୋକ ମଧ୍ୟକୁ ଯେପରି ନ ଆସିବେ ସେଥିପାଇଁ ମୋର ସ୍ୱାମୀ ବହୁ ପୂର୍ବରୁ ଯେ ଏହି ବନ୍ଦୋବସ୍ତ କରିସାରିଛନ୍ତି ଏହା ଯଦି ମୁଁ ଜାଣିଥାନ୍ତି ତେବେ ମାଆ ହେବାପାଇଁ ମୋର ସତୀତ୍ୱକୁ ମୁଁ କେବେ ବଳିଦେଇ ନ ଥାନ୍ତି । ମୁଁ ନାରୀ । ସତୀତ୍ୱ ହେଉଛି ନାରୀର ଧର୍ମ । ସମାଜରେ ମୁଁ ଅସତୀ ହେବାକୁ ଚାହୁଁନାହିଁ । ଆପଣ ମୋର ନାରୀତ୍ୱକୁ ରକ୍ଷା କରନ୍ତୁ ।’’

 

ତିଳୋତ୍ତମାର କଥାରେ ସୁକାନ୍ତୀ ଥରିଉଠିଲେ । ତିଳୋତ୍ତମା ଯାହା କହିଗଲା, ସେହି କଥା ସେ ଅନେକ ଦିନ ତଳେ ସୁମନ୍ତକୁ ବିଦ୍ରୂପ କରି କହିଥିଲେ–‘‘ମୋର ଦୁର୍ଭାଗ୍ୟ ଯେ ମୁଁ ଆଜି ଦୁନିଆରେ ନାରୀ ହୋଇ ଜନ୍ମହୋଇଛି । ମୁଁ ଯଦି ଆପଣଙ୍କ ପରି ଜଣେ ପୁରୁଷ ହେବାର ସୁଯୋଗ ନେଇ ଜନ୍ମ ହେଇଥାନ୍ତି, ତେବେ ମୁଁ ମୋର କୌଣସି ଉତ୍ତରାଧିକାରୀକୁ ମଧ୍ୟ ଛାଡ଼ି ଯାଆନ୍ତି ନାହିଁ ଆପଣଙ୍କ ଭଳି ନିର୍ଲଜ ଭାବରେ ସ୍ତ୍ରୀର ଇଜ୍ଜତ୍ ନେଇ ରୂପ ବଜାରରେ ପେଶାଦାର ଗ୍ରାହକ ସାଜି ଖେଳ ଖେଳିବାକୁ ।’’

 

ସୁକାନ୍ତୀ ଅସହାୟ ଭାବେ ଚିତ୍କାର କରି କହିଲେ, ‘‘ହାୟ ସୁମନ୍ତ ! ମୋତେ କ’ଣ ଦଂଶନ କରିବାକୁ ତୁମେ ଏହି କାଳନାଗୁଣୀକୁ ଏଠାକୁ ପଠାଇଥିଲ ? ଏହାର ବିଷଜ୍ୱାଳା ଯେ ମୁଁ କୌଣସି ପ୍ରକାରେ ସହ୍ୟ କରିପାରିବି ନାହିଁ ।’’

 

ସୁକାନ୍ତୀର ଚିତ୍କାରର ପ୍ରତିଧ୍ୱନିରେ ସ୍ୱାସ୍ଥ୍ୟ କେନ୍ଦ୍ରଟି ଭରି ଯାଇଥିଲା । ତିଳୋତ୍ତମା ଧୀରେ ଧୀରେ ପଦାକୁ ବାହାରି ଆସିଲା । ଆଉ ସୁକାନ୍ତୀର କରୁଣ ଦୃଷ୍ଟି ସେତେବେଳେ କେବଳ ତିଳୋତ୍ତମା ଉପରେ ହିଁ ନିବଦ୍ଧ ହୋଇଯାଇଥିଲା ।

 

ଝାଡ଼ୁଦାର ବୁଢ଼ା ମନକୁ ମନ କହିଲା, ‘‘ଏହିଭଳି ଅସୁନ୍ଦରୀ ସ୍ତ୍ରୀର ସତୀତ୍ୱର ପୁଣି ମୂଲ୍ୟ କ’ଣ ?’’

Image

 

ପିତା ମହାକାଳ

 

ଦୁର୍ବଳତାର ସୁଯୋଗ ସବୁବେଳେ ସମସ୍ତେ ନେଇଥାନ୍ତି । ଦୁର୍ବଳ ସବୁବେଳେ ବଳବାନ ପାଖରେ ଆତ୍ମସମର୍ପଣ କରିଦେଇ ନିଜର ଆତ୍ମରକ୍ଷାର ଉପାୟ ଚିନ୍ତାକରେ । ଏତେ ଜାଣିଶୁଣି ସୁଦ୍ଧା ମଣିଷ ନିଜର ଦୁର୍ବଳତା ଅନ୍ୟ ପାଖରେ ପ୍ରକାଶ କରେ କାହିଁକି ?

 

ଏହିକଥା ସେଦିନ ଅଳସ ସଞ୍ଜରେ ଭାବୁଥିଲେ ହେମଲତା । ସେ କାହିଁକି ନିଜକୁ ହେୟ ଓ ଅବହେଳିତ ମନେକରି ତାଙ୍କ ଜୀବନର ଇତିହାସର ସମସ୍ତ ପୃଷ୍ଠାଗୁଡ଼ିକ ଖୋଲିଦେଇ ସୁଧୀନ୍ଦ୍ରକୁ ପଢ଼ିବାକୁ ଦେଲେ ? ସୁଧୀନ୍ଦ୍ର ତ ସେପରି ତାଙ୍କର ଅତି ଆପଣାର ଲୋକ ନୁହେଁ କିମ୍ବା ରକ୍ତଗତ ସମ୍ପର୍କ ମଧ୍ୟ ସୁଧୀନ୍ଦ୍ର ସଙ୍ଗରେ ତାଙ୍କର କିଛି ନାହିଁ । ତେବେ ସେ ସୁଧୀନ୍ଦ୍ରକୁ ଏତେ ବିଶ୍ୱାସ କଲେ କିପରି ? ଜଣେ ଅଜଣା ଅଶୁଣା ବ୍ୟକ୍ତିକୁ ତାଙ୍କର ଏତେଦୂର ବିଶ୍ୱାସ କରିବା ମୋଟେ ଉଚିତ ହୋଇନାହିଁ ।

 

ପାଖ ପଡ଼ୋଶୀ ହିସାବରେ ସୁଧୀନ୍ଦ୍ର ତାଙ୍କ ଘରକୁ ଯିବା ଆସିବା କରୁଥିଲେ । କେବେ କିମିତି ସୁବିଧା ଅସୁବିଧାରେ ଚା’ ଟିକିଏ କିମ୍ବା ଭାତ ଗଣ୍ଡିଏ ଖାଇଦେଇ ଯାଉଥିଲେ । ଯେତେବେଳେ ସେ ବିନା ଖର୍ଚ୍ଚରେ ପଞ୍ଚଗ୍ରାସଟିଏ ଚଢ଼ାଇଦେଇ ଯାଉଥିଲେ, ସେତେବେଳେ ମୌଖିକ ଧନ୍ୟବାଦଟାଏ ପ୍ରକାଶ କରିବା ଅତି ମାମୁଲି କଥା । ସେତିକି କୃତଜ୍ଞତା ସାଧାରଣ ସମସ୍ତେ ପ୍ରକାଶ କରିଥାନ୍ତି । ସୁଧୀନ୍ଦ୍ର ମଧ୍ୟ ସେୟା କରୁଥିଲେ । ତାଙ୍କର ଏପରି କେଉଁ ଅସାଧାରଣ ସ୍ୱଭାବ ଦେଖି ହେମଲତା ତାଙ୍କ ପ୍ରତି ଏତେ ଯେ ଆକୃଷ୍ଟ ହୋଇପଡ଼ିଲେ, ସେହିକଥା ମନେମନେ କେବଳ ଆଲୋଚନା କରୁଥିଲେ ହେମଲତା ।

 

ସବୁ ପୁରୁଷଙ୍କ ଅପେକ୍ଷା ସୁଧୀନ୍ଦ୍ରଙ୍କ ପାଖରେ ଥିଲା ଗୋଟାଏ ବିଶେଷ ଅପଗୁଣ । ସେ ଅପଗୁଣଟି ହେଉଛି ତାଙ୍କର ଆଖିରେ ଥିଲା ଇଗଲର ଚାହାଣି । ସେ ଆଖି ଆଗରେ ଯେ ଥରେ ପଡ଼ିଯାଏ ସେ ମୋଟେ ଆଉ ଯାଇପାରେ ନାହିଁ । ଏହା ବ୍ୟତୀତ ଆଉ ଗୋଟାଏ ବିଶେଷ ଖରାପ ଗୁଣ ଥିଲା ସୁଧୀନ୍ଦ୍ରର । ସେହି ଖରାପ ଗୁଣଟି ଥିଲା ତାଙ୍କର ଭାଷା । ମନ ନେବାପାଇଁ ବନେଇ ଚୁନେଇ ସେ ବେଶ୍ କଥା କହିପାରୁଥିଲେ । କାନରେ ଶୁଣିବାକୁ କଥାଗୁଡ଼ିକ ଯଦିଓ ଭଲଲାଗେ; କିନ୍ତୁ ଶୁଣିସାରିଲା ପରେ ଛାତିର କଳିଜାରେ ନିଆଁ ଜଳିଉଠେ ।

 

ସୁଧୀନ୍ଦ୍ରଙ୍କ ସାନିଧ୍ୟ ଲାଭ କରିସାରିଲା ପରେ ହେମଲତାଙ୍କ ମନ ଭିତରେ ନିଆଁ ଜଳିଉଠିଲା । ସେ ନିଆଁ ଏମିତି ସେମିତି ନିଆଁ ନୁହେଁ । ଭିତରେ ଭିତରେ କୁହୁଳି କୁହୁଳି ଜୀବନଟାକୁ ଜାଳିପୋଡ଼ି ପାଉଁଶ କରିଦେବା ପାଇଁ ସେ ନିଆଁର ଶକ୍ତି ଥିଲା ।

 

ହେମଲତାଙ୍କ ମନରେ ଯେଉଁ ନିଆଁ ଜଳୁଥିଲା, ସେହି ନିଆଁ କ୍ରମେ କ୍ରମେ ଭୀଷଣ ଆକାର ଧାରଣ କଲା । ହେମଲତା ସ୍ୱାମୀଙ୍କ ସାହଚର୍ଯ୍ୟ ଲୋଡ଼ିଲେ; କିନ୍ତୁ ତାହା ବୁଝିବାକୁ ନବୀନବାବୁଙ୍କ ପରିସରର ଥିଲା ବାହାରେ ।

 

ହେମଲତା ତ ଆଉ ନୂଆ ହୋଇ ସଂସାର କରି ନାହାନ୍ତି । ସଂସାର ଅନେକ ଦିନ କରିସାରିଲା ପରେ ତାଙ୍କର ମନ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ସେହି ତିକ୍ତତା କେବଳ ସ୍ୱାମୀଙ୍କ ପାଇଁ । ହେମଲତା ଯାହା ଚାହୁଁଥିଲେ, ତାହା ସେ ସ୍ୱାମୀଙ୍କ ପାଖରୁ ପାଇପାରୁ ନ ଥିଲେ । ଦୁଇପଦ କଥା, ଟିକିଏ ମିଠାହସ ଏତିକି ସବୁ ସ୍ତ୍ରୀ ଚାହାଁନ୍ତି । ଗ୍ରୀକ୍‍ ପଣ୍ଡିତ କହନ୍ତି, ଚନ୍ଦ୍ର ଚାଳନା କରି ସ୍ତ୍ରୀକୁ ବଶ କରିପାରିଲେ କେବଳ କେଇ ମିନିଟ୍‍ ପାଇଁ ସ୍ତ୍ରୀର ଦେହଟା ମିଳେ । ମାତ୍ର ସଦ୍‍ଗୁଣଦ୍ୱାରା ସ୍ତ୍ରୀକୁ ବଶ କରିପାରିଲେ ସ୍ତ୍ରୀ ପାଖରୁ ସବୁ ମିଳେ । ଦେହ ଓ ମନର ଦାମ ସମାନ ନୁହେଁ । ଦେହର ମୂଲ୍ୟ ଆଦାୟ କରିବାକୁ ନିର୍ବୋଧ ସବୁବେଳେ ବ୍ୟସ୍ତ ହୁଏ । ଶବ ଦେଖି ଗୃଧ୍ର ଯେପରି ଉନ୍ମତ୍ତ ହୁଏ, ହେମଲତାଙ୍କ ଗୋରା ତକତକ ଲୋଭନୀୟ ଦେହଟାକୁ ଦେଖିଲା ମାତ୍ରେ ନବୀନବାବୁ ସେହିପରି ମନ୍ମତ୍ତ ହୋଇଉଠୁଥିଲେ ।

 

ମନକୁ ଚିହ୍ନିପାରିବାର ଶକ୍ତି ନବୀନବାବୁଙ୍କର ନ ଥିଲା । ସେ ଯଦି ଅନ୍ୟର ମନ ଚିହ୍ନି ପାରୁଥାନ୍ତେ, ତେବେ ହେମଲତା କାହିଁକି ଆଜି ଏତେ ଦହଗଞ୍ଜ ହେଉଥାନ୍ତେ ।

 

କାଠିକୁଟାରେ ନିଆଁ ଲାଗିଲେ ଦୁଇଢାଳ ପାଣି ଓଜାଡ଼ିଦେଲେ ନିଆଁ ଅତି ସହଜରେ ଲିଭିଯାଏ । ମନରେ ନିଆଁ ଲାଗିଲେ ସେ ନିଆଁ କ’ଣ ସହଜରେ ଲିଭେ ? ଯାହାପାଇଁ ମନରେ ନିଆଁ ଜଳେ; ତାକୁ ଦେଖିଲା ମାତ୍ରେ ନିଆଁ ଲିଭିଯାଏ । ଯାହାର କଥା ଶୁଣିବାକୁ ନ ମିଳିଲେ ମନରେ ଶତ ବୃଶ୍ଚିକର ଦଂଶନ ହୁଏ, ତାହାର କଥା ଶୁଣିଲାମାତ୍ରେ ଚନ୍ଦନ ପ୍ରଲେପପରି କାମ କରେ ।

 

ସୁଧୀନ୍ଦ୍ରଙ୍କ ପାଇଁ ହେମଲତାର ଅଧଃପତନ ଆଜି ଘଟିଛି । ସେଥିପାଇଁ ସୁଧୀନ୍ଦ୍ର ପ୍ରକୃତରେ ଦାୟୀ ।

 

ହେମଲତା ହେଉଛନ୍ତି କୁଳର ବୋହୂ । ସେ ଭଦ୍ର ସମାଜରେ ବଢ଼ିଛନ୍ତି । ଅନ୍ୟମାନଙ୍କୁ ସେ ଉପହାସ ଅନେକ କରିଛନ୍ତି । ଆଜି ଯଦି ସେ ଅନ୍ୟମାନଙ୍କଦ୍ୱାରା ସମାଲୋଚିତ ହୁଅନ୍ତି, ତେବେ ତାଙ୍କର ମାନ, ମର୍ଯ୍ୟାଦା କେଉଁଠି ରହିଲା ?

 

ସେ ମନେମନେ ସୁଧୀନ୍ଦ୍ର ଉପରେ ଖପାହୋଇ ରକ୍ତଚାଉଳ ଚୋବାଇବାକୁ ଲାଗିଲେ ।

 

ଆଜି ଯାହାକୁ ସ୍ତ୍ରୀ ମନପ୍ରାଣ ଢାଳି ଭଲପାଏ, କାଲିକୁ ସେ ତାହା ସଙ୍ଗେ ଶତ୍ରୁତା ଆଚରଣ କରେ । ତାକୁ ସେ ଅବିଶ୍ୱାସ କରେ । ତାକୁ ଘୃଣା କରିବାକୁ ମଧ୍ୟ ସେ ପଶ୍ଚାତ୍‍ପଦ ହୁଏ ନାହିଁ । ହେମଲତାଙ୍କଠାରେ ଏହି ସ୍ୱଭାବ ମଧ୍ୟ ଅଳ୍ପ ବହୁତ ପରିମାଣରେ ପରିଲକ୍ଷିତ ହୋଇଥିଲା । ସେ ସୁଧୀନ୍ଦ୍ରକୁ ମନେମନେ ଏଡ଼ିଦେବାକୁ ଉପାୟ ଚିନ୍ତା କରୁଥିଲେ । କିନ୍ତୁ ସୁଧୀନ୍ଦ୍ରଙ୍କର ଚିନ୍ତାଧାରା ଥିଲା ଅନ୍ୟପ୍ରକାର । ସେ ଭାବୁଥିଲେ ମନ ଦେଲେ ମନ ମିଳେ । ଏଣୁ ସେ ଯଥାସାଧ୍ୟ ଚେଷ୍ଟାକରି ହେମଲତାଙ୍କ ପାଖରେ ନିଜକୁ ଅର୍ପଣ କରିଦେଇଥିଲେ ।

 

ହେମଲତାଙ୍କ ଭାରାକ୍ରାନ୍ତ ମୁଖ ଦେଖିଲେ ସୁଧୀନ୍ଦ୍ରଙ୍କ ମନ ମଧ୍ୟରେ ଅସମ୍ଭବ ଭାବରେ ଆଲୋଡ଼ନ ସୃଷ୍ଟି ହେଉଥିଲା । ସେ ହେମଲତାଙ୍କ ମୁହଁରେ ହସଫୁଟାଇବାକୁ ଯଥାସାଧ୍ୟ ଚେଷ୍ଟା କରୁଥିଲେ ଏବଂ କୃତକାର୍ଯ୍ୟ ମଧ୍ୟ ହେଉଥିଲେ ।

 

ସବୁଦିନ ଏକାପରି ଯାଏନାହିଁ । ଯେଉଁ ନଈରେ ଯେତେ ଶୀଘ୍ର ବନ୍ୟା ଆସେ, ସେହି ନଈ ସେତେ ଶୀଘ୍ର ଶୁଖିଯାଏ । ଏହା ହେଉଛି ପ୍ରକୃତିର ଧର୍ମ । କ୍ରମେ କ୍ରମେ ହେମଲତାଙ୍କ ମନରେ ସେହି ଭାବ ଜାଗ୍ରତ ହେଲା । ସେ ସବୁବେଳେ ଭାବୁଥିଲେ ଏହି ସୁଧୀନ୍ଦ୍ର ପାଇଁ ଦିନେ ନା ଦିନେ ତାଙ୍କୁ ତଳକୁ ମଥା ପୋତିବାକୁ ପଡ଼ିବ । ସୁଧୀନ୍ଦ୍ର ମୋଟେ ତାଙ୍କ ଘରକୁ ନ ଆସିବା ହିଁ ଭଲ ।

 

ଯେଉଁକଥା ହେମଲତା ସ୍ୱାମୀଙ୍କୁ ନ କହି ଛପାଇ ରଖିଥିଲେ, ସେହି କଥା ସେ ସୁଧୀନ୍ଦ୍ରକୁ ବିଶ୍ୱାସ କରି ସବୁ କହିଦେଇଥିଲେ । ହେମଲତା ସେତେବେଳେ ଭାବିଥିଲେ, ସୁଧୀନ୍ଦ୍ର ଅତି ବିଶ୍ୱାସୀ ଲୋକ । ମଣିଷକୁ ମଣିଷ ଅବିଶ୍ୱାସ କଲେ ଦୁନିଆରେ ବଞ୍ଚିରହି ପାରେନାହିଁ । ମଣିଷକୁ ବିଶ୍ୱାସ ନ କରି ଆଉ କ’ଣ ଭୂତପ୍ରେତକୁ ବିଶ୍ୱାସ କରିବ ? ଏହା ମଧ୍ୟ ଦିନେ ହେମଲତା ଯୁକ୍ତି ଛଳରେ ଅନ୍ୟପାଖରେ କହୁଥିଲେ । ସୁଧୀନ୍ଦ୍ରଙ୍କ ପ୍ରତି ମୋଟେ ତାଙ୍କର ଅବିଶ୍ୱାସ ନ ଥିଲା ।

 

ତେବେ ଆଜି ସେ ସୁଧୀନ୍ଦ୍ରଙ୍କୁ ଏତେ ନୀଚ ଓ ହେୟ ବୋଲି କାହିଁକି ଭାବୁଛନ୍ତି ? ଏ ପ୍ରଶ୍ନର ଉତ୍ତର ହେମଲତା ମଧ୍ୟ ଦେଇପାରିବେ ନାହିଁ ।

 

ସେ କାହିଁକି ଦିନେ ସୁଧୀନ୍ଦ୍ରକୁ ଭଲ ପାଇଥିଲେ, ବିଶ୍ୱାସ କରିଥିଲେ । ଆପଣାର କରିଥିଲେ ଏବଂ ନିଜର ମଣିଷ ଭାବି ସବୁ କହିଯାଇଥିଲେ, ଏକଥା ହେମଲତାଙ୍କର ସଠିକ୍‍ଭାବେ ମନେନାହିଁ । ସେ ଆଜି କାହିଁକି ଯେ ସୁଧୀନ୍ଦ୍ରକୁ ଏଡ଼ିଦେବାକୁ ବସିଛନ୍ତି, ଏହିକଥା କେବଳ ହେମଲତାଙ୍କୁ ଜଣା ।

 

ସୁଧୀନ୍ଦ୍ରକୁ ଦେଖିଲେ ହେମଲତା ଭୟରେ ଥରିଉଠନ୍ତି । ସେ ଜଡ଼ସଡ଼ ହୋଇଯାଆନ୍ତି । ସତେଯେପରି ସୁଧୀନ୍ଦ୍ର ଗୋଟାଏ ଭାଲୁ କିମ୍ବା ଗୋଟାଏ ମଣିଷଖିଆ ବାଘ ।

 

ପୁରୁଷ ଥରେ ସ୍ତ୍ରୀକୁ ଜୀବନଦେଇ ଭଲ ପାଇଲା ପରେ ତା’ର ବୁଦ୍ଧିବୃତ୍ତି ହଜିଯାଏ । ତାହାର ପୌରୁଷ ଲୋପ ପାଇଯାଏ । ସେ ନିଜର ପୌରୁଷ ଓ ପ୍ରତିପତ୍ତି ଅପେକ୍ଷା ସ୍ତ୍ରୀର ସ୍ନେହ ଓ ପ୍ରେମକୁ ଅତି ବଡ଼ ବୋଲି ବିବେଚନା କରେ । ମୋଟାମୋଟି କହିବାକୁ ଗଲେ ସେ ସ୍ତ୍ରୀ ହାତରେ ଗୋଟାଏ ଜାପାନୀ କଣ୍ଢେଇ ହୋଇ ମଧ୍ୟ ବଞ୍ଚିବାକୁ ସୁଖପାଏ ।

 

ସୁଧୀନ୍ଦ୍ର ହେମଲତା ପାଖରେ ଠିକ୍‍ ଜାପାନୀ କଣ୍ଢେଇ ପରି ହୋଇଯାଇଥିଲେ କହିଲେ ଚଳେ । ଏ ସମୁଦାୟ ଜଗତଟା ତାଙ୍କୁ ହେମମୟ ଜଣାପଡ଼ୁଥିଲା । ସେ ଭାବୁଥିଲେ ହେମଲତା ହେଉଛନ୍ତି ଏହି ବିଶ୍ୱବ୍ରହ୍ମାଣ୍ଡର ଉତ୍ପତ୍ତି ସ୍ଥଳ ଏବଂ ବିଲୟ ସ୍ଥଳ ମଧ୍ୟ । ହେମଲତା ବିହୁନେ ତାଙ୍କର ଏ ଜଗତରେ କ୍ଷଣକେ ତିଷ୍ଠିପାରିବା ଅସମ୍ଭବ ।

 

ହାୟରେ ନିର୍ବୋଧ ପୁରୁଷ ! ଯେ ଆଜି ତୋତେ ହତାଦର କରେ, ତୋର ସ୍ନେହ ଓ ପ୍ରେମକୁ ତା’ର ହୃଦୟ କଷଟିରେ କଷିସାରି ତୋର ସ୍ନେହକୁ ଶସ୍ତା ଓ ଭେଜାଲ ବୋଲି ପ୍ରମାଣ କରିବାକୁ ପ୍ରମାଣପତ୍ର ସହ ଆଗେଇଆସେ, ତାକୁ କେଉଁ ଭରସାରେ ତୋର ନିର୍ଲଜ ମୁଖ ଦେଖାଇ କହୁ, ‘‘ତୁମେ ମୋର ଆରାଧ୍ୟ ଦେବୀ ?’’

 

ଦିନେ ଟ୍ରଙ୍କ୍‍ ଖୋଲି କାଗଜପତ୍ର ଖେଳାଇଲା ବେଳେ ହେମଲତାଙ୍କ ଆଖିରେ ସୁଧୀନ୍ଦ୍ରଙ୍କ ଚିଠିଟିଏ ପଡ଼ିଗଲା । ଅନେକ ଦିନ ତଳେ ସୁଧୀନ୍ଦ୍ର ସେହି ଚିଠିଟି ଦେଇଥିଲେ ହେମଲତାଙ୍କ ପାଖକୁ-। ସେ ଚିଠିଟି ଦେଖିଲା ମାତ୍ରେ ସେ ମନକୁ ମନ ନିଆଁ ଭଳି ଜଳିଉଠି କହିଲେ, ‘‘ତାଙ୍କୁ ରାସ୍ତାରେ ଛିଡ଼ା କରାଇବାକୁ ଏହା ହେଉଛି ଗୋଟାଏ ରୀତିମତ ଷଡ଼ଯନ୍ତ୍ର । ନିଆଁଲାଗୁ ଏ ଚିଠିରେ ।’’ ଏତିକି କହି ଚିଠିଟିକୁ ଟିକି ଟିକି ଚିରିଦେଇ ଛେପ ନେଡ଼ାଏ ଥୁକିଦେଇ ନାଳୁଆ ଦୁଆରେ ପକାଇ ଦେଲେ ।

 

ହଠାତ୍ ଆଲବମ୍‍ ଉପରେ ତାଙ୍କ ଦୃଷ୍ଟି ପଡ଼ିଲା । ବିଭିନ୍ନ ଭଙ୍ଗିରେ, ବିଭିନ୍ନ ସମୟରେ ଉଠାଯାଇଥିବା ହେମଲତାଙ୍କ ଶତାଧିକ ଫଟୋ ଆଲବମ୍ ଦେହରେ ଥିଲା । କିନ୍ତୁ ଯେଉଁ ଫଟୋଟି ବାଗ୍ରାଠାରେ ସେ ଉପଠାଇଥିଲେ ସେହି ଫଟୋଟି ଆଲବମରେ ଦେଖିବାକୁ ପାଇଲେ ନାହିଁ ।

 

ପାହାଡ଼ କାନ୍ଥିରୁ ପାଣି ଖସିପଡ଼ୁଥାଏ । ତଳେ ଛିଡ଼ା ହୋଇଥିଲେ ହେମଲତା । ପାଣିର ଛିଟିକା ବାଜି ଦେହ ଓ ମୁଣ୍ଡରେ ଲୁଗା ଜଡ଼ିଯାଇ ଅଙ୍ଗପ୍ରତ୍ୟଙ୍ଗର ସୌନ୍ଦର୍ଯ୍ୟ ପଦାକୁ ଫୁଟିପଡ଼ୁଥିଲା । ପାଦ ପାଖରେ ଅସଂଖ୍ୟ ଛୋଟ ମେଘ ଭାସିଗଲାପରି ମନେହେଉଥିଲା । ଏହି ପ୍ରକାର ଥିଲା ସେ ଫଟୋ ଖଣ୍ଡିକ ।

 

ସେହି ଫଟୋଟିକୁ ଦେଖି ଦିନେ ସୁଧୀନ୍ଦ୍ର କହିଥିଲେ, ‘‘ସତେ କ’ଣ ଲକ୍ଷ୍ମୀ ଆଉ କ୍ଷୀରସମୁଦ୍ର ମଧ୍ୟରୁ ଆତ୍ମପ୍ରକାଶ କରୁଛନ୍ତି କି ?’’

 

ଏହିକଥା ଶୁଣିଲାମାତ୍ରେ ସେଦିନ ହେମଲତାଙ୍କ ମନ ଆପେ ଆପେ ସୁଧୀନ୍ଦ୍ର ଆଡ଼କୁ ଟାଣିହୋଇ ଆସିଥିଲା । ସେ ସୁଧୀନ୍ଦ୍ର ପାଖକୁ ଲାଗିଆସି ଯେତେବେଳେ ଫଟୋଟିକୁ ନିରୀକ୍ଷଣ କରିବାକୁ ଲାଗିଲେ, ସେତେବେଳେ ହେମଲତାଙ୍କ ମନ ଯେ କ’ଣ ହେଉଥିଲା, ତାହା ସୁଧୀନ୍ଦ୍ରକୁ ଜଣା । ହେମଲତା ଭାବବିହ୍ୱଳ ହୋଇ ସୁଧୀନ୍ଦ୍ରକୁ ପଚାରିଲେ, ‘‘ତୁମକୁ ଦେଖିଲେ ମନରେ ଏତେ କ୍ଷୁଧା ବଢ଼ିଯାଏ କାହିଁକି ସୁଧୀନ୍ଦ୍ର ?’’

 

ସୁଧୀନ୍ଦ୍ର କେବଳ ସେତେବେଳେ ମୃଦୁ ହସ ହସି ହେମଲତାର ଗଣ୍ଡ ଦେଶରେ ଗୋଟାଏ ମୃଦୁ ଆଘାତ ଦେଇ କହିଥିଲେ, ‘‘ତମ ମନକୁ ପଚାର, ସେ ସଠିକ୍‍ ଉତ୍ତର ଦେବ ।’’

 

କେଉଁ ଫଟୋଟିକୁ ଦେଖି ସୁଧୀନ୍ଦ୍ର ତାଙ୍କୁ ଦିନେ କ୍ଷୀରାବ୍‍ଧି ତନୟା ବୋଲି କହିଥିଲେ ସେ ଫଟୋଟି ନିଶ୍ଚୟ ସୁଧୀନ୍ଦ୍ର ନିଜର ଅଭିଷ୍ଟ ପୂରଣ କରିବାକୁ ଯେ ନେଇଯାଇଛନ୍ତି, ଏହି କଥା ବୁଝିବାକୁ ହେମଲତାଙ୍କୁ ବାକିରହିଲା ନାହିଁ । ସେ ମନେମନେ ଭାବିଲେ, ‘‘ଇସ୍ ଲୋକଟା କେଡ଼େ ଅଭଦ୍ର, କେଡ଼େ ଘୃଣ୍ୟ ? ଏହିପ୍ରକାର ନୀଚଭାବାପନ୍ନ ବ୍ୟକ୍ତିକୁ ପୁଣି କୁହାଯାଏ ଭଦ୍ର ସମାଜର ମାର୍ଜିତ ମଣିଷ ? ଏମିତି କେତେ କ’ଣ ଭାବି ହେମଲତା ଦୁଇପଦ ମିଠାକଡ଼ା ଶୁଣାଇ ଦେବାକୁ ଅପେକ୍ଷା କରିଥିଲେ ସୁଧୀନ୍ଦ୍ରକୁ ।’’

 

ସେଦିନ ବୋଧହୁଏ ସୁଧୀନ୍ଦ୍ରଙ୍କ ନିଧନ ସ୍ଥାନକୁ ମଙ୍ଗଳ ଚଳିଯାଇଥିଲେ । ହେମଲତା ସୁଧୀନ୍ଦ୍ରକୁ ଦେଖୁଦେଖୁ କହିଲେ, ‘‘ଅଭଦ୍ର ! ଭଦ୍ରଲୋକର ପୋଷାକ ପିନ୍ଧି ତଣ୍ଟି କାଟିବାର ମନୋବୃତ୍ତି ଧରି ଯେ ତୁମେ ଏଠାକୁ ଯିବାଆସିବା କରୁଛ, ସେଥିପାଇଁ ତୁମକୁ ଲାଜ ଲାଗେନାହିଁ । ତୁମେ ଶୂନ୍ୟ ଅଞ୍ଜଳି ପାତିଦେଇ ଯେତେବେଳେ ଦୁଇଧାର ଲୁହ ଗଡ଼ାଇ ମୋ ପାଖରେ ଛିଡ଼ା ହୋଇଥିଲ, ସେତେବେଳେ ତୁମକୁ ଦୟା ନ ଦେଖାଇ ଯଦି ଗୋଡ଼ରୁ କାଢ଼ି ଦୁଇ ଗାଳରେ ଦୁଇ ଚପଲ ଥୋଇଥାନ୍ତି, ତେବେ ତୁମେ ମୋ ସାଥୀରେ ଆଜି ଏ ଖେଳ ଖେଳିବାକୁ ଆସିନଥାନ୍ତ ? ମୋର ଫଟୋ ଆଣି ଯଦି କାଲିକୁ ଫେରାଇ ଦେଇ ନ ଯାଅ ତେବେ ଜାଣିବି ତୁମଠାରୁ ଇତର ମଣିଷ ଆଉ ଦୁନିଆରେ କେହି ନାହାନ୍ତି । ପୁଣି ମନେରଖ, ଏ ଘରେ ତୁମର ପାଦ ଯେପରି ଆଉ କେବେ ନ ପଡ଼େ ।’’

 

ହେମଲତାଙ୍କ ରକ୍ତବୀର୍ଯ୍ୟ ସଂହାରିଣୀ ରୂପଦେଖି ସୁଧୀନ୍ଦ୍ର ହତବମ୍ବ ହୋଇଗଲେ । ତାଙ୍କର ଭାବନାଶକ୍ତି ଏକାବେଳକେ ଲୋପ ପାଇଗଲା । ସେ ଧୀରେ ଧୀରେ ପାଦ ବଢ଼ାଇ ଉପର ମହଲାରୁ ତଳକୁ ଓହ୍ଲାଇ ଆସିଲେ । ଦୁଇ ଆଖିରୁ ଧାର ଧାର ହୋଇ ଲୁହ ତାଙ୍କର ଗଡ଼ିଆସିଥିଲା ।

 

ସେହିଦିନଠାରୁ ସୁଧୀନ୍ଦ୍ର ଯେ କୁଆଡ଼େ ଗଲେ କେହି ତାଙ୍କର ଖବର ମଧ୍ୟ ପାଇଲେ ନାହିଁ । ହେମଲତା ମନକୁ ମନ କହିଲେ, ଯାହାର ବାପ ମାଆର ଠିକଣା ନାହିଁ ତା’ର ପୁଣି ଲାଜସରମ କ’ଣ ଅଛି ? ପୁଣି ପଦେ ମିଠାକଥା କହିଲେ କିମ୍ବା ଦୁଇପଦ ମିଠାକଥା ଶୁଣାଇବାର ଆଶା ଦେଖାଇଦେଲେ କୁକୁରଭଳି ପୁଣି ଧାଇଁ ଆସିବ ନାହିଁକି ?

 

ହେମଲତାର ଆଶା ଆଶାରେ ହିଁ ରହିଗଲା । ସୁଧୀନ୍ଦ୍ର ଆଉ ଫେରିଲେ ନାହିଁ । ମନ ପୂରାଇ ଆଉ ଦୁଇପଦ ଶୁଣାଇ ପାରିଲେ ନାହିଁ ବୋଲି ହେମଲତାଙ୍କ ମନରେ ଦୁଃଖ କେବଳ ରହିଗଲା । ଅଇଁଠାଖିଆ କୁକୁରର ପୁଣି ଏତେ ମାନ ? କେଉଁ ବଡ଼ଘର ପୁଅଟା କି ? ଏମିତି କେତେ କ’ଣ ଆଶୀର୍ବାଣୀ ସୁଧୀନ୍ଦ୍ରଙ୍କ ଅନୁପସ୍ଥିତିରେ ମଧ୍ୟ ହେମଲତା ଶୁଣାଇବାକୁ ଛାଡ଼ିଲେ ନାହିଁ ।

 

ସାଗର ବକ୍ଷରେ ଅସଂଖ୍ୟ ବୁଦ୍‍ବୁଦ୍‍ ଉଠି ଆଖିପିଛଡ଼ାକେ କେଉଁଆଡ଼େ ଯେ ଉଭାଇଯାଏ ତାହାର ହିସାବ ଯେପରି କେହି ରଖେ ନାହିଁ, ସେହିପରି ଇତିମଧ୍ୟରେ କୋଡ଼ିଏଟି ବର୍ଷ ଯେ କେଉଁଆଡ଼େ ଉଭେଇଗଲା, ତାହାର ହିସାବ ନିକାଶ ମଧ୍ୟ କେହି ରଖିନାହାନ୍ତି ।

 

ଯେଉଁ ସୁଧୀନ୍ଦ୍ର ଦିନେ କକ୍ଷଚ୍ୟୁତ ଅଶୁଭଗ୍ରହ ଭଳି ଆସି ହେମଲତାର ସଂସାରକୁ ପୋଡ଼ିଜାଳି ଛାରଖାର କରିଦେବାକୁ ବସିଥିଲେ, ସେହି ସୁଧୀନ୍ଦ୍ର ଆଜି ଜୀବଦ୍ଦଶାରେ ଅଛନ୍ତି କି ନାହିଁ, ତାହା ମଧ୍ୟ ଦିନେ ବୁଝିବାକୁ ହେମଲତା ଇଚ୍ଛା ପ୍ରକାଶ କଲେ ନାହିଁ । ସୁଧୀନ୍ଦ୍ରର କଥା ହେମଲତାର ମନରୁ କ୍ରମଶଃ ଉଭେଇଗଲା । ମନେପକାଇଲେ ମଧ୍ୟ ସୁଧୀନ୍ଦ୍ରର ରୂପ, ଆକୃତି କିଛି ହେମଲତାର ମନେପଡ଼େ ନାହିଁ ।

 

ଯାହାପାଇଁ ମଣିଷ ଅଶାନ୍ତିରେ କାଳ ଯାପନ କରେ, ଯାହାପାଇଁ ମଣିଷ ଅତୀତକୁ ଆବୃତ୍ତି କରିବାକୁ ପଛଘୁଞ୍ଚା ଦେଇ କେବଳ ଦୀର୍ଘନିଶ୍ୱାସ ପକାଏ, ତାକୁ କେହି ମନେକରେ କି ? ହେମଲତା ବହୁତ ଚେଷ୍ଟାକରି ସୁଧୀନ୍ଦ୍ରକୁ ଭୁଲିଯାଇଥିଲେ । ଯଦି ବି ସୁଧୀନ୍ଦ୍ର କେବେ ଫେରିଆସନ୍ତି, ତଥାପି ହେମଲତା ତାଙ୍କୁ ଅତି ସହଜରେ ଯେ ଏଡ଼ିଦେଇ ପାରିବେ, ଏ ଦାମ୍ଭିକତା ତାଙ୍କର ଯଥେଷ୍ଟ ଥିଲା । ସେ ଆଜି ଲହୁଣୀର ହେମଲତା ନୁହଁନ୍ତି । ଇତିମଧ୍ୟରେ ସେ ହୋଇଯାଇଛନ୍ତି ଏକ ଆଦର୍ଶ ଗୃହିଣୀ । କାହାରି ମିଠାକଥା ପଦକରେ ଆଜି ସେ ଟଳିଯିବାର ମଣିଷ ନୁହଁନ୍ତି । ସେ ନବୀନବାବୁ ଭଳି ଗୋଟାଏ ଅପଦାର୍ଥ ସ୍ୱାମୀକୁ ଆନନ୍ଦ ଦେବାପାଇଁ ତାଙ୍କର ନାରୀସୁଲଭତାକୁ ନଷ୍ଟକରି ପାଷାଣୀ ହୋଇଯାଇଛନ୍ତି । ତାଙ୍କଠାରୁ ଦୟା, ପ୍ରେମ, କ୍ଷମା ଆଶା କରିବା ପୁରୁଷ ଏ ଜଗତରେ କ’ଣ ଆଉ ଅଛନ୍ତି ? ଏହି ଗୋଟିଏ ମାତ୍ର ପ୍ରଶ୍ନ ହେମଲତାର ମନରେ ସବୁବେଳେ ବସାବାନ୍ଧି ରହିଥିଲା ।

 

କିନ୍ତୁ ହେମଲତା ବୁଝିପାରନ୍ତି ନାହିଁ ଯେ, ନିଜକୁ ଯେ ସବୁବେଳେ ପାଷାଣୀ ବୋଲି କହିହୁଏ, ତାହାର ଛାତି ଯେ ଲହୁଣୀଠାରୁ ଆହୁରି କୋମଳ ଏବଂ ବେଳ ପଡ଼ିଲେ ସେହି ପାଷାଣୀର ହୃଦୟରୁ ଜଣକ ପାଇଁ ମଧ୍ୟ ଦୟାର ଉତ୍ସ ଅବିରତ ଝରିଥାଏ ।

 

ପ୍ରାୟ ଛଅ ମାସ ହେବ ଜଣେ ସନ୍ୟାସୀ ଆସି ରହିଛନ୍ତି ରତ୍ନଗିରି ଗୁମ୍ପାରେ ।

 

ସନ୍ୟାସୀଙ୍କ ଅଲୌକିକ ପ୍ରଭାବ ବିଷୟରେ ସମସ୍ତେ କୁହାକୁହି ହେଉଥିଲେ । ସେ ଭୂତ, ଭବିଷ୍ୟତ ବିଷୟନେଇ ଅନେକ କଥା କହିପାରୁଛନ୍ତି ଏହା ସମସ୍ତଙ୍କର ଥିଲା ପ୍ରଧାନ ଆଲୋଚ୍ୟ ବିଷୟ ।

 

ଭବିଷ୍ୟତ ସମସ୍ତେ ଜାଣିବା ପାଇଁ ବ୍ୟସ୍ତ । ସେଥିପାଇଁ ସନ୍ୟାସୀଙ୍କ ପାଖରେ ପ୍ରତ୍ୟହ ଲୋକ ଗହଳି ଲାଗୁଥିଲା । ବହୁ ଦୂରରୁ ଲୋକେ ଚୁଡ଼ା, ଚାଉଳ ବାନ୍ଧି ସନ୍ୟାସୀଙ୍କ ପାଖକୁ ଆସୁଥିଲେ ।

 

ସନ୍ୟାସୀ କାହାକୁ ଦେଖାଦେଉନଥିଲେ । କାହାର ଅଦୃଷ୍ଟରେ କ’ଣ ଘଟିବ ତାହା ସନ୍ୟାସୀ କେବଳ ଲୋକର ଡାହାଣ ହାତ ପାପୁଲିକୁ ଦେଖି ଶିଷ୍ୟ ରାମାନନ୍ଦଙ୍କୁ କହିଦେଉଥିଲେ । ରାମାନନ୍ଦ ଗୋଟିଏ କାଗଜରେ ଲେଖି ଜଉମୁଦ ଲଫାପାରେ ଲେଖାଟି ପୂରାଇ ପ୍ରଶ୍ନକାରୀକୁ ବଢ଼ାଇ ଦେଉଥିଲେ ଏବଂ ତାଗିଦ୍ କରି କହୁଥିଲେ ସେ କାଗଜରେ ଯାହା ଲେଖାଅଛି ତାହା ଯେପରି ଅନ୍ୟ କାହାରି ପାଖରେ ପ୍ରକାଶ ନ ପାଏ ।

 

ତୁଣ୍ଡ ବାଇଦ ସହସ୍ର କୋଶ । ସନ୍ୟାସୀଙ୍କ କଥା ଏ ତୁଣ୍ଡରୁ ସେ ତୁଣ୍ଡ ହୋଇ କ୍ରମେ କ୍ରମେ ସାରା ଦେଶରେ ବ୍ଯାପିଗଲା ।

 

ଅନେକ ସମୟରେ ହେମଲତା ଭାବୁଥିଲେ ସେ ସନ୍ୟାସୀଙ୍କୁ ଯାଇ ପଚାରିବେ ପୂର୍ବ ଜନ୍ମରେ ସେ କାହାର କ’ଣ କରିଥିଲେ ଯେ ଏ ଜନ୍ମରେ ସେ ଗୋଟିଏ ଅପଦାର୍ଥ ସ୍ୱାମୀର ହାତଧରି ସାରା ଜୀବନ ହାହତାଶରେ କଟାଇଦେଲେ ।

 

ସେଦିନ ହୋଇଥାଏ କୁମାରପୂର୍ଣ୍ଣିମା । ଅତି ପ୍ରତ୍ୟୁଷରୁ ହେମଲତା ଭଗବାନଙ୍କୁ ମନେମନେ ସ୍ମରଣ କରି ପରଦା ଆରପଟକୁ ହାତଟି ବଢ଼ାଇଦେଲେ ।

 

ସନ୍ୟାସୀ ପଲକହୀନ ଚକ୍ଷୁରେ ସେହି ରକ୍ତଜବା ବିନିନ୍ଦିତ କରପଲ୍ଲବ ଦର୍ଶନ କରି ମନେମନେ ଅପାର ଆନନ୍ଦ ଅନୁଭବ କରି ଶିଷ୍ୟ ରାମାନନ୍ଦଙ୍କୁ କହିଲେ, ‘‘ଏହାଙ୍କୁ ଅପେକ୍ଷା କରିବାକୁ କୁହ ।’’

 

ଶିଷ୍ୟ ରାମାନନ୍ଦ ସଙ୍ଗେ ସଙ୍ଗେ ଗୁରୁଦେବଙ୍କ ଆଜ୍ଞା ହେମଲତାଙ୍କୁ ଜଣାଇଦେଲେ । କିଛି ସମୟ ପରେ ଯେତେବେଳେ ପରଦା ଆଢ଼ୁଆଳରୁ ସନ୍ୟାସୀ ରୌପ୍ୟ ନିର୍ମିତ ଛୋଟ ବାକ୍‍ସଟିଏ ହେମଲତାଙ୍କ ହାତକୁ ବଢ଼ାଇଦେଲେ, ସେତେବେଳେ ସନ୍ୟାସୀଙ୍କ ଆଖିରୁ ଦୁଇଟୋପା ଲୁହ ଗଡ଼ି ପଡ଼ିଥିଲା ।

 

ରାମାନନ୍ଦଙ୍କ ନିର୍ଦ୍ଦେଶମତେ ହେମଲତା ଘରକୁ ଫେରିଆସି ସନ୍ୟାସୀ ପ୍ରଦତ୍ତ ବାକ୍‍ସଟିକୁ ଖୋଲିଲେ । ଅଗୁରୁ ଓ ଚନ୍ଦନ ଗନ୍ଧରେ ଘରଟି ଉଛୁଳିଉଠିଲା ।

 

ହେମଲତା ଦେଖିଲେ ବାକ୍‍ସ ଭିତରେ ରହିଛି ତାଙ୍କର ପୂର୍ବ ବର୍ଣ୍ଣିତ ବାଗ୍ରାର ଫଟୋ ଖଣ୍ଡିକ ଓ ସେ ଯେତେ ଚିଠି ସୁଧୀନ୍ଦ୍ର ପାଖକୁ ଦେଇଥିଲେ, ସେଗୁଡ଼ିକ ଅକ୍ଷତ ଅବସ୍ଥାରେ ମଧ୍ୟ ରହିଥିଲା । ଏହା ସଙ୍ଗରେ ଥିଲା ସୁଧୀନ୍ଦ୍ରଙ୍କ ସ୍ୱହସ୍ତ ଲିଖିତ ପତ୍ର ଖଣ୍ଡିଏ ।

 

ସେ ଲେଖିଥିଲେ...

 

‘‘ପ୍ରାଣପ୍ରତିମ ହେମ !’’

 

ତୁମେ ମୋର ନମସ୍ୟା । କେଉଁ ଶୁଭଲଗ୍ନରେ ତୁମ ସଙ୍ଗେ ଯେ ମୋର ସାକ୍ଷାତ ଘଟିଥିଲା, ତାହା ଭଗବାନଙ୍କୁ ଜଣା । ତୁମ ପାଖରୁ ବିଦାୟ ନେଇ ଆସି ଦୀର୍ଘସମୟ ଧରି ସାରାଦେଶର ତୀର୍ଥସ୍ଥାନ ସବୁ ପର୍ଯ୍ୟଟନ କରି ମନକୁ ଭୁଲାଇ ଦେବାକୁ ବସିଥିଲି କିନ୍ତୁ ପାରିଲି ନାହିଁ-। ତୁମେ ସବୁବେଳେ ମୋର ମନେପଡ଼ିଲ । ତୁମର ରକ୍ତମାଂସର ଦେହଟାକୁ ଭୁଲିଯିବାକୁ ଗୀତା, ଉପନିଷଦ, ବେଦ, ବେଦାନ୍ତ ସମସ୍ତ ଅଧ୍ୟୟନ କଲି । ସେହି ମୂଲ୍ୟବାନ୍‍ ଗ୍ରନ୍ଥ ପଢ଼ି ଏତିକି ମୋର ଧାରଣା ହେଲା ଯେ, ଯେ ଯାହାକୁ ପ୍ରାଣଦେଇ ଭଲପାଏ ସେ ହେଉଛି ତା’ର ଭଗବାନ ।

 

ତୁମେ ଯେଉଁ ଚିଠିଗୁଡ଼ିକ ଦେଇଥିଲ, ସେହି ଚିଠିର ପ୍ରତ୍ୟେକଟି ଅକ୍ଷର ମୋ ପାଖରେ ବେଦ ଓ ଗୀତାର ବାଣୀ ଅପେକ୍ଷା ଅଧିକ ମୂଲ୍ୟବାନ । ତେଣୁ ପ୍ରତିଦିନ ସେଗୁଡ଼ିକ ପଢ଼ିପଢ଼ି ମୋର ଏକାବେଳକେ କଣ୍ଠସ୍ଥ ହୋଇଯାଇଛି ।

 

ଆଉ ତୁମର ରୂପଟା ଅଛି ଏହି ହୃଦୟ ଭିତରେ ।

 

ତୁମର ଚିଠି ଓ ତୁମର ଫଟୋ ଆଉ ମୋର କୌଣସି ଦରକାରରେ ଆସିବ ନାହିଁ ଭାବି ତୁମକୁ ଫେରାଇଦେଲି । ତୁମକୁ ଜୀବନରେ ଅସମ୍ମାନ କେବେ କରିନାହିଁ । କେବଳ ଜଞ୍ଜାଳ କରିଛି-

 

ଚିରଦିନ ପାଇଁ ବିଦାୟ ନେଲି । ଇତି ।

 

ତୁମର...ସୁଧୀନ୍ଦ୍ର ।’’

 

ଚିଠିଟି ପଢ଼ିସାରିବା ପରେ ହେମଲତା ଭାବିଲେ, ‘‘ଇସ୍ ମଣିଷ କେତେ ତଳକୁ ଚାଲିଯାଏ । ସନ୍ୟାସୀର ବେଶଧରି ମଣିଷ ପୁଣି ଭିତରେ ଭିତରେ ପ୍ରେମିକ ସାଜେ ?’’

 

ତାଙ୍କର ପ୍ରାଣଟା ପଞ୍ଚଭୂତରେ ଗଢ଼ା ଶରୀର ମଧ୍ୟରେ ଥାଇ ଯୁଦ୍ଧର ଡାକରା ଦେଲା । ସେ ତତ୍‍କ୍ଷଣାତ ଡ୍ରାଇଭରକୁ ଡକାଇ ରତ୍ନଗିରିକୁ ଗାଡ଼ି ନେବାକୁ କହିଲେ ।

 

ନବୀନବାବୁ କଥାର ମର୍ମ ବୁଝିପାରିଲେ ନାହିଁ । ସେ କୌଣସି ପ୍ରଶ୍ନ ମଧ୍ୟ ସ୍ତ୍ରୀକୁ କଲେ ନାହିଁ ।

 

ତହିଁ ପରଦିନ ପ୍ରତ୍ୟୁଷରେ ହେମଲତା ରତ୍ନଗିରି ସନ୍ୟାସୀଙ୍କ ପାଖରେ ଯାଇ ହାଜର ହେଲେ । ରାମାନନ୍ଦ ଦୁଆରେ ଛିଡ଼ା ହୋଇଥିଲେ । ଭିତରେ ଥିଲେ ସନ୍ୟାସୀ ।

 

ସନ୍ୟାସୀଙ୍କୁ ଖବର ଦେବାପାଇଁ ହେମଲତା କହିଲେ ।

 

‘‘ଗୁରୁଦେବ ଯୋଗରେ ବସିଛନ୍ତି । ଅପେକ୍ଷା କରନ୍ତୁ ।’’ କହି ରାମାନନ୍ଦ ବାହାରକୁ ଚାଲିଗଲେ ।

 

ହେମଲତା ପରଦା ଆଡ଼େଇ ଭିତରକୁ ପଶିଲେ ।

 

‘‘ଏ ଭଣ୍ଡାମି ପୁଣି କାହିଁକି ସୁଧୀନ୍ଦ୍ର ?’’ ଏତିକି କହି ସେ ଯେପରି ସନ୍ୟାସୀଙ୍କୁ ଜୋରରେ ଠେଲି ଦେଇଛନ୍ତି ତତ୍‍କ୍ଷଣାତ୍ ସନ୍ୟାସୀଙ୍କର ଜୀବନହୀନ ଶରୀରଟି ଭୂତଳରେ ଲୋଟିପଡ଼ିଲା ।

 

ତଥାପି ହେମଲତା କିଛି ବୁଝିପାରିଲେ ନାହିଁ । ସେ ପୂର୍ବ ଭଳି ସ୍ୱରରେ କହିଲେ ‘‘ତଥାପି ମନ ମାନି ନାହିଁ ଯେ....’’

 

ମାତ୍ର ସନ୍ୟାସୀ ନିରୁତ୍ତର । ତାଙ୍କ ଆସ୍ଥାନ ପାଖରେ ଗୋଟାଏ କାଗଜ ପଡ଼ିଥିଲା । ସେହି କାଗଜରେ ସେ ରାମାନନ୍ଦଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ‘‘ମୋର ଭଗବାନ ମୋ ଅନ୍ତରରୁ ଗତକାଲି ଅନ୍ତର୍ଦ୍ଧାନ ହୋଇଗଲେ । ତେଣୁ ମୋର ରହିବା ଦରକାର କ’ଣ ?’’

 

ହେମଲତା ଘରକୁ ଆଉ ଫେରିଲେ ନାହିଁ । ଯେଉଁ ଗିରି ଗୁହାରେ ତାଙ୍କର ବିଶ୍ୱସ୍ତ ପ୍ରେମିକ ସୁଧୀନ୍ଦ୍ର ତାଙ୍କର ପ୍ରେମକୁ ସମ୍ବଳକରି ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ସେହି ଗିରିଗୁହା ହେଲା ହେମଲତାଙ୍କ ପବିତ୍ର ସ୍ଥଳ । ସେ ବଞ୍ଚିଥିବା ପର୍ଯ୍ୟନ୍ତ ଆଖି ଲୁହରେ ଭଗବାନଙ୍କୁ ଅନୁଚ୍ଚସ୍ୱରରେ ସର୍ବଦା କହୁଥିଲେ, ‘‘ହେ ଭଗବାନ ! ତୁମେ ମୋର ସୁଧୀନ୍ଦ୍ରକୁ ଫେରାଇଦିଅ ।’’

Image

 

ଭଙ୍ଗା ଦର୍ପଣ

 

ଜଣେ ହେଲେ ସମର୍ଥକ ନ ଥାଇ ମଧ୍ୟ ମଣିଷ ନିଜକୁ ନେତାଭାବେ ପରିଚୟ ଦେଇ ନେତାଗିରୀ କରେ । ଜୀବନରେ କେବେ ପ୍ରେମ ନ କରି ମଧ୍ୟ ନିଜକୁ ପ୍ରେମିକ କହିହୁଏ । ମିଳନର ମାଧୁର୍ଯ୍ୟ ଉପଲବ୍ଧି ନ କରି ମଧ୍ୟ ବିରହରେ ଆନନ୍ଦ ଥାଏ ବୋଲି ମଣିଷ କହେ । କ’ଣ ପାଇଁ ଯେ ଏମିତି ଶସ୍ତା ଦାମରେ କେତେ କଥା କହି ଜଣେ ଜଣଙ୍କର ମନକୁ ଆକର୍ଷଣ କରିବାକୁ ଚେଷ୍ଟାକରେ ତାହା କେବଳ ସେ ଜାଣେ ।

 

ଚିତାଚୈତନ୍ୟଧାରୀ ବୈଷ୍ଣବର ବିଭତ୍ସରୂପ ଯେତେବେଳେ ଦୁନିଆ ଆଖିରେ ପ୍ରକାଶ ପାଇଯାଏ, ସେତେବେଳେ ତାହାର ଆଉ ସମ୍ମାନ ରହେ କି ? ତାହାର ଆଉ ଆତ୍ମବଡ଼ିମା ରହେ କି-? ସେ ନିଜର ମନ ପାଖରେ ନିଜେ କ’ଣ ଛୋଟ ହୋଇଯାଏ ନାହିଁ ?

 

ନିଜର ଅସଲ ରୂପଟା କ’ଣ, ନିଜର ମନଟା କ’ଣ, ଏହା ବେଶି ଭଲଭାବେ ଜାଣନ୍ତି ଗତିକୃଷ୍ଣ । ତଥାପି ସେ ଶୁଭ୍ରାକୁ ଦେଖିଲେ ଅନେକ ପ୍ରକାର ତତ୍ତ୍ଵ ବଖାଣି କହୁଥିଲେ, ‘‘ଆତ୍ମା ଦେହପରି ବାରମ୍ବାର ଜନ୍ମଗ୍ରହଣ କରେନାହିଁ । ତେଣୁ ଆତ୍ମାର ଶାନ୍ତି ଥରେ ନଷ୍ଟ ହୋଇଗଲେ ସବୁ ଜନ୍ମପାଇଁ ସେ ଦହଗଞ୍ଜ ହୁଏ । କୌଣସି ଜନ୍ମରେ ସେ ଶାନ୍ତି ପାଏ ନାହିଁ ।

 

ଅଶାନ୍ତ ଆତ୍ମା ଯୋନି ପରେ ଯୋନି ଭ୍ରମଣ କରେ । ତଥାପି ସେ ଶାନ୍ତି ପାଇପାରେ ନାହିଁ । ଯେତେବେଳେ ମଣିଷକୁ ବିଶ୍ୱବ୍ରହ୍ମାଣ୍ଡ ଅସୁନ୍ଦର ଦେଖାଯାଏ, ସେତେବେଳେ ଅଶାନ୍ତ ଆତ୍ମାର ଆର୍ତ୍ତନାଦ ତା’ର କାନରେ ବାଜେ । ସେ ନିଜର ସ୍ଥାୟିତ୍ୱକୁ ଉପଲବ୍ଧି କରିପାରେ ନାହିଁ । ତେଣୁ ସେ ଅନ୍ଧବିଶ୍ୱାସ ରଖି ମାଟି, ଗୋଡ଼ି, କାଗଜ, କାଠ, ପଥରକୁ ଭଗବାନ କହି ପୂଜାକରେ ଏବଂ ଅନେକ ଅଶ୍ଳୀଳ ପୁସ୍ତକରୁ କେତେକ ପଂକ୍ତି ଉଦ୍ଧାର କରି ଦୁନିଆରେ ଦେଖାଇହୁଏ ଯେ ସେ ଜଣେ ଆତ୍ମଦର୍ଶୀ ମଣିଷ ।’’

 

ଗତିକୃଷ୍ଣ ପାଖରୁ ଏହି ମୂଲ୍ୟବାନ ତଥ୍ୟଗୁଡ଼ିକ ଶୁଣି ଶୁଣି ଶୁଭ୍ରା କ୍ରମେ କ୍ରମେ ଗତିକୃଷ୍ଣ ଆଡ଼କୁ ଢଳିପଡ଼ିଲା । ସେ ଭାବୁଥିଲା, ‘ଗତିକୃଷ୍ଣ ଜଣେ ଅସାମାନ୍ୟ ମଣିଷ, ବିରାଟ ବ୍ୟକ୍ତିତ୍ଵ ତାଙ୍କର ଅଛି । ସେ ପାର୍ଥିବ ଜଗତଠାରୁ ଅଛନ୍ତି ବହୁ ଦୂରରେ । ପଙ୍କରୁ ପଦ୍ମ ଜନ୍ମହୋଇଥାଏ ସତ, ମାତ୍ର ସେ ପଙ୍କପରି ଆବିଳ ନୁହେଁ । ସେହିପରି ପଞ୍ଚମନ ଓ ପଚିଶ ପ୍ରକୃତିକୁ ଘେନି ଗତିକୃଷ୍ଣ ଜନ୍ମ ହୋଇଛନ୍ତି ସତ୍ୟ; ମାତ୍ର ସେ ଇନ୍ଦ୍ରିୟମାନଙ୍କର ବଶୀଭୂତ ନୁହନ୍ତି । ରକ୍ତମାଂସର ଦେହ ଅନ୍ୟ ଗୋଟିଏ ରକ୍ତମାଂସର ଦେହ ଖୋଜେ, ଏହା ଦେହର ସ୍ୱଭାବ । କିନ୍ତୁ ବିଜ୍ଞବ୍ୟକ୍ତି ସେହି ଦେହଟାକୁ ବଡ଼ ବୋଲି ବିବେଚନାକୁ ଆଣିପାରେ ନାହିଁ । ଏହା ଯଦି ସତ୍ୟ ହୋଇନଥାନ୍ତା, ତେବେ କଥା ପଦକରେ ଗତିକୃଷ୍ଣ ହଠାତ୍ ଏପରି ବଦଳି ଯାଇଥାନ୍ତେ କିପରି ? କାହିଁ ସେ ତ ଆଉ କେବେହେଲେ ଶୁଭ୍ରାକୁ ଅତି ନିକଟରେ ପାଇବାକୁ ମୋଟେ ବ୍ୟସ୍ତ ହେଉନାହାନ୍ତି ?’

 

ପ୍ରଥମ ସାକ୍ଷାତ କାଳରେ ଏହି ଗତିକୃଷ୍ଣ ଶୁଭ୍ରାକୁ ଦେଖିଲାକ୍ଷଣି ତନ୍ମୟ ହୋଇଯାଇଥିଲେ । ଶୁଭ୍ରାର ଲୋଭନୀୟ ଦେହଟି ଦେଖି ତାଙ୍କର ରକ୍ତ ଉଷ୍ମପ୍ରସ୍ରବଣର ପାଣିପରି ଗରମ ହୋଇଯାଇଥିଲା । ତାଙ୍କର ଆଖି ଦୁଇଟି ଶିକାରୀ ସିଂହର ଆଖିପରି ଜଳିଉଠିଥିଲା । କଣ୍ଠ ତାଙ୍କର ରୁଦ୍ଧ ହୋଇଆସିଥିଲା ଏବଂ ସେ ଯଥେଷ୍ଟ ଭାବପ୍ରବଣ ହୋଇଯାଇଥିଲେ ।

 

ସେତେବେଳେ ଗତିକୃଷ୍ଣର ମାନସିକ ଅବସ୍ଥା ଲକ୍ଷ୍ୟକରି ଶୁଭ୍ରା ଯଥେଷ୍ଟ ଆମୋଦ ଅନୁଭବ କରିଥିଲା ଏବଂ ସେ ଗତିକୃଷ୍ଣ ନିକଟକୁ ଚାଲିଆସିଥିଲା କେବଳ ତାଙ୍କୁ ବନ୍ଧୁଭାବରେ ଗ୍ରହଣ କରିବା ପାଇଁ । ଗତିକୃଷ୍ଣ ଶୁଭ୍ରାକୁ ନିଶ୍ଚଳ ଆଖିରେ ଅନେଇଥିଲେ ଏବଂ ପଚାରିଥିଲେ ‘‘ତୁମେ କିଛି ବୁଝିପାରୁଛ ଶୁଭ୍ରା ?’’

 

ଶୁଭ୍ରା ସମ୍ମତି ପ୍ରକାଶ କରି କହିଥିଲା, ‘‘ବୁଝିଛି, ତୁମର ଏହି ଦେହଟା କେବଳ ଆଉ ଗୋଟାଏ ଦେହ ଚାହେଁ ।’’

 

ସଙ୍ଗେ ସଙ୍ଗେ ସେ ପଚାରିଥିଲେ, ‘‘ଏଇ ପ୍ରାଣଟା ?’’

 

ଶୁଭ୍ରା ତତ୍‍କ୍ଷଣାତ ଉତ୍ତର ଦେଇଥିଲା, ‘‘ଆଉ ଗୋଟାଏ ପ୍ରାଣ ଚାହେଁ ।’’

 

‘‘ଆଉ ଏଇ ହୃଦୟଟା ?’’ ଏତିକି କହି ଗତିକୃଷ୍ଣ ପୁଣି ଅନାଇଥିଲେ ଶୁଭ୍ରାକୁ ।

 

ଲାଜରେ ଶୁଭ୍ରାର ମଥା ତଳକୁ ନଇଁଯାଇଥିଲା । ସେ ଥଙ୍ଗେଇ ଥଙ୍ଗେଇ କହିଥିଲା, ‘‘ଆଉ ଗୋଟାଏ ହୃଦୟ ଚାହେଁ ।’’

 

ଶୁଭ୍ରା ପାଖରୁ ଏତିକି ଶୁଣି ସାରିଲା ପରେ ହଠାତ୍ ଗତିକୃଷ୍ଣର କଣ୍ଠସ୍ୱର ବଦଳି ଯାଇଥିଲା । ସେ ଦୃଢ଼ତାର ସହିତ କହିଥିଲେ, ‘‘ତୁମେ ଭୁଲ କହିଲ ଶୁଭ୍ରା ! ଏହି ଦେହ, ଏହି ପ୍ରାଣ ଏବଂ ଏହି ହୃଦୟ ଚାହେଁ ଆଉ ଗୋଟିଏ ଦେହ, ପ୍ରାଣ ଓ ହୃଦୟ ସଙ୍ଗେ ମିଶିଯାଇ ଏକ ହୋଇଯିବା ପାଇଁ । ଯେଉଁ ପ୍ରାଣ, ହୃଦୟକୁ ମୁଁ ଖୋଜୁଛି, ସେହି ହୃଦୟର ସନ୍ଧାନ ତୁମେ ମୋତେ ଦେଇ ପାରିବ-?’’

 

ଶୁଭ୍ରା ସେଦିନ କୌଣସି ଉତ୍ତର ଦେଇ ପାରିନଥିଲା । ସେ କେବଳ ଅର୍ଥପୂର୍ଣ୍ଣ ନୟନରେ ଅନାଇଥିଲା ଗତିକୃଷ୍ଣକୁ । ଗତିକୃଷ୍ଣର ଆଖିଦୁଇଟି ସେତେବେଳେ ଜଳିଉଠିଥିଲା । ଇସ୍ କେଡ଼େ ପ୍ରଖର ଚାହାଣି ସେ ଆଗ୍ନେୟଗିରିର ଜ୍ୱଳନ୍ତ ଲାଭା ସ୍ରୋତପରି ସେଦିନ ସେହି ଆଖିର ରଙ୍ଗ ରକ୍ତାଭ ଦେଖାଯାଉଥିଲା । ଶୁଭ୍ରା ଭୟରେ ଥରିଉଠିଥିଲା ସତ, କିନ୍ତୁ ସେ ତା’ର ଅଜ୍ଞାତସାରରେ ନିଜକୁ, ନିଜର ଦେହକୁ ଓ ନିଜର ପ୍ରାଣକୁ ହଜାଇଦେଇଥିଲା ଦାର୍ଶନିକ ଗତିକୃଷ୍ଣ ପାଖରେ ।

 

ସେଦିନ ମନେମନେ ଯଥେଷ୍ଟ ଆନନ୍ଦିତ ହୋଇଥିଲା ଶୁଭ୍ରା । ଉପଯୁକ୍ତ ମଣିଷ ପାଖରେ ସେ ନିଜକୁ ବିକ୍ରୟ କରିଦେଇଛି ଏବଂ ବିରାଟ ହୃଦୟବାନ ମଣିଷ ପାଖରେ ସେ ନିଜର ହୃଦୟକୁ ଯେ ଅର୍ପଣ କରିଦେଇଛି ଏତିକି ଥିଲା ତାହାର ଏକମାତ୍ର ସାନ୍ତ୍ୱନା ।

 

ଦାର୍ଶନିକ ଗତିକୃଷ୍ଣ କିନ୍ତୁ ସେଦିନ ଭୟରେ ଥରି ଉଠିଥିଲେ । କ୍ଷଣିକ ଉତ୍ତେଜନା ବଶତଃ ସେ କଲେ କ’ଣ ? ସେ ନିଜ ହାତରେ ନିଜର ତଣ୍ଟି କାଟିଦେଲେ ନାହିଁ କି ? ତାଙ୍କର ସବୁ ନଷ୍ଟ ହେଇଗଲା । ତାଙ୍କର ଦାମ୍ଭିକତା ଉଭେଇଗଲା । ତାଙ୍କର ପୌରୁଷ ହଜିଗଲା । କେବଳ ରହିଲା ତାଙ୍କର ଏହି ନଶ୍ୱର ପିଣ୍ଡଟା । ଯେଉଁ ପିଣ୍ଡଟାକୁ ଖିନ୍‍ଭିନ୍‍କରି ଖାଇଯିବାକୁ ସେ ନ ମରିବା ପୂର୍ବରୁ ମଧ୍ୟ କାଉ ଶାଗୁଣାଗୁଡ଼ିକ ଏବେଠାରୁ ଟାକି ବସିଛନ୍ତି । ଆପେ ଆପେ ତାଙ୍କର ଆଖି ଦୁଇଟା ତଳକୁ ନଇଁପଡ଼ିଲା । ଶୁଭ୍ରା ମୁହଁକୁ ସଳଖ ଭାବେ ଅନେଇବାକୁ ତାଙ୍କର ସତ୍‍ ସାହାସ ଆଉ ରହିଲା ନାହିଁ । ସେ ନିଜକୁ ନିସ୍ୱ ଓ ଅସହାୟ ମଣି ତଳକୁ ମଥା ପୋତିଦେଲେ ।

 

ସିଂହର ପରାକ୍ରମ ଯେପରି ତାହାର ସୌନ୍ଦର୍ଯ୍ୟ ପୁରୁଷର ପୌରୁଷ ମଧ୍ୟ ସେହିପରି ତାହାର ସୌନ୍ଦର୍ଯ୍ୟ । ପୁରୁଷର ପୌରୁଷ ନଷ୍ଟ ହୋଇଗଲେ ପୁରୁଷତ୍ୱର ମୂଲ୍ୟ କ’ଣ ରହେ ? ପୁରୁଷର ପ୍ରତିଭା ତାହାର ଉଜ୍ଜ୍ୱଳ ଚରିତ୍ର ଯୋଗୁଁ ହିଁ, ଆହୁରି ଅଧିକ ଭାବେ ପ୍ରତିଭାତ ହୋଇଥାଏ । ଚରିତ୍ରହୀନ ପୁରୁଷକୁ ସମସ୍ତେ ଘୃଣା କରନ୍ତି । ହୀନଚରିତ୍ର ଯୋଗୁଁ ହିଁ ପୁରୁଷ ସମସ୍ତଙ୍କ ପାଖରୁ ସମ୍ମାନ ହରାଇବସେ ।

 

ଶୁଭ୍ରା ଯେ ତାଙ୍କୁ ଘୃଣା ନ କରିବ ଏହା ଭାବିବା କେବଳ ତାଙ୍କର ନିର୍ବୋଧତା ମାତ୍ର । ତାଙ୍କର ସବୁ ଯେତେବେଳେ ନଷ୍ଟ ହୋଇଗଲା, ଦୁନିଆ ତାଙ୍କୁ ବିଦ୍ରୂପ ନ କରିବ ବା କାହିଁକି ? ସେ ଯେତେ ପ୍ରତିଭାବାନ୍‍ ବ୍ୟକ୍ତି ହୁଅନ୍ତୁ ପଛକେ, କିନ୍ତୁ ଶୁଭ୍ରା ଆଖିରେ ସେ କ’ଣ ? ତାଙ୍କୁ ସମ୍ମାନିତ ବ୍ୟକ୍ତି ଭାବି ଶୁଭ୍ରା ଆଉ ଆଦର କରିବ କି ? ସେ ଶୁଭ୍ରା ଆଖିରେ ଛୋଟ ହୋଇଯାଇ ନାହାନ୍ତି କି ?

 

ତାଙ୍କର ଏହି ଅଧଃପତନ ପାଇଁ ସେ ନିଜେ ଦାୟୀ । କାହିଁକି ସେ ନିଜର ଦୁର୍ବଳତାକୁ ଶୁଭ୍ରା ପାଖରେ ପ୍ରକାଶ କରିଦେଇ ଛୋଟ ହୋଇଗଲେ ? ଶୁଭ୍ରା ନାରୀ । ନାରୀ ମାତ୍ରେ ହିଁ ଚରିତ୍ରବାନ୍ ପୁରୁଷର ବନ୍ଧୁତ୍ୱ ଓ ସ୍ନେହ କାମନା କରନ୍ତି । ତାଙ୍କର କେଉଁ ସଦ୍‍ଗୁଣ ଦେଖି ଶୁଭ୍ରା ତାଙ୍କୁ ଆଉ ଆଦର କରିବ ?

 

ସେ ପୂର୍ବପରି ଶୁଭ୍ରା ପାଖକୁ ଯାଉଥିଲେ ଏବଂ ତାଙ୍କୁ ସ୍ୱାଗତ ଜଣାଇବାକୁ ଶୁଭ୍ରା ମୋଟେ ତ୍ରୁଟି କରୁନଥିଲା । ସେ ତାଙ୍କୁ ଦେଖିଲାମାତ୍ରେ ମନ ପୂରାଇ ହସୁଥିଲା । ମାତ୍ର ଗତିକୃଷ୍ଣକୁ ଶୁଭ୍ରାର ହସ ମୋଟେ ଭଲ ଲାଗୁନଥିଲା । ତାଙ୍କୁ ଜଣାଯାଉଥିଲା ଶୁଭ୍ରା ଯେପରି ତାଙ୍କୁ ଉପହାସ କରୁଛି ? ରକ୍ତମାଂସର ଦେହରେ ଯେ ତାହା ମୋଟେ ସହ୍ୟ କରିହୁଏ ନାହିଁ ।

 

ତଥାପି ଗତିକୃଷ୍ଣ ସବୁ ସହ୍ୟ କରିଯାଉଥିଲେ । ନସହି ଉପାୟ କ’ଣ ? ଯେତେଥର ସେ ଦୁନିଆକୁ ମଣିଷ ହୋଇଆସିବେ, ସେତେଥର ତାଙ୍କୁ ଶୁଭ୍ରାର ଅବହେଳା ସହ୍ୟ କରିବାକୁ ହେବ । ଶୁଭ୍ରା ଆଖିରେ ଏଣିକି ସେ ଆଉ ଦୀପ୍ତିମାନ୍‍ ସୂର୍ଯ୍ୟଭଳି ଦେଖାଯିବେ ନାହିଁ । ସେ ବର୍ତ୍ତମାନ ଶୁଭ୍ରା ଆଖିରେ ଏକ ଖଦ୍ୟୋତ ମାତ୍ର । ଅନ୍ତର ତାଙ୍କର ଦଗ୍‍ଧ ହୋଇଯାଏ । ଏଣୁ ସେ ଅସ୍ୱାଭାବିକ ଭାବେ ଅସ୍ଥିର ହୋଇପଡ଼ୁଥିଲେ । ତାଙ୍କର ଏପରି କାହିଁକି ହେଲା ? ଏ ପ୍ରଶ୍ନର ଉତ୍ତର ସେ ଖୋଜିବୁଲନ୍ତି ମାତ୍ର ପାଆନ୍ତି ନାହିଁ ।

 

ଶୁଭ୍ରା ତାଙ୍କୁ କିଛି କହୁନଥିଲା । ତାଙ୍କର ଅନ୍ତରର ବ୍ୟଥା ଜାଣିବାକୁ ସେ କେବେହେଲେ ଚେଷ୍ଟା କରୁନଥିଲା । ସେ କେବଳ ତାଙ୍କୁ ଦେଖିଲାମାତ୍ରେ ଅପାର ଆନନ୍ଦରେ ହସି ଦେଉଥିଲା । ନାରୀ ଜନ୍ମର ସାର୍ଥକତା ଯେ ସେ ଉପଲବ୍ଧି କରିପାରିଛି ଏହା ହେଉଛି ତାହାର ଏକମାତ୍ର ଆନନ୍ଦର ବିଷୟ । ସେ ପୂର୍ବାପେକ୍ଷା ଗତିକୃଷ୍ଣଙ୍କୁ ଯଥେଷ୍ଟ ଆଦର କରୁଥିଲା । ତାଙ୍କୁ କେବେହେଲେ ସେ ଅବହେଳା କରେନାହିଁ କିମ୍ବା ସମ୍ମାନ ଦେବାକୁ କେବେହେଲେ ତ୍ରୁଟି ମଧ୍ୟ କରେନାହିଁ ।

 

ମଣିଷ ନିଜେ ନିଜ ପାଖରେ ଛୋଟ ହୋଇଗଲେ ସେ ବୁଝେ ସମସ୍ତେ ଯେପରି ତାକୁ ସେହି ଛୋଟ ଆଖିରେ ଦେଖୁଛନ୍ତି । ସମସ୍ତେ ଯେପରି ତାକୁ କେବଳ ଦୟା ଦେଖାଇ ଆଦର କରୁଛନ୍ତି । ସେ ଅନ୍ୟ କାହାପାଖରୁ ସ୍ନେହ କିମ୍ବା ସମ୍ମାନ ପାଇବାକୁ ଯେପରି ଅଯୋଗ୍ୟ ଏହି ଗୋଟିଏ କଥା ସବୁବେଳେ ଗତିକୃଷ୍ଣ ଭାବିଭାବି ମ୍ରିୟମାଣ ହୋଇଯାଇଥିଲେ । ସେ ନିଜ ସମ୍ବନ୍ଧରେ ଉଚ୍ଚଚିନ୍ତା କରିବାକୁ କେବେ ସକ୍ଷମ ହେଉଥିଲେ ବୋଲି ତାଙ୍କୁ ଦେଖି ଅନୁମାନ ହେଉନଥିଲା ।

 

ଏମିତି ଅନେକ କଥା ଭାବି ଭାବି ଗତିକୃଷ୍ଣଙ୍କ ସ୍ୱାସ୍ଥ୍ୟ ଭାଙ୍ଗିପଡ଼ିଲା । ସେ ବହୁଦିନ ଶଯ୍ୟାଶାୟୀ ହେଲେ । ସେ ତଥାପି ନିଜକୁ କୌଣସି ପ୍ରକାରେ ସାନ୍ତ୍ୱାନା ଦେଇପାରିଲେ ନାହିଁ ।

 

ତାଙ୍କୁ ଦେଖିବାକୁ ଶୁଭ୍ରା ଦିନେ ଆସିଥିଲା । ଦେଖିଲାକ୍ଷଣି ସମବେଦନା ପ୍ରକାଶକରି କହିଲା, ‘‘ଆପଣ ଏତେ ଭାଙ୍ଗିପଡ଼ିଛନ୍ତି କ’ଣ ପାଇଁ ? ବୋଧହୁଏ ବହୁତ ଦର୍ଶନ ଚିନ୍ତା କରୁକରୁ ଆପଣ ନିଜେ ନିଜର ସ୍ୱାସ୍ଥ୍ୟକୁ ନଷ୍ଟ କରିଦେଇଛନ୍ତି । ଏଣିକି ଦର୍ଶନ ଚିନ୍ତା ବେଶି କରନ୍ତୁ ନାହିଁ । ମଣିଷର ପ୍ରତିଭା ଅପେକ୍ଷା ତାହାର ସ୍ୱାସ୍ଥ୍ୟଟା ହେଉଛି ବଡ଼ ଜିନିଷ । ସ୍ୱାସ୍ଥ୍ୟ ନଷ୍ଟ ହୋଇଗଲେ ମଣିଷର ସବୁ ନଷ୍ଟ ହୋଇଯାଏ ।’’

 

ଏତିକି କହି ସେଦିନ ଶୁଭ୍ରା ଚାଲିଗଲା । ଗଲାବେଳେ କହିଲା, ‘‘ପୁଣି ଆଉଦିନେ ଆସିବି ।’’

 

‘‘ଆଉ ଆସିବାର ଆବଶ୍ୟକତା ବୋଧହୁଏ ହେବନାହିଁ । ଏତିକି କେବଳ ଉତ୍ତର ଦେଇଥିଲେ ଗତିକୃଷ୍ଣ ।’’

 

ଶୁଭ୍ରା ଚାଲିଗଲା ଖୁବ୍‍ ତରବରରେ । ଛୋଟ ପିଲାଟିକୁ ସେ ଘରେ ଛାଡ଼ି ଦେଇ ଆସିଥିଲା । ପିଲାଟି କାନ୍ଦୁଥିବ ହୁଏତ ।

 

ଶୋଇଶୋଇ ଗତିକୃଷ୍ଣ ଭାବୁଥିଲେ କେବଳ ସାଧାରଣ ଭଦ୍ରାମି ରକ୍ଷାକରିବାକୁ ଶୁଭ୍ରା ଆସିଥିଲା, ନ ଆସିଥିଲେ କାଳେ ଲୋକ କ’ଣ କହିବେ ସେଥିପାଇଁ ସେ ନିଶ୍ଚୟ ଆସିଥିଲା କେବଳ କେତୋଟି ମିନିଟ୍‍ ପାଇଁ । ଆସିବାରେ ତା’ର ମୋଟେ ଆନ୍ତରିକତା ନ ଥିଲା । ଆନ୍ତରିକତା ଯଦି ଥାଆନ୍ତା ତେବେ ସେ ନିଶ୍ଚୟ ତାଙ୍କ ପାଖରେ କିଛି ସମୟ ବସିଥାଆନ୍ତା ଏବଂ ତାଙ୍କର ଏପରି କାହିଁକି ଅବସ୍ଥା ହେଲା ଏହା ମଧ୍ୟ ନିଶ୍ଚୟ ପଚାରିଥାଆନ୍ତି । ପ୍ରତିଭା ଅପେକ୍ଷା ସ୍ୱାସ୍ଥ୍ୟ କେବେ ବଡ଼ ଜିନିଷ ନୁହେଁ । ମଣିଷର ପ୍ରତିଭା ଅପେକ୍ଷା ଚରିତ୍ର ହେଉଛି ବଡ଼ ଜିନିଷ । ଏହିକଥା କହିବାକୁ ଶୁଭ୍ରାର ଇଚ୍ଛା ଥିଲା; ମାତ୍ର ସେ ତାଙ୍କର ମନରକ୍ଷା କରିବାକୁ ଚରିତ୍ର କଥା ସିଧାସଳଖ ନ କହି ସ୍ୱାସ୍ଥ୍ୟ କଥା କହିଲା ।

 

ପ୍ରକୃତରେ ମଣିଷର ଚରିତ୍ର ନଷ୍ଟ ହୋଇଗଲେ ସବୁ ତାହାର ନଷ୍ଟ ହୋଇଯାଏ । ଜୀବନର ଭାରସାମ୍ୟ ଆଉ ତାହାର ରହେନାହିଁ । ଚରିତ୍ର ଯିବା ପଛେ ପଛେ ତାହାର ମାନ, ସମ୍ମାନ ମଧ୍ୟ ଚାଲିଯାଏ । ମଣିଷର ଆଉ କ’ଣ ରହେ ଯେ ସେ ବଞ୍ଚିରହିବ ? ଅସହାୟ ଭାବରେ ବଞ୍ଚିରହିବାର ଆଉ ମୂଲ୍ୟ କ’ଣ ?

 

ଗତିକୃଷ୍ଣର ସ୍ତ୍ରୀ ପୁଷ୍ପା ସେଦିନ ଦ୍ୱିପ୍ରହରରେ ଶୁଭ୍ରା ଘରକୁ ବୁଲିଯାଇଥିଲା । ସ୍ତ୍ରୀଟିଏ ପାଇଲେ କଥା ପ୍ରସଙ୍ଗରେ ଅନ୍ୟ ଗୋଟିଏ ସ୍ତ୍ରୀ ଅନେକ କଥା କହିଯାଏ । କହିବା କଥା କହୁଁ କହୁଁ ନ କହିବା କଥା ମଧ୍ୟ ସେମାନଙ୍କ ମଧ୍ୟରେ ଆଳାପ ଆଲୋଚନା ହୁଏ । ଶୁଭ୍ରା ପ୍ରସଙ୍ଗକ୍ରମେ ପୁଷ୍ପାକୁ କହିଲା, ‘‘ଭଉଣୀ ! ତୁମର ଭାଗ୍ୟ ଦେଖିଲେ ତୁମକୁ ହିଂସା ନ କରି ରହିହୁଏ ନାହିଁ । ତୁମର କୌଣସି କଥା ଅଭାବ ନାହିଁ । ମନ ଜାଣି ତୁମେ ସ୍ୱାମୀ ପାଇଛ । ଏମିତି ସ୍ୱାମୀ କ’ଣ ସ୍ତ୍ରୀ ଭାଗ୍ୟରେ ମିଳିବା ସହଜ ?’’

 

ଏମିତି କେତେ କ’ଣ କହୁଁ କହୁଁ ଗତିକୃଷ୍ଣ ବିଷୟରେ ଅନେକ କିଛି ସେଦିନ ଗପିଗଲା ଶୁଭ୍ରା । ପୁଷ୍ପା ଘରକୁ ଫେରିଆସି ଆମୂଳଚୂଳ ଗପିଗଲା ସ୍ୱାମୀ ପାଖରେ । ଅନ୍ୟ ମୁହଁରେ ନିଜର ପ୍ରଶଂସା ଶୁଣିଲେ ମନରେ ଅପାର ଆନନ୍ଦ ଜାତ ହେବା ସ୍ୱାଭାବିକ ମାତ୍ର ଗତିକୃଷ୍ଣର ମନର ଭାବ କୌଣସି ପ୍ରକାରେ ପରିବର୍ତ୍ତନ ହେଲାନାହିଁ; ବରଂ ସେ ମନ ମଧ୍ୟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲେ । ଶୁଭ୍ରା ତାଙ୍କୁ ନିଶ୍ଚୟ ପରିହାସ କଲା । ତାଙ୍କ ଭଳି ହୀନଚରିତ୍ର ପୁରୁଷକୁ ସେ ଭଲ ବୋଲି କହନ୍ତା କିପରି ? ଏୟା କେବଳ ଭାବିବାକୁ ଆରମ୍ଭ କଲେ ଗତିକୃଷ୍ଣ ।

 

ତାଙ୍କର ମନ ମଧ୍ୟରେ ଦୁଇଗୁଣ ବେଗରେ ଝଡ଼ ବହିବାକୁ ଆରମ୍ଭକଲା । ସେ ମନେମନେ ଠିକଣା କଲେ ସେ ଶୁଭ୍ରା ଘରକୁ ଯାଇ ଶୁଭ୍ରାକୁ ସବୁକଥା ବୁଝାଇ କହିବେ ଏବଂ ଆଉ କଟା ଘାଆରେ ଚୂନ ନ ବୋଳିବାକୁ ତାକୁ ମଧ୍ୟ ଅନୁରୋଧ କରିବେ । ଶୁଭ୍ରା କ’ଣ ତାଙ୍କର ସେ ନିବେଦନ ରକ୍ଷା କରିବ ?

 

ମଣିଷର ଦୁର୍ବଳତା ଥରେ ଅନ୍ୟ ଆଖିରେ ଧରା ପଡ଼ିଗଲେ ସେ ସବୁବେଳେ ତା’ର ଦୁର୍ବଳତାର ସୁଯୋଗ ନେବାକୁ ଚାହେଁ । ଶୁଭ୍ରା ମଧ୍ୟ ସେହି ସୁଯୋଗ ଯଥେଷ୍ଟ ପରିମାଣରେ ତାଙ୍କ ପାଖରୁ ଆଦାୟ କରିନେଇଛି । ସେ କ’ଣ ନ କରିଛି କି ? ସେ କହୁଁ କହୁଁ ଦିନେ ଗତିକୃଷ୍ଣଙ୍କୁ କରିଥିଲା, ‘‘ସେ କୁଆଡ଼େ ତାଙ୍କୁ ସନ୍ତୁଷ୍ଟ କରିବାକୁ କେବଳ ଭଲପାଏ ।’’

 

ଗତିକୃଷ୍ଣର ମନରକ୍ଷା କରିବାକୁ ସେ ଏତିକି ନିଶ୍ଚୟ କହିଥିଲା । ସେ ଯେଉଁ ଚରିତ୍ରବାନ ପୁରୁଷ, ତାଙ୍କର ମନରକ୍ଷା କରିବାକୁ ଶୁଭ୍ରା ଭଳି ନାରୀ ପୁଣି ଚେଷ୍ଟା କରିବ ? ପୁରୁଷର ପ୍ରତିଭା ପାଇଁ ନାରୀ ତାକୁ ସମ୍ମାନ ଦେଇପାରେ ନାହିଁ । ପୁରୁଷର ବିଷୟ, ସପତ୍ତି ପାଇଁ ସେ ନାରୀର ଶ୍ରଦ୍ଧା ଭାଜନ ହୁଏ । ପୁରୁଷ ତାହାର ଅକଳଙ୍କ ଚରିତ୍ର ପାଇଁ ନାରୀ ଆଖିରେ ହୁଏ ଜଣେ ସମ୍ମାନିତ ବ୍ୟକ୍ତି-

 

ଗତିକୃଷ୍ଣ ଭାବୁଥିଲେ ତାଙ୍କର ବିଷୟ ଅଛି ନା ସମ୍ପତ୍ତି ଅଛି ? ଯେଉଁ ଉଜ୍ଜ୍ୱଳ ଚରିତ୍ର ବଳରେ ପୁରୁଷ ନାରୀ ପାଖରୁ ସମ୍ମାନ ପାଏ, ସେତିକି ସେ ଅନେକ ଦିନରୁ ନଷ୍ଟ କରିଦେଇଛନ୍ତି । ସୁତରାଂ ଶୁଭ୍ରା ଭଳି ସ୍ତ୍ରୀ କେବେ ତାଙ୍କୁ ଆଦର କରିପାରିବ ନାହିଁ । ସେ ଯେ ତାଙ୍କୁ ଘୃଣା କରୁନଥିବ ଏହାର ମାନେ ବା କ’ଣ ? କେହି କ’ଣ କାହାକୁ ଢାକ ପିଟି, ଡାକି ବଜାଇ ଘୃଣା କରେ କି ?

 

ଶୁଭ୍ରାକୁ ଦେଖିଲାମାତ୍ରେ ଗତିକୃଷ୍ଣର ମନ ଦୁର୍ବଳ ହୋଇଯାଏ ଅସମ୍ଭବ ଭାବରେ । ତାଙ୍କର ଆଖିରୁ ଲୁହ ଆପେ ଆପେ ଗଡ଼ିଆସେ । ସେ ଅସହାୟ ଭାବରେ ଅଝଟ ପିଲାଭଳି କାନ୍ଦିପକାନ୍ତି । ଶୁଭ୍ରା ହୁଏତ ଭାବୁଥିବ କେବଳ ତାକୁ ଦେଖାଇବା ପାଇଁ ଏସବୁ ଗତିକୃଷ୍ଣର ଗୋଟିଏ ଫିସାଦ । କିନ୍ତୁ ଗତିକୃଷ୍ଣର ଅନ୍ତରର ଆର୍ତ୍ତନାଦ ଶୁଭ୍ରା ଶୁଣିପାରେ ନାହିଁ ।

 

ଏହି ଶୁଭ୍ରା ପାଖରେ ଗତିକୃଷ୍ଣ ଛୋଟ ହୋଇଗଲେ । ଶୁଭ୍ରା ଆଖିରେ ସେ ହୀନ ହୋଇଗଲେ । ଏହି କଥା ସେ ଶୁଭ୍ରାକୁ ଦେଖିଲା ମାତ୍ରେ ଯେତେବେଳେ ଚିନ୍ତା କରୁଥିଲେ, ସେତେବେଳେ ତାଙ୍କର ଦୁଇ ଆଖିରୁ ଶ୍ରାବଣର ବନ୍ୟା ଭଳି ଅଶ୍ରୁ ପ୍ରବାହ ଛୁଟିଆସେ । ଶୁଭ୍ରା ହସି ହସି କହେ, ‘‘ଏତେ ଲୁହ ପୁଣି ପୁରୁଷ ଆଖିରେ ଥାଏ ବୋଲି ତ ତା’ର ଧାରଣା ନ ଥିଲା ।’’

 

ଗତିକୃଷ୍ଣ ଭାବନ୍ତି ଶୁଭ୍ରା କହିବ ନାହିଁ କାହିଁକି ? ଭଗବାନ ତାକୁ କହିବା ପାଇଁ ସୁଯୋଗ ଯେତେବେଳେ ଦେଇଛନ୍ତି ସେ ନିଶ୍ଚୟ କହିବ । କହି କହି ତାହାର ମନର ଓରମାନ ସେ ନିଶ୍ଚୟ ମେଣ୍ଟାଇନେବ । ଚରିତ୍ରହୀନ ଲୋକକୁ ମଣିଷ କେଉଁଠାରେ ଦୟା ଦେଖାଏ ଯେ ଶୁଭ୍ରା ତାଙ୍କୁ ଦୟା ଦେଖାଇବ ?

 

ଶୁଭ୍ରାର ବ୍ୟଙ୍ଗୋକ୍ତି ସେ ସହ୍ୟ କରିପାରିବେ ନାହିଁ କିମ୍ବା ଶୁଭ୍ରାର ବଦାନ୍ୟତା ସେ ମଧ୍ୟ ଗ୍ରହଣ କରିପାରିବେ ନାହିଁ । ଶୁଭ୍ରା ତାଙ୍କୁ ଜାଣିପାରିଲା ବୋଲି ତ ସେ ତାଙ୍କୁ ଆଜି ଏତେ ଉପହାସ କରୁଛି । ଯେଉଁମାନେ ତାଙ୍କୁ ଜାଣିନାହାନ୍ତି କିମ୍ବା ତାଙ୍କ ଚରିତ୍ର ସମ୍ବନ୍ଧରେ କୌଣସି ଦୁଃସମ୍ବାଦ ପାଇନାହାନ୍ତି ସେମାନଙ୍କ ଆଖିରେ ସେ ହେଇଛନ୍ତି ଜଣେ ମହାମହିମ ବ୍ୟକ୍ତି । ଜଣେ ପ୍ରତିଭାବାନ ଦାର୍ଶନିକ । ମାତ୍ର ସେ ଶୁଭ୍ରା ଆଖିରେ ଆଜି କ’ଣ ?

 

ଏମିତି କେତେ କ’ଣ ଭାବିଭାବି ସେ ଶୁଭ୍ରା ଘରକୁ ଗଲେ । ଶୁଭ୍ରା ଚୁଲି ପାଖରେ ବସି ପରିବା କାଟୁଥିଲା । ସେ ଶୁଭ୍ରାକୁ ଦେଖିଲାକ୍ଷଣି ଭୟରେ ଥରିଉଠିଲେ । ଅନ୍ତର ଦୁଃଖରେ ତାଙ୍କର ଫାଟିପଡ଼ିଲା । ଆଖିରୁ ଧାର ଧାର ହୋଇ ଲୁହ ଗଡ଼ିଆସିଲା ।

 

ଶୁଭ୍ରା ବସିବାକୁ ଅନୁରୋଧ କଲା, ଏତିକି ବଦାନ୍ୟତା ସେ ସବୁବେଳେ ତାଙ୍କୁ ଦୟାକରି ଦେଖାଏ । ଆଖିରୁ ଲୁହପୋଛି ଗତିକୃଷ୍ଣ ବସିଲେ ।

 

ଶୁଭ୍ରା ଆରମ୍ଭ କଲା, ‘‘ଦେଖନ୍ତୁ ! ଆପଣଙ୍କ ପାଖରେ ଲୁଚାଇବାର ମୋର କିଛି ନାହିଁ । ଆପଣଙ୍କୁ ଦେଖିଲାକ୍ଷଣି କେତେଦିନ ପାଇଁ ମୁଁ ବେଶ୍‍ ତନ୍ମୟ ହୋଇଯାଇଥିଲି । ଆଉ ଆଜି .... ।’’ କୌଣସି କଥା ଖୋଲିକରି ଶୁଭ୍ରା କରିପାରିଲେ ନାହିଁ । ଶେଷରେ ବହୁ କଷ୍ଟରେ କହିଲା, ‘‘ମୁଁ ହିନ୍ଦୁ ପରିବାରର କୁଳ-ବଧୂ । ଆପଣଙ୍କୁ ଆଉ କ’ଣ ବୁଝାଇବି ।’’

 

ଗତିକୃଷ୍ଣ ହଠାତ୍‍ ବସିବା ସ୍ଥାନରୁ ଉଠିପଡ଼ିଲେ । ସେଠାରେ ବସିରହିବାକୁ ତାଙ୍କର ଆଉ ଧୈର୍ଯ୍ୟ ନ ଥିଲା । ଶୁଭ୍ରା ଆଜି ତାଙ୍କୁ ଘୃଣାକରେ । ପରିଷ୍କାର ଭାବରେ ସେ କହିଗଲା ଏବଂ ସେ ମଧ୍ୟ ନିଜେ କାନରେ ଶୁଣିଲେ । ଏହାଠାରୁ ଲଜ୍ଜାର ବିଷୟ ଆଉ କ’ଣ ଥାଇପାରେ କି ? ସେ ଯାହା ମନେମନେ ଭାବୁଥିଲେ, ଯାହା ଆଶଙ୍କା କରୁଥିଲେ ତାହା ଆଜି ପରିଷ୍କାର ହୋଇଗଲା ।

 

ସେ ଘରକୁ ଫେରୁଥିଲେ । ପାଦ ଦୁଇଟା ଅସମାନ ଭାବରେ ଏପଟେ ସେପଟେ ପଡ଼ୁଥିଲା ।

 

ସେ ଭାବୁଥିଲେ ଯେଉଁ ବିଶ୍ୱାମିତ୍ର ନିଜର ଉଗ୍ର ତପସ୍ୟା ବଳରେ ସ୍ୱଦେହରେ ତ୍ରିଶଙ୍କୁକୁ ସ୍ୱର୍ଗକୁ ପଠାଇ ପାରିଥିଲେ ସେହି ବିଶ୍ୱାମିତ୍ର ମେନକା ଆଖିରେ ଗୋଟିଏ ଭଙ୍ଗାଦର୍ପଣ ନୁହେଁ କି ? ମେନକା ଯେଉଁ ବାଟରେ ଆସିଥିଲା ସେହି ବାଟରେ ସେ ଫେରିଯାଇଛି; କିନ୍ତୁ ବିଶ୍ୱାମିତ୍ରଙ୍କ କପାଳରେ ସେ କଳଙ୍କର ଟୀକା ପିନ୍ଧାଇଦେଇ ଯାଇଛି । ସେହି ଟୀକା ଯୁଗଯୁଗ ପାଇଁ ରହିଗଲା । ସୁଧୀ ସମାଜରେ ବିଶ୍ୱାମିତ୍ର ନିଜର ସ୍ଖଳନ ପାଇଁ ମଥାଟେକି ପାରିଲେ ନାହିଁ ।

 

ମେନକାର କ’ଣ ଥିଲା ଯେ ମେନକାକୁ ଲୋକେ ସମାଲୋଚନା କରିଥାନ୍ତେ । ସମସ୍ତେ ସମାଲୋଚନା କଲେ କେବଳ ବିଶ୍ୱାମିତ୍ରକୁ ।

 

ହଠାତ୍‍ ତାଙ୍କର ନିଜର କଥା ମନେପଡ଼ିଗଲା, ଆଉ ସେ ନିଜେ ଶୁଭ୍ରା ଆଖିରେ କ’ଣ ହୋଇଥିବେ ? ସେ ଯେ ଜଣେ ଚରିତ୍ରହୀନ ପୁରୁଷ ଏହି କଥା ଭାବିଲାବେଳକୁ ତାଙ୍କର ମଥାଘୂରି ଯାଉଥିଲା ।

Image